ବିକ୍ଷୋଭ ସଭାରେ ଫୁଟିଲା ଗୁଳି ଅଳ୍ପକେ ବର୍ତ୍ତିଲେ ନେତା, କର୍ମୀ

ଜାତୀୟ ରାଜପଥ ଅବରୋଧ, ମୁଖ୍ୟ ଅଭିଯୁକ୍ତ ଗିରଫ

ଧଉଳି: ପେଟ୍ରୋଲ୍‌ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି ବିଜେଡି ପକ୍ଷରୁ ଚାଲିଥିବା ବିକ୍ଷୋଭ ସଭାରେ ଗୁଳି ଫୁଟିଛି। ଧଉଳି ଥାନା ଅଧୀନରେ ଥିବା ଦୁଇଟି ପେଟ୍ରୋଲ୍‌ ଟାଙ୍କିରେ ଆଜି ପୂର୍ବାହ୍ଣରେ ଏହି ବିକ୍ଷୋଭ ସଭା ଚାଲୁଥିଲା। ଗୁଳିକାଣ୍ଡରୁ ଶିଶୁପାଳଗଡ଼ ଅଞ୍ଚଳର ବିଜେଡି ନେତା ରବୀନ୍ଦ୍ର ପାତ୍ର ଓ କିଛି କର୍ମୀ ବର୍ତି ଯାଇଛନ୍ତି। ଘଟଣାରେ ପୁଲିସ ନୂଆଗାଁର ଚିନ୍ମୟ ବଡ଼ଜେନା ଓରଫ ଚିନୁକୁ ଗିରଫ କରିଛି। ତେବେ ସେ ଆହତ ହୋଇଥିବାରୁ ତାକୁ ପୁଲିସ ହେପାଜତରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି। ଏ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ପୃଥକ ପୃଥକ ଅଭିଯୋଗ କରାଯାଇଛି। ଘଟଣାସ୍ଥଳରୁ ପୁଲିସ ୨ଟି ଖୋକା ଜବତ କରିଛି। ଖବର ପାଇ ଲିଙ୍ଗିପୁର ପେଟ୍ରୋଲ୍‌ ଟାଙ୍କି ନିକଟରେ ଶିଶୁପାଳଗଡ଼ ଅଞ୍ଚଳର ବହୁ ଯୁବକ ଟାୟାର୍‌ ଜାଳି ପୁରୀ-କଟକ ବାଇପାସ୍‌ ରାସ୍ତା ଅବରୋଧ କରିଥିଲେ। ନୂଆଗାଁ ଅଞ୍ଚଳର ୩ ଜଣ ଯୁବକ ଶ୍ରୀ ପାତ୍ରଙ୍କ ଉପରକୁ ଏହି ଗୁଳି ଚଳାଇଥିବା ଅଭିଯୋଗ କରି ସେମାନେ ରାସ୍ତା ଅବରୋଧ କରିଥିଲେ। ତୁରନ୍ତ ସମସ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ସେମାନେ ଦାବି କରିଥିଲେ। ଅନ୍ୟପକ୍ଷରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ହାତାହାତିରୁ ଏପରି ଘଟଣା ଘଟିଥିବା ଚର୍ଚା ହେଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀର ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

ସୂଚନା ଅନୁଯାୟୀ ପୂର୍ବାହ୍ଣରେ ନୂଆଗାଁ ପେଟ୍ରୋଲ ଟାଙ୍କିରେ ଶିଶୁପାଳଗଡ଼, ନୂଆଗାଁ, ଇଟିପୁର, ଟିକରପଡ଼ା ପଞ୍ଚାୟତର ବିଜେଡି କର୍ମୀମାନେ ବିକ୍ଷୋଭ ସଭାରେ ସାମିଲ ହୋଇଥିଲେ। ପ୍ରଥମେ ସେଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ହୋଇଥିଲା। ଧଉଳି ଥାନା ପୁଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏହାର କିଛି ସମୟ ପରେ ଏକ ବୋଲେରୋ(ଓଡି-୦୨-ଏଲ-୪୦୧୦)ରେ କିଛି ଯୁବକ ଲିଙ୍ଗିପୁର ପେଟ୍ରାଲ ଟାଙ୍କି ସମ୍ମୁଖରେ ପହଞ୍ଚିଥିଲେ। ସେମାନେ ବିଜେଡି ନେତା ଶ୍ରୀ ପାତ୍ରଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ପୁରୀ-କଟକ ବାଇପାସ୍‌ ରାସ୍ତାରେ ଫେରାର ହୋଇଯାଇଥିଲେ। ତେବେ ସୌଭାଗ୍ୟରୁ ଗୁଳି ରବୀନ୍ଦ୍ରଙ୍କ ଦେହରେ ବାଜି ନଥିଲା। ନୂଆଗାଁର ଚିନ୍ମୟ ଏହି ଗୁଳି ଚଳାଇଥିବା ଶ୍ରୀ ପାତ୍ର ଅଭିଯୋଗ କରିଥିଲେ। ଗୁଳିମାଡ଼ ଘଟଣାକୁ ନେଇ ଶ୍ରୀ ପାତ୍ର ଓ ଅନ୍ୟଜଣେ ଯୁବକ ପ୍ରସନ୍ନ ଜେନା ନୂଆଗାଁର ଚିନ୍ମୟ, ବାବୁନି ବଡ଼ଜେନା, ପପୁନି ବଡ଼ଜେନା ଓ ବବୁଲ ଜେନାଙ୍କ ନାଁରେ ଅଭିଯୋଗ କରିଛନ୍ତି। ତେବେ ପୁଲିସ ଚିନୁକୁ ଗିରଫ କରିଛି। ଅନ୍ୟପକ୍ଷରେ ଶିଶୁପାଳଗଡ଼ ଗୋଷ୍ଠୀର ପାଲଟା ଆକ୍ରମଣରେ ଚିନୁ ଆହତ ହୋଇଥିବା ପୁଲିସ କହିଛି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ହେପାଜତରେ ସେ ଚିକିତ୍ସାଧୀନ ଥିବା ଥାନା ଅଧିକାରୀ ଜୟଦେବ ବିଶ୍ୱଜିତ ସୂଚନା ଦେଇଛନ୍ତି। ୯ ମାସରେ ୨ ଥର ଗୋଷ୍ଠୀ ସଂଘର୍ଷ: ଶିଶୁପାଳଗଡ଼ ଓ ନୂଆଗାଁ ମଧ୍ୟରେ ଗତ ୯ ମାସ ମଧ୍ୟରେ ୨ ଥର ଗୋଷ୍ଠୀ ସଂଘର୍ଷ ହୋଇଛି। ପୁଲିସ ସେମାନଙ୍କ ଭିତରୁ ଏକାଧିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଯାଏ ବିବାଦର ସମାଧାନ ହୋଇପାରୁନି। ଗଣ୍ଡଗୋଳ ନିୟନ୍ତ୍ରଣ ଓ ବିବାଦ ସମାଧାନ କରିବାରେ ଧଉଳି ଥାନା ପୁଲିସର ଭୂମିକାକୁ ନେଇ ଶିଶୁପାଳଗଡ଼ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ ଡିସେମ୍ବର ୩୧ ତାରିଖରେ କମେଣ୍ଟ ମରାକୁ ନେଇ ପ୍ରଥମେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା। ଏହାପରେ ଜାନୁଆରି ମାସ ୨୫ ତାରିଖ ରାତିରେ ଶିଶୁପାଳଗଡ଼ର କିଛି ଯୁବକ ନୂଅଗାଁରେ ବଜାରରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ହୋଇଥିଲା।

ବିକ୍ଷୋଭ ସଭା ଭଣ୍ଡୁର: ନୂଆଗାଁ ଓ ଲିଙ୍ଗିପୁର ପେଟ୍ରାଲ ପମ୍ପରେ ଉପରୋକ୍ତ ଦୁଇଗୋଷ୍ଠୀ ଗଣ୍ଡଗୋଳ କରିବାରୁ ଆୟୋଜିତ ବିକ୍ଷୋଭ ସଭା ଭଣ୍ଡୁର ହୋଇଯାଇଥିଲେ। ଗୁଳିକାଣ୍ଡ ଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ କର୍ମୀମାନେ ଆତଙ୍କିତ ହୋଇ ପଡ଼ିଥିଲେ। ଫଳରେ ବିଭିନ୍ନ ପଞ୍ଚାୟତରୁ ସାମିଲ ହୋଇଥିବା ଶତାଧିକ କର୍ମୀ ଓ ସମର୍ଥକମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା। ତେଣୁ ସାଧାରଣ ଲୋକଙ୍କୁ ସଚେତନ କରାଇବା ପାଇଁ ଉଦ୍ଦିଷ୍ଟ ପ୍ରତିବାଦ ସଭା ବନ୍ଦ ହୋଇଯାଇଥିଲା ।

Share Now:

Kalinga News Beuro

Leave a Reply

Next Post

ବିବାଦର ଅବସାନ: ବାଙ୍ଗାଲୋରରେ ହିଁ ହେବ ଏରୋ ଇଣ୍ଡିଆ ଶୋ

Sat Sep 8 , 2018
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବ୍ରୁଆରୀ ମାସ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ବାଙ୍ଗାଲୁରୁଠାରେ ହିଁ ଅନ୍ତର୍ଜାତୀୟ ବିମାନ ପ୍ରଦର୍ଶନୀ ଏରୋ ଇଣ୍ଡିଆ ୨୦୧୯ ଅନୁଷ୍ଠିତ ହେବ । ଏ ସଂପର୍କରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ଏହି ଘୋଷଣା ସହ ଏରୋ ଇଣ୍ଡିଆକୁ ନେଇ ଦେଖାଯାଇଥିବା ବିବାଦର ଅନ୍ତ ହୋଇଛି । ଗତ ମାସରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏରୋ ଇଣ୍ଡିଆ ଶୋକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial