ସ୍ଲମ୍‌ କ୍ୱାର୍ଟର୍ସ ଆବଣ୍ଟନ ପ୍ରସଙ୍ଗ: ଆଳୁ ଖୋଳୁ ଖୋଳୁ ମହାଦେବ

ସ୍ଲମ୍‌ କ୍ବାର୍ଟର୍ସ ବାଣ୍ଟିବା ପ୍ରସଙ୍ଗ

ନଗର ଉନ୍ନୟନ ବିଭାଗ କର୍ମଚାରୀ ମଧ୍ୟ ନେଇଛନ୍ତି କ୍ୱାର୍ଟର

ଭୁବନେଶ୍ୱର: କେନ୍ଦ୍ର ସରକାର କରିଥିବା ସ୍ଲମ୍‌ କ୍ୱାର୍ଟର୍ସ ବିଏମ୍‌ସି କର୍ମଚାରୀଙ୍କୁ ବାଣ୍ଟି ଦିଆଯାଇଛି। କେତେକ କର୍ମଚାରୀ ଅବସର ପରେ କ୍ୱାର୍ଟର୍ସ ଫେରାଇ ନାହାନ୍ତି। ଜଣେ କର୍ମଚାରୀ କୋର୍ଟରେ ହାରିଯିବା ଓ ମେ’ ମାସ ସୁଦ୍ଧା କ୍ୱାର୍ଟର୍ସ ଫେରାଇବା ପାଇଁ ତାଙ୍କୁ ବିଏମ୍‌ସି ନୋଟିସ୍‌ ହେବା ପରେ ତନାଘନା ହୋଇଛି। ଖୋଳତାଡ଼ ବେଳେ ବିଚିତ୍ର କଥା ସାମ୍ନାକୁ ଆସିଛି। ଏଠାରେ କେବଳ ବିଏମ୍‌ସି କର୍ମଚାରୀ ନୁହନ୍ତି, ବରଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସମେତ ବ୍ୟାଙ୍କ୍‌ କର୍ମଚାରୀ, ଲୁଗା ବେପାରୀ, ଶିକ୍ଷକ, ହସ୍‌ପିଟାଲ କର୍ମଚାରୀ ଓ ଠିକାଦାରଙ୍କୁ ମଧ୍ୟ କ୍ୱାର୍ଟର୍ସ ଦିଆଯାଇଛି। କୌତୂହଳପ୍ରଦ କଥା ହେଉଛି, ଏଠାରେ କେତେକ ପୁଲିସ କର୍ମଚାରୀ ମଧ୍ୟ କ୍ୱାର୍ଟର୍ସ ପାଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ସେମାନଙ୍କୁ ଏହି କ୍ୱାର୍ଟର୍ସ ଦିଆଯାଇଛି। ଜଣେ ବିଏମ୍‌ସି କର୍ମଚାରୀ ‌କୋର୍ଟରେ ହାରିବା ପରେ ସମସ୍ତ ବିଭାଗ ତତ୍ପର ହୋଇଛନ୍ତି। ଏଥିରେ ରହୁଥିବା‌ ବିଏମ୍‌ସି କର୍ମଚାରୀମାନଙ୍କୁ ଏହି କ୍ୱାର୍ଟର୍ସ ବାଣ୍ଟି ଦେବାକୁ ହାଇକୋର୍ଟରେ ହୋଇଥିବା ଆବେଦନ ଉପରେ ବିଚାର କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଆଦେଶ ହୋଇଛି। ଏହି ଆଦେଶ ଉପରେ ବିଭାଗ ତର୍ଜମା କରୁଥିବା ବେଳେ ଅନ୍ୟ ବିଭାଗ ବା ଠିକାଦାର ପାଇଥିବା କ୍ୱାର୍ଟର୍ସ ପ୍ରସଙ୍ଗ ଘଟଣା‌ରେ ନୂଆ ମୋଡ଼ ଆଣିଛି। ବିଏମ୍‌ସି କର୍ମଚାରୀଙ୍କୁ ଯଦି କ୍ୱାର୍ଟର୍ସଗୁଡ଼ିକ ବାଣ୍ଟି ଦିଆଯାଏ, ତେବେ ଏହାକୁ ଆଧାର କରି ଅନ୍ୟମାନେ ମଧ୍ୟ ସବୁଦିନ ପାଇଁ କ୍ୱାର୍ଟର୍ସ ନିଜ ନାମରେ କରି ନେବା ପାଇଁ ଯୋଗ୍ୟ ବିବେଚିତ ହେବେ। ଏଣୁ ଏହି ପ୍ରସଙ୍ଗ କ୍ରମେ ଜଟିଳ ହେବାରେ ଲାଗିଛି।
୧୯୫୬ ମସିହାରେ କେନ୍ଦ୍ର ସରକାର ‘ସ୍ଲମ୍‌ କ୍ଲିୟରାନ୍ସ ସ୍କିମ୍‌’ରେ ୟୁନିଟ୍‌-୩ ମାଳିସାହି, ପୁରୁଣା ଭୁବନେଶ୍ୱର ହାଡ଼ିପୋଖରୀ ଓ ଶ୍ରୀରାମନଗରରେ ସାଧାରଣ ପ୍ରଶାସନ(ଜିଏ) ବିଭାଗ ଜମିରେ ୧୮୫ଟି କ୍ୱାର୍ଟର୍ସ ତିଆରି କରିଥିଲେ। ଏହି ସବୁ କ୍ୱାର୍ଟର୍ସ ବସ୍ତି ବାସିନ୍ଦାଙ୍କୁ ବାଣ୍ଟିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ, ଗୃହ ବିଭାଗ, ପୂର୍ତ୍ତ ବିଭାଗ, ବିଏମ୍‌ସି (ତତ୍‌କାଳୀନ ମ୍ୟୁନିସିପାଲିଟି) ଅଧିକାରୀଙ୍କୁ ନେଇ ଏକ ‘ସ୍ଲମ୍‌ କ୍ୱାର୍ଟର୍ସ ଆଲଟ୍‌ମେଣ୍ଟ କମିଟି’ ଗଠନ ହୋଇଥିଲା। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ରାଜ୍ୟ ସରକାର ଏକ କମିଟି ଗଠନ କରିଥିଲେ। ସ୍ୱଳ୍ପ ଭଡ଼ାରେ ଘରଗୁଡ଼ିକୁ ବସ୍ତିବାସିନ୍ଦାଙ୍କୁ ଦେବା ପାଇଁ ନିୟମ ରହିଥିଲା। ୧୯୭୩ ମସିହା ଅକ୍ଟୋବର ୧୦ ତାରିଖରେ ଏହି କମିଟି ଗଠନ ହୋଇଥିଲା। କମିଟିର ପ୍ରଥମ ବୈଠକ ୧୯୭୪ ଜୁନ୍‌ ୨୪ ତାରିଖରେ ବସିଥିଲା।
ନାଟର ଗୋବର୍ଦ୍ଧନ ସ୍ଲମ୍‌ କ୍ୱାର୍ଟର୍ସ ଆଲଟ୍‌ମେଣ୍ଟ କମିଟି
ବସ୍ତିବାସିନ୍ଦାଙ୍କୁ ବାଣ୍ଟିଲେ ଭଡ଼ା ମିଳିବ ନାହିଁ ବା ସମସ୍ୟା ହୋଇପାରେ ଆଶଙ୍କା କରି ସରକାରୀ କର୍ମଚାରୀଙ୍କୁ ବାଣ୍ଟିବା ପାଇଁ କମିଟି ଯୋଜନା କଲା। ଭୁବନେଶ୍ୱର ଏନ୍‌ଏସି(ବର୍ତ୍ତମାନ ବିଏମ୍‌ସି)ଅଫିସ୍‌ରୁ ୪୫ ଆବେଦନ ଆସିଥିବା ବେଳେ ନଗର ଉନ୍ନୟନ ବିଭାଗ(ବର୍ତ୍ତମାନ ଏଚ୍‌ ଆଣ୍ଡ ୟୁଡି)ରୁ ୧୭ ଓ ଅନ୍ୟ ଅନୁଷ୍ଠାନରୁ ୧୧୪ଟି ଏଭଳି ୧୭୬ଟି ଆବେଦନ ଆସିଥିଲା। ଏଣୁ ଆଉ ବିଜ୍ଞାପନ ପ୍ରକାଶ ନ କରି ସମ୍ପୃକ୍ତ କର୍ମଚାରୀମାନଙ୍କୁ କମିଟି ବାଣ୍ଟି ଦେଇଥିଲା। ଚାକିରି ସରିବା ପରେ କ୍ୱାର୍ଟର୍ସ ଫେରାଇବେ ଓ ତାଙ୍କର କୌଣସି ପରିବାରବର୍ଗଙ୍କୁ କ୍ୱାର୍ଟର ସ୍ଥାନାନ୍ତର ହୋଇପାରିବ ନାହିଁ ବୋଲି ସର୍ତ୍ତ ରହିଥିଲା। ବଳିଥିବା ୯ଟି କ୍ୱାର୍ଟର୍ସକୁ ମନଇଚ୍ଛା ବାଣ୍ଟି ଦିଆଯାଇଥିଲା। କିଛି ଦିନ ଭଡ଼ା ଆଦାୟ କରିବା ପରେ ବିଏମ୍‌ସି ଆଉ ଭଡ଼ା ଆଦାୟ କଲା ନାହିଁ। ଅନ୍ୟ ବିଭାଗ କ୍ୱାର୍ଟର୍ସ ଅବସ୍ଥା ମଧ୍ୟ ସେଇୟା ହେଲା। ଅନ୍ୟ ବିଭାଗରେ ହିସାବ ମଧ୍ୟ ରହିଲା ନାହିଁ କିଏ କେଉଁଠି ରହୁଛି। ‌କେତେକ କର୍ମଚାରୀ ଅନ୍ୟମାନଙ୍କୁ ଘର ଭଡ଼ାସୂତ୍ରରେ ମଧ୍ୟ ‌ଦେଇଦେଲେ। ଏଭଳି ବିଚିତ୍ର ଅବସ୍ଥା ଏବେ ବି ଲାଗି ରହିଛି। ଘର ଖାଲି ହେବା ମାତ୍ରେ ମନଇଚ୍ଛା ଆବଣ୍ଟନ ହେଉଛି। ନଗର ଉନ୍ନୟନ ବିଭାଗ ନିଜ କର୍ମଚାରୀଙ୍କୁ ବାଣ୍ଟିଥିବା ବେଳେ ଗୃହ ବିଭାଗ ମଧ୍ୟ ପୁଲିସଙ୍କୁ ବାଣ୍ଟୁଛି। ଯୋଜନା ସମ୍ପୂର୍ଣ୍ଣ ବାଟବଣା ହୋଇଯାଇଛି। ବସ୍ତିବାସିନ୍ଦାଙ୍କୁ ବଣ୍ଟାଯିବାକୁ ଥିବା ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି କମିଟି ଯେଉଁ ନିଷ୍ପତ୍ତି ନେଇଥିଲା ତାହା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଏବେ ଏଠାରେ ରହୁଥିବା ହିତାଧିକାରୀଙ୍କ ପାଇଁ ଓଲଟା ଫଳିବାକୁ ଯାଉଛି।

Share Now:

Kalinga News Beuro

Next Post

ନବ ଦାସ ହତ୍ୟା ପ୍ରସଙ୍ଗ : ପୁଲିସ- ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି

Mon Mar 20 , 2023
ସୁଶାନ୍ତ ସିଂହଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ଭୁବନେଶ୍ଵର: ବିଧାନସଭା ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ ବେଳେ ପୁଲିସ- ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ବିଧାନସଭା ଘେରାଉ ପାଇଁ ଯିବା ବେଳେ ପୁଲିସ ସହ କିଛି ଛାତ୍ର କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଥିଲେ। ନବ ଦାସ ହତ୍ୟା ପ୍ରସଙ୍ଗରେ ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି ଛାତ୍ର କଂଗ୍ରେସ। ଏହାପରେ କେତେକ […]
ପୁଲିସ- ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial