ଚେକ୍‌ଡ୍ୟାମ ନିର୍ମାଣ ନାଁରେ ହରିଲୁଟ୍‌ : ମୁକୁଳା ପଡ଼ିଛି ଡ୍ୟାମ୍‌

ନୂଆଗାଁ : ଚାଷୀ ପେଟକୁ ଲାତ। ଚେକ୍‌ଡ୍ୟାମ ନାଁରେ ଆସୁଥିବା ଅର୍ଥ ବାଟମାରଣା ହେଉଥିବା ଅଭିଯୋଗ ହୋଇଛି। ନିର୍ମାଣ ହୋଇଥିବା ଚେକ୍‌ଡ୍ୟାମ୍‌ ନିମ୍ନମାନର ହେବା ସହ ବିପଦସଂକୁଳ ଅବସ୍ଥାରେ ରହିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ୨୦୧୬-୧୭ ଆର୍ଥିକ ବର୍ଷରେ ଜଳସମ୍ପଦ ବିଭାଗ ପକ୍ଷରୁ ନୂଆଗାଁ ବ୍ଲକ୍‌ରେ ମୋଟ ୧୭ଟି ଚେକ୍‌ଡ୍ୟାମ୍‌ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ସବୁ ଚେକ୍‌ଡ୍ୟାମ୍‌ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ପ୍ରତ୍ୟେକ ଚେକ୍‌ଡ୍ୟାମ୍‌ ପାଇଁ ୨୦ରୁ ୩୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟୟ ଅଟକଳ ରହିଛି। ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ କୋଟି କୋଟି ଟଙ୍କା କାମରେ ନଲାଗି ଏବେ ମୁକୁଳା ଅବସ୍ଥାରେ ପଡ଼ିରହିଛି। ଚାଷ କାର୍ଯ୍ୟ ପାଇଁ ଚାଷୀକୂଳ ପାଣି ନପାଇ ହତାଶ ହୋଇପଡିଛନ୍ତି। ବିଭାଗ ପକ୍ଷରୁ ଚାଷୀମାନଙ୍କ ଜମିକୁ ଦେଖି ଜାଗା ଚିହ୍ନଟ କରିବା ପରେ ଚେକ୍‌ଡ୍ୟାମ୍‌ ନିର୍ମାଣ କରିବାର ନିୟମ ରହିଛି। ଏଥିରେ କେତେ ଚାଷୀଙ୍କର କେତେ ହେକ୍ଟର ପାଣି ମାଡ଼ିପାରିବ ସେସବୁକୁ ତଦନ୍ତ କରିବା ପରେ ଚେକ୍‌ଡ୍ୟାମ୍‌ ନିର୍ମାଣ କରାଯିବା କଥା। ମାତ୍ର ବିଭାଗ ସେମିତି କିଛି ସ୍ଥାନ ନିରୂପଣ ନକରି ଗୋଟିକ ପରେ ଗୋଟିଏ ଚେକ୍‌ଡ୍ୟାମ୍‌ ନିର୍ମାଣ କରିଚାଲିଛି। ଫଳରେ ଗୋଟିଏ ହେଲେ ଚେକ୍‌ଡ୍ୟାମ୍‌ କାମରେ ଲାଗୁନଥିବା ଅଭିଯୋଗ ହୋଇଛି। ଏଥିରେ ଅଧିକରୁ ଅଧିକ ଚାଷୀ କ୍ଷତି ସହୁଛନ୍ତି। ନିଜ ନିଜ ଜମିକୁ ପାଣି ନେଇ ଫସଲ ଅମଳ କରିବା ଲକ୍ଷ୍ୟରେ ଥିବା ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଗୋଟିଏ ହେଲେ ଚେକ୍‌ଡ୍ୟାମ୍‌ରେ ପାଣି ଗଚ୍ଛିତ ରହୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏଭଳି ଗୋଟିଏ ନୁହେଁ, ଗତ ବର୍ଷ ନିର୍ମାଣ ହୋଇଥିବା ୧୭ଟିରୁ ୧୫ଟି ଚେକ୍‌ଡ୍ୟାମ୍‌ରେ ପାଣି ରହୁନଥିବା ଅଭିଯୋଗ ହୋଇଛି। ବ୍ଲକ୍‌ର ସିଙ୍ଗାରପଲ୍ଲୀ ପଞ୍ଚାୟତର ଯୋଡାସାହି, ବନ୍ତଳା, ଡିମିରିପଦର ଏବଂ ଲିଙ୍ଗିରିବାରୀଠାରେ ଚେକ୍‌ଡ୍ୟାମ୍‌ ନିର୍ମାଣ କରାଯାଇଛି। ସେହିପରି ଜାକେଡ଼ା ପଞ୍ଚାୟତର ଗୁଣୁରାସାହି ଏବଂ କେନ୍ଦୁବଣିଆ, ମାଳିସାହି ପଞ୍ଚାୟତର ଢିପାମାଳ ଏବଂ କଇଥସାହି, ପାରାଢିପି ପଞ୍ଚାୟତର ପାରାଢିପି ଏବଂ ଥୁଆବାରୀ, ବାହାଡ଼ାଝୋଲା ପଞ୍ଚାୟତର ବନ୍ଧାଭୂଇଁ ଏବଂ କାଳିଆମ୍ବା, ମାଈଛେଳି ପଞ୍ଚାୟତର ଟଭାପଲ୍ଲୀ, ହରିପୁର ପଞ୍ଚାୟତର ହାତିଆଶିଳା, ଗାତେରୀ ପଞ୍ଚାୟତର ବ୍ରାହ୍ମଣୀଦେଇ, କାପ୍ତାପଲ୍ଲୀ ପଞ୍ଚାୟତର ପୋବଲା ଆଦି ସ୍ଥାନରେ ଚେକ୍‌ଡ୍ୟାମ୍‌ ନିର୍ମାଣ କରାଯାଇଛି। କେତେକ ଠିକାଦାର ବିଭାଗୀୟ ଅଧିକାରୀଙ୍କୁ ହାତକରି ଅଧାପନ୍ତରିଆ ଅବସ୍ଥାରେ କାମ ଛାଡ଼ି ଚାଲିଯାଇଥିବା ଦେଖିବାକୁ ମିଳିଛି। ଠିକାଦାର କାମ କରୁଥିବା ସମୟରେ ବିଭାଗୀୟ ଯନ୍ତ୍ରୀ ଗୋଟିଏ ଦିନ ସେହି ସ୍ଥାନକୁ ଆସିନଥିବାରୁ ଠିକାଦାର ନିଜ ଇଚ୍ଛା ମୁତାବକ କାର୍ଯ୍ୟ ନିର୍ମାଣ କରିଛି। ଏହିପରି ଭାବେ ଅଧିକାଂଶ ଚେକ୍‌ଡ୍ୟାମ୍‌ର ତଳସ୍ତର ଠିକ୍‌ ଭାବେ କାମ ହୋଇନଥିବା ଏବଂ ଅନେକ ସ୍ଥାନରେ ଚେକ୍‌ଡ୍ୟାମ୍‌ର କବାଟ ଲାଗି ନଥିବା ଦେଖିବାକୁ ମିଳିଛି। ଚାଷୀମାନେ ମରୁଡ଼ିକୁ ଦୃଷ୍ଟି ଦେଇ ପାଣି ଗଚ୍ଛିତ ରଖିବାକୁ ଚେଷ୍ଟା କରୁଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଯୋଗୁଁ ସବୁ ଚେକ୍‌ଡ୍ୟାମ୍‌ କାମରେ ଲାଗୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅଯଥା ଚେକ୍‌ଡ୍ୟାମ୍‌ ନିର୍ମାଣ କରି ଜାଗା ନଷ୍ଟ କରାଯାଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Leave a Reply

Next Post

ହୋଲି ଖେଳ ଦୁର୍ଘଟଣା: ସମୁଦ୍ରରେ ବୁଡ଼ି ଯୁବକ ମୃତ

Sat Mar 3 , 2018
ବ୍ରହ୍ମପୁର: ହୋଲି ଖେଳ ପରେ ସମୁଦ୍ରକୁ ଗାଧୋଇବାକୁ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁର ସାନବଜାର ଅଞ୍ଚଳର ପି ସିଦ୍ଧାନ୍ତ ପାତ୍ର ନିଜର ଅନ୍ୟ ସାଙ୍ଗମାନଙ୍କ ସହିତ ଶୁକ୍ରବାର ହୋଲି ଖେଳିଥିଲେ। ହୋଲି ଖେଳ ପରେ ସେ ଅପରାହ୍ଣରେ ଗୋପାଳପୁରସ୍ଥିତ ହରିପୁର ଘାଟକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସମୁଦ୍ରର ଢ଼େଉ ପ୍ରଭାବରେ ୪ଜଣ ଭାସିଯାଇଥିଲେ। ଜଣେ ଯୁବକ ଉଦ୍ଧାର ହୋଇଥିବା ବେଳେ ପି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial