‘ମୋ ବସ୍‌’ରୁ ୫୦ ହଜାର ଲୁଟ୍‌ ଅଭିଯୋଗ

‘ମୋ ବସ୍‌’

ଭୁବନେଶ୍ବର: ଗତ ୧୦ ତାରିଖରେ ଝିଅର ବାହାଘର କରିଥିଲେ। ପରମ୍ପରା ଅନୁସାରେ ବାହାଘରକୁ ଆସିଥିବା ସ୍ବତନ୍ତ୍ର ଅତିଥିମାନଙ୍କୁ ଲୁଗା ଦେବାକୁ ମନସ୍ଥିର କରିଥିଲେ। ଏଥିପାଇଁ ଭୁବନେଶ୍ବରକୁ ଲୁଗା କିଣିବାକୁ ଆସିଥିଲେ। କିନ୍ତୁ ଲୁଗା କିଣିବା ପୂର୍ବରୁ ପାଖରେ ରଖିଥିବା ୫୦ ହଜାର ଟଙ୍କା ‘ମୋ ବସ୍‌’ରେ ମଙ୍ଗଳବାର ଲୁଟ୍‌ ହୋଇଥିବା ନେଇ ଜଣେ ବ୍ୟକ୍ତି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି। ଚୋରିର ଶିକାର ହୋଇଛନ୍ତି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ବଡ଼ପଦନପୁର ଗ୍ରାମର ରାଜକିଶୋର ଜେନା। ‘ମୋ ବସ୍‌’ରେ ଟଙ୍କା ଚୋରି ହେଲା ପରେ ଦୁଃଖରେ ଭାଙ୍ଗିପଡ଼ି ପୁଲିସ ଆଗରେ ରାଜକିଶୋର ଗୁହାରି କରିଛନ୍ତି। ଚନ୍ଦ୍ରଶେଖରପୁର ଥାନାରେ ହୋଇଥିବା ଅଭି‌ଯୋଗ ଅନୁସାରେ ରାଜକିଶୋର ତାଙ୍କ ପରିବାର ସହିତ ଏକ ବସ୍‌ରେ ବାଙ୍କୀରୁ ଆସି ତ୍ରିଶୂଳିଆ ନିକଟରେ ଓହ୍ଲାଇଥିଲେ। ସେଠାରୁ ସେମାନେ ଭୁବନେଶ୍ୱର ଆସିବା ପାଇଁ ‘ମୋ ବସ୍‌’ରେ ଚଢ଼ିଥିଲେ। ହେଲେ ଗନ୍ତବ୍ୟସ୍ଥଳରେ ଓହ୍ଲାଇପୂର୍ବରୁ ସେ ତାଙ୍କ ପକେଟରେ ହାତ ମାରିବାରୁ ଟଙ୍କା ନଥିବା ଜାଣିବାକୁ ପାଇଥିଲେ। ସେ ଘଟଣା ସଂପର୍କରେ ବସ୍‌ କର୍ମଚାରୀଙ୍କୁ କହିଥିଲେ। ବସ୍ କର୍ମଚାରୀ ବସ୍‌ରେ ଥିବା ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରିଥିଲେ। ହେଲେ ଟଙ୍କା ମିଳି ନଥିଲା। ଏହା ପରେ ରାଜକିଶୋର ଜେନା ଚନ୍ଦ୍ରଶେଖରପୁର ଥାନାକୁ ଯାଇ ଏତଲା ଦେଇଥିଲେ।
ସୂଚନାଯୋଗ୍ୟ, ‘ମୋ ବସ୍‌’ ସାଧାରଣ ଯାତ୍ରୀଙ୍କୁ ଯେତିକି ସୁବିଧା ଯୋଗଉଛି, ତା’ଠାରୁ ଅଧିକ ଯନ୍ତ୍ରଣା ମଧ୍ୟ ଦେଉଛି। ‘ମୋ ବସ୍‌’ରୁ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହେଉଛି। କେତେବେଳେ ମୋବାଇଲ ତ କେତେବେଳେ ଟଙ୍କା ଚୋରି ହେଉଛି। ଗତବର୍ଷ ଜଣେ କ୍ୟାନସର ରୋଗୀଙ୍କ ଠାରୁ ୪୨ ହଜାର ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ବସ୍‌ରେ ସିଟ୍‌ ପୂର୍ଣ୍ଣ ହେବା ପରେ ବହୁ ଯାତ୍ରୀ ଛିଡ଼ା ହେଉଛନ୍ତି। ଅତ୍ୟଧିକ ଭିଡ଼ ଯୋଗୁ ଅନେକ ସମୟରେ ଚୋରି ହେଉଛି। ଗତବର୍ଷ ଡିସେମ୍ବର ମାସରେ କମିଶନରେଟ୍ ପୁଲିସ୍ ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଥିଲା। ସେମାନେ କୃତ୍ରିମ ଭିଡ଼ ସୃଷ୍ଟି କରି ମୋ ବସ୍‌ ରୁ ଲୁଟ୍ କରୁଥିବା ଜଣାପଡ଼ିଥିଲା।

Share Now:

Kalinga News Beuro

Next Post

ଛଦ୍ମ ବେଶରେ ଦିଲ୍ଲୀରେ ବୁଲୁଛି ପଳାତକ ଉଗ୍ରବାଦୀ ପ୍ରଚାରକ ଅମୃତପାଲ

Tue Mar 28 , 2023
ନୂଆଦିଲ୍ଲୀ: ସଂପ୍ରତି ନେପାଳରେ ଆତ୍ମଗୋପନ କରିଥିବା ପଳାତକ ଉଗ୍ରବାଦୀ ପ୍ରଚାରକ ଅମୃତପାଲ ସିଂହଙ୍କୁ ତୃତୀୟ ଦେଶକୁ ପଳାୟନ କରିବାକୁ ଅନୁମତି ନଦେବାକୁ ଭାରତ ନେପାଳ ସରକାରଙ୍କୁ ଅନୁରୋଧ କରିଛି। ଭାରତୀୟ ପାସପୋର୍ଟ କିମ୍ବା ଅନ୍ୟ କୌଣସି ନକଲି ପାସପୋର୍ଟ ବ୍ୟବହାର କରି ପଳାତକ ଉଗ୍ରବାଦୀ ପ୍ରଚାରକ ଅମୃତପାଲ ସିଂହ ନେପାଳରୁ ପଳାୟନ କରିବାକୁ ଚେଷ୍ଟା କରୁଥିବା ଭାରତ ସରକାର ନେପାଳକୁ ଜଣାଇଛନ୍ତି। ଅଧିକାଂଶ ସମୟ‌ରେ ଧାର୍ମିକ ପୋଷାକରେ ନଜର ଆସୁଥିବା […]
ଉଗ୍ରବାଦୀ ପ୍ରଚାରକ ଅମୃତପାଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial