ଭୁବନେଶ୍ୱରରେ ଜମି ଦଲାଲ ସକ୍ରିୟ : ୭ ଜଣ ବାଉନସର ଗିରଫ

ଭୁବନେଶ୍ବରରେ ଜମି ଦଲାଲ ସକ୍ରିୟ

ଭୁବନେଶ୍ୱର: ରାଜଧାନୀରେ ଜମି ଦଲାଲ୍‌ ଗ୍ୟାଙ୍ଗ ସକ୍ରିୟ ଅଛନ୍ତି। ଏହି ଗ୍ୟାଙ୍ଗର ୭ ଜଣଙ୍କୁ କମିସନରେଟ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନକୁଳ ମହାକୁଡ, ଆଶିଷ ଜେନା, ଦୀପକ କୁମାର ଦାସ, ଲକ୍ଷ୍ମୀକାନ୍ତ ଦାସ, ରାଜେଶ କୁମାର ପାତ୍ର, ପ୍ରଦୀପ କୁମାର ବଳିଆର ସିଂହ ଓ ଆଶିଷ କୁମାର ରାୟ। ଅଭିଯୁକ୍ତମାନଙ୍କର ଘର ଭୁବନେଶ୍ୱର ଓ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ। ନୟାପଲ୍ଲୀ ପୁଲିସ କହିଛି ଅଭିଯୁକ୍ତମାନେ ଲୋକଙ୍କୁ ଡରେଇ ଧମକେଇ ମାଡ଼ ମାରି ଜାଗା ପଜେସନ ନେଉଥିଲେ। ବିବାଦୀୟ ଜମି ଉପରେ ଏମାନଙ୍କ ଅଧିକ ନଜର ରହିଥାଏ। ପଜେସନ୍ ପାଇଁ ଜେସିବି ଲଗେଇ ଘର ଓ ଦୋକାନ ଭାଙ୍ଗିଥାନ୍ତି। ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୁଲିସ ଚନ୍ଦକା ଥାନା ଅନ୍ତର୍ଗତ ମଳିପଡ଼ାର ନକୁଳ ମହାକୁଡ, ନିଳାଦ୍ରୀ ବିହାରର ଆଶିଷ ଜେନା, ବରମୁଣ୍ଡାର ଦୀପକ କୁମାର ଦାସ, ସାଇନ୍ସ ପାର୍କ ବସ୍ତିର ଲକ୍ଷ୍ମୀକାନ୍ତ ଦାସ, ପିପିଲିର ରାଜେଶ କୁମାର ପାତ୍ର, ଡେଲାଙ୍ଗର ପ୍ରଦୀପ କୁମାର ବଳିଆର ସିଂହ ଓ ଅନ୍ଧାରୁଆର ଆଶିଷ କୁମାର ରାୟଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ନାଁରେ ପୂର୍ବରୁ ମଧ୍ୟ ମାମଲା ରହିଛି।
ଡିସିପି ପ୍ରୀତିକ ସିଂ କହିଛନ୍ତି, ବିବାଦୀୟ ଜମିକୁ ଅକ୍ତିଆର କରିବା ସହ ଜମି ପୋଜେସନ୍ ଦେବା ନାମରେ ରାଜଧାନୀରେ ସକ୍ରିୟ ହେଉଛି ୩ ରୁ ୪ଟି ଗ୍ୟାଙ୍ଗ। ନୟାପଲ୍ଲୀ ଥାନା ଅଧୀନରେ ଏହି ଗ୍ୟାଙ୍ଗର ସହଯୋଗ ନେଇ ଦୁଇଟି ଦୋକାନ ଘର ଭାଙ୍ଗିବା ମହଙ୍ଗା ପଡ଼ିଛି। ଗ୍ୟାଙ୍ଗରେ ଥିବା ୭ ଜଣ ବାଉନସରଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସାର୍ଟ ଖୋଲି ଖାଲି ପାଦରେ ଚଲାଇ ଚଲାଇ ହାତରେ ଦଉଡି ବାନ୍ଧି କୋର୍ଟ ଚାଲାଣ କରାଯାଇଛି। ବଡ଼ କଥା ହେଲା ଭୟରେ ଲୋକେ ଏମାନଙ୍କ ବିରୁଦ୍ଧରେ ଥାନାରେ ଏତଲା କରୁନାହାନ୍ତି। ବିବାଦୀୟ ଜାଗାରେ ଦୋକାନ କରିଥିବା ସୁବାସ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀ ଏବଂ ପ୍ରଦୀପ ସାମଲ ନାମକ ଅନ୍ୟ ଜଣେ ବ୍ୟବସାୟୀଙ୍କ ଦୋକାନକୁ ଭାଙ୍ଗି ଦିଆଯାଇଥିଲା। ଏହାସହ ସେଠାରେ କିଛି ସାମଗ୍ରୀ ମଧ୍ୟ ଲୁଟ୍ କରିନିଆ ଯାଇଥିଲା।
ଏହି ଗ୍ୟାଙ୍ଗର ମୁଖ୍ୟ ନକୁଳ ମହାକୁଡ ନାମରେ ଏକାଧିକ ମାମଲା ରହିଛି, ଏପରିକି ତା ନାମରେ ଏନ୍‌ଏସ୍‌ଏ ମଧ୍ୟ ଲାଗିଥିଲା। ପୁଲିସ କହିବା ଅନୁସାରେ ନୟାପଲ୍ଲୀ ଥାନା ନିକଟରେ ଏହି ଜମିର ମାଲିକ ଦୁଇ ଭାଇ ଥିଲେ। ଜମିର କିଛି ଭାଗ ଅନ୍ୟ ଜଣେ ବ୍ୟକ୍ତିକୁ ବିକ୍ରି କରାଯାଇଥିଲା। ତେବେ ଜମି କିଣିଥିବା ଲୋକ, ଜମିକୁ ଅକ୍ତିଆରକୁ ନେଇପାରୁନଥିଲା। ସେହି ଜମି ଉପରେ ଦୁଇଟି ଦୋକାନ ଘର ଥିଲା, ଜମିକୁ ନିଜ ଅକ୍ତିଆରକୁ ନେବା ଲାଗି ଜମି କିଣିଥିବା ବ୍ୟକ୍ତି ଏହି ବିବାଦୀୟ ଜମିକୁ ନିଜ ଅକ୍ତିଆରକୁ ଆଣିବା ପାଇଁ ଏହି ଗ୍ୟାଙ୍ଗର ସହଯୋଗ ନେଇଥିଲା ଏବଂ ଏହି ଗ୍ୟାଙ୍ଗ ଜେସିବି ଲଗାଇ ଦୁଇଟି ଦୋକାନ ଘର ଭାଙ୍ଗି ଥିଲା। ତେବେ ପୁଲିସ ଏନେଇ ମାମଲା ରୁଜୁ କରିବା ପରେ ଏହି ଗ୍ୟାଙ୍ଗର ୭ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଡିସିପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ପେସାରେ ଇଞ୍ଜିନିୟର ଓ ନିଶା ସମାଜସେବା : ୩୦୦ ପିଲାଙ୍କୁ ମାଗଣା ଶିକ୍ଷା

Thu Mar 30 , 2023
ନୂଆଦିଲ୍ଳୀ: ବଡ଼ରୁ ବଡ଼ ସମସ୍ୟାକୁ ସମାଧାର କରିବାର ଏକ ମାତ୍ର ସହଜ ଉପାୟ ହେଉଛି ଶିକ୍ଷା। ଶିକ୍ଷାର ମହତ୍ତ୍ୱ ସମସ୍ତଙ୍କୁ ଜଣା। ମାତ୍ର ବହୁତ କମ୍‌ ଲୋକ ଅଛନ୍ତି, ଯେଉଁମାନେ କି ଶିକ୍ଷାକୁ ଆଗକୁ ନେବା ପାଇଁ ନିଜେ ଆଗେଇ ଆସନ୍ତି। ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ରତ୍ନେଶ ତିୱାରୀ, ଯିଏ ଅଭାବୀ ପିଲାମାନଙ୍କ ପାଇଁ ଏକ ମାଗଣା ବିଦ୍ୟାଳୟ ଆରମ୍ଭ କରିଥିଲେ ଏବଂ ତାଙ୍କର ଉଦ୍ୟମ ହେତୁ ଆଜି […]
ନିଶା ସମାଜସେବା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial