‌ବିଏମ୍‌ସିର ହୋଲ୍‌ଡିଂ ଟିକସ କେଳେଙ୍କାରୀ : ୨୧ ହଜାର ରସିଦର ହିସାବ ମିଳୁନି

‌ହୋଲ୍‌ଡିଂ ଟିକସ ଆଦାୟରେ କେଳେଙ୍କାରୀ

ଆପତ୍ତି ଉଠାଇଲେ ଅଡିଟ୍‌, ରସିଦ ନାହିଁ କି ଟିକସ ନାହିଁ

ଭୁବନେଶ୍ୱର: ହୋଲ୍‌ଡିଂ ଟିକସ ଆଦାୟକୁ ନେଇ ଗୋଟିଏ ପରେ ଗୋଟିଏ ବିବାଦରେ ବିଏମ୍‌ସି ଛନ୍ଦି ହେବାରେ ଲାଗିଛି। ମୋଟ ୧ଲକ୍ଷ ୨୦ ହଜାର ଘର ମଧ୍ୟରୁ ମାତ୍ର ୬୦ ହଜାର ଘରୁ ହୋଲ୍‌ଡିଂ ଟିକସ ଆଦାୟ ହେଉଛି ବୋଲି ଏକ ତଥ୍ୟ ନିକଟ ଅତୀତରେ ପଦାକୁ ଆସିବା ପରେ ବିଏମ୍‌ସି ଅକଳରେ ପଡ଼ିଥିଲା। ଏବେ, ହୋଲଡିଂ ଟିକସ ଅର୍ଥ ବାଟମାରଣା ହୋଇଛି ବୋଲି ଆଉ ଏକ ଚାଞ୍ଚଲ୍ୟକର କଥା ପଦାକୁ ଆସିଛି। ଟିକସ ଆଦାୟ‌ରେ ଆଗରୁ ବ୍ୟବହୃତ ହେଉଥିବା ପାଖାପାଖି ୨୧ ହଜାର ୮ଶହ ରସିଦ୍‌ର ହିସାବ ମିଳୁନି। ନା ରସିଦ ଅଛି, ନା ସେ ବାବଦରେ ଲୋକଙ୍କଠାରୁ ଆଦାୟ ହୋଇଥିବା ଅର୍ଥ ବିଏମ୍‌ସି ଆକାଉଣ୍ଟରେ ଡିପୋଜିଟ୍‌ ହୋଇଛି। ୨୦୨୦-୨୧ ଆର୍ଥିକ ବର୍ଷର ଅଡିଟ୍‌ ବେଳେ ଏହି ସାଂଘାତିକ ତଥ୍ୟ ପଦାକୁ ଆସିଛି। ତେଣୁ ଏହି ଟିକସ ଅର୍ଥରେ କିଛି ଅଧିକାରୀ ଓ କର୍ମଚାରୀ ନିଜ ପକେଟ୍‌ ଗରମ କରିଛନ୍ତି ବୋଲି ଅଡିଟ୍‌ ଅନୁମାନ କରୁଛି। ତେବେ କେତେ କୋଟି ଟଙ୍କା ବାଟମାରଣା ହୋଇଛି, ସେ ନେଇ ତନାଘନା ଆରମ୍ଭ ହୋଇଯାଇଛି। ଏକ ହିସାବ ମୁତାବକ, ଯଦି ଗୋଟିଏ ରସିଦ୍‌ରେ ୧୦୦୦ ଟଙ୍କା ବି ଆଦାୟ ହୋଇଥାଏ, ତେବେ ୨ କୋଟି ୧୮ ଲକ୍ଷ ଟଙ୍କା ବାଟମାରଣା ହୋଇଥିବା ଆଶଙ୍କା କରାଯାଉଛି।
ଅଡିଟ୍‌ଙ୍କ ଆପତ୍ତି ମୁତାବକ, ଗୋଟିଏ ରସିଦ୍‌ ବହିରେ ଶହେଟି ରସିଦ୍‌ ଥାଏ। ୨୦୧୮ରୁ ଅନ୍‌ଲାଇନ୍‌ ହେବା(୨୦୨୦) ପର୍ଯ୍ୟନ୍ତ ପ୍ରଶାନ୍ତ କୁମାର ନାଥ, ଉମାକାନ୍ତ ନାୟକ, କ୍ଷେତ୍ରମୋହନ ଦାସ, ଭୁବନାନନ୍ଦ ପାଢ଼ୀ, ଦେବୀପ୍ରସାଦ ଦାସଙ୍କ ନାମରେ ୨୧୮ ବହି ବା ୨୧ ହଜାର ୮ଶହ ରସିଦ୍‌ ଇସ୍ୟୁ ହୋଇଛି। ୨୦୧୯-୨୦ ଆର୍ଥିକ ବର୍ଷର ଅଡିଟ୍‌ ବେ‌ଳେ ମଧ୍ୟ ଏପରି ସମାନ ଧରଣର ଅଭିଯୋଗ ଆସିଥିଲା। ୨୦୨୧ ସୁଦ୍ଧା ଏହାର ହିସାବ ରଖିବାକୁ ଅଡିଟ୍‌ ସୁପାରିସ କରିଥିଲେ। କିନ୍ତୁ ପରବର୍ତ୍ତୀ ଅଡିଟ୍‌ ବା ୨୦୨୦-୨୧ର ଅଡିଟ୍‌ ବେଳେ ମଧ୍ୟ ବିଏମ୍‌ସି ଏହାର ହିସାବ ଦେଖାଇ ପାରିନଥିଲା। ବର୍ଷ ବର୍ଷ ଧରି ଟ୍ୟାକ୍ସ କଲେକ୍ଟରମାନେ ଗୋଟିଏ ଜାଗାରେ ରହିଥିଲେ ମଧ୍ୟ କାହିଁକି ହିସାବ ଦେଖାଇପାରିଲେ ନାହିଁ? ଏହି ରସିଦ୍‌ ସବୁ କୁଆଡ଼େ ଗଲା? ଯଦି ଟିକସ ବଦଳରେ ଲୋକଙ୍କୁ ଦିଆଯାଇନାହିଁ, ତେବେ ବିଏମ୍‌ସିକୁ ରସିଦ୍‌ଗୁଡ଼ିକ ଅକ୍ଷତ ଫେରି ଆସିବା କଥା। ଯଦି ଲୋକଙ୍କୁ ଦିଆଯାଇଛି, ତେବେ ଲୋକଙ୍କ ନାମ ସହିତ ଆଦାୟ ଅର୍ଥର ପରିମାଣର ଅବିକଳ ନକଲ ଫେରିବା କଥା। ହେଲେ ନା ରସିଦ୍‌ ଫେରିଛି ନା ଟିକସ ଅର୍ଥ ଆସିଛି।
ବିଭିନ୍ନ ସମୟରେ ହୋଲ୍ଡିଂ ଟିକସ ବାଟମାରଣା ଅଭିଯୋଗରେ ପୂର୍ବରୁ କେତେକ ଟ୍ୟାକ୍ସ କଲେକ୍ଟରଙ୍କୁ ଏଠାରୁ ବଦଳି କରାଯାଇଛି। ହୋଲ୍ଡିଂ ଟିକସ କମାଇଦେବା ପାଇଁ ଲାଞ୍ଚ ନେବା ବେଳେ କେତେକଙ୍କୁ ଭିଜିଲାନ୍ସ ବି ଧରିଛି। ଏଭଳି ଘଟଣାର ନିୟମିତ ପୁନରାବୃତ୍ତି ହେବା ପରେ ଏହି ବ୍ୟବସ୍ଥାକୁ ୨୦୨୦ ମସିହାରେ ଅନ୍‌ଲାଇନ୍‌ କରାଯାଇଛି। କୌଣସି ପରିସ୍ଥିତିରେ କାଗଜ ରସିଦ୍‌ ବ୍ୟବହାର ହେଉ ନାହିଁ। ନଗଦ ଆଦାୟ କରାଯାଉନାହିଁ। କିନ୍ତୁ ପୂର୍ବରୁ ବିଏମ୍‌ସି ଇସ୍ୟୁ କରିଥିବା ରସିଦ୍‌ର ହିସାବକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ନିକଟ ଅତୀତରେ ଏକାଧିକ ଟ୍ୟାକ୍ସ କଲେକ୍ଟର ଅବସର ନେଇଛନ୍ତି। ସେମାନଙ୍କଠାରୁ ବିଏମ୍‌ସି ଏହି କାଗଜ ରସିଦ୍‌ର ହିସାବ ମାଗିନାହିଁ, ସମସ୍ତ ଅବସର ସୁବିଧା ଯୋଗାଇ ଦେଇଛି।

Share Now:

Kalinga News Beuro

Next Post

ମା’ ହେବାକୁ ଜିଦ କରୁଛି ‘ମଲ୍ଲୀ’ : ସପ୍ତାହେ ହେଲା ଆଚରଣରେ ଅସ୍ୱାଭାବିକ ପରିବର୍ତ୍ତନ

Sun May 28 , 2023
ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳସ୍ଥିତ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଥିବା ଧଳା କୁମ୍ଭୀର ‘ମଲ୍ଲୀ’ ମା’ ହେବା ଜିଦ୍‌ରେ ଅଟଳ। ଆବଦ୍ଧ ପୋଖରୀ ମଧ୍ୟରେ ନିଃସଙ୍ଗ ଜୀବନ ବିତାଉଥିବା ମଲ୍ଲୀ ଅଣ୍ତା ଦେବା ନିମନ୍ତେ ବସା ବାନ୍ଧିବା ପ୍ରକ୍ରିୟାରେ ବ୍ୟସ୍ତ। ଅଣ୍ତା ଦେବା ଓ ମା’ ହେବା ଜିଦ୍‌ରେ ସପ୍ତାହେ ହେଲା ତା’ର ଆଚରଣରେ ଅସ୍ୱାଭାବିକ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ମଲ୍ଲୀ ପୂର୍ବରୁ ୨ଥର ଅଣ୍ତା […]
ମା’ ହେବା ଜିଦ୍‌ରେ ଅଟଳ ‘ମଲ୍ଲୀ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial