ସମ୍ପ୍‌ରେ ପଶି ୩ ଶ୍ରମିକଙ୍କ ମୃତ୍ୟୁ ଘଟଣା : ଦାୟୀ କିଏ?

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅଧୀନ ପୁରୀ ବାଇପାସ ରାସ୍ତାରେ ଏକ ନିର୍ମାଣାଧୀନ ଘରର ପାଣି ସମ୍ପରେ ପଶି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଲା। ଅକାଳରେ ଝଡ଼ିଗଲା ୩ଟି ଜୀବନ। ପେଟ ଚାଖଣ୍ଡକ ପାଇଁ ସେମାନେ ଧାଇଁ ଆସିଥିଲେ ପଡ଼ୋଶୀ ରାଜ୍ୟରୁ ଆମ ରାଜଧାନୀକୁ। ଠିକା ଶ୍ରମିକ ଭାବେ ନିଜ ଗୁଜୁରାଣ ମେଣ୍ଟାଉଥିଲେ। ରାଜଧାନୀ ପାଇଁ ସେମାନେ ସଂପୂର୍ଣ୍ଣ ଭାବେ ନୂଆ, କାରଣ ମାତ୍ର ୩ ସପ୍ତାହ ହେବ ସେମାନେ ଆସିଥିଲେ ଭୁବନେଶ୍ୱର। ଆଶା ଥିଲା ରୋଜଗାର କରିବେ। ଗାଁରେ ଥିବା ସ୍ତ୍ରୀ ପିଲାଛୁଆଙ୍କ ପାଇଁ ମନଲାଖି ଜିନିଷ ନେବେ। କିନ୍ତୁ କେବେ ବି ଚିନ୍ତା କରି ନ ଥିଲେ ଦିନେ ସେମାନଙ୍କ ଶରୀର ଶବ ହୋଇ ଗାଁକୁ ଫେରିବ ବୋଲି। ଆଜି ମଧ୍ୟ ସେମାନେ ରହୁଥିବା ଘରେ ମାଛ ତରକାରି କରି ଖାଇବେ ବୋଲି ଆଶା କରିଥିଲେ। ମାଛ କଟା ହୋଇ ଥାଳି ମଧ୍ୟରେ ଥିଲା। ଏହି ସମୟରେ ସେମାନଙ୍କୁ ମଧ୍ୟ ଜଣେ ଶ୍ରମିକ କହିଥିଲା ଚାଲ, ସେଟ୍ରିଂ ଫଲସ ଖୋଲି ଦେଇ ଆସିବା ଆଉ ତା’ ପରେ ମାଛକୁ ତରକାରୀ କରି ଖାଇବେ। ମାଛ ସେମିତି ଥାଳିରେ କଞ୍ଚା ଥୁଆ ହୋଇଥାଏ। ତରକାରି ଖାଇବେ କ’ଣ ସବୁ ଦିନ ପାଇଁ ଚାଲିଗଲେ ଆରପାରିକୁ। ଆଜିର ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ଘଟଣାସ୍ଥଳରେ। ତେବେ ଏଭଳି ୩ ଜଣ ଶ୍ରମିକ ଏକ ସାଙ୍ଗରେ ମୃତ୍ୟୁ ଘଟିବା ଘଟଣାର ଏବେ ଘଣ୍ଟାଚକଟା ଆରମ୍ଭ ହୋଇଛି। ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଘଟଣା ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଥିବା ବେଳେ କମିସନରେଟ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ହେଉଛି। କିନ୍ତୁ ଏହାରି ମଧ୍ୟରେ ଖସି ଯାଇଛନ୍ତି ଶ୍ରିମକମାନଙ୍କୁ ଶ୍ରମ କାର୍ଯ୍ୟରେ ଲଗାଇଥିବା ଠିକାଦାର।
ଏଠି ପ୍ରଶ୍ନ ଉଠୁଛି, ୩ ଜଣ ଶ୍ରମିକଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? ଘର ମାଲିକ, ଯେଉଁ ଘରେ ଶ୍ରମିକମାନେ କାମ କରୁଥି‌ଲେ, ନା ଘର ମାଲିକଙ୍କଠାରୁ ଠିକାରେ କାମ ନେଇଥିବା ଠିକାଦାର ନା ସେହି ଶ୍ରମିକମାନେ ନିଜେ। କାରଣ ଆଜି ଯେଉଁ ଘଯଣା ଘଟିଛି, ରାଜଧାନୀ ପାଇଁ ନୂଆ ନୁହେଁ। ପ୍ରତିବର୍ଷ ରାଜଧାନୀର କେଉଁଠି ନା କେଉଁଠି ଏଭଳି ଅଘଟଣ ଘଟୁଛି। ଆଉ ଅସମୟରେ ଝଡ଼ି ଯାଉଛି ଜୀବନ। ପରିବାରଲୋକ ରୋଜଗାରିଆ ପୁଅକୁ ହରାଉଛନ୍ତି। କିଛି ଦିନ ତମ୍ବିତୋଫାନ ହେଉଛି, ଠିକାଦାର ନାଁରେ ମାମଲା ହେଲେ ମଧ୍ୟ ସେ କୋର୍ଟରୁ ଆଗୁଆ ଜାମିନ ପାଉଛି। ନଚେତ ଶ୍ରମିକମାନଙ୍କୁ କିଛି କ୍ଷତି ପୂରଣ ଦେଇ ସେମାନଙ୍କ ମୁହଁ ବନ୍ଦ କରାଇ ମାମଲାକୁ ରଫାଦଫା କରୁଛି। ପୁଲିସ ଓ ଶ୍ରମ ବିଭାଗର ବାବୁମାନେ ମଧ୍ୟ ଠିକାଦାର କିମ୍ବା ଘର ମାଲିକମାନଙ୍କଠାରୁ ଉପକୃତ ହୋଇ ମୁହଁ ବନ୍ଦ କରି ଦେଉଛନ୍ତି।
ଆଜି ଯେଉଁ ଘଟଣା ଘଟିଲା ଏଥିପାଇଁ କିଏ ଉତ୍ତରଦାୟୀ ରହିବ। କାରଣ ଯେଉଁ ଠିକାଦାର କାମ ନେଇଥିଲେ, ସେ ପଞ୍ଜୀକୃତ ଥିଲେ କି? ଯଦି ନ ଥିଲେ କିଭଳି ବେଆଇନ ଭାବେ ଶ୍ରମିକମାନଙ୍କୁ ଆଣି ଏଭଳି ବିପଦପୂର୍ଣ୍ଣ କାମରେ ଲଗାଉଥିଲେ। ଯେଉଁ ଶ୍ରମିକମାନେ କାମ କରୁଥିଲେ ସେମାନଙ୍କ ସୁରକ୍ଷା ପାଇଁ ଠିକାଦାରଜଣକ କ’ଣ ପ୍ରତିରକ୍ଷା ବ୍ୟବସ୍ଥା କରିଥିଲେ। ନିୟମ ଅନୁଯାୟୀ ଯେଉଁଠି କୂଅ, ସମ୍ପ, ପାଇଖାନା ଟାଙ୍କି, ସ୍ବେରେଜ ଟାଙ୍କି ଆଦି ସଫା ହେବା ବେଳେ ସେଠାରେ ଜଣେ ସୁପରଭାଇଜର୍‌ ନିୟୋଜିତ ହେବା କଥା। ଏଠାରେ ଏହି ନିୟମ ପାଳନ ହୋଇଛି ନା ନାହିଁ। ଯଦି ହୋଇ ନାହିଁ କାହିଁକି ହୋଇ ନାହିଁ। ଏଠାରେ ପ୍ରକାଶଥାଉକି, ଗତ ୫ ବର୍ଷ ମଧ୍ୟରେ ପାଇଖାନା ସଫା କରିବାକୁ ଯାଇ ପାଖାପାଖି ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

Share Now:

Kalinga News Beuro

Leave a Reply

Next Post

ଦାରିଦ୍ର୍ୟ ପାଇଁ ‘ଉଜ୍ଜଳା’ ବିକଳାଙ୍ଗ : ସାହୁକାର ଘରେ ସିଲିଣ୍ଡର ବିକ୍ରି

Mon Aug 5 , 2019
ରି-ଫିଲିଂକୁ ଟଙ୍କା ନାହିଁ, ସିଲିଣ୍ଡର ଦେଇ ପୁରୁଣା ବାକି ଶୁଝିଲେ ବଅଁରପାଳ : ଦୋକାନରୁ ୫୨୦ଟଙ୍କାରେ ତେଜରାତି ଜିନିଷ କିଣିଥିଲେ ଅନାମ ଗୋଚ୍ଛାୟତ(ଛଦ୍ମନାମ)। ବାକି ଶୁଝି ପାରିଲେନି। ଦୋକାନୀ ଦାଉରୁ ବର୍ତ୍ତିବା ପାଇଁ ଶେଷରେ ଘରେ ଖାଲି ଗଡ଼ୁଥିବା ଉଜ୍ଜଳା ଗ୍ୟାସ୍‌ ସିଲିଣ୍ଡରକୁ ୮ଶହ ଟଙ୍କାରେ ଦୋକାନିକୁ ବିକ୍ରି କରିଦେଲେ। ଅନାମଙ୍କ ଭଳି ସମାନ ପରିସ୍ଥିତିରେ ନିଜ ଗ୍ୟାସ୍‌ ସିଲିଣ୍ଡରକୁ ନେଇ ହୋଟେଲ୍‌ ହାତକୁ ଟେକିଦେଲେ ସଜନ ଗୋଚ୍ଛାୟତ(ଛଦ୍ମନାମ)। ୧୨ଶହ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial