ରେଳ ଷ୍ଟେସନ୍ ଉନ୍ନତୀକରଣ ନେଇ ପୁଣି କେଁ : ଉଚ୍ଚତାକୁ ନେଇ ଟଣାଓଟରା

ବିଡିଏ ଚାହୁଁଛି ୮୦ ମିଟର ଉଚ୍ଚା, ୪୦ମିଟର ପାଇଁ ଏନ୍‌ଓସି ମିଳୁଛି, ଏଏଆଇ ଏନ୍‌ଓସି ମିଳିଲେ ଏମ୍‌ଓୟୁ ସ୍ଵାକ୍ଷର ହେବ

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନ ଉନ୍ନତୀକରଣ କାର୍ଯ୍ୟ ନିକଟ ଭବିଷ୍ୟତରେ ହେବା ନେଇ ଅନିଶ୍ଚିତତା ଦେଖାଦେଲାଣି। କାରଣ ଗୋଟିଏ ବିବାଦର ସମାଧାନ ହେଲା ବେଳକୁ ଆଉ ଗୋଟିଏ ବଡ଼ ବିବାଦ ଦେଖାଯାଉଛି। ଯେଉଁଥିପାଇଁ ଗତ ତିନି ବର୍ଷ ହେଲା ରେଳ ଷ୍ଟେସନ୍‌ର ଉନ୍ନତୀକରଣ କରିବା ପାଇଁ ଯୋଜନା ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଏହାର ଡିଜାଇନ୍ ଚୂଡ଼ାନ୍ତ ହୋଇପାରୁନି। ଏପରିକି ରେଳ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଥିବା ସବୁ ବିବାଦର ସମାଧାନ ହୋଇଯାଇଥିଲେ ହେଁ ଏବେ ସୁଦ୍ଧା ବି ଏମ୍‌ଓୟୁ ସ୍ଵାକ୍ଷର ହୋଇପାରୁନି।

ରେଳ ଷ୍ଟେସନ ଉନ୍ନତୀକରଣରେ ଏବେ ଏହାର ଡିଜାଇନ୍‌ ବାଧକ ସାଜିଛି। ସିଙ୍ଗାପୁରର ସୁବର୍ଣ୍ଣ ଜୁରୋଙ୍ଗ ସଂସ୍ଥା ରେଳ ‌ଷ୍ଟେସନ ମଲ୍ଟିମୋଡାଲ ହବ୍ ପାଇଁ ଯେଉଁ ଡିଜାଇନ୍ ପ୍ରସ୍ତୁତ କରିଛି ସେଥିରେ ଏଠାରେ ହେବାକୁ ଥିବା ଆଇକନିକ୍ ବିଲଡିଂର ଉଚ୍ଚତା ୮୦ ମିଟର ରହିଛି। ଏହାକୁ ନେଇ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ କେଁ ପୂରାଇଛନ୍ତି। ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ନିୟମ ଅନୁଯାୟୀ, ବିମାନବନ୍ଦରର ନିର୍ଦ୍ଦିଷ୍ଟ ଅଞ୍ଚଳ ଭିତରେ ୪୦ମିଟର ଉଚ୍ଚତା ପର୍ଯ୍ୟନ୍ତ ନିର୍ମାଣକୁ ଅନୁମତି ଦିଆଯାଇପାରିବ। ହେଲେ ରାଜ୍ୟ ସରକାର ଯେଉଁ ବିଲଡିଂ କରିବାକୁ ଯାଉଛନ୍ତି, ତା’ର ଉଚ୍ଚତା ୮୦ ମିଟର ହୋଇଥିବାରୁ ଆମେ ୪୦ ମିଟର ପର୍ଯ୍ୟନ୍ତ ନିର୍ମାଣକୁ ଏନ୍‌ଓସି ଦେଇଛୁ। ୮୦ ମିଟର ଉଚ୍ଚତା ବିଲଡିଂ ନିର୍ମାଣ ପାଇଁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ମୁଖ୍ୟ କାର୍ଯ୍ୟାଳୟରୁ ଅନୁମତି ମିଳିବାର ଥିବାରୁ ଏବଂ ଏଥିପାଇଁ ବହୁ ଗାଇଡଲାଇନ୍‌କୁ କାର୍ଯ୍ୟକାରୀ କରିବାକୁ ଥିବାରୁ ଆମେ ଏ ସଂକ୍ରାନ୍ତ ଫାଇଲ୍‌ କର୍ପୋରେଟ୍ ଅଫିସ୍‌କୁ ପଠାଇ ଦେଇଛୁ ବୋଲି ଭୁବନେଶ୍ୱର ବିମାନବନ୍ଦରର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି।
ସେହିପରି ଭୁବନେଶ୍ୱର ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱର ରେଳ ଷ୍ଟେସନ ବିମାନବନ୍ଦରଠାରୁ ଆକାଶ ମାର୍ଗରେ ମାତ୍ର ୧ କିମି ଦୂରତାରେ ରହୁଛି। ତେଣୁ ବିମାନବନ୍ଦର ଓ ବିମାନଗୁଡ଼ିକର ସୁରକ୍ଷା ପାଇଁ ଯେଉଁ ଯେଉଁ ନିୟମ ଅବଲମ୍ବନ କରାଯାଏ, ସେଥିରେ କେତେ ଉଚ୍ଚତା ବିଶିଷ୍ଟ ବିଲଡିଂ କେଉଁ ଦିଗରେ ହୋଇପାରିବ ସେନେଇ ନିୟମ ଅଛି। ଏହି ନିୟମ ଅନୁଯାୟୀ, ରେଳ ଷ୍ଟେସନରେ ଏତେ ଉଚ୍ଚତା ବିଶିଷ୍ଟ ବିଲଡିଂ ନିର୍ମାଣ ହୋଇପାରିବନି। ହେଲେ ରାଜଧାନୀରେ ଯେହେତୁ ଏକ ଆଇକନିକ୍ ବିଲଡିଂ ହେଉଛି ତାହାକୁ ଦୃଷ୍ଟିରେ ରଖି ବିକଳ୍ପ ଉପାୟ ଚିନ୍ତା କରାଯାଉଛି।
ଏନେଇ ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ରେଳ ‌ଷ୍ଟେସନ୍ ମଲ୍ଟି ମୋଡାଲ୍‌ ହବ୍ ନେଇ ଯେଉଁ ଡିଜାଇନ୍ ପ୍ରସ୍ତୁତ ହୋଇଛି ତା’ର ଉଚ୍ଚତା ନେଇ ସମସ୍ୟା ରହିଛି। ଏହି ବିଲଡିଂର ଉଚ୍ଚତା ୮୦ ମିଟରର ହେଉଥିବାରୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଏନ୍‌ଓସି ଦରକାର। ହେଲେ ବିମାନବନ୍ଦର କର୍ତ୍ତୃପକ୍ଷ ଏନ୍‌ଓସି ଦେଇପାରିବେନି ବୋଲି କହୁଥିବାରୁ ତାଙ୍କୁ କିଛି ବିକଳ୍ପ ଉପାୟ ବାହାର କରିବାକୁ କହିଛୁ। ଏନେଇ ଏଏଆଇ ବି ସକାରାତ୍ମକ ମନୋଭାବ ଦେଖାଉଛି। ତେଣୁ ଆମକୁ ଖୁବ୍‌ ଶୀଘ୍ର ଏନ୍‌ଓସି ମିଳିଯିବ ବୋଲି ଭାବୁଛୁ। ଏନ୍‌ଓସି ମିଳିବା ପରେ ଏମ୍‌ଓୟୁ ସ୍ଵାକ୍ଷର ହେବ।
ଅପରପକ୍ଷେ ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରେଳ ଷ୍ଟେସନରେ ଦୁଇଟି ସୁଉଚ୍ଚ ବିଲଡିଂ ନିର୍ମାଣ ହେବାକୁ ଥିବା ବେଳେ ଏହାକୁ ମିଶାଇ ଉପରକୁ ଗୋଟିଏ ଖମ୍ବ ସଦୃଶ ଡିଜାଇନ୍ ବାହାରିବ। ଯେଉଁଥିପାଇଁ ଏହି ବିଲଡିଂର ଉଚ୍ଚତା ପୂର୍ବ ଯୋଜନାଠାରୁ ଅଧିକ ଉଚ୍ଚା ହୋଇଯାଉଛି। ଏହି ଡିଜାଇନ୍ ବିମାନବନ୍ଦର ସୁରକ୍ଷା ନେଇ କିଛି ସମସ୍ୟା ହେବ ବୋଲି ଭାବୁନୁ। ତେଣୁ ଏଏଆଇ କର୍ତ୍ତୃପକ୍ଷଙ୍କୁ ମନାଇବାକୁ ଉଦ୍ୟମ ଚଳାଇଛୁ। ଯଦି ଏଏଆଇ ଅନୁମତି ନ ଦିଏ ତେବେ ଆମେ ଡିଜାଇନ୍ ବଦଳାଇବା ନେଇ ପଦକ୍ଷେପ ନେବୁ। ଏମ୍‌ଓୟୁ ସ୍ଵାକ୍ଷରରେ ବିଳମ୍ବ ହେବା ନେଇ ପୂର୍ବତଟ ରେଳପଥର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରେଳ ମନ୍ତ୍ରଣାଳୟ ଏମ୍‌ଓୟୁ ସ୍ଵାକ୍ଷର ନେଇ ସହମତି ଜଣାଇସାରିଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ ଆଉ କେଉଁଥିରେ ଅଭିଯୋଗ ନାହିଁ। ହେଲେ ‌ପ୍ରକଳ୍ପ ଡିଜାଇନ୍‌ର ପ୍ଲାନ୍ ଅନୁମୋଦନ ନହେଲେ ଏମ୍‌ଓୟୁ ହୋଇପାରିବନି। ସରକାରୀ ମୋହର ବାଜିବା ପୂର୍ବରୁ ସବୁ ଜିନିଷ ଠିକ୍‌ ହେବା ଦରକାର। ଓଡ଼ିଶାର ସରକାର କେବେ ଏମ୍‌ଓୟୁ ପାଇଁ କାଗଜପତ୍ର ପ୍ରସ୍ତୁତ କରି ଡାକୁଛନ୍ତି ତାହାକୁ ଆମେ ଅପେକ୍ଷା କରିଛୁ।
ସୂଚନାଯୋଗ୍ୟ ଯେ ପ୍ରଥମେ ରା‌ଜ୍ୟ ସରକାର ଓ ରେଳ ମନ୍ତ୍ରାଳୟ ମଧ୍ୟରେ ବିବାଦ ଯୋଗୁଁ ପ୍ରାୟ ଦେଢ଼ ବର୍ଷ କାଳ ଏମ୍ଓୟୁ ସ୍ଵାକ୍ଷର ନେଇ ଅନିଶ୍ଚିତତା ଲାଗି ରହିବା ପରେ ଗତ ଜୁଲାଇରେ ଉଭୟ ପକ୍ଷ ଏମ୍‌ଓୟୁ ସ୍ଵାକ୍ଷର ପାଇଁ ସହମତି ଜଣାଇଥିଲେ। ହେଲେ ଏବେ ରାଜ୍ୟ ସରକାର ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଯାଇଥିବାରୁ ଏହି ପ୍ରକଳ୍ପ ନେଇ କେବେ ବାଟ ଫିଟିବ ତାହାକୁ ଅପେକ୍ଷା।

Share Now:

Kalinga News Beuro

Leave a Reply

Next Post

ଜନ୍ମାଷ୍ଟମୀରେ ପୁରୀ ପାଇଁ ବିକାଶର ଚିତ୍ର ଆଙ୍କିଲେ ନବୀନ : ଶ୍ରୀମନ୍ଦିର ନିରାପତ୍ତା ଜରୁରୀ

Sat Aug 24 , 2019
ଫନି କ୍ଷତ ବେଦନାଦାୟକ, ଓଡ଼ିଆଙ୍କୁ ମହାପ୍ରଭୁଙ୍କଠାରୁ କେହି ଅଲଗା କରିପାରିବେ ନାହିଁ ଭୁବନେଶ୍ୱର: ବର୍ତ୍ତମାନ ସାରା ବିଶ୍ୱ ପାଇଁ ଆତଙ୍କବାଦ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ଆତଙ୍କବାଦର ଧର୍ମ ନାହିଁ। ବିଭିନ୍ନ ଧର୍ମ ଅନୁଷ୍ଠାନକୁ ସେମାନେ ଟାର୍ଗେଟ କରୁଛନ୍ତି। ତେଣୁ ଶ୍ରୀମନ୍ଦିରର ନିରାପତ୍ତା ପାଇଁ ଆସିଥିବା ସୁପାରିସ କାର୍ଯ୍ୟକାରୀ କରାଯିବା ନିହାତି ଜରୁରୀ ଥିଲା। ପୁରୀର ବିକାଶ ଓ ଶ୍ରୀମନ୍ଦିର ଚାରିପାର୍ଶ୍ଵର ୬୦ ମିଟର (କ୍ୟାବିେନଟ୍ ୭୫ ମିଟର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial