ଇତିହାସ ରଚିଲେ ଓଡ଼ିଆ ଯୁବକ ଏସ୍‌ ଅଶ୍ୱଥ, ବିଶ୍ୱକୌଶଳ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଲେ

ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାରତକୁ ୧୯ ପଦକ, ୬୩ ରାଷ୍ଟ୍ର ମଧ୍ୟରେ ତ୍ରୟୋଦଶ ସ୍ଥାନରେ ଭାରତ

ନୂଆଦିଲ୍ଲୀ : ଓଡ଼ିଆ ଯୁବକ ଏସ୍‌. ଅଶ୍ୱଥ ନାରାୟଣ ଆଜି ଇତିହାସ ରଚିଛନ୍ତି। ରୁଷ୍‌ର କଜାନ୍‌ଠାରେ ଅନୁଷ୍ଠିତ ୪୫ତମ ବିଶ୍ୱ କୌଶଳ ପ୍ରତିଯୋଗିତା-୨୦୧୯ରେ ଅଂଶଗ୍ରହଣ କରି ସେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଅଶ୍ୱଥ ଜଳ ପ୍ରଯୁକ୍ତି ବର୍ଗରେ ୧୧ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ବିଶ୍ୱ କୌଶଳ ପ୍ରତିଯୋଗିତାରେ ଏହା ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ବିଜୟ। ଏହାଦ୍ୱାରା ଅଶ୍ୱଥ ଉଭୟ ଭାରତ ଏବଂ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।
କଜାନ ଠାରେ ଅନୁଷ୍ଠିତ ବିଶ୍ୱ କୌଶଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୪୮ ଜଣିଆ ଭାରତୀୟ ଟିମ୍‌ରେ ତିନି ଜଣ ଓଡ଼ିଆ ସାମିଲ ଥିଲେ। ସେମାନେ ହେଲେ ଅବିନାଶ ସ୍ୱାଇଁ, ଜେ. ଦାସ ଓ ଏସ୍‌ ଅଶ୍ୱଥ ନାରାୟଣ। ଏମାନଙ୍କ ମଧ୍ୟରୁ କେବଳ ଅଶ୍ୱଥ ନାରାୟଣ ପଦକ ଜିଣିବାରେ ସଫଳ ହୋଇଥିଲେ। ବିଶ୍ୱ କୌଶଳ ପ୍ରତିଯୋଗିତା-୨୦୧୯ରେ ଭାରତକୁ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ପଦକ, ଦୁଇଟି କାଂସ୍ୟ ପଦକ ସହ ୧୫ଟି ମେଡାଲିୟନ ଅଫ୍ ଏକ୍ସେଲେନ୍ସ ପଦକ ହାସଲ ହୋଇଛି। ବିଶ୍ୱ କୌଶଳ ପ୍ରତିଯୋଗିତାରେ ୬୩ ଟି ଦେଶରୁ ଭାରତ ୧୩ତମ ସ୍ଥାନରେ ରହିଛି। ପ୍ରକାଶଥାଉକି, ୨୦୧୭ରେ ଆବୁଧାବିରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ବିଗତ ସଂସ୍କରଣରେ ଭାରତ ୧୧ଟି ପଦକ ଜିଣି ଊନବିଂଶତମ ସ୍ଥାନରେ ରହିଥିଲା। ଭାରତୀୟ ଦଳର ଏହି ପ୍ରଦର୍ଶନ ପାଇଁ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଡ. ମହେନ୍ଦ୍ର ନାଥ ପାଣ୍ଡେ ଅଭିନନ୍ଦନ ଜଣାଇଛନ୍ତି। ଏହି ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “କୁଶଳୀ ଭାରତ” ସ୍ୱପ୍ନ ପୂରଣ ଦିଗରେ ଆଉ ଏକ ପାଦ ଆଗେଇ ନେଇଛି ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଗତ ସପ୍ତାହରେ କାଜାନ ଗସ୍ତ କରି ପ୍ରତିଯୋଗିତା ସ୍ଥଳରେ ଭାରତୀୟ ପାଭିଲିୟନୁ ଉନ୍ମୋଚନ କରିଥିଲେ। ସେହିପରି ଭାରତ ସରକାରଙ୍କ ପ୍ରତିନିଧି ଭାବେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଯୁଗ୍ମସଚିବ ରାଜେଶ ଅଗ୍ରୱାଲ ଭାରତୀୟ ଦଳ ସହିତ କାଜାନରେ ରହିଥିଲେ।

Share Now:

Kalinga News Beuro

Leave a Reply

Next Post

ଜଳିଗଲା ଶ୍ରୀଚକାଡୋଳା:ବରମୁଣ୍ଡା ବସ୍‌ଷ୍ଟାଣ୍ଡ‌ରେ ଭୟାବହ ଅଗ୍ନିକାଣ୍ଡ

Thu Aug 29 , 2019
ଅଳ୍ପକେ ବର୍ତ୍ତିଲେ କଣ୍ଡକ୍ଟର୍‌, ବିସ୍ଫୋରଣ ଆଶଙ୍କାରେ ଦଳାଚକଟା ଭୁବନେଶ୍ୱର : ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଥୁଆ ହୋଇଥିବା ଭୁବନେଶ୍ୱର-ଭବାନୀପାଟଣା ଶ୍ରୀଚକାଡୋଳା ବସ୍‌ରେ ଆଜି ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବସ୍‌ଟି ସଂପୂର୍ଣ୍ଣ ଜଳିପୋଡ଼ି ଛାରଖାର ହୋଇଯାଇଛି। ଖବର ପାଇ ଅଗ୍ନିଶମ ସେବା ସଂସ୍ଥାର ଦୁଇଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଅଘଟଣ ସମୟରେ ବସ୍‌ରେ ଯାତ୍ରୀ ନଥିବାରୁ କେହି ମୃତାହତ ହୋଇନାହାନ୍ତି। ବସ୍‌ ଭିତରେ ଶୋଇଥିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial