ପରଲୋକରେ କୁଲ୍‌ଦୀପ ନାୟାର

ନୂଆଦିଲ୍ଲୀ : ବିଶିଷ୍ଟ ସାମ୍ବାଦିକ, ମାନବାଧିକାର କର୍ମୀ ତଥା ସ୍ତମ୍ଭକାର କୁଲଦୀପ ନାୟାରଙ୍କର ଗତକାଲି ପରଲୋକ ଘଟିଛି। ତାଙ୍କୁ ୯୫ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ନିମୋନିଆରେ ପୀଡ଼ିତ ଥିବା ନାୟାର ୫ ଦିନ ହେବ ଦିଲ୍ଲୀ ସ୍ଥିତ ଏସକର୍ଟସ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ବୁଧବାର ରାତି ୧୨ଟା ୩୦ରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ନାୟାରଙ୍କର ପତ୍ନୀ ଏବଂ ଦୁଇ ପୁଅ ଅଛନ୍ତି। ଦକ୍ଷିଣ ଦିଲ୍ଲୀସ୍ଥିତ ଲୋଧି ଶ୍ମଶାନରେ ଆଜି ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି।

ନାୟାରଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଓ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୧୯୨୩ ମସିହାରେ ସିଆଲକୋଟ୍‌ (ବର୍ତ୍ତମାନ ପାକିସ୍ତାନର ପଂଜାବରେ ରହିଛି)ରେ ଜନ୍ମ ଗ୍ରହଣ କରିଥିଲେ ନାୟାର। ଭାରତ-ପାକିସ୍ତାନ ବିଭାଜନ ପରେ ଭାରତ ଆସିବା ପୂର୍ବରୁ ଲାହୋର୍‌ରେ ଲ’ ଡିଗ୍ରୀ ହାସଲ କରିଥିଲେ। ସେ ୧୯୯୦ ମସିହାରେ ବ୍ରିଟେନ୍‌ରେ ଭାରତୀୟ ହାଇ କମିସନର ଭାବେ କାର୍ଯ୍ୟ କରିଥିଲେ। ୧୯୯୭ ମସିହାରେ ସେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ଜରୁରୀ ସ୍ଥିତି ଘୋଷଣା ସମୟରେ ଦେଶର ପ୍ରଥମ ସାମ୍ବାଦିକ ଭାବେ ଗିରଫ ହୋଇ ନାୟାର ଜେଲ୍‌ ଯାଇଥିଲେ। ଭାରତ-ପାକିସ୍ତାନ ଶାନ୍ତିପୂର୍ଣ୍ଣ ସମ୍ପର୍କ ଦିଗରେ ନାୟାରଙ୍କର ଗଭୀର ଆଗ୍ରହ ଥିଲା। ଏଥିପାଇଁ ସେ ଅନେକ ବାର ନିଜ ଆଲେଖ୍ୟରେ ସରକାରଙ୍କୁ ଜଣାଇବାକୁ ଚେଷ୍ଟା କରିଥିଲେ।
ବିଭିନ୍ନ ଆଗଧାଡ଼ିର ଖବରକାଗଜରେ କାର୍ଯ୍ୟ କରିଥିନା ନାୟାର ଷ୍ଟେଟ୍‌ସମ୍ୟାନ୍‌ର ସମ୍ପାଦକ ରହିଥିଲେ। ଗଣମାଧ୍ୟମ ଏଜେନ୍ସି ୟୁଏନ୍‌ଆଇର ମୁଖ୍ୟ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ନାୟାରଙ୍କ ଦ୍ୱାରା ଲିଖିତ ଅନେକ ପୁସ୍ତକ ଦେଶବିଦେଶରେ ବେଶ୍‌ ଆଦୃତି ଲାଭ କରିଛି। ୨୦୧୨ ମସିହାରେ ନାୟାରଙ୍କ ଆତ୍ମଜୀବନୀ ‘ବିୟଣ୍ଡ୍‌ ଦି ଲାଇନ୍ସ’ ପ୍ରକାଶ ପାଇଥିଲା। ଭାରତ-ପାକିସ୍ତାନ ବିଭାଜନ ପରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ କିଭଳି ବିଶ୍ୱାସ ଭାଙ୍ଗିଯାଇଥିଲା ତାହା ସେ ଏଥିରେ ଅତ୍ୟନ୍ତ ନିଖୁଣ ଭାବେ ଦର୍ଶାଇଥିଲେ। ଏହା ସେତେବେଳେ ପାଠକୀୟ ଆଦୃତି ଲାଭ କରିଥିଲା। ଏହାଛଡ଼ା ରାଜନୀତି ଉପରେ ସେ ଲେଖିଥିବା ପୁସ୍ତକ ‘ବିଟୁଇନ୍‌ ଦି ଲାଇନ୍ସ’ ମଧ୍ୟ ବ୍ୟାପକ ଲୋକପ୍ରିୟତା ଅର୍ଜନ କରିଥିଲା। ଜଣେ ସ୍ୱତନ୍ତ୍ର ସ୍ତମ୍ଭକାର ଭାବେ ନାୟାର ମଧ୍ୟ ଖୁବ୍‌ ସଫଳତା ହାସଲ କରିଛନ୍ତି।

ତାଙ୍କର କେତୋଟି ଲୋକପ୍ରିୟ ପୁସ୍ତକ ମଧ୍ୟରେ ‘ଇଣ୍ଡିଆ-ଦ କ୍ରିଟିକାଲ୍‌ ଇୟର୍ସ’, ‘ଡିଷ୍ଟାଣ୍ଟ ନେବର୍ସ- ଏ ଟେଲ୍‌ ଅଫ୍‌ ଦ ସବ୍‌କଣ୍ଟିନେଣ୍ଟ’, ‘ସପ୍ରେସନ୍‌ ଅଫ୍‌ ଜଜେସ୍‌’, ‘ଇଣ୍ଡିଆ ଆଫ୍ଟର ନେହରୁ’, ‘ଦ ଜଜ୍‌ମେଣ୍ଟ: ଇନ୍‌ସାଇଡ୍‌ ଷ୍ଟୋରି ଅଫ୍‌ ଦ ଏମର୍ଜେନ୍ସି ଇନ୍‌ ଇଣ୍ଡିଆ’, ‘ଇନ୍‌ ଜେଲ୍‌’, ‘ରିପୋର୍ଟ ଅନ୍‌ ଆଫଗାନିସ୍ତାନ’ ଆଦି ରହିଛି।

ଟ୍ଵିଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମ ସମୟରେ ନାୟାର ଜଣେ ବିଚକ୍ଷଣ ବ୍ୟକ୍ତି ଥିଲେ। ଅତ୍ୟନ୍ତ ନିର୍ଭୀକ ଭାବେ ସେ ନିଜ ମତ ଉପସ୍ଥାପନ କରୁଥିଲେ। ସମାଜ ପ୍ରତି ତାଙ୍କର ଅବଦାନକୁ ମଧ୍ୟ ଆଦୌ ଭୁଲି ହେବନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି, ନାୟାର ଦେଶ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ସେ ଜଣେ ଦକ୍ଷ ସାମ୍ବାଦିକ, କୂଟନୀତିଜ୍ଞ, ସାଂସଦ ଏବଂ ବିଖ୍ୟାତ ଲେଖକ ଥିଲେ। ଐତିହାସିକ ରାମଚନ୍ଦ୍ର ଗୁହା ମଧ୍ୟ ଶୋକପ୍ରକାଶ କରି କହିଛନ୍ତି, ନାୟାର କୌଣସି ପ୍ରକାର ଅର୍ଥ ଲୋଭର ଶିକାର ନ ହୋଇ ସବୁବେଳେ ତାଙ୍କ ବିବେକ ଅନୁସାରେ କଲମ ଚାଳନା କରୁଥିଲେ। କୌଣସି ପ୍ରକାର ଭୟ ତାଙ୍କ ମନକୁ ଛୁଇଁ ନଥିଲା। ବିଶେଷକରି ଜରୁରୀ ପରିସ୍ଥିତି ସମୟରେ ସେ ତାଙ୍କ ଲେଖାରେ ଯେଉଁ ସଂହତି, ସମାନତା ଏବଂ ଏକତାର ପ୍ରତିଫଳନ କରିଥିଲେ, ତାହା ଚିରଦିନ ପାଇଁ ମନେରହିବ। ଜରୁରୀ ସମୟରେ ଦେଶକୁ ଏକତାର ରଜ୍ଜୁରେ ବାନ୍ଧି ରଖିବାରେ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି।

Share Now:

Kalinga News Beuro

Leave a Reply

Next Post

ବାଜପେୟୀଙ୍କ ସ୍ମୃତିରେ ପ୍ରାର୍ଥନା ସଭା ଆଜି, ଯୋଗ ଦେବେ ନବୀନ

Fri Aug 24 , 2018
ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଏକ ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭା ଶୁକ୍ରବାର ଅପରାହ୍ନ ୫ଟାରେ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ। ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ଏହି ସଭାରେ ସବୁ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ନିମନ୍ତ୍ରଣ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଗତକାଲି କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ ଓ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial