ବିଧାୟକଙ୍କ ୨ କାର ଓ ବାଇକ୍‌ ଜାଳିଦେଲେ

ବିଗୁଡ଼ୁଛି ରାଜଧାନୀର ଆଇନଶୃଙ୍ଖଳା ବ୍ୟବସ୍ଥା

ଭୁବନେଶ୍ୱର: ଖାରବେଳନଗର ଥାନା ଅଧୀନ ୟୁନିଟ୍‌-୪ସ୍ଥିତ ବିଧାୟକ କଲୋନିରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସରକାରୀ କ୍ୱାଟର୍ସ ଭିତରେ ପଶି କେହି ଦୁବୃର୍ତ୍ତ ତାଙ୍କର ୪ଟି ଗାଡ଼ି ପୋଡ଼ି ଦେଇଛି। ଏଥିରେ ବିଧାୟକଙ୍କ ଗୋ‌ଟିଏ ଫରଚ୍ୟୁନର୍‌, ଇନୋଭା, ବୁଲେଟ୍‌ ଓ ସାଇକେଲ ସଂପୂର୍ଣ୍ଣ ଜଳି ଜାଇଛି। କ୍ୱାଟର୍ସରେ ଏଭଳି ଅଘଟଣ ଘଟିଥିଲେ ମଧ୍ୟ ଭିତରେ ଶୋଇଥିବା ବିଧାୟକଙ୍କ ପିଏସଓ ଓ ସମ୍ପର୍କୀୟମାନେ ଏହାର ଟେର୍‌ ପାଇ ପାରିନଥିଲେ। ଖବର ପାଇ ଅତିରିକ୍ତ ପୁଲିସ୍‌ କମିସନର୍‌ ସଂଜୟ ସିଂହ, ଡିସିପି ଅନୁପ ସାହୁ, ଏସିପି ବିଷ୍ଣୁ ପାତ୍ରଙ୍କ ସମେତ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବିଧାୟକ କଲୋନି ଭିତରେ ପଶି ଜଣେ ବିଧାୟକଙ୍କ କାର୍‌ ଓ ବାଇକ୍‌ରେ ନିଆଁ ଲଗାଇଦେବା ଘଟଣା ରାଜଧାନୀର ସୁରକ୍ଷା ବ୍ୟବସ୍ଥା ଉପରେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନା ମୁତାବକ, ରବିବାର ରାତି ପ୍ରାୟ ସାଢ଼େ ୧ଟାରେ ବିଧାୟକଙ୍କ ପିଏସ୍‌ଓ ଏବଂ ତାଙ୍କର ୩ଜଣ ସମ୍ପର୍କୀୟ ଘରେ ଶୋଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ପାଚେରି ଡେଇଁ ବିଧାୟକଙ୍କ ଗ୍ୟାରେଜ୍‌ରେ ପଶିଥିଲେ। ସେମାନେ ଘରକୁ ଆଗପଟୁ ତାଲା ପକାଇ ଗ୍ୟାରେଜ୍‌ରେ ଥିବା ଗୋଟିଏ ଫଚ୍ୟୁନର୍‌, ଇନୋଭା, ବୁଲେଟ୍‌ ଓ ସାଇକେଲ୍‌ରେ ନିଆଁ ଲଗାଇ ଦେଇଥିଲେ। ଏଭଳି କାଣ୍ଡ ଘଟାଇବା ପରେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ନିଆଁ ଲାଗିବାର କିଛି ସମୟ ପରେ ଗାଡ଼ିର କେତେକ ପାର୍ଟ ବିସ୍ଫୋରଣ ହୋଇ ପ୍ରଚଣ୍ଡ ଶବ୍ଦ ହେବାରୁ ଆଖପାଖରେ ଥିବା ଲୋକ ଓ ଦୋକାନୀ ଉଠି ପଡ଼ିଥିଲେ। କିଛି ଲୋକ ବୋମାମାଡ଼ ହେଉଛି ଭାବି ଭୟଭୀତ ‌ହୋଇପଡ଼ିଥିଲେ। ଅପରପକ୍ଷେ ବାହାରେ ନିଆଁ ହୁତୁହୁତୁ ହୋଇ ଜଳୁଥିଲେ ମଧ୍ୟ ବିଧାୟକଙ୍କ ପିଏସ୍‌ଓ ଓ ୩ ସମ୍ପର୍କୀୟ ଘରୁ ବାହାରି ପାରିନଥିଲେ। ସେମାନେ ଚିତ୍କାର କରି ଲୋକଙ୍କୁ ଡାକିଥିଲେ। ସେଠାରେ ଥିବା ଜଣେ ଯୁବକ ସାହସ କରି ପାଚେରି ଡେଇଁ ଭିତରକୁ ପଶିଥିଲେ। ସେମାନଙ୍କଠାରୁ ଗେଟ୍‌ର ଚାବି ଆଣି ଗେଟ୍‌ ଖୋଲିଥିଲେ। ଖବର ପାଇ ଖାରବେଳନଗର ଥାନା ଆଇଆଇସି ବିଶ୍ୱରଂଜନ ସେନାପତି ଓ ତାଙ୍କର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିବା ସହ ତୁରନ୍ତ ଅଗ୍ନିଶମ ବିଭାଗକୁ ଜଣାଇଥିଲା। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ସେତେବେଳକୁ ସେଠାରେ ଥିବା ୨ଟି କାର୍‌, ବାଇକ୍, ସାଇକେଲ ଓ ଅନ୍ୟ କିଛି ଇଲେକ୍ଟ୍ରି ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା। ଏନେଇ ଖାରବେଳନଗର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ କରୁଛି। କେଉଁମାନେ ନିଆଁ ଲଗାଇଛନ୍ତି, ଏହା ପଛରେ କ’ଣ କାରଣ ରହିଛି? ବିଧାୟକଙ୍କ ସହ କେଉଁମାନଙ୍କର ଶତ୍ରୁତା ରହିଛି? ଆଦି ବିଭିନ୍ନ ଦିଗ ଉପରେ ପୁଲିସ ତଦନ୍ତ ଜାରି ରଖିଛି। ସେହିପରି ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ସେଠାରୁ ବିଭିନ୍ନ ନମୁନା ସଂଗ୍ରହ କରିଛି। ପ୍ରକୃତରେ କିଭଳି ଭାବେ ଅଗ୍ନିକାଣ୍ଡ ଘଟିଲା, ତାହା ଉପରେ ତଦନ୍ତ ଜାରି ରଖିଛି।
ବିଧାୟକ କଲୋନି ଭିତରେ ଏଭଳି ଘଟଣା ଘଟିବା ପରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ହୁଗୁଳି ଯାଇଥିବା ଜଳଜଳ ଦିଶୁଛି। ଲୋକପ୍ରତିନିଧିଙ୍କ ପାଇଁ ସେଠାରେ ସିକ୍ୟୁରିଟି ରୁମ୍‌ ରହିଛି। ହେଲେ ନା ଅଛି ସିକ୍ୟୁରିଟି ବ୍ୟବସ୍ଥା ନା ଅଛନ୍ତି ସିକ୍ୟୁରିଟି ଗାର୍ଡ। ସେଠାରେ ଏବେ ତାଲା ପଡ଼ିଛି। ଘର ଭିତରେ ଠିକାଦାରଙ୍କ ଜିନିଷପତ୍ର ପଡ଼ି ରହିଛି। ସେହିପରି ଏକ ଭିଭିଆଇପି କଲୋନିରେ ସିସିଟିଭି କ୍ୟାମେରା ବି ନାହିଁ। ଏଥିରୁ ଅନୁମାନ କରାଯାଇପାରେ, ଆମେ ରାଜଧାନୀରେ କେତେ ସୁରକ୍ଷିତ? କାରଣ କମିସନରେଟ୍‌ ପୁଲିସ କାର୍ଯ୍ୟାଳୟଠାରୁ ମାତ୍ର ୫ଶହ ମିଟର ଦୂରରେ ଏଭଳି କାଣ୍ଡ ଘଟିବା ସମସ୍ତଙ୍କୁ ବିସ୍ମିତ କରିଛି। କେବଳ କମିସନରେଟ୍‌ ପୁଲିସ କାର୍ଯ୍ୟାଳୟ ନୁହେଁ, ପାଖରେ ଲୋକସବା ଭବନ(ସଚିବାଳୟ) ଭଳି ବହୁ ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ରହିଛି। ଅର୍ଥାତ୍‌ ଏହି ସବୁ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗି ରହିଥାଏ। ଏଭଳି କଡ଼ା ସୁରକ୍ଷାକୁ ଭେଦ କରି ଅପରାଧୀମାନେ ଅପରାଧ ଘଟାଇବା ପରେ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ଲୋକେ ଶଙ୍କା ପ୍ରକଟ କରିଛନ୍ତି। ଅପରାଧୀଙ୍କ ଉପରେ ପୁଲିସ ଏକପ୍ରକାର ନିୟନ୍ତ୍ରଣ ହରାଉଛି ବୋଲି ଚର୍ଚ୍ଚା ମଧ୍ୟ ହେଉଛି। ସାଧାରଣ ଲୋକଙ୍କ କଥା ଛାଡ଼, ଶାସକ ଦଳର ଜଣେ ବିଧାୟକଙ୍କ ସରକାରୀ କ୍ବାର୍ଟର୍ସରେ ଏପରି ଘଟଣା ଘଟିବା ପରେ ବିଧାୟକ କଲୋନିରେ କୋକୁଆଭୟ ସୃଷ୍ଟି ହୋଇଛି। ବିଧାୟକମାନେ ଅସୁରକ୍ଷିତ ମନେ କରୁଛନ୍ତି। ସେମାନେ ଓ ସେମାନଙ୍କ ପରିବାରକୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି।
ଉଲ୍ଲେଖଯୋଗ୍ୟ, ବିଧାୟକ ବ୍ରଜ ପ୍ରଧାନ ଦୁଇ ବର୍ଷ ହେଲା ଚର୍ଚାରେ ଅଛନ୍ତି। ଜଣେ ମହିଳା ତାଙ୍କୁ ବିବାହ କରିଥିବା ଦାବି କରି ତାଙ୍କ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦେବା ସହ ଖାରବେଳନଗର ଥାନା, ମହିଳା କମିସନରେ ଅଭିଯୋଗ କରିଛନ୍ତି। ସେହିପରି ମହିଳାଜଣକ ବିଧାୟକଙ୍କ କ୍ୱାଟର୍ସ ଭିତରକୁ ପଶି ଫୁଲ କୁଣ୍ଡ ମଧ୍ୟ ଭଙ୍ଗାରୁଜା କରିଥିଲେ। ଏନେଇ ବିଧାୟକ ସଂପୃକ୍ତ ମହିଳାଙ୍କ ବିରୋଧରେ ଖାରବେଳନଗର ଥାନାରେ ଏତଲା ମଧ୍ୟ ଦେଇଥିଲେ। ଗତକାଲି ରାତିରେ ବିଧାୟକଙ୍କ କାର୍‌ ଓ ବାଇକ୍‌କୁ କେହି ପୋଡ଼ି ଦେବା ପରେ ପୁଣିଥରେ ସେ ଚର୍ଚ୍ଚାରେ।

Share Now:

Kalinga News Beuro

Leave a Reply

Next Post

ଖ୍ୟାତନାମା ସଙ୍ଗୀତଜ୍ଞ ଖୟାମଙ୍କ ପରଲୋକ

Tue Aug 20 , 2019
ମୁମ୍ବାଇ : ହିନ୍ଦୀ ସିନେମାର ଖ୍ୟାତନାମା ସଙ୍ଗୀତଜ୍ଞ ମହମ୍ମଦ ଜହୁର ଖୟାମ ହାସ୍‌ମିଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଫୁସଫୁସରେ ସଂକ୍ରମଣ ଯୋଗୁ ତାଙ୍କୁ ଗତ ୧୫ ତାରିଖରେ ମୁମ୍ବାଇର ସୁଜୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ‌ସେ ଆଇସିୟୁରେ ରହିଥିଲେ। ତେବେ ଆଜି ତାଙ୍କର ପରଲୋକ ହୋଇଯାଇଛି। ଉମରାଓ ଜାନ୍‌, ବାଜାର୍, ଖାନ୍‌ଦାନ୍ ଏବଂ କଭି କଭି ଭଳି ସିନେମାର ସଙ୍ଗୀତ ପାଇଁ ସେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial