ମୁମ୍ବାଇ : ଭିଏତନାମର ଭିଏଟ୍ ଜେଟ୍ ଏୟାରର ଏକ ଫ୍ଲାଇଟ୍ ୧୦ ଘଣ୍ଟା ବିଳମ୍ବ ହେବା ଯୋଗୁଁ ପ୍ରାୟ ୩୦୦ ଯାତ୍ରୀ ମୁମ୍ବାଇ ଏୟାରପୋର୍ଟରେ ପ୍ରାୟ ୧୨ ଘଣ୍ଟା ଧରି ଫସି ରହିଥିଲେ। ବିମାନଟି ଭିଏତନାମର ହୋ ଚି ମିନ୍ ସିଟି ଅଭିମୁଖେ ଯିବାର ଥିଲା, କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୧୦ ଘଣ୍ଟାରୁ ଅଧିକ ସମୟ ବିଳମ୍ବ ହୋଇଥିଲା। ଜଣେ ଯାତ୍ରୀଙ୍କ କହିବା ଅନୁଯାୟୀ, ବିମାନରେ ତ୍ରୁଟି ଯୋଗୁଁ ତାଙ୍କୁ ପ୍ରାୟ ୧୦ ଘଣ୍ଟା ଧରି ବିମାନ ବନ୍ଦରରେ ଅପେକ୍ଷା କରିବାକୁ ପଡ଼ିଥିଲା। ପ୍ରାୟ ୩୦୦ରୁ ଅଧିକ ଯାତ୍ରୀ ଅଟକି ରହିଥିଲେ ବି ବିମାନ କମ୍ପାନି ପକ୍ଷରୁ ସେମାନଙ୍କ ହୋଟେଲ ରହିଣି ଓ ଖାଇବା ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିଲା। ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା।
ଡିଜିସିଏର ନିୟମ ଅନୁଯାୟୀ ଯଦି କୌଣସି ବିମାନ ନିର୍ଦ୍ଧାରିତ ସମୟଠାରୁ ଅଧିକ ବିଳମ୍ବ ହୁଏ ତେବେ ସମ୍ପୃକ୍ତ ଏୟାରଲାଇନ୍ସକୁ ଯାତ୍ରୀଙ୍କ ରହିବା ଓ ଖାଇବାର ବ୍ୟବସ୍ଥା କରିବାକୁ ପଡିବ। ଅନ୍ୟପକ୍ଷରେ ବିମାନ କମ୍ପାନି ପକ୍ଷରୁ ଏହି ବିଳମ୍ବକୁ ସ୍ୱୀକାର କରାଯିବା ସହ କୁହାଯାଇଛି ଯେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଯେଉଁ ଫ୍ଲାଇଟ୍ ୨୬ ତାରିଖ ରାତି ୧ଟାରେ ଛାଡ଼ିବାର ଥିଲା ତାହା ସଂଧ୍ୟା ସାଢେ ୮ଟାକୁ ରିସିଡ୍ୟୁଲ କରାଯାଇଛି। ପ୍ରଭାବିତ ବିମାନର ଯାତ୍ରୀମାନଙ୍କୁ ଏୟାରଲାଇନ୍ସର ନୀତି ଅନୁଯାୟୀ ସହାୟତା କରାଯାଉଛି, ଯେଉଁଥିରେ ହୋଟେଲ, ଖାଦ୍ୟ, ପାନୀୟ ଏବଂ ଅନ୍ୟାନ୍ୟ ସହାୟତା ଅନ୍ତର୍ଭୁକ୍ତ। କିନ୍ତୁ ଏଥିପାଇଁ ଯାତ୍ରୀଙ୍କୁ ଅନୁରୋଧ କରିବାକୁ ପଡ଼ିବ।
ମୁମ୍ବାଇ ଏୟାରପୋର୍ଟରେ ୧୨ ଘଣ୍ଟା ଫସିରହିଲେ ୩୦୦ ଯାତ୍ରୀ

Share Now: