ତଲାକ୍‌ ବିଲ୍‌କୁ ସଂସଦର ମୋହର, ଶେଷରେ ରାଜ୍ୟସଭାରେ ଗୃହୀତ

ସପକ୍ଷରେ ୯୯, ବିରୋଧରେ ୮୪ ବିଜେଡିର ସମର୍ଥନ, ଜେଡିୟୁର କକ୍ଷତ୍ୟାଗ

ନୂଆଦିଲ୍ଲୀ: ବିବାଦୀୟ ମୁସ୍‌ଲିମ ମହିଳା ବିବାହ ଅଧିକାର ସୁରକ୍ଷା (ତିନି ତଲାକ୍‌) ବିଲ୍‌କୁ ଆଜି ସଂସଦ ଅନୁମୋଦନ ପ୍ରଦାନ କରିଛି। ଲୋକସଭାରେ ଗତ ୨୫ ତାରିଖ ଗୃହୀତ ହୋଇଥିବା ତିନି ତଲାକ୍‌ ବିଲ୍‌ ଆଜି ରାଜ୍ୟସଭାରେ ମଧ୍ୟ ଗୃହୀତ ହୋଇଛି। ଏବେ ଏହି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଂଜୁରି ପାଇଁ ପଠାଯିବ। ଏହା ଆଇନରେ ପରିଣତ ‌ହେଲେ ଏକା ଥରକେ ତିନି ତଲାକକୁ ଦଣ୍ଡନୀୟ ଅପରାଧ ବୋଲି ବିଚାର କରାଯିବ। ଏହି ଅପରାଧ ଲାଗି ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ରହିଛି। ସଂସଦରେ ଆଗତ ହେବାର ୧୯ ମାସର ସଂଘର୍ଷ ପରେ ଏହି ବିଲ ପାସ୍ ହୋଇଥିବାରୁ କେନ୍ଦ୍ର ସରକାର ଆନନ୍ଦ ପ୍ରକାଶ କରିଛନ୍ତି ଏବଂ ଆଜି ଦିନକୁ ଐତିହାସିକ ଦିନ ବୋଲି ବର୍ଣ୍ଣନା କରିଛନ୍ତି। ସୂଚନାଯୋଗ୍ୟ ଯେ ୧୯ ମାସ ‌ତଳେ ସରକାର ଏହି ବିଲକୁ ଲୋକସଭାରେ ଆଗତ କରିଥିଲେ। କିନ୍ତୁ ରାଜ୍ୟସଭାରେ ସମର୍ଥନ ନମିଳିବାରୁ ବିଲ୍ ପାସ ହୋଇପାରୁ ନଥିଲା। ଏଥିପାଇଁ ସରକାରଙ୍କୁ ଅଧ୍ୟାଦେଶ ଜାରି କରିବାକୁ ପଡ଼ୁଥିଲା। ଶେଷରେ ଆଜି ରାଜ୍ୟସଭାରେ ସରକାରଙ୍କୁ ସଫଳତା ମିଳିଛି। ଗୃହରେ ବିଲ୍‌ ସପକ୍ଷରେ ୯୯ଟି ଭୋଟ୍‌ ପଡ଼ିଥିବା ବେଳେ ବିଲ୍‌ ବିରୋଧରେ ୮୪ ଭୋଟ୍‌ ପଡ଼ିଥିଲା। ଆଜି ରାଜ୍ୟସଭାରେ ବିଲ୍‌ ଉପରେ ଭୋଟ୍‌ ଗ୍ରହଣ ପୂର୍ବରୁ ଏହାକୁ ସିଲେକ୍ଟ କମିଟିକୁ ପଠାଇବା ପ୍ରସ୍ତାବ କାଟ ଖାଇଯାଇଥିଲା।
ପ୍ରସ୍ତାବ ସପକ୍ଷରେ ୮୪ ଭୋଟ୍‌ ମିଳିଥିବା ବେଳେ ବିରୋଧରେ ୧୦୦ ଭୋଟ୍‌ ପଡ଼ିଥିଲା। ଏହାପରେ ପରେ ବିଲ୍ ପାଇଁ ଭୋଟ୍ ନିଆଯାଇଥିଲା। ବିଲ୍‌କୁ ବିରୋଧ କରୁଥିବା ଅନେକ ଦଳ ଭୋଟିଂ ସମୟରେ କକ୍ଷତ୍ୟାଗ କରିଥିଲେ ଏବଂ କେତେକ ଦଳ ଭୋଟିଂରେ ଭାଗ ନେଇନଥିଲେ। ସଂଖ୍ୟା ଦୃଷ୍ଟିରୁ ଏହା ସରକାରଙ୍କ ପାଇଁ ସହାୟକ ହୋଇଥିଲା। ବିଲକୁ ବିଜେଡି ସମର୍ଥନ କରିଥିବା ବେଳେ ଜେଡିୟୁ ଏବଂ ଆନ୍ନାଡିଏମକେ କକ୍ଷତ୍ୟାଗ କରିଥିଲେ। ୨୪୨ ସଭ୍ୟ ବିଶିଷ୍ଟ ରାଜ୍ୟସଭାରେ ବିଲ୍ ଅନୁମୋଦନ ପାଇଁ ୧୨୧ ସଭ୍ୟଙ୍କ ସମର୍ଥନ ଦରକାର ଥିବା ବେଳେ ଏନଡିଏ ସଂଖ୍ୟା ହେଉଛି ୧୦୭। ଉକ୍ତ ବିଲ୍‌ରେ ତିନି ତଲାକ୍‌କୁ ବେଆଇନ ଦର୍ଶାଯିବା ସହ ଏଥିପାଇଁ ୩ ବର୍ଷ ଜେଲ୍‌ ଦଣ୍ଡ ଏବଂ ଜରିମାନା ବ୍ୟବସ୍ଥା ରହିଛି। ପୀଡ଼ିତା ମହିଳାଙ୍କ ଯୁକ୍ତି ଶୁଣିବା ପରେ ଯାଇ ମାଜିଷ୍ଟ୍ରେଟ୍ ଅଭିଯୁକ୍ତକୁ ଜାମିନ ଦେଇପାରିବେ। ତେବେ ମହିଳା ଚାହିଲେ ଆପୋସ ବୁଝାମଣା ମଧ୍ୟ ‌ହୋଇପାରିବ । ମୋଦୀ ସରକାର ପ୍ରଥମ ଥର ପାଇଁ କ୍ଷମତାକୁ ଆସିବା ପରେ ତିନି ତଲାକ୍‌ ବିଲ୍‌ ସଂସଦରେ ଗୃହୀତ କରାଇବାକୁ ଜୋର୍‌ଦାର ପ୍ରୟାସ କରିଥିଲେ। ଗତ ଲୋକସଭାରେ ଏହି ବିଲ୍‌ ପାରିତ ହେବା ପରେ ରାଜ୍ୟସଭାରେ ବିଲ୍‌ ଅଟକି ଯାଇଥିଲା। ଏହାପରେ ସରକାର ଏଥିପାଇଁ ଅଧ୍ୟାଦେଶ ଆଣିଥିଲେ। ଏହି ବିଲ୍‌କୁ ଲୋକସଭାରେ ପୁଣି କେତେକ ପରିବର୍ତ୍ତନ ସହ ଅଣାଯାଇଥିଲା। ମୋଦୀ ସରକାର ଦୂତୀୟ ଥର କ୍ଷମତାକୁ ଆସିବା ପରେ ଲୋକସଭାରେ ଏହି ବିଲକୁ ପୁଣି ଆଗତ କରାଯାଇଥିଲା। ଗତ ୨୫ ତାରିଖ ଦିନ ଏହା ଗୃହୀତ ହେବାପରେ ଆଜି ରାଜ୍ୟସଭାରେ ବିଲ୍‌ ଆଗତ କରାଯାଇଥିଲା। ବିଲ୍‌ ଗୃହୀତ ହେବାପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତିନି ତଲାକ ପୀଡ଼ିତାମାନଙ୍କ ଅପୂର୍ବ ସାହସ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ମହିଳାଙ୍କ ମର୍ଯ୍ୟାଦା ଓ ସ୍ବାଭିମାନକୁ ଏବେ ସୁରକ୍ଷା ମିଳିବ ବୋଲି ମୋଦୀ ଟ୍ବିଟ୍‌ କରି କହିଛନ୍ତି। ବିଲ୍‌କୁ ସମର୍ଥନ କରିଥିବା ସମସ୍ତ ଦଳ ଏବଂ ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ତିନି ତଲାକ୍‌ ବିଲ୍‌ ଗୃହୀତ ହେବାପରେ କହିଛନ୍ତି ଯେ ଏ ସଂକ୍ରାନ୍ତରେ ଆଇନ ବିନା ପୁଲିସ ପୀଡ଼ିତା ମହିଳାଙ୍କ ଅଭିଯୋଗ ଶୁଣିବାକୁ ପ୍ରସ୍ତୁତ ନଥିଲା। ସରକାର ମୁସ୍‌ଲିମ୍‌ ଭଉଣୀମାନଙ୍କୁ ନ୍ୟାୟ ଦେବାପାଇଁ ବଦ୍ଧପରିକର ଥିଲେ ଏବଂ ନିର୍ବାଚନରେ ଜୟ ପରାଜୟକୁ ଖାତିର ନକରି ତିନି ତଲାକ୍‌ ବିଲ୍‌କୁ ଆଇନରେ ପରିଣତ କରିବାକୁ ସଂକଳ୍ପ ନେଇଥିଲେ। ଆଜି ଏହା ସାକାର ହେବା ସହ ଅଧିକାର ପାଇଁ ଲଢ଼େଇ କରୁଥିବା ମୁସ୍‌ଲିମ୍‌ ମହିଳାଙ୍କ ନିମନ୍ତେ ନ୍ୟାୟର ରାସ୍ତା ଖୋଲିଯାଇଛି । ଇସ୍‌ଲାମିକ୍‌ ରାଷ୍ଟ୍ରମାନଙ୍କରେ ତିନି ତଲାକ୍‌ ପ୍ରଥାକୁ ଶେଷ କରିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଭାରତ ଭଳି ଗଣତାନ୍ତ୍ରିକା ରାଷ୍ଟ୍ରପାଇଁ ଏହା ଅତି ଜରୁରୀ ଥିଲା ବୋଲି ରବିଶଙ୍କର କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଘର ପାଇଁ ଟିକସ ଦେଇ ହୋଟେଲ ଖୋଲିଛନ୍ତି : ୪୦ ଜଣଙ୍କୁ ନୋଟିସ୍ କଲା ବିଏମ୍‌ସି

Thu Aug 1 , 2019
ବର୍ଷକୁ କୋଟି କୋଟି ଟଙ୍କା ହରାଉଛି, ତୁରନ୍ତ ବନ୍ଦ ନକଲେ ଘର ସିଲ୍‌ ହେବ ଭୁବନେଶ୍ୱର : ବିଏମ୍‌ସିକୁ ଆବାସିକ ଘର ପାଇଁ ହୋଲଡିଂ ଟିକସ ଦେଉଛନ୍ତି। କିନ୍ତୁ ଘରେ ହୋଟେଲ, ଗେଷ୍ଟହାଉସ୍ ଖୋଲାଯାଇଛି। ଏମିତି ଭାବେ ବର୍ଷ ବର୍ଷ ଧରି ବିଏମ୍‌ସିକୁ ଲକ୍ଷ ଲକ୍ଷ ଟଙ୍କା ଟିକସ ଫାଙ୍କି ଚାଲିଛନ୍ତି। ଏହିଭଳି ୪୦ଟି ଘରେ ଆଜି ବିଏମ୍‌ସିର ଉତ୍ତର ଜୋନ୍ ପକ୍ଷରୁ ଚଢ଼ଉ ହୋଇଛି। ବେଆଇନ ଭାବେ ଆବାସିକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial