ବେଙ୍ଗାଲୁରୁ: ଆଜି ପୂର୍ବାହ୍ନ ୧୧.୪୫ରେ ବେଙ୍ଗାଲୁରୁସ୍ଥିତ ରାଜ ଭବନରେ ୨୪ଜଣ ବିଧାୟକଙ୍କୁ ନୂଆ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇ କର୍ଣ୍ଣାଟକ ରାଜ୍ୟ କ୍ୟାବିନେଟ୍ ସମ୍ପ୍ରସାରଣ କରାଯାଇଛି। ନିୟମାନୁସାରେ, କର୍ଣ୍ଣାଟକ ସରକାରରେ ୩୪ଜଣ ମନ୍ତ୍ରୀ ରହିପାରିବେ। ସେମାନଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ ଉପମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାରଙ୍କ ସମେତ ୧୦ଜଣ ମେ ୨୦ ତାରିଖ ଦିନ ଶପଥ ଗ୍ରହଣ କରିଥିଲେ। ଆଜି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବିଧାୟକମାନଙ୍କ ମଧ୍ୟରେ ଅଛନ୍ତି, ଦୀନେଶ ଗୁଣ୍ଡୁ ରାଓ, କ୍ରିଷ୍ଣା ବୈରେ ଗୌଡ଼ା, ଈଶ୍ଵର ଖାନ୍ଦ୍ରେ, ରହୀମ୍ ଖାଁ, ସନ୍ତୋଷ ଲାଡ୍, କେ. ଏନ୍. ରାଜନ୍ନା, କେ. ଭେଙ୍କଟେଶ, ଏଚ୍.ସି. ମହାଦେବାପ୍ପା, ବୈରତି ସୁରେଶ, ଶିବରାଜ ତଙ୍ଗଡ଼ି, ଆର୍. ବି. ତିମ୍ମପୁର, ବି. ନଗେନ୍ଦ୍ର, ଲକ୍ଷ୍ମୀ ହେବ୍ବାଲକାର୍, ମଧୁ ବାଙ୍ଗରପ୍ପା, ଡି. ସୁଧାକର, ଚେଲୁବାରାୟ ସ୍ୱାମୀ, ମନକୁଲ ବୈଦ୍ୟ ଏବଂ ଏମ୍. ସି. ସୁଧାକର।
ଏମାନଙ୍କ ମଧ୍ୟରେ ଅଛନ୍ତି ୯ଜଣ ପ୍ରଥମ କରି ବିଧାୟକ ହୋଇଥିବା ବେଳେ ଜଣେ ମହିଳା ବିଧାୟିକା। ୬ଜଣ ଭୋକ୍କାଲିଗା ଏବଂ ୮ଜଣ ଲିଙ୍ଗାୟତ ନେତା ମଧ୍ୟ ମନ୍ତ୍ରିମଣ୍ଡଳକୁ ଯାଇଛନ୍ତି। ସେହିପରି, ଅନୁସୂଚିତ ଜାତିରୁ ୩ଜଣ, ଅନୁସୂଚିତ ଜନଜାତିରୁ ୨ଜଣ ଅନ୍ୟାନ୍ୟ ପଛୁଆବର୍ଗରୁ ୫ଜଣ ବିଧାୟକଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି। ଶପଥ ଗ୍ରହଣ ସମାରୋହ ଚାଲିଥିବାରୁ ରାଜଭବନ ଚତୁଃପାର୍ଶ୍ଵରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିଲା।
ସମ୍ପ୍ରସାରଣ ହେଲା କର୍ଣ୍ଣାଟକ କ୍ୟାବିନେଟ୍ : ୨୪ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କଲା ସିଦ୍ଦରମେୟା ସରକାର

Share Now: