ଆମ୍ବୁଲାନ୍‌ସ ଆସିଲାନି : ୧୧ କିଲୋମିଟର ଭାରରେ ବୁହାହେଲେ ସର୍ପାଘାତରେ ଭଉଣୀ ମୃତ, ଭାଇ ଗୁରୁତର

ହରିଚନ୍ଦନପୁର : ରାତିରେ ଶୋଇଥିଲା ବେଳେ ଭାଇଭଉଣୀଙ୍କୁ ସାପ କାମୁଡ଼ିଦେଲା। ଡାକ୍ତରଖାନା ନେବା ପାଇଁ ଘରଲୋକେ ୧୦୮କୁ ଫୋନ୍‌ କଲେ। ମାତ୍ର ଆମ୍ବୁଲାନ୍‌ସ ଆସିଲାନି। ଶେଷରେ ଦୀର୍ଘ ୧୧ କିଲୋମିଟର ଖଟିଆ ଭାରରେ ଜଣେ ପରେ ଜଣେ ବୁହାହେଲେ। ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ଭଉଣୀର ମୃତ୍ୟୁ ଘଟିଥିବା ବେଳେ ଭାଇ ମୃତ୍ୟୁ ସହ ଲଢ଼ୁଛି।
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ରାସୋଳ ପଞ୍ଚାୟତ ଲିପିଂ ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି। ସର୍ପାଘାତର ଶିକାର ହୋଇଥିବା ଭାଇଭଉଣୀ ହେଲେ ମାନସିଂ ଜେରାଇଙ୍କ ପୁଅ ଶିବ (୮) ଓ ଝିଅ ଲେମ୍ବ (୧୦)। ଦୁହେଁ ଗତକାଲି ରାତିରେ ମଶାରୀ ଭିତରେ ଶୋଇଥିଲେ। ଏକ ବିଷଧର ସାପ ସେମାନଙ୍କୁ କାମୁଡ଼ି ଦେଇଥିଲା। ଘର ଲୋକେ ଜାଣିବା ପରେ ଡାକ୍ତରଖାନା ନେବା ପାଇଁ ୧୦୮କୁ ଫୋନ୍‌ କରିଥିଲେ। ଗାଡ଼ି ଆସିଲାନି। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଗାଡ଼ିମଟର ସୁବିଧା ମଧ୍ୟ ନଥିଲା। ଭୋର୍‌ରେ ରାମସିଂ, ତାଙ୍କ ପତ୍ନୀ କୁନି ଜେରାଇ ଓ ଗ୍ରାମର ଘନ କୁଙ୍ଗେଲ, ବିନ୍ଦୁ ନାଗ, ଜାଙ୍ଗୁ ଚାତାରଙ୍କ ସହଯୋଗରେ ପୁଅ ଶିବକୁ ପ୍ରଥମେ ଭାରରେ ବୋହି ୧୧ କିଲୋମିଟର ଦୂର ନର୍ଦାଙ୍ଗିପେଣ୍ଠ ଗ୍ରାମରେ ପହଞ୍ଚାଇଥିଲେ। ସେଠାରୁ ଏକ ଅଟୋରେ ରେବଣାପଳାଶପାଳ ଡାକ୍ତରଖାନାକୁ ନେଇଥିଲେ। ଅବସ୍ଥା ବିଗିଡ଼ିବାରେ ଲାଗିଥିବାରୁ ସେଠାରୁ ହରିଚନ୍ଦନପୁର ଡାକ୍ତରଖାନାକୁ ନେଇଥିଲେ। ସେତେବେଳକୁ ଦିନ ସାଢ଼େ ୧୧ଟା। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର କେନ୍ଦୁଝରକୁ ସ୍ଥାନାନ୍ତର କରିଥିଲେ। ସେଠାରେ ମଧ୍ୟ ୧୦୮ ଆମ୍ବୁଲାନ୍‌ସ ମିଳିଲାନି। ଶେଷରେ ଜଣେ ବଦାନ୍ୟ ବ୍ୟକ୍ତି ଡାକ୍ତରଖାନାରେ ଟଙ୍କା ଜମା କରିବା ପରେ ଅନ୍ୟଏକ ଆମ୍ବୁଲାନ୍‌ସରେ କେନ୍ଦୁଝରକୁ ନେଇଥିଲେ। ଶିଶୁଟିର ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ଅନ୍ୟପଟେ ଏହି ସମୟରେ ଝିଅ ଲେମ୍ବ ଘରେ ଯନ୍ତ୍ରଣାରେ ଛଟପଟ ହେଉଥିଲା। ପୁଅ ସହ ମା’ ଓ ଅନ୍ୟଜଣେ ପଡ଼ୋଶୀ କେନ୍ଦୁଝର ଡାକ୍ତରଖାନାକୁ ଯାଇଥିଲାବେଳେ ନର୍ଦାଙ୍ଗିପେଣ୍ଠରୁ ପୁଣି ଘରକୁ ଫେରିଥିଲେ ବାପା ମାନସିଂ। ଘରେ ପହଞ୍ଚିଲା ପରେ ଆଉଥରେ ଖଟିଆ ଭାର ସଜାଡ଼ିଥିଲେ। ସେଥିରେ ଝିଅକୁ ଶୁଆଇ ପୁଣି ବୋହିଥିଲେ ନର୍ଦଙ୍ଗାପେଣ୍ଠକୁ। ଏଥର ମାନସିଂଙ୍କ ସହ ଗ୍ରାମର ଗଙ୍ଗା ଚାତାର, ମୁଦ୍ରା ମୁଣ୍ଡା, ଘନଶ୍ୟାମ ମୁଣ୍ଡା ଭାର ବୋହିଥିଲେ। ନର୍ଦଙ୍ଗାପେଣ୍ଠରୁ ହରିଚନ୍ଦନପୁରକୁ ଅଟୋ ଭଡ଼ାକରି ନେଇଥିଲେ। ଝିଅକୁ ଡାକ୍ତରଖାନାରେ ପହଞ୍ଚାଇଲାବେଳକୁ ଦିନ ୩ଟା ବାଜିସାରିଥିଲା। ସେଠାରେ ଲେମ୍ବକୁ ମୃତ ଘୋଷଣା କରିଥିଲେ ଡାକ୍ତର। ମାନସିଂ ଅତ୍ୟନ୍ତ ଗରିବ ହୋଇଥିବାରୁ ପୁଅର ଚିକିତ୍ସା କେମିତି କରାଇବେ ବୋଲି କହିଛନ୍ତି। ଡଙ୍ଗାଧର ପ୍ରାଥମିକ ବିଦ୍ୟାଳୟରେ ଝିଅ ଲେମ୍ବ ତୃତୀୟ ଓ ପୁଅ ଶିବ ଦ୍ୱିତୀୟ ଶ୍ରେଣୀରେ ପଢୁଥିଲେ।

Share Now:

Kalinga News Beuro

Leave a Reply

Next Post

୧୦ ସ୍ୱର୍ଣ୍ଣ ସହ ଓଡ଼ିଶାକୁ ୩୮ ପଦକ:ଜାତୀୟ କନିଷ୍ଠ ପୂର୍ବାଞ୍ଚଳ ଦୌଡ଼କୁଦ ଶେଷ

Mon Sep 17 , 2018
କଟକ: ବିହାରର ପାଟନାରେ ଚାଲିଥିବା ପୂର୍ବାଞ୍ଚଳ କନିଷ୍ଠ ଦୌଡ଼କୁଦ ରବିବାର ଶେଷ ହୋଇଛି। ଶେଷ ଦିନ ଓଡ଼ିଶା କ୍ରୀଡ଼ାବିତ୍‌ମାନେ ୪ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ବ୍ୟତୀତ ୭ ରୌପ୍ୟ ଓ ୪ କାଂସ୍ୟ ପଦକ ମଧ୍ୟ ଓଡ଼ିଶାକୁ ମିଳିଛି। ଫଳରେ ଏହି ଦୁଇ ଦିନିଆ ପ୍ରତିଯୋଗିତାରେ ଓଡ଼ିଶା କ୍ରୀଡ଼ାବିତ୍‌ମାନେ ୧୦ ସ୍ୱର୍ଣ୍ଣ ସହ ମୋଟ ୩୮ ପଦକ ହାସଲ କରିଛନ୍ତି। ଶେଷ ଦିନ ୧୬ ବର୍ଷରୁ କମ୍‌ ବାଳିକା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial