ଆସୁଛନ୍ତି ନନ୍ଦଲାଲା: ସଜେଇ ହେଲାଣି ମଠ, ମନ୍ଦିର

ଭୁବନେଶ୍ୱର: ଆସୁଛନ୍ତି ନନ୍ଦନନ୍ଦନ। ଖାସ୍‌ ଏଥିପାଇଁ ଉତ୍ସବ ମୁଖର ହୋଇଗଲାଣି ସାରା ସହର। କଳାକହ୍ନେଇଙ୍କ ସ୍ୱାଗତ ପାଇଁ ମଠ ମନ୍ଦିର ବି ସଜେଇ ହେଲାଣି। ଖାଲି ଯାହା ପ୍ରଭୁଙ୍କ ଆଗମନକୁ ଅପେକ୍ଷା। ଗୃହୀ ମତରେ ଜନ୍ମାଷ୍ଟମୀ ଶୁକ୍ରବାର ପାଳନ କରାଯାଉଥିବା ବେଳେ ବୈଷ୍ଣବ ମତରେ ପ୍ରଭୁଙ୍କ ଜନ୍ମୋତ୍ସବକୁ ଶନିବାର ଦିନ ଧରାଯାଉଛି। କିଛି କିଛି ସ୍ଥାନରେ ଶ୍ରୀକୃଷ୍ଣ ବେଶ ପ୍ରତିଯୋଗିତା ତ’ ଆଉ କେଉଁଠି ମାଖନ ମିଶ୍ରି ବଣ୍ଟନର ଯୋଜନା ହୋଇଛି। ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ବି ପ୍ରସ୍ତୁତି ଶେଷ କରିଛି।
ଧନିଆ ଭୋଗରେ ବ୍ରତଧାରୀ ଆପ୍ୟାୟିତ ହେବେ
ୟୁନିଟ୍‌-୯ ରାମ ମନ୍ଦିରରେ ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୫ଟାରେ ମଙ୍ଗଳଆଳତି ହୋଇ ମନ୍ଦିର ଖୋଲିବ। ୭ଟାରେ ଶୃଙ୍ଗାର ଆଳତି ପରେ ଭକ୍ତ ଭଗବାନଙ୍କୁ ଦେଖିବେ। ସାଢ଼େ ୧୧ଟାରେ ଭୋଗ ଆଳତି ହେବ। ଭିଡ଼କୁ ନଜରରେ ରଖି ଅପରାହ୍ନ ୧ଟାରେ ପହଡ଼ ହେବ। ଅପରାହ୍ନ ସାଢ଼େ ୪ଟାରେ ପୁଣି ମନ୍ଦିର ଖୋଲିବ। ଭଜନ କୀର୍ତ୍ତନ ଭିତରେ ରାତି ପ୍ରାୟ ୧୨ଟା ବେଳକୁ ନନ୍ଦନନ୍ଦନଙ୍କ ଜନ୍ମୋତ୍ସବ ପାଳିତ ହେବ ବୋଲି ମନ୍ଦିର ପରିଚାଳନା କମିଟିର ପରିଚାଳକ ମହାବୀର ପ୍ରସାଦ ଶର୍ମା କହିଛନ୍ତି। ଏହି ସମୟରେ ବ୍ରତଧାରୀ ଧନିଆ, ଘିଅ ଓ ଚିନି ପ୍ରସ୍ତୁତ ଧନିଆ ଭୋଗ ଖାଇ ବ୍ରତ ଖୋଲିବେ। ଏହି ଅବସରରେ ମନ୍ଦିର ପରିସରରେ ଫଳ ଭୋଗ ଓ ମାଖନ ମିଶ୍ରି ବଣ୍ଟନ ମଧ୍ୟ କରାଯିବ। ସଂଧ୍ୟା ୬ଟାରୁ ଭଜନ କୀର୍ତ୍ତନର ଆସର ବେଶ ଜମିବ। ୨୪ ତାରିଖ ସଂଧ୍ୟାରେ ନନ୍ଦୋତ୍ସବ ପାଳିତ ହେବ।
ଇସ୍କନ: ଝୁଲାରେ ଝୁଲିବେ କଳା କହ୍ନେଇ
ଜନ୍ମାଷ୍ଟମୀ ଅବସରରେ ଇସ୍କନ ମନ୍ଦିରକୁ ଫୁଲରେ ଆଚ୍ଛାଦିତ କରାଯିବ। ବୈଷ୍ଣବ ମତରେ ଶବିବାର ଜନ୍ମାଷ୍ଟମୀ ପଡ଼ୁଥିବାରୁ ଶନିବାର ଦିନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳିତ ହେବ। କିନ୍ତୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ୩ ଦିନିଆ ଉତ୍ସବର ଆୟୋଜନ କରାଯାଇଛି। ଶୁକ୍ରବାର ଦିନ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣ ବେଶ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହା ପର ଦିନ ଅର୍ଥାତ ଶନିବାର ଦିନ ଭଜନ କୀର୍ତ୍ତନର ଆଧ୍ୟାତ୍ମିକ ପରିବେଶ ଭିତରେ ରାତ୍ରି ୧୨ଟାରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଳିତ ହେବ। କଳା କହ୍ନେଇଙ୍କ ପାଇଁ ଭକ୍ତମାନେ ଭଳିକି ଭଳି ଭୋଗ ଲଗାଇବା ସହ ଝୁଲାରେ ପ୍ରଭୁଙ୍କୁ ଝୁଲେଇବାର ସୁଯୋଗ ପାଇବେ। ଏହାପର ଦିନ ନନ୍ଦୋତ୍ସବ ପାଳିତ ହେବ। ଏହି ସବୁ କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ପାଇଁ ତଥା‌ ଭିଡ଼ ନିୟନ୍ତ୍ରଣ ପାଇଁ ୧୦ ଜଣ ମହିଳା ଓ ୧୫ ଜଣ ପୁରୁଷ ପୁଲିସ ଅଧିକାରୀ ମନ୍ଦିର ପରିସରରେ ଉପସ୍ଥିତ ରହିବେ ବୋଲି ମନ୍ଦିରର ଲୋକସମ୍ପର୍କ ଅଧିକାରୀ ରାଧାକାନ୍ତ ଦାସ କହିଛନ୍ତି।
ମାଖନ ମିଶ୍ରି ଖାଇବେ ନନ୍ଦଲାଲା
ବୈଷ୍ଣବ ମତରେ ଜନ୍ମାଷ୍ଟମୀ ଶନିବାର ପଡ଼ୁଥିବାରୁ ବାୟାବାବା ମଠରେ ସେହିଦିନ ହିଁ ପ୍ରଭୁଙ୍କ ଜନ୍ମୋତ୍ସବ ପାଳିତ ହେବ। ସେଦିନ ଭୋର ୪ଟାରୁ ଶଙ୍ଖନାଦ ସହ ମଙ୍ଗଳଆଳତି ଅନୁଷ୍ଠିତ ହେବ। ଏହାପରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ କରାଯିବ। ପରେ ମାଖନ ମିଶ୍ରି ଓ ବାଳଭୋଗ ଲାଗି ହେବ। ସଂଧ୍ୟାରେ ଆଳତି ପରେ ରାତି ୮ଟାରେ ଠାକୁରଙ୍କ ଜନ୍ମଲୀଳା ଶ୍ରୀମଦ୍‌ ଭାଗବତ ପାଠ ପରେ ପଇଡ଼, ପଞ୍ଚାମୃତ, ଗଙ୍ଗା, ଯମୁନା, ସରସ୍ୱତୀ ଆଦି ତୀର୍ଥ ଜଳରେ ନନ୍ଦଲାଲାଙ୍କ ମହାଭିଷେକ ହେବ ବୋଲି କହିଛନ୍ତି ମଠର ମହନ୍ତ ବାବାଜୀ ଭକ୍ତି ଚୈତନ୍ୟ।

Share Now:

Kalinga News Beuro

Leave a Reply

Next Post

ପଞ୍ଜାବରେ ବନ୍ୟା କରାଇଲା ପାକିସ୍ତାନ, ସତଲୁଜ୍‌ ନଦୀବନ୍ଧର ସବୁ ଗେଟ୍‌ ଖୋଲିଲା

Fri Aug 23 , 2019
ଚଣ୍ଡିଗଡ଼ : ଜମ୍ମୁ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଭାରତ ବିରୋଧୀ କାର୍ଯ୍ୟକ୍ରମ ଏବେ ଚରମ ସୀମାରେ ପହଞ୍ଚିଛି। ନିୟମିତ ଏଲ୍‌ଓସିରେ ଅସ୍ତ୍ରବିରତି ଉଲ୍ଲଂଘନ କରି ସୀମାନ୍ତ ଗ୍ରାମଗୁଡ଼ିକୁ ଗୁଳି ମାଡ଼ କରୁଥିବା ପାକିସ୍ତାନ ଅଚାନକ ସତଲୁଜ୍‌ ନଦୀବନ୍ଧର ସମସ୍ତ ୬ଟି ମୁଖ୍ୟ ଗେଟ୍‌ ଖୋଲିଦେବା ଫଳରେ ପଂଜାବର ସୀମାନ୍ତ ଗ୍ରାମ ଗୁଡ଼ିକରେ ଏବେ ବନ୍ୟା ଆସିଛି। ସୀମାନ୍ତ ଜିଲ୍ଲା ଫିରୋଜପୁରରେ ପ୍ରାୟ ୧୭ଟି ଗ୍ରାମ ଜଳମଗ୍ନ ହୋଇଯାଇଛି। ଫିରୋଜପୁର ଡେପୁଟି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial