ଜଳିଗଲା ଶ୍ରୀଚକାଡୋଳା:ବରମୁଣ୍ଡା ବସ୍‌ଷ୍ଟାଣ୍ଡ‌ରେ ଭୟାବହ ଅଗ୍ନିକାଣ୍ଡ

ଅଳ୍ପକେ ବର୍ତ୍ତିଲେ କଣ୍ଡକ୍ଟର୍‌, ବିସ୍ଫୋରଣ ଆଶଙ୍କାରେ ଦଳାଚକଟା

ଭୁବନେଶ୍ୱର : ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଥୁଆ ହୋଇଥିବା ଭୁବନେଶ୍ୱର-ଭବାନୀପାଟଣା ଶ୍ରୀଚକାଡୋଳା ବସ୍‌ରେ ଆଜି ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବସ୍‌ଟି ସଂପୂର୍ଣ୍ଣ ଜଳିପୋଡ଼ି ଛାରଖାର ହୋଇଯାଇଛି। ଖବର ପାଇ ଅଗ୍ନିଶମ ସେବା ସଂସ୍ଥାର ଦୁଇଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଅଘଟଣ ସମୟରେ ବସ୍‌ରେ ଯାତ୍ରୀ ନଥିବାରୁ କେହି ମୃତାହତ ହୋଇନାହାନ୍ତି। ବସ୍‌ ଭିତରେ ଶୋଇଥିବା କଣ୍ଡକ୍ଟର୍‌ ସୁଧାଂଶୁ ଦାଶ ସୌଭାଗ୍ୟବଶତଃ ବାହାରକୁ ଚାଲି ଆସିବାରୁ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ତେବେ କେଉଁ କାରଣରୁ ବସ୍‌ରେ ନିଆଁ ଲାଗିଲା, ଜଣାପଡ଼ି ନଥିଲେ ହେଁ ଜଳନ୍ତା ସିଗାରେଟ୍‌ କାରଣ ହୋଇଥାଇପାରେ ବୋଲି ଅଗ୍ନିଶମ ବିଭାଗ ଆଶଙ୍କା କରୁଛି।
ଏହି ଅଘଟଣ ବେଳେ ବସ୍‌ଷ୍ଟାଣ୍ଡ‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା। ହୁତୁହୁତୁ ହୋଇ ବସ୍‌ ଜଳୁଥିବା ଦେଖି ବିସ୍ଫୋରଣ ଆଶଙ୍କାରେ ଯିଏ ଯୁଆଡ଼େ ପାରିଲେ, ଦୌଡ଼ିଥିଲେ। ଫଳରେ ସେଠାରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ନିକଟରେ ଥିବା ବ୍ଲୁ-ବେଲୁନ୍‌ ବସ୍‌କୁ ନିଆଁ ବ୍ୟାପିବା ଆଶଙ୍କା ଥିବାରୁ ଚାଳକ ଉପସ୍ଥିତ ବୁଦ୍ଧି ଖଟାଇ ବସ୍‌କୁ ଦୂର ସ୍ଥାନକୁ ନେଇ ଯାଇଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ୍‌ ନିୟନ୍ତ୍ରଣ କରିଥିଲା। ଅପରପକ୍ଷେ ଏହି ଅଗ୍ନିକାଣ୍ଡ ଯୋଗୁଁ ଆଜି କିଛି ବସ୍‌ ବିଳମ୍ବରେ ଷ୍ଟାଣ୍ଡ ଛାଡ଼ିଥିବା ଜଣାଯାଇଛି।
ସୂଚନା ମୁତାବକ, ଶ୍ରୀଚକାଡୋଳା ବସ୍‌(ଓଡି-୩୩ୟୁ ୧୩୯୯) ପ୍ରତିଦିନ ଭୁବନେଶ୍ୱରରୁ ଭବାନୀପାଟଣା ଦେଇ ମୁଖୀଗୁଡ଼ା ଯାଇଥାଏ। ଆଜି ସକାଳ ସାଢ଼େ ୮ଟାରେ ବସ୍‌ଟି ମୁଖୀଗୁଡ଼ାରୁ ଫେରିବା ପରେ ବସ୍‌ଷ୍ଟାଣ୍ଡରେ ରହିଥିଲା। ସନ୍ଧ୍ୟା ସାଢ଼େ ୬ଟା ବେଳେ ପୁଣି ଥରେ ମୁଖୀଗୁଡ଼ା ଅଭିମୁଖେ ବାହାରିଥା’ନ୍ତା। ଚାଳକ ଓ ହେଲ୍‌ପର ଘରକୁ ଚାଲି ଯାଇଥିବା ବେଳେ କଣ୍ଡକ୍ଟର ସୁଧାଂଶୁ ଦାଶ ପଛ ସିଟ୍‌ରେ ବିଶ୍ରାମ ନେଉଥିଲେ। ତେବେ ଦିନ ପ୍ରାୟ ୧ଟା ୫୦ ବେଳେ ବସ୍‌ ପଛପଟୁ ନିଆଁ ଓ ଧୂଆ ବାହାରୁଥିବା ଦେଖି କିଛି ଲୋକ ସୁଧାଂଶୁଙ୍କୁ ଖବର ଦେଇଥିଲେ। ସୁଧାଂଶୁ ତତ୍‌କ୍ଷଣାତ୍‌ ବସ୍‌ରୁ ଓହ୍ଲାଇ ଆସି ବାଲ୍‌ଟିଏ ପାଣି ପକାଇ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଲିଭିବା ପରିବର୍ତ୍ତେ ଚାହୁଁଚାହୁଁ ନିଆଁ ପୂରା ବସ୍‌କୁ ବ୍ୟାପି ଯାଇଥିଲା। ବସ୍‌ଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ଏହା ଦେଖି ନିକଟ‌ରେ ଥିବା ବସ୍‌ଗୁଡ଼ିକର ଯାତ୍ରୀ ହୋ-ହଲ୍ଲା କରି ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ଦୌଡ଼ାଦୌଡ଼ି ବେଳେ ବସ୍‌ଷ୍ଟାଣ୍ଡରେ ଥିବା ବଡ଼ ବଡ଼ ଖାଲରେ ପଡ଼ି କିଛି ଯାତ୍ରୀ ଆହତ ମଧ୍ୟ ହୋଇଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାରେ ସାହାଯ୍ୟ କରିବା ସହ ଟ୍ରାଫିକ୍‌ ନିୟନ୍ତ୍ରଣ କରିଥିଲା। ପରେ ୨ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇଥିଲା। ତେବେ ବିଳମ୍ବରେ ଦମକଳ ଗାଡ଼ି ପହଞ୍ଚିବା ଅଭିଯୋଗରେ ସାମୟିକ ଉତ୍ତେଜନା ପ୍ରକାଶ ପାଇଥିଲା।
ବସ୍‌ ଝରକା ଦେଇ ଭିତରକୁ ପଶିଲେ
ଶ୍ରୀଚକାଡୋଳା ପାଖରେ ବ୍ଲୁ ବେଲୁନ୍‌ ନାମକ ଏକ ବସ୍‌ ଛିଡ଼ା ହୋଇଥିଲା। ଅଗ୍ନିକାଣ୍ଡ ଖବର ପାଇ ଖଣ୍ଡେ ଦୂରରେ ଥିବା ଚାଳକ ଦଉଡ଼ି ଆସିଥିଲେ। ଯେଉଁ ପାର୍ଶ୍ୱରେ ଚାଳକର ସିଟ୍‌ ଥିଲା, ସେହି ପାର୍ଶ୍ୱରେ ହିଁ ଅନ୍ୟ ବସ୍‌ଟି ଜଳୁଥିଲା। ମୁଖ୍ୟ ଫାଟକ ମଧ୍ୟ ଠିକ୍‌ ସମୟରେ ଖୋଲିନଥିଲା। ତେଣୁ ସେ ବସ୍‌ର ଏକ ଝରକା ଦେଇ ଭିତରକୁ ପଶି ଗାଡ଼ି ଚଳାଇ ସୁରକ୍ଷିତ ଜାଗାକୁ ନେଇ ଆସିଥି‌ଲେ।
ବିଳମ୍ବ‌ରେ ଆସିଲେ ବି ବଞ୍ଚେଇଦେଲା!
ଅଗ୍ନିଶମ ସେବା ସଂସ୍ଥା ଗାଡ଼ି ବିଳମ୍ବରେ ପହଞ୍ଚିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଏକ ବଡ଼ଧରଣର ଅଘଟଣରୁ ହଜାର ହଜାର ଲୋକଙ୍କୁ ବଞ୍ଚାଇ ଦେଇଛି। ବସ୍‌ର ଡିଜେଲ ଟାଙ୍କି ବିସ୍ଫୋରଣ ହେବା ପୂର୍ବରୁ ଦମକଳ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଦେଇଥିଲେ। ତେବେ ଡିଜେଲ ଟାଙ୍କି ଫାଟିଥିଲେ, ଜନଗହଳିପୂର୍ଣ୍ଣ ଏହି ଅଞ୍ଚଳ‌ରେ ଅବସ୍ଥା ଯେ କ’ଣ ହୋଇଥାନ୍ତା, କେତେ ଜୀବନ ଯାଇଥାନ୍ତା ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। କାରଣ ସେଠାରେ ପାଖାପାଖି ୫ଶହ ବସ୍‌ ଥିବା ବେ‌ଳେ ହଜାରେରୁ ଊର୍ଦ୍ଧ୍ବ ଯାତ୍ରୀ ଓ କର୍ମଚାରୀ ରହିଥିଲେ। ରାସ୍ତା ମଝି‌ରେ ଗାଡ଼ି ଛିଡ଼ା ହୋଇ ଜଳୁଥିବାରୁ ବସ୍‌ଗୁଡ଼ିକ ବାହାରିବା ପାଇଁ ମଧ୍ୟ ସୁଯୋଗ ନଥିଲା।
ଏମ୍‌ଭିଆଇଙ୍କୁ ରିପୋର୍ଟ ତଲବ
ଏହି ଘଟଣାରେ ଏମ୍‌ଭିଆଇଙ୍କୁ ରିପୋର୍ଟ ତଲବ କରିଛନ୍ତି ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ-୧) ପ୍ରଦୀପ୍ତ ମହାନ୍ତି। କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା? ଅଗ୍ନିନିର୍ବାପକ ଥିଲା କି ନାହିଁ? ଯାତ୍ରୀଙ୍କର କିଛି କ୍ଷତି ହୋଇଛି କି ନାହିଁ? କେଉଁ ପରିସ୍ଥିତିରେ ବସ୍‌ ରହୁଛି? ଏଭଳି ସମସ୍ତ ଦିଗକୁ ଆଧାର କରି ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହା ପୂର୍ବରୁ ଆରଟିଓ ପ୍ରଦୀପ୍ତ ମହାନ୍ତି, ଏମ୍‌ଭିଆଇ ମିଲି ସାହୁ, ଅତିରିକ୍ତ ଏମ୍‌ଭିଆଇ ମାନ୍ନା ସିଂହ, ଡିଏସ୍‌ପି ଲକ୍ଷ୍ମୀନାରାୟଣ ପଣ୍ଡା ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ବସ୍‌ର ମାଲିକ ପ୍ରମୋଦ ରାୟଙ୍କ ସହ ଆଲୋଚନା କରିଛନ୍ତି।
ମାଲିକଙ୍କ ସହ ଆଜି ବୈଠକ
ଜଳି ଯାଇଥିବା ବସ୍‌ରେ ଅଗ୍ନିନିର୍ବାପକ ଯନ୍ତ୍ର ରହିଥିଲା। ହେଲେ ବ୍ୟବହାର ହୋଇପାରିଲା ନାହିଁ। ନିଆଁ ଲାଗିବା ଦେଖି କଣ୍ଡକ୍ଟର ଦଉଡ଼ି ପଳାଇ ଆସିବା ପରିବର୍ତ୍ତେ ଏହି ଯନ୍ତ୍ରକୁ ବ୍ୟବହାର କରିଥିଲେ ବୋଧ ହୁଏ ଏହି ଅଘଟଣ ଘଟି ନଥାନ୍ତା। କିନ୍ତୁ କଣ୍ଡକ୍ଟରଙ୍କୁ ଏହାର ବ୍ୟବହାର ସମ୍ବନ୍ଧରେ ଅବଗତ କରାଯାଇ ନାହିଁ। ଫଳରେ ବସ୍‌ଟି ଜଳିବା ସହ ଅନେକଙ୍କ ଜୀବନକୁ ବିପନ୍ନ କରିଥିଲା। ଏଣୁ ସମସ୍ତଙ୍କୁ ଏ ବାବଦରେ ପ୍ରଶିକ୍ଷଣର ଆବଶ୍ୟକତା ରହିଛି। ଏ ସବୁ ସମ୍ବନ୍ଧରେ ଅବଗତ କରିବା ପାଇଁ ଆସନ୍ତାକାଲି ବସ୍‌ ମାଲିକଙ୍କ ସହ ଆଲୋଚନା ହେବାକୁ ଯାଉଛି। ସମସ୍ତେ ଅଗ୍ନି ନିର୍ବାପକ ରଖିବା ସହ ପରମିଟ୍‌, ଫିଟ୍‌ନେସ୍‌ ଓ ବୀମା ଅପ୍‌-ଟୁ-ଡେଟ୍‌ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଜଳି ଯାଇଥିବା ବସ୍‌ଟିର ଏହି ସବୁ ସାର୍ଟିଫିକେଟ୍‌ ଅପ-ଟୁ-ଡେଟ୍‌ ରହିଥିଲା।
ସ୍ଲିପର୍‌ରୁ ଲାଗିଛି ନିଆଁ!
ଅଗ୍ନିକାଣ୍ଡର କାରଣକୁ ନେଇ ଅଗ୍ନିଶମ ସେବାସଂସ୍ଥାଠାରୁ ଆରମ୍ଭ କରି ଆରଟିଓ ପର୍ଯ୍ୟନ୍ତ ସମସ୍ତେ ଅନ୍ଧାରରେ ଅଛନ୍ତି। ବସ୍‌ଟି ଚାଲୁ ନଥିବାରୁ ସଟ୍‌ ସର୍କିଟକୁ ନେଇ ବିଶ୍ୱାସ କରାଯାଇ ପାରୁନାହିଁ। ପଛପଟୁ କେହି ନିଆଁ ଲଗାଇ ଦେଇଥିବା ନେଇ କେହି କେହି ସନ୍ଦେହ କରୁଥିବା ବେଳେ ବସ୍‌ର ସ୍ଲିପରରେ କେହି ସିଗାରେଟ୍‌ କିମ୍ବା ଗଞ୍ଜେଇ ଖାଇ ଫିଙ୍ଗି ଦେଇଥିବା ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଭୁବନେଶ୍ୱର ଓ ମୁଖୀଗୁଡ଼ା ଉଭୟପଟୁ ବସ୍‌ଟି ରାତିରେ ବାହାରେ ସକାଳେ ପହଞ୍ଚେ। ଏଣୁ ରାତି ସମୟରେ ନିଆଁ ଲାଗିଥିଲେ ଏକ ବଡ଼ ଅଘଟଣ ହୋଇଥାନ୍ତା ବୋଲି କୁହାଯାଉଛି।

Share Now:

Kalinga News Beuro

Leave a Reply

Next Post

ହୀରାକୁଦ: ପୁଣି ୩ ଗେଟ୍‌ ବନ୍ଦ ହେଲା, ୪ ଖୋଲା

Fri Aug 30 , 2019
ସମ୍ବଲପୁର : ଗୁରୁବାର ସକାଳୁ ହୀରାକୁଦ ବନ୍ଧର ୩ଟି ଗେଟ୍ ବନ୍ଦ କରାଯାଇଛି। ବାମ ପାର୍ଶ୍ବ ସ୍ପିଲୱେ’ର ୩ ଓ ଡାହାଣ ପାର୍ଶ୍ବର ଗୋଟିଏକୁ ମିଶାଇ ମୋଟ ୪ଟି ଗେଟ୍‌ ଖୋଲା ରହିଛି। ଗୁରୁବାର ରାତି ୯ଟା ବେଳକୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୩.୧୯ ଫୁଟ୍‌ ରହିଥିଲା। ସେତିକି ବେଳକୁ ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ୯୭,୦୦୮ ଘନ ଫୁଟ୍‌ ଜଳ ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୮୫,୯୬୧ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial