ଦେଢ଼ ଦଶନ୍ଧି ଅପେକ୍ଷାର ଅନ୍ତ : ଦୂତି ଆଣିଲେ ଦ୍ୱିତୀୟ ରୌପ୍ୟ

ଜାକର୍ତ୍ତା/ପାଲେମବାଙ୍ଗ : ଦୂତିଙ୍କ ପୁଣି ରୁପେଲି ଚମକ। ୧୦୦ ଭଳି ୨୦୦ ମିଟରରେ ମଧ୍ୟ ଦୂତି ଜିତିଛନ୍ତି ରୌପ୍ୟ ପଦକ। ଏହା କରି ପୁଣି ଥରେ ସେ ଓଡ଼ିଶା ସହ ସମଗ୍ର ଭାରତ ବର୍ଷକୁ କରିଛନ୍ତି ଗୌରବାନ୍ଵିତ। ଏସିଆଡ଼୍‍ରେ ଏକକାଳୀନ ଦୁଇଟି ପଦକ ଜିତିବାରେ ପ୍ରଥମ ଓଡ଼ିଆ ହେବା ସହ ବୁଧବାର ମହାନ ଧାବିକା ପିଟି ଉଷାଙ୍କ ସହ ଦୂତି ହୋଇଛନ୍ତି ସମକକ୍ଷ। ପବିତ୍ର ଜାତୀୟ କ୍ରୀଡ଼ା ଦିବସରେ ଦେଶବାସୀଙ୍କୁ ଦେଇଛନ୍ତି ରୁପେଲି ଉପହାର।

ଜାକର୍ତ୍ତା ଏସୀୟ କ୍ରୀଡ଼ାର ହିଟ୍‌ ଏବଂ ସେମିଫାଇନାଲର ପ୍ରଥମ ସ୍ଥାନରେ ରହି ଦୂତି ଯାଇଥିଲେ ଫାଇନାଲ୍‌। ସେଥିପାଇଁ ସମସ୍ତଙ୍କ ନଜର ଥିଲା ତାଙ୍କ ଉପରେ। ଦୂତି ସୁନା ଜିତନ୍ତୁ ବୋଲି ସାରା ଭାରତ ମନାସିଥିଲା। ଦୂତି ମଧ୍ୟ ପୂରା ଦମ୍‌ ଲଗାଇ ଦେଇଥିଲେ। ହେଲେ ଅଳ୍ପକେ ବଞ୍ଚିତ ହୋଇଥିଲେ। ସେମିରେ ୨୩ ସେକେଣ୍ଡ ସମୟ ପାଇଥିବା ଦୂତି ଫାଇନାଲରେ ୨୩.୨୦ରେ ଫିନିସିଂ ଲାଇନ୍‌ ପାର କରିଥିଲେ। ସେଥିପାଇଁ ରୌପ୍ୟ ପାଇଥିଲେ। ରୌପ୍ୟ ପଦକ ଜିତି ମଧ୍ୟ ଇଣ୍ଡୋନେସିଆରେ ସେ ଐତିହାସିକ ସଫଳତା ଲାଭ କରିଥିଲେ। ଏସୀୟ କ୍ରୀଡ଼ାର ଗୋଟିଏ ସଂସ୍କରଣରେ ଦୌଡ଼କୁଦରୁ ଦୁଇଟି ପଦକ ଜିତିଥିବା ଅନନ୍ୟ ସଫଳତା ଲାଭ କରିଥିଲେ। ସେପଟେ ସେମିଫାଇନାଲରେ ଦୂତିଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲକୁ ଯାଇଥିବା ବାହାରିନର ଏଦିଦିଓଙ୍ଗ ଓଦିଓଙ୍ଗ (୨୨.୯୬ ସେକେଣ୍ଡ) ଜବରଦସ୍ତ ପ୍ରଦର୍ଶନ ଦେଇ ସ୍ୱର୍ଣ୍ଣ ଜିତି ନେଇଥିଲେ। କାଂସ୍ୟ ପଦକ ଚୀନର ଓ୍ଵଇ ୟଙ୍ଗଲି (୨୩.୨୭)ଙ୍କ ଖାତାକୁ ଯାଇଥିଲା।

ବୁଧବାରର ପ୍ରତୀକ୍ଷିତ ଫାଇନାଲରେ ଦୂତି ଭଲ ଆରମ୍ଭ ପାଇଥିଲେ। ତେବେ ଫିନିସିଂରେ ଓଦିଓଙ୍ଗ ବାଜି ମାରି ନେଇଥିଲେ। ଶେଷ ୩୦ ମିଟରରେ ଅଚାନକ ଗତି ବଢ଼ାଇ ଦୂତିଙ୍କଠାରୁ ସେ ସ୍ୱର୍ଣ୍ଣ ଛଡ଼ାଇ ନେଇଥିଲେ। ତେବେ ପଦାର୍ପଣରେ ଦୁଇଟି ପଦକ ଜିତି ଦୂତି ନିଜ ଘଟଣା ବହୁଳ ଖେଳ ଜୀବନରେ ନୂଆ ଅଧ୍ୟାୟ ଯୋଡ଼ିଥିଲେ। ସେହିଭଳି ଏହା ୧୬ ବର୍ଷର ବ୍ୟବଧାନ ପରେ ଏସିଆଡ଼୍‌ର ମହିଳା ୨୦୦ ମିଟରରୁ ଭାରତର ପ୍ରଥମ ପଦକ ଥିଲା। ଶେଷ ଥର ପାଇଁ ୨୦୦୨ରେ ସରସ୍ୱତୀ ସାହା ମହିଳା ୨୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ମହିଳା ୨୦୦ ମିଟରରେ ପଦକ ଜିତିବାରେ ଦୂୂତି ମୋଟ ଉପରେ ପଞ୍ଚମ ଭାରତୀୟ ହୋଇଥିଲେ। ତାଙ୍କ ପୂର୍ବରୁ ମ୍ୟାରି ଡି’ ସୁଜା (୧୯୫୧, କାଂସ୍ୟ), ଷ୍ଟିଫାନି ଡି’ସୁଜା (୧୯୫୮, ରୌପ୍ୟ), ପିଟି ଉଷା (୧୯୮୨ ରୌପ୍ୟ, ୧୯୮୬ ସ୍ୱର୍ଣ୍ଣ) ଓ ସରସ୍ୱତୀ ଏହି ବର୍ଗରେ ପଦକ ଜିତିଥିଲେ। ୨୦୦ ମିଟରରେ ଏସିଆନ୍‌ ପଦକ ଜିତିବାରେ ଦୂତି କିନ୍ତୁ ଓଡ଼ିଶାର ପ୍ରଥମ ଖେଳାଳି ହୋଇଥିଲେ। ଦୂତିଙ୍କ ପୂର୍ବରୁ ୧୯୯୦ ମସିହାରେ କେବଳ ପ୍ରଣତି ମିଶ୍ର ରିଲେରେ ରୌପ୍ୟ ଓ ୧୯୯୮ରେ ରଚିତା ପଣ୍ଡା (ମିସ୍ତ୍ରୀ) ୧୦୦ ମିଟରରେ କାଂସ୍ୟ ପଦକ ପାଇଥିଲେ।

୨୨ ବର୍ଷୀୟା ଦୂତି ଗତବର୍ଷ ଭୁବନେଶ୍ୱରରେ ଆୟୋଜିତ ଏସିଆନ୍‌ ଚାମ୍ପିଅନସିପ୍‌ର ୧୦୦ ମିଟର ଏବଂ ୪ଗୁଣା୧୦୦ ରିଲେରେ ଦୁଇଟି କାଂସ୍ୟ ଜିତିଥିଲେ। ୫ ବର୍ଷ ତଳେ ପୁନେ ଏସିଆନ୍‌ ଚାମ୍ପିଅନସିପର ୨୦୦ ମିଟରରେ କାଂସ୍ୟ ଜିତିଥିଲେ। ଯାହା ତାଙ୍କର ପ୍ରଥମ ବରିଷ୍ଠ ବର୍ଗ ପଦକ ଥିଲା। ୨୦୧୪ ଇଞ୍ଚିଅନ୍‌ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ଦୂତି। ହେଲେ ଷଡ଼ଯନ୍ତ୍ରର ଶିକାର ହୋଇ ଏଥିରୁ ବଞ୍ଚିତ ହୋଇଥିଲେ। କୌଣସି ପରିସ୍ଥିତିରେ ହାର୍‌ ମାନୁ ନଥିବା ଦୂତି ଦୀର୍ଘ ଆଇନଗତ ଲଢ଼େଇରେ ବିଜୟିନୀ ହେବା ସହ ୪ ବର୍ଷ ପରେ ନିଜ ଏସିଆଡ଼୍‍ ପଦକ ଜିତିବା ସ୍ୱପ୍ନ ପୂରଣ କରିଛନ୍ତି। ବୁଧବାରର ରୌପ୍ୟ ଥିଲା ଦୂତିଙ୍କର ଚତୁର୍ଥ ବରିଷ୍ଠ ବର୍ଗ ଅନ୍ତର୍ଜାତୀୟ ପଦକ।

Share Now:

Kalinga News Beuro

Leave a Reply

Next Post

କ୍ୟାପିଟାଲ ହସ୍ପିଟାଲ୍‌ରେ ୧୦୪ ଷ୍ଟାଫ୍‌ ନର୍ସ ପଦବି ଖାଲି, ଉତ୍କଟ ହେଉଛି ରୋଗୀ ସେବା

Thu Aug 30 , 2018
ଭୁବନେଶ୍ୱର: ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲରେ ଶହେରୁ ଅଧିକ ଷ୍ଟାଫ୍‌ ନର୍ସ ପଦବି ଖାଲି ପଡ଼ିଛି। ମାସେ କି ଦୁଇ ମାସ ନୁହେଁ, ବର୍ଷ ବର୍ଷ ଧରି ଏହି ପଦବି ଖାଲି ରହିଛି। ହସ୍ପିଟାଲରେ ଗୋଟିଏ ପରେ ଗୋଟିଏ ନୂଆ ବିଭାଗ ଖୋଲୁଛି। ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ହସ୍ପିଟାଲକୁ ଆସୁଛନ୍ତି। ମାତ୍ର ଖାଲି ପଡ଼ିଥିବା କର୍ମଚାରୀଙ୍କ ପଦବି କିଭଳି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial