କ୍ୟାପିଟାଲ୍‌ ହସ୍ପିଟାଲ୍‌: କର୍ମଚାରୀ ଓ ରୋଗୀଙ୍କ ପାଇଁ ଗୋଟିଏ କାଉଣ୍ଟର୍‌

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ବିଭିନ୍ନ ସେବା କାଉଣ୍ଟର୍‌ଗୁଡ଼ିକରେ ହସ୍ପିଟାଲର ନିଜସ୍ୱ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ। ଯେଉଁଠାରେ ସାଧାରଣ ରୋଗୀ ଧାଡ଼ି ବାନ୍ଧି ଛିଡ଼ା ହେଉଛନ୍ତି, କର୍ମଚାରୀମାନଙ୍କୁ ମଧ୍ୟ ସମାନ ଢଙ୍ଗରେ ଅପେକ୍ଷା କରିବାକୁ ପଡ଼ୁଛି। ଯାହାଫଳରେ କର୍ମଚାରୀମାନଙ୍କ କାର୍ଯ୍ୟରେ ବାଧା ଉପୁଜୁଛି। ଗତ କିଛିଦିନ ହେବ କର୍ମଚାରୀ ମହଲରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଅଭିଯୋଗ ହସ୍ପିଟାଲ କର୍ତୃପକ୍ଷଙ୍କ ନିକଟରେ ପହଞ୍ଚିଥିଲେ ହେଁ, କର୍ତୃପକ୍ଷ ଚୁପ୍‌ ରହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟସେବା ନେଇ ଚଳିତବର୍ଷ ଏକାଧିକ ମାଗଣା ଯୋଜନା ଆରମ୍ଭ ହୋଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ନିଦାନ ଓ ସହାୟ ଭଳି ଯୋଜନା କାର୍ଯ୍ୟକାରୀ ହୋଇଛି। ଏପରିକି ଗତ ସ୍ୱାଧୀନତା ଦିବସରୁ ରୋଗୀଙ୍କ ପଞ୍ଜୀକରଣ ବାବଦ ଫି’ମଧ୍ୟ ଆଦାୟ କରାଯାଉ ନାହିଁ। ମାଗଣା ଯୋଜନା ଯୋଗୁଁ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ଆହେତୁକ ଭାବେ ବୃଦ୍ଧି ପାଇଛି। ପୂର୍ବରୁ ଗୋଟିଏ ଦିନରେ ପ୍ରାୟ ୨ଶହ ରକ୍ତ ପରୀକ୍ଷା ହେଉଥିବା ବେଳେ ଏବେ ତାହା ପ୍ରାୟ ୪ଶହକୁ ଛୁଇଁଲାଣି। ସେହିପରି ‘ନିରାମୟ’ କାଉଣ୍ଟର୍‌ରେ ରୋଗୀଙ୍କ ଧାଡ଼ି ରାସ୍ତାରେ ପହଞ୍ଚିଲାଣି। ପୂର୍ବରୁ ହସ୍ପିଟାଲରେ ୮ଟି କାଉଣ୍ଟର୍‌ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର ଏବେ ମାତ୍ର ୪ଟି କାଉଣ୍ଟର୍‌ କାର୍ଯ୍ୟକ୍ଷମ ହୋଇପାରିଛି। ଖରା, ବର୍ଷାରେ ରୋଗୀମାନଙ୍କୁ ଔଷଧ ପାଇଁ ବାହାରେ ଅପେକ୍ଷା କରିବାକୁ ପଡ଼ୁଛି।

ପଞ୍ଜୀକରଣ କାଉଣ୍ଟର୍‌ରେ ମଧ୍ୟ ସମାନ ଅବସ୍ଥା। ପଞ୍ଜୀକରଣ କରୁଥିବା କମ୍ପାନି ସହିତ ହସ୍ପିଟାଲ୍‌ କର୍ତୃପକ୍ଷଙ୍କ ଚୁକ୍ତି ଶେଷ ହୋଇଯାଇଥିଲେ ହେଁ କର୍ତୃପକ୍ଷ ଏହାର ଅବଧି ବୃଦ୍ଧି କରି ଚାଲିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଇ-ହସ୍ପିଟାଲ କାର୍ଯ୍ୟକାରୀ କରିବା ପାଇଁ ଯୋଜନା ଥିବାରୁ ପୂର୍ବ କମ୍ପାନିକୁ ହସ୍ପିଟାଲ କର୍ତୃପକ୍ଷ ହଟାଇ ପାରୁ ନାହାନ୍ତି। ପଞ୍ଜୀକରଣ କାଉଣ୍ଟର୍‌ରେ ଅସମ୍ଭବ ଭିଡ଼ ହେଉଛି। ସେହିପରି ମାଗଣା ସେବା ପାଇଁ ଥିବା କାଉଣ୍ଟର୍‌ରେ ନିଜର ଟିକେଟ୍‌ ପାଇବା ପାଇଁ ଲୋକମାନେ ପରଦିନ ଏହି ଟିକେଟ୍‌ ପାଇବା ପାଇଁ ରାତିରୁ ଧାଡ଼ିରେ ଇଟା, ପଥର ରଖୁଥିବା ନଜରକୁ ଆସିଛି। କ୍ୟାପିଟାଲ ହସ୍ପିଟାଲରେ ପୂର୍ବରୁ ସିଏମ୍‌ଓ ପଦବି ଥିବା ସମୟରେ ହସ୍ପିଟାଲ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ନିୟମ କରାଯାଇଥିଲା। ଯେଉଁଥିରେ କର୍ମଚାରୀମାନେ ବିନା କୌଣସି ବାଧାରେ ସେବା ପାଇବେ ଓ କାର୍ଯ୍ୟରେ ଯୋଗ ଦେବେ। ମାତ୍ର ଏବେ ନିୟମ କାର୍ଯ୍ୟକାରୀ ହେଉନାହିଁ। ଯାହାଫଳରେ କର୍ମଚାରୀମାନେ ଅନ୍ୟ ସାଧାରଣ ରୋଗୀଙ୍କ ଭଳି ଧାଡ଼ିରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି। ଏହାକୁ ନେଇ ହସ୍ପିଟାଲ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ମଧ୍ୟ ହୋଇଛି। ତେବେ ଏହାର ସମାଧାନ ବାଟ ବାହାରି ପାରିନାହିଁ। କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା.ଚନ୍ଦ୍ରିକା ପ୍ରସାଦ ଦାସ କହିଛନ୍ତି, ପ୍ରତ୍ୟେକ ଦିନ ବହିର୍ବିଭାଗରେ ୩୫୦୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି। ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ଏବେ ‘ନିରାମୟ’ର ୪ଟି କାଉଣ୍ଟର କାର୍ଯ୍ୟକ୍ଷମ ହୋଇଥିବା ବେଳେ ଖୁବଶୀଘ୍ର ଆହୁରି ୨ଟି କାଉଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ନିଟକରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଏଥିରେ ନିରାମୟ କାଉଣ୍ଟର୍‌ ସଂଖ୍ୟାକୁ ବୃଦ୍ଧି କରିବା ନେଇ ନିଷ୍ପତ୍ତି ହୋଇଛି। ତେବେ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ କାଉଣ୍ଟର୍‌ ନେଇ ଆଗାମୀ ଦିନରେ ପଦକ୍ଷେପ ନିଆଯିବ।

Share Now:

Kalinga News Beuro

Leave a Reply

Next Post

ଦିଲ୍ଲୀରେ ଶିଳ୍ପପତିଙ୍କୁ ଡାକିଲେ ନବୀନ

Thu Sep 13 , 2018
ବ୍ୟକ୍ତିଗତ ଆଲୋଚନା କଲେ, ରୋଡ୍‌ ସୋ’ରେ ଭାଗ ନେଲେ, ସୁଯୋଗ, ସମ୍ଭାବନା, ଭିତ୍ତିଭୂମି ନେଇ ବିଶ୍ୱାସ ଜନ୍ମାଇଲେ, ଜାପାନ୍‌ ଓ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସହଯୋଗୀ ହେବେ ନୂଆଦିଲ୍ଲୀ : ଓଡ଼ିଶା ପୂର୍ବ ଭାରତ ନିର୍ମାଣର କେନ୍ଦ୍ରସ୍ଥଳୀ ପାଲଟିବ। ଗତ ୧୮ ବର୍ଷ ମଧ୍ୟରେ ରାଜ୍ୟରେ ଶିଳ୍ପର ବିକାଶ ପାଇଁ ସରକାର ଭିତ୍ତିଭୂମି କ୍ଷେତ୍ରରେ ଅନେକ ପଦକ୍ଷେପ ନେଇଛନ୍ତି। ବନ୍ଦର କ୍ଷମତା ୧୯୦ ନିୟୁତ ଟନ୍‌କୁ ଓ ବିଦ୍ୟୁତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial