ଏସିଆନ ଗେମ୍ସର ୧୮ତମ ସଂସ୍କରଣ ଉଦ୍‌ଘାଟିତ: ଝୁମିଲା ଜାକର୍ତ୍ତା

ଜାକର୍ତ୍ତା: ଇଣ୍ଡୋନେସିଆର କାକର୍ତାସ୍ଥିତ ଗେଲୋରା ବଙ୍ଗ୍‌ କର୍ନୋ ମେନ୍‌ ଷ୍ଟାଡିୟମ୍‌ରେ ୧୮ତମ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଛି। ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ଵିଦୋଦୋ ଏକ ମନୋଜ୍ଞ ଉତ୍ସବରେ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ପରେ ପରେ ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ, ସଂଗୀତ ଓ ନୃତ୍ୟର ତାଳେ ତାଳେ ଖେଳାଳିମାନେ ମାର୍ଚ ପାଷ୍ଟ କରିଥିଲେ। ତାରକା ଖଚିତ ଉଦ୍‌ଘାଟନୀ ଉତ୍ସବରେ ଇଣ୍ଡୋନେସିଆର ଲୋକପ୍ରିୟ କଣ୍ଠଶିଳ୍ପୀ ଆଙ୍ଗନ୍‌, ରାଇସା, ଟୁଲୁସ, ଏଡୋ କୋଣ୍ଡୋଲଜିଟ୍‌, ପୂତ୍ରୀ ଆୟୂ, ଫତିନ୍‌, କାମାସିନ୍‌ ଏବଂ ଭିଆ ଭଲେନ୍‌ ପ୍ରମୁଖ କାର୍ଯର୍୍ୟକ୍ରମ ପରିବେଷଣ କରିଥିଲେ। ୫୦,୦୦୦ରୁ ଊର୍ଧ୍ୱ ଲୋକ ଗେଲୋରା ଷ୍ଟାଡିୟମ୍‌ରେ ପ୍ରତ୍ୟକ୍ଷ ଭାବେ ଏହାର ମଜା ନେଇଥିଲେ। ‘ଏନର୍ଜି ଅଫ୍‌ ଏସିଆ’ ବାର୍ତା ନେଇ ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି। ମାର୍ଚ ପାଷ୍ଟ୍‍ରେ ଆଫଗାନିସ୍ତାନ ପ୍ରଥମେ ଆସିଥିଲା। ୧୮ ବର୍ଷୀୟ ବାଂଲାଦେଶୀ ଖେଳାଳି ଦେଶର ପତାକା ଧରିଥିଲେ। ଉତ୍ତରକୋରିଆ ଏବଂ ଦକ୍ଷିଣ କୋରିଆ ମିଳିତଭାବେ ମାର୍ଚ ପାଷ୍ଟରେ ଭାଗ ନେଇଥିଲେ। ଶେଷ ମୁହୂର୍ତରେ ଅନ୍ତର୍ଜାତୀୟ ଅଲିମ୍ପିକ୍‌ ସଂଘର ବାସନ୍ଦ ଉଠିବାରୁ କୁଏତ ମଧ୍ୟ ନିଜ ପତାକା ତଳେ ମାର୍ଚ ପାଷ୍ଟ୍‍ କରିଥିଲା। ୧୯୯୨ ମସିହା ବାର୍ସିଲୋନା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ବ୍ୟାଡ୍‌ମିଣ୍ଟନ୍‌ କିମ୍ବଦନ୍ତୀ ସୁସୀ ସୁଶାନ୍ତି ମଶାଲ ସଂଯୋଗ କରିଥିଲେ। ଜୋଏ ଆଲେକଜାଣ୍ଡର୍‌ ମୁଖ୍ୟ ଆକର୍ଷଣ ଥିଲେ। ୧୫୦୦ ପାରମ୍ପରିକ ଇଣ୍ଡୋନେସୀୟ ଯୁବତୀଙ୍କ କାର୍ଯ୍ୟକ୍ରମ ‘ଆସ୍‌ ସଲାମୁ ଆଲୟକୁମ୍‌’ ଦର୍ଶକଙ୍କୁ ମନ୍ତ୍ରମୁଗ୍‌ଧ କରିଦେଇଥିଲା। ୪୫ ଦେଶରୁ ଆସିଥିବା ପ୍ରାୟ ୧୩,୦୦୦ ଖେଳାଳି ୪୦ ଖେଳର ୬୭ ଶୃଙ୍ଖଳାରେ ଭାଗନେବେ। ପ୍ରାୟ ୪୨୬ ପଦକ ପାଇଁ ହେବ ରବିବାରଠାରୁ ଲଢ଼େଇ।
ମାର୍ଚ ପାଷ୍ଟ୍‍ ବେଳେ ଭାରତୀୟ ଦଳର ତ୍ରିରଙ୍ଗା ଧରିଥିଲେ ଜାଭଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା। ଏହି ଦୁଇ ସପ୍ତାହ ବ୍ୟାପୀ ପ୍ରତିଯୋଗିତା ଲାଗି ଭାରତୀୟ ଅଲିମ୍ପିକ ସଂଘ ୫୭୨ ଜଣିଆ ଦଳ ପଠାଇଛି। ଯେଉଁମାନେ ମୋଟ ୩୬ ଖେଳରେ ଭାଗନେବେ। ଭାରତୀୟ ଦଳକୁ ଉଦ୍‌ଘାଟନୀ ଉତ୍ସବ ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଧନ ସିଂହ ରାଠୋର ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

ହକି ଅଭ୍ୟାସରେ ଭାରତ ୭-୧ରେ ବିଜୟୀ
ପାଲେମବାଙ୍ଗ: ହକି ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ଭାରତୀୟ ପୁରୁଷ ଦଳ ଶନିବାର ଏକ ଅଭ୍ୟାସ ମ୍ୟାଚ୍‌ରେ ୭-୧ ଗୋଲ୍‌ରେ ବାଂଲାଦେଶକୁ ହରାଇ ଆତ୍ମବିଶ୍ୱାସ ଅର୍ଜନ କରିଛି। ଗତଥର ଭଳି ଭାରତ ଲଗାତାର ସ୍ୱର୍ଣ୍ଣ ବିଜେତା ହେବ ବୋଲି ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ଏବଂ ଅଧିନାୟକ ପିଆର୍‌ ଶ୍ରୀଜେଶ ଜାକର୍ତ୍ତା ଗସ୍ତ ପୂର୍ବରୁ ଆଶା ପ୍ରକଟ କରିଛନ୍ତି। ଏହା ମଧ୍ୟ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତକୁ ଯୋଗ୍ୟତା ସୁଯୋଗ ଦେବ।

ବାସ୍କେଟ୍‌ବଲ୍‌ ଓ ହ୍ୟାଣ୍ଡ୍‌ବଲ୍‌ରେ ନିରାଶ: ଭାରତୀୟ ମହିଳା ବାସ୍କେଟ୍‌ବଲ୍‌ ଦଳ କାଜାକସ୍ତାନଠାରୁ ହାରି ଅଭିଯାନ ଆରମ୍ଭ କରିଥିବା ବେଳେ ହ୍ୟାଣ୍ଡ୍‌ବଲ୍‌ରେ ମଧ୍ୟ ଭାରତ ନିରାଶ ହୋଇଛି। ବାସ୍କେଟ୍‌ବଲ୍‌ରେ ଭାରତ ୬୧-୭୯ରେ ହାରିଥିଲା। ରବିବାର ଦଳ ଚାଇନିଜ୍‌ ତାଇପେକୁ ଭେଟିବ। ହ୍ୟାଣ୍ଡ୍‌ବଲ୍‌ରେ ଭାରତୀୟ ପୁରୁଷ ଦଳ ୨୯-୪୦ରେ ଇରାକ୍‌ଠୁ ହାରିଛି। ପୂର୍ବରୁ ଚାଇନିଜ୍‌ ତାଇପେ ଏବଂ ବାହାରିନ୍‌ଠୁ ମଧ୍ୟ ଦଳ ହାରିଥିଲା।

ଅନୁ ଓ ମୋନିକା ବାଦ୍‌: ଚୂଡାନ୍ତ ଚୟନ ପ୍ରକ୍ରିୟାରେ ବିଫଳ ହେବାରୁ ଜାଭଲିନ୍‌ ଫିଙ୍ଗାଳି ଅନୁ ରାଣୀ ଏବଂ ୧୫୦୦ ମିଟର୍‌ ଧାବିକା ମୋନିକା ଚୌଧୁରୀଙ୍କୁ ଭାରତୀୟ ଦୌଡ଼କୁଦ ସଂଘ ଦଳରୁ ବାଦ୍‌ ଦେଇଛି। ସୋମବାର ଅନ୍ୟତମ ଆଶାୟୀ ସଟ୍‌ ପୁଟର୍‌ ନବୀନ ଚିକାରାଙ୍କୁ ଟ୍ରାଏଲ୍‌ ପାଇଁ ଡକାଯାଇଛି।

ପେସ୍‌ ଓହରିଯିବା ପରେ ରାମକୁମାର-ନଗଲ୍‌ ଯୁଗଳ ଯୋଡ଼ି
ପାଲେମବାଙ୍ଗ୍‌: ନିଜ ପସନ୍ଦର ଖେଳାଳି ନ ପାଇବା ଫଳରେ ଅଭିଜ୍ଞ ଟେନିସ୍‌ ତାରକା ଲିଆଣ୍ଡର୍‌ ପେସ୍‌ ଅପ୍ରତ୍ୟାଶିତ ଭାବେ ଓହରିଯିବାରୁ ଏସୀୟ କ୍ରୀଡ଼ା ଲାଗି ଗସ୍ତ କରିଥିବା ଭାରତୀୟ ଟେନିସ ଦଳ ଅଡୁଆରେ ପଡ଼ିଥିଲା। କିନ୍ତୁ ପେସ୍‌ଙ୍କ ଅନୁପସ୍ଥିତିରେ ରାମକୁମାର ରାମନାଥନ୍‌ଙ୍କ ସହିତ ସୁମିତ ନଗଲ୍‌ ଭାରତର ଦ୍ୱିତୀୟ ଯୁଗଳ ଯୋଡ଼ି ହେବେ ବୋଲି ଅଧିନାୟକ ତଥା ପ୍ରଶିକ୍ଷକ ଜୀସାନ ଅଲୀ ପ୍ରକାଶ କରିଛନ୍ତି। ରୋହନ ବୋପାନ୍ନା ଏବଂ ଦିଭିଜ ସରଣ ଭାରତର ପ୍ରଥମ ଯୁଗଳ ଯୋଡ଼ି ଭାବେ ପୂର୍ବରୁ ଘୋଷଣା ସରିଥିଲା। ରାମକୁମାର ରାମନାଥନ୍‌, ପ୍ରଜ୍ଞେଶ ଗୁଣେଶ୍ୱରନ, ସୁମିତ ନଗଲ ୩ ଜଣଯାକ ଏକକ ଖେଳାଳି ହୋଇଥିବାରୁ ଅଧିନାୟକ ଅଡୁଆରେ ପଡ଼ିଥିଲେ। କିନ୍ତୁ ବିକଳ୍ପ ନ ଥିବାରୁ ଏବେ ରାମକୁମାର ଓ ନଗଲଙ୍କୁ ଏକାଠି କରିବାକୁ ବାଧ୍ୟ ହୋଇଛନ୍ତି। ମା’ ହେବାକୁ ଯାଉଥିବା ସାନିଆ ମିର୍ଜାଙ୍କ ବିନା ଭାରତୀୟ ମହିଳା ବିଭାଗ ଏଥର ଅଙ୍କିତା ରାଇନା, କର୍ନମ କଉର୍‌ ଥଣ୍ଡି ସମ୍ଭାଳିବେ। ଏମାନେ ଏକକ ସହିତ ବୋପାନ୍ନା ଓ ଶରଣଙ୍କୁ ସାଥୀ କରି ମିଶ୍ରିତ ଯୁଗଳରେ ମଧ୍ୟ ଖେଳିବେ।

ବ୍ୟାଡ୍‌ମିଣ୍ଟନ୍‌ରେ କଠୋର ପଥ
ପାଲେମବାଙ୍ଗ୍‌: ଅଲିମ୍ପିକ୍‌ ରୌପ୍ୟ ପଦକ ବିଜୟିନୀ ପିଭି ସିନ୍ଧୁଙ୍କ ନେତୃତ୍ୱରେ ଖେଳିବାକୁ ଥିବା ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଦଳ କିନ୍ତୁ କଠୋର ପଥ ଦେଇ ଗତି କରିବ। ଗତ ଥର କାଂସ୍ୟ ପଦକ ଜିତିଥିବା ଭାରତୀୟ ମହିଳା ଦଳ ଏଥର ପ୍ରଥମ ରାଉଣ୍ଡ୍‌ରେ ବାଇ ପାଇଥିଲେ ମଧ୍ୟ କ୍ୱାର୍ଟର ଫାଇନାଲ୍‌ରେ ଶୀର୍ଷ ମାନ୍ୟତା ଜାପାନକୁ ଭେଟିବାକୁ ସ୍ଥିର ହୋଇଛି। ରବିବାରଠାରୁ ବ୍ୟାଡ୍‌ମିଣ୍ଟନ୍‌ ଆରମ୍ଭ ହେବାକୁ ଯାଉଛି। ଜାପାନ ଗତ ମେ ମାସରେ ଉବେର କପ୍‌ରେ ଭାରତକୁ ୫-୦ରେ ହରାଇଥିଲା। ଭାରତୀୟ ପୁରୁଷ ଦଳକୁ କିନ୍ତୁ ସହଜ ଗ୍ରୁପ୍‌ରୁ ଅଭିଯାନ ଆରମ୍ଭ ସୁଯୋଗ ମିଳିଛି। କିଡ଼ାମ୍ବି ଶ୍ରୀକାନ୍ତ ଏବଂ ଏଚ୍‌ ଏସ୍‌ ପ୍ରଣୟଙ୍କ ଦଳ ପ୍ରଥମ ରାଉଣ୍ଡ୍‌ରେ ଦୁର୍ବଳ ମାଳଦ୍ୱୀପକୁ ଭେଟିବ।

Share Now:

Kalinga News Beuro

Leave a Reply

Next Post

ବଜରଙ୍ଗଙ୍କ ସ୍ୱର୍ଣ୍ଣିମ ବିଜୟ : ପ୍ରଥମ ଦିନରେ ଭାରତକୁ ୨ ପଦକ

Mon Aug 20 , 2018
ଜାକର୍ତ୍ତା: ଅଷ୍ଟାଦଶ ଏସୀୟ କ୍ରୀଡ଼ାର ପ୍ରଥମ ଦିନରେ ହିଁ ଭାରତ ପଦକ ଖାତା ଖୋଲିଛି। ଭାରତ ଆଜି ଗୋଟିଏ ସ୍ୱର୍ଣ୍ଣ ସହ ମୋଟ ଦୁଇଟି ପଦକ ଜିତି ନେଇଛି। ବନ୍ଧୁକ ଚାଳନାର ୧୦ ମିଟର ଏୟାର ରାଇଫଲ୍‌ରେ ରବି କୁମାର ଓ ଅପୂର୍ବୀ ଚାନ୍ଦିଲା କାଂସ୍ୟ ଜିତି ଦେଶବାସୀଙ୍କୁ ପ୍ରଥମ ପଦକ ଉପହାର ଦେଇଥିଲେ। ହେଲେ ରବିବାରର ସବୁଠାରୁ ବଡ଼ ଖୁସି ଖବର କୁସ୍ତି ଆଖଡ଼ାରୁ ମିଳିଛି। ହରିଆଣା ପହିଲମାନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial