ବିରାଜିବେ ବିଘ୍ନରାଜ : ଝଲସିବ ଶିକ୍ଷାନୁଷ୍ଠାନ ଓ କ୍ଲବ୍‌

 

ଭୁବନେଶ୍ୱର : ଗଜାନନଙ୍କ ଆରଧାନା ପାଇଁ ଉତ୍ସବମୁଖର ଗାଁଠୁ ସହର। ଏଥିରୁ ବାଦ୍‌ ପଡ଼ିନି ଶିକ୍ଷକ୍ଷାନୁଷ୍ଠାନ। ଗଣେଶଙ୍କ ଆବାହନ ଲାଗି ରାଜଧାନୀରେ ଥିବା ଶତାଧିକ ଶିକ୍ଷାନୁଷ୍ଠାନ ଏବେ ଝଲସିବାରେ ଲାଗିଛି। ରଙ୍ଗିନ୍‌ ଆଲୋକମାଳା ସାଙ୍ଗକୁ ଏଲ୍‌ଇଡି ଗେଟ୍‌ ପୂଜା ମଣ୍ଡପର ଶୋଭା ବଢ଼ାଉଛି। ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ୱର, ଖଣ୍ଡଗିରି ସମେତ ଇନ୍‌ଫୋସିଟି ଓ ମଞ୍ଚେଶ୍ୱର ଅଞ୍ଚଳରେ ୧୨୦ରୁ ଅଧିକ ଶିକ୍ଷାନୁଷ୍ଠାନ ଓ କ୍ଲବ୍‌ରେ ବହୁ ଆଡ଼ମ୍ବର ପ୍ରସ୍ତୁତି ହୋଇଛି। ଏଥର ପୂଜାରେ ବହୁ ନାମୀଦାମୀ ମେଲୋଡି ଗ୍ରୁପ୍‌କୁ ପୂଜା ମଣ୍ଡପରେ ଦେଖିବାକୁ ମିଳିବ। ମଞ୍ଚେଶ୍ୱରର ୫ଟି ପ୍ରମୁଖ ହାଟ ବ୍ୟବସାୟୀ ସଂଘ ପକ୍ଷରୁ ଗଣେଶ ପୂଜା ପେଣ୍ଡାଲ ନିକଟରେ ସପ୍ତାହ ବ୍ୟାପୀ ପାଲା ଅନୁଷ୍ଠିତ ହେବ।

ଲଡ଼ୁ ଲଢ଼େଇ:ଚାହିଦାରେ ମୋତିଚୁର ଲଡ଼ୁ

ପ୍ରତିଯୋଗିତାଭିତ୍ତିକ ଗଣେଶ ପୂଜାରେ ବାଦ୍‌ ପଡ଼ି ନାହାନ୍ତି ମିଠା ଦୋକାନୀ। ଗ୍ରାହକଙ୍କୁ ଆକର୍ଷଣ କରିବା ପାଇଁ ସ୍ୱତନ୍ତ୍ର ମିଠାର ପ୍ରସ୍ତୁତି ଚାଲିଛି। ସେଥିରେ ଆଗରେ ରହିଛି ମୋତିଚୁର ଲଡ଼ୁ। ଗଣେଶଙ୍କ ପ୍ରିୟ ଲଡ଼ୁ ହୋଇଥିବାରୁ ମିଠା ଦୋକାନରେ ଏଥିପାଇଁ ଭିଡ଼ ଜମିଲାଣି। ବିଭିନ୍ନ ସଂଗଠନଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ବରାଦ ଦିଆସରିଲାଣି। କାଜୁ, କିସ୍‌ମିସ୍‌, ଗୁୁଜୁରାତିରେ ତିଆରି ଗୋଣ୍ଡ୍‌ ଲଡ଼ୁ କେଜି ୫୫୦ ଟଙ୍କା ଥିବା ବେଳେ ମୋତିଚୁର ଲଡ଼ୁ ୪୪୦ ଟଙ୍କା, ମହିନ୍‌ ଦାନା ଲଡ଼ୁ ୪୦୦ ଟଙ୍କା, ବୁନ୍ଦି ୪୦୦ ଟଙ୍କା ରହିଛି। ପୁଣି ରହିଛି ମୋଦକ ଲଡ଼ୁ ୫୫୦, ଚକୋଲେଟ୍‌ ଫ୍ଲେବର୍‌ ୯୫୦ ଟଙ୍କା ରହିଛି। ବିଶେଷ କରି ମୋତିଚୁର ଲଡ଼ୁର ଚାହିଦା ଅଧିକ ରହିଛି। ଗଣେଶ ପୂଜା ସମୟରେ ଲଡ଼ୁ ବିକ୍ରି ଭଲ ହୁଏ ବୋଲି ଶ୍ରୀକୁଞ୍ଜ ମିଠା ଦୋକାନୀ ସୁନିଲ ପେଡ଼ିଓ୍ଵାଲ କହିଛନ୍ତି।

  

ସନ୍ଧ୍ୟା ସାଥୀ ସଂଘ ପକ୍ଷରୁ ପ୍ରସ୍ତୁତ ହୋଇଥିବା କୁଇଣ୍ଟାଲ୍‌ ଷୋହଳ କେଜି ଓଜନର ଲଡ଼ୁ ଏବେ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ସାଜିଛି। ଯାହାର ମୂଲ୍ୟ ରହିଛି ୨୫ ହଜାର ଟଙ୍କା। ୟୁନିଟ୍‌-୪ ସ୍ଥିତ ବିନାୟକ ଗାଙ୍ଗୁରାମ ପକ୍ଷରୁ ଏହି ଲଡ଼ୁ ପ୍ରସ୍ତୁତ କରାଯାଇଛି। ସେହିପରି ସହିଦ ନଗର ଓ୍ଵିନର୍ସ୍‌ ଆସୋସିଏସନ୍‌ ପକ୍ଷରୁ ପ୍ରସ୍ତୁତ ହୋଇଛି ୫୧ କେଜି ଓଜନର ଲଡ଼ୁ। ୪୫ ଫୁଟର ଲାଲ୍‌ବାଗ୍‌ ଗଣେଶଙ୍କ ହାତରେ ଏହି ଲଡ଼ୁ ଶୋଭାପାଇବ। ପ୍ରାୟ ୫ ଜଣ କାରିଗରଙ୍କୁ ନେଇ ଲଡ଼ୁ ତିଆରି ଚାଲିଛି। କାଜୁ , କିସ୍‌ମିସ୍‌, ଆଲମଣ୍ଡ ଓ ଗୁଜୁରାତି ପକାଇ ଏପରି ଲଡ଼ୁ ତିଆରି କରାଯାଉଛି। ଭସାଣି ଦିନ ଏହି ଲଡ଼ୁକୁ ନିଲାମ କରାଯାଏ। ୧୦ଟଙ୍କାରୁ ଏହି ନିଲାମ ଆରମ୍ଭ ହୁଏ। ଆଉ ଏହାକୁ ନେବା ପାଇଁ ଭକ୍ତଙ୍କ ଭିତରରେ ପ୍ରତିଯୋଗିତା ମଧ୍ୟ ଚାଲେ। ୫ ବର୍ଷ ହେଲା ତିଆରି ହେଉଥିବା ଏହି ଲଡ଼ୁ ୨୦ କେଜିରୁ ବଢ଼ି ଏବେ ୫୧ କେଜିରେ ପହଞ୍ଚିଛି ବୋଲି ଆସୋସିଏସନ୍‌ର ସଭାପତି ଜିତେନ୍ଦ୍ର ରାଓ କହିଛନ୍ତି।

ରାଜଗୁରୁ ପୂଜିବେ ସିଦ୍ଧି ବିନାୟକ
ପୁରୁଣା ଭୂବନେଶ୍ୱର : ଗଣେଶ ଚତୁର୍ଥୀ ତିଥିରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଥିବା ସିଦ୍ଧି ବିନାୟକଙ୍କୁ ଗଜପତି ମହାରାଜଙ୍କ ରାଜଗୁରୁ ପୂଜା କରିବେ। ଏନେଇ ପ୍ରସ୍ତୁତି ଶେଷ ହୋଇଛି। ଅପରାହ୍‌ଣରେ ମନ୍ଦିରରେ ଭୋଗ ମଣ୍ଡପ ନୀତି ପରେ ଏହି ପୂଜା କରାଯିବ। ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରବେଶ ବେଳେ ବାମ ପାର୍ଶ୍ୱରେ ସିଦ୍ଧି ବିନାୟକ ମନ୍ଦିର ରହିଛି। ଗଜପତି ମହାରାଜଙ୍କ କର୍ତା ହୋଇ ରାଜଗୁରୁ ଏହି କାର୍ଯ୍ୟ ତୁଲାଇବେ। ଆଜି ଏନେଇ ପୂଜା ସାମଗ୍ରୀ, ଫଳ ଭୋଗ ଆଦି ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ପୂଜା ମଣ୍ଡପରେ ଅଗ୍ର ପୂଜ୍ୟ ଶ୍ରୀଗଣେଶଙ୍କ ପୂଜା ପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି।

ସହିଦ ନଗରରେ ପୂଜା ପାଇବେ ସହସ୍ରମୁଖୀ ଗଣେଶ

ଭୁବନେଶ୍ୱର : ଚଳିତ ବର୍ଷ ସହିଦ ନଗରରେ ପୂଜା ପାଇବେ ସହସ୍ରମୁଖୀ ଗଣେଶ। ଗଙ୍ଗାମାଟିରେ ନିର୍ମିତ ଏହି ଗଣେଶ ୩୫ଟି ହାତୀ ଉପରେ ବିରାଜିତ ହେବେ। ଆଉ ଏହି ପ୍ରତିମାଙ୍କ ମୁଖ୍ୟ ଆକର୍ଷଣ ହେଉଛି, ତାଙ୍କ ଦେହର ଧଳା ରାଶି ଓ ମସୁର ଡାଲିରେ ତିଆରି ବସ୍ତ୍ର। ଏଥିରେ ହାତୀମାନଙ୍କ ଆଖି ବାଟିରେ ତିଆରି ହେଇଛି। ଗଣେଶ ପୂଜା ଅବସରରେ ୧୩,୧୫ ଓ ୧୭ ତାରିଖରେ ପ୍ରସାଦ ସେବନ ବ୍ୟବସ୍ଥା ରହିଛି ବୋଲି ଆୟୋଜକ ସହିଦ କ୍ଲବର ଅଧ୍ୟକ୍ଷ ବିଶ୍ୱରଞ୍ଜନ ରାୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଲୋକମାନଙ୍କ ମନୋରଞ୍ଜନ ପାଇଁ କ୍ଲବ ପକ୍ଷରୁ ୧୩ ଓ ୧୪ ତାରିଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଠାରେ ପ୍ରାୟ ୧୦ ହଜାରରୁ ଅଧିକ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି। ସାମ୍ବାଦିକ ସମ୍ମିଳନୀରେ କ୍ଲବ୍‌ର ସମ୍ପାଦକ ରାଜେଶ ଖାନ୍ନା, ମୁଖ୍ୟ ଉପଦେଷ୍ଟା ରାଜକିଶୋର ଦାଶ ଓ କୋଷାଧ୍ୟକ୍ଷ ଆଲୋକ ପୃଷ୍ଟି ଉପସ୍ଥିତ ଥିଲେ।

ବୁଢ଼ା ଗଣେଶକୁ ଟକ୍କର୍‌ ଦେବ ବଡ଼ ଗଣେଶ
ପୁରୁଣା ଭୁବନେଶ୍ୱର : ପୁରୁଣା ଭୁବନେଶ୍ୱର ଦୁଇ ପୂଜା କମିଟି ଗଣେଶଙ୍କ ମୂର୍ତ୍ତିକୁ ନେଇ ଜୋରଦାର୍‌ ଟକ୍କର। ଯମେଶ୍ୱର ପାଟଣା ସାହିରେ ବୁଢ଼ା ଗଣେଶ ୧୪ଫୁଟ୍‌ରେ ତିଆରି ହେଉଥିବେଳେ ଚଳିତ ବର୍ଷ ମୂର୍ତ୍ତିିକୁ ଅଧିକ ଉଚ୍ଚତା ବିଶିଷ୍ଟ କରାଯାଇଛି। ଏଥର ୧୮ଫୁଟ୍‌ ଉଚ୍ଚତାରେ ମୂର୍ତ୍ତି ତିଆରି ହୋଇଥିବା କମିଟି ପକ୍ଷରୁ କୁହାଯାଇଛି। ତେବେ ଏହାକୁ ଟକ୍କର୍‌ ଦେବ ବଢ଼େଇବାଙ୍କ ଛକ ବଡ଼ୁ ସାହି ଗଣେଶ ପୂଜା କମିଟି। ଏଥର ବଢ଼େଇବାଙ୍କ ଛକଠାରେ ୧୯ଫୁଟ୍‌ର ବଡ଼ ମୂର୍ତ୍ତିି ତିଆରି କରାଯାଇଛି।

 

Share Now:

Kalinga News Beuro

Leave a Reply

Next Post

କ୍ୟାପିଟାଲ୍‌ ହସ୍ପିଟାଲ୍‌: କର୍ମଚାରୀ ଓ ରୋଗୀଙ୍କ ପାଇଁ ଗୋଟିଏ କାଉଣ୍ଟର୍‌

Thu Sep 13 , 2018
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ବିଭିନ୍ନ ସେବା କାଉଣ୍ଟର୍‌ଗୁଡ଼ିକରେ ହସ୍ପିଟାଲର ନିଜସ୍ୱ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ। ଯେଉଁଠାରେ ସାଧାରଣ ରୋଗୀ ଧାଡ଼ି ବାନ୍ଧି ଛିଡ଼ା ହେଉଛନ୍ତି, କର୍ମଚାରୀମାନଙ୍କୁ ମଧ୍ୟ ସମାନ ଢଙ୍ଗରେ ଅପେକ୍ଷା କରିବାକୁ ପଡ଼ୁଛି। ଯାହାଫଳରେ କର୍ମଚାରୀମାନଙ୍କ କାର୍ଯ୍ୟରେ ବାଧା ଉପୁଜୁଛି। ଗତ କିଛିଦିନ ହେବ କର୍ମଚାରୀ ମହଲରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଅଭିଯୋଗ ହସ୍ପିଟାଲ କର୍ତୃପକ୍ଷଙ୍କ ନିକଟରେ ପହଞ୍ଚିଥିଲେ ହେଁ, କର୍ତୃପକ୍ଷ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial