ଗୁପ୍ତ କୋଠରିକୁ ନେଇ ବଢୁଛି ଉତ୍କଣ୍ଠା, ଏମାର ମଠରେ ରାତି ସାରା ପୁଲିସ୍‌ ପହରା

ଅସୁରକ୍ଷିତ କୋଠାରୁ ବର୍ଷ ବର୍ଷ ଧରି ରଥଯାତ୍ରା ଦେଖୁଥିଲେ ଭକ୍ତ

ପୁରୀ : ପାଖାପାଖି ୯୨ କୋଟିର ରୁପା ଇଟାକୁ ନେଇ ଏକଦା ଚର୍ଚ୍ଚିତ ଥିବା ବିତ୍ତଶାଳୀ ଏମାର ମଠ ପୁଣି ଥରେ ଗୁପ୍ତଧନକୁ ନେଇ ଚର୍ଚ୍ଚାକୁ ଆସିଛି, ଯଦିଓ ଏହାର ସତ୍ୟତା ସଂପର୍କରେ ବର୍ତ୍ତମାନ କିଛି ସ୍ପଷ୍ଟ ହୋଇନାହିଁ। କିନ୍ତୁ ମଠ ଯେତିକି ଭାଙ୍ଗୁଛି ଜନମାନସରେ ଉତ୍କଣ୍ଠା ସେତିକି ବଢିବାରେ ଲାଗିଛି। ଆଜି ମଠର ପଛପାର୍ଶ୍ୱ ମହନ୍ତଙ୍କ ଘର କାନ୍ଥକୁ ଲାଗି ଏକ ପରିତ୍ୟକ୍ତ କୋଠା ଭଙ୍ଗାଯିବା ବେଳେ ଏକ ରହସ୍ୟମୟ ଗମ୍ଭୀରା ଘର ଦେଖିବାକୁ ମିଳିଥିଲା। ଏହି ଗୁପ୍ତ ଘରର ରହସ୍ୟ ଆଜି ଫିଟି ପାରିନାହିଁ। ଉଚ୍ଛେଦ ବନ୍ଦ ରହିବା ପରେ ପ୍ରଶାସନ ଏ ବାବଦରେ ଅଧିକ ଖୋଳତାଡ ମଧ୍ୟ କରିନାହିଁ। ତେବେ ଏହି ଗୁପ୍ତ ଘରକୁ କେହି କେହି ସୁଡ଼ଙ୍ଗ କହୁଥିବା ବେଳେ ଆଉ କେହି ଏହାକୁ ଧାନ ଅମାର (କୋଠି) ବୋଲି କହୁଛନ୍ତି। ପରିତ୍ୟକ୍ତ ଅବସ୍ଥାରେ ଥିବା ଏହି ଗୁପ୍ତ କୋଠରିଟି ୧୦ ଫୁଟ୍‌ ଗଭୀର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିବା ବେଳେ ଏହାର ଉପରି ଭାଗରେ ତାଳ କାଠ ପଡ଼ିଥିବା ଦେଖିବାକୁ ମିଳିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଗୁପ୍ତ କୋଠରି ଭିତରକୁ ପାହାଚ ରହିଛି। ତେବେ ଅନ୍ଧାର ଯୋଗୁ କୋଠରି ଭିତରେ କଣ ରହିଛି ତାହା ଜଣାପଡ଼ିନାହିଁ। ପୁରୁଖା ଲୋକଙ୍କ କହିବା ଅନୁସାରେ, ଏହା କୌଣସି ଗୁପ୍ତ ସୁଡ଼ଙ୍ଗ ନୁହେଁ, ମଠର ଧାନ ଅମାର। ପୂର୍ବରୁ ଏମାର ମଠରେ ପ୍ରଚୁର ପରିମାଣରେ ଧାନ ଓ ଖାଦ୍ୟଶସ୍ୟ ସଂରକ୍ଷିତ ରହୁଥିଲ‌ା। ବିପତ୍ତି ସମୟରେ ଏମାର ମଠ ଲୋକଙ୍କୁ ଖାଦ୍ୟ ଯୋଗାଇବା ସହ ଅନ୍ନଛତ୍ର ମଧ୍ୟ ଖୋଲୁଥିଲା। ନଅଙ୍କ ଦୁର୍ଭିକ୍ଷ ସମୟରେ ଏମାର ମଠ ଏକାଧିକ ଅନ୍ନଛତ୍ର ଖୋଲି ବହୁ ଲୋକଙ୍କ ଜୀବନ ବଞ୍ଚାଇଥିଲା। ତେଣୁ ଖାଦ୍ୟଶସ୍ୟ ମହଜୁଦ୍‌ ରଖିବା ପାଇଁ ଏହି କୋଠି ନିର୍ମାଣ ହୋଇଥିବା କୁହାଯାଉଛି।
ଆସନ୍ତାକାଲି ସକାଳେ ଗୁପ୍ତ କୋଠରିର ଅବଶିଷ୍ଟାଂଶ ଭଙ୍ଗାଯିବ। ତା’ ପୂର୍ବରୁ ଆଜି ସନ୍ଧ୍ୟାରେ ପୁଲିସ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି। ଉ‌ଚ୍ଛେଦ ସ୍ଥାନରେ ଆସ୍କା ଲାଇଟ୍ ଲଗାଯାଇଛି। ଆଜି ଦିନତମାମ ଏହି ଗୁପ୍ତ କୋଠରିକୁ ନେଇ ଉତ୍ସୁକତା ଦେଖା ଦେଇଥି‌ଲା। ବହୁ ଲୋକ ଏହାକୁ ଦେଖିବା ପାଇଁ ମଠ ପରିସରରେ ରୁଣ୍ଡ ହୋଇଥିଲେ। ପ୍ରକାଶଥାଉକି, ୨୦୧୧ ମସିହାରେ ଏମାର ମଠ ମରାମତି ଚାଲିଥିବା ବେଳେ ଏକ କୋଠରିରୁ ପୁଲିସ ୫୨୨ ଖଣ୍ଡ ବଡ଼ ରୁପାଇଟା ଜବତ କରିଥିଲା। ସେ ସମୟରେ ଏହାର ମୂଲ୍ୟ ୯୨ କୋଟି ହେବ ବୋଲି ଆକଳନ କରାଯାଇଥିଲା। ରୁପା ଇଟା ମିଳିଥିବା କାରଣରୁ ଏମାର ମଠର ଗୁପ୍ତ କୋଠରିକୁ‌ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ଓ କୌତୁହଳ ବଢିବାରେ ଲାଗିଛି।
ଅସୁରକ୍ଷିତ କୋଠାରୁ ବର୍ଷ ବର୍ଷ ଧରି ରଥଯାତ୍ରା ଦେଖୁଥିଲେ ଭକ୍ତ
ଅସୁରକ୍ଷିତ ଲଙ୍ଗୁଳି ମଠ, ଏମାର ମଠ ଭଳି ଅନେକ ମଠ ଉପରୁ ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ରଥଯାତ୍ରା ଦେଖୁଥିଲେ। ଏଥିପ୍ରତି ନା ଜିଲ୍ଲା ପ୍ରଶାସନ ନା ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା ଥିଲା। ଅସୁରକ୍ଷିତ କୋଠା ଉପରୁ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ଭକ୍ତଙ୍କ କ୍ଷେତ୍ରରେ କିଛି ଅଘଟଣକୁ ବୋଧେ ସମସ୍ତେ ଅନାଇ ବସିଥିଲେ। ଯାହା ଏବେ ସ୍ପଷ୍ଟ ଜଣାପଡ଼ୁଛି। କାରଣ ଯେଉଁ ସବୁ ମଠ କୋଠା ଉପରୁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ ସେହି ମଠ ସବୁକୁ ଜିଲ୍ଲା ପ୍ରଶାସନ ଅସୁରକ୍ଷିତ ଘୋଷଣା କରି ଭାଙ୍ଗିବା ଆରମ୍ଭ କରିଛି। ଏଭଳି ପରିସ୍ଥିତିରେ ଭକ୍ତଙ୍କ ସୁରକ୍ଷା ଦିଗ ପ୍ରତି ପ୍ରଶାସନ କେତେ ତତ୍ପର ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି। ଜିଲ୍ଲା ପ୍ରଶାସନ ଏମାର ମଠକୁ ଅସୁରକ୍ଷିତ ଘୋଷଣା କରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛି। ସେହିପରି ଲଙ୍ଗୁଳି ମଠକୁ ବି ଅସୁରକ୍ଷିତ ଘୋଷଣା କରି ଉଚ୍ଛେଦ କରିଛି। ଆଜି ଜେସିବି ମଠର ପୁରୁଣା କୋଠା ସବୁ ଭାଙ୍ଗିବାବେଳେ କାନ୍ଥଗୁଡ଼ିକ ଦୋହଲୁଥିବା ଓ ଅତି ଦୁର୍ବଳ ଥିବା ଦେଖିବାକୁ ମିଳିଥିଲା। ଏପରିକି ଜେସିବି ଖୋଳିବା ଆଗରୁ ଏଗୁଡ଼ିକ ମନକୁ ମନ ଖସି ପଡ଼ିଥିଲା। ଯେହେତୁ ମଠର କାନ୍ଥ ସବୁ ପ୍ରାୟ ୩୦ ଇଞ୍ଚ ପାଖାପାଖି ହେବ, ଛାତଗୁଡ଼ିକ ନଭୁଶୁଡ଼ି କେବଳ ଲାଗି ରହିଥିଲା। କିନ୍ତୁ କୌଣସି ପରିସ୍ଥିତିରେ ଏହା ଭୁଶୁଡ଼ିଯିବାର ଆଶଙ୍କା ରହିଥିଲା। ଜିଲ୍ଲା ପ୍ରଶାସନ ଏହି ମଠଗୁଡ଼ିକର କୋଠାକୁ ଅସୁରକ୍ଷିତ ଘୋଷଣା କରିବା କିଛି ନୂଆ ନୁହେଁ। ପୂର୍ବରୁ ବି ବହୁବାର ମଠ କୋଠାଗୁଡ଼ିକୁ ଅସୁରକ୍ଷିତ ଘୋଷଣା କରାଯାଇଛି। ଏମାର ମଠ, ଲଙ୍ଗୁଳି ମଠ ତା’ ଭିତରୁ ଅନ୍ୟତମ। ତଥାପି ରଥଯାତ୍ରା ସମୟରେ ଏହି ଅସୁରକ୍ଷିତ କୋଠାରେ ଚଢ଼ି ମହାପ୍ରଭୁଙ୍କ ଦର୍ଶନ ପାଇଁ ସୁଯୋଗ ଦେଉଥିଲା ପ୍ରଶାସନ।

Share Now:

Kalinga News Beuro

Leave a Reply

Next Post

ନୀଳଗିରିରେ ଥମୁନି ଝାଡ଼ାବାନ୍ତି, ଜଣେ ମୃତ

Fri Aug 30 , 2019
ନୀଳଗିରି : ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ ବିଭିନ୍ନ ଗାଁରେ ଝାଡ଼ାବାନ୍ତି ରୋଗ ଥମିବାର ନାଁ ଧରୁ ନ‌ଥିବାବେଳେ ଝାଡ଼ାବାନ୍ତିରେ ଜଣେ ମହିଳାର ମୃତ୍ୟୁ ଘଟିଛି। ଚଳିତ ବର୍ଷ ଝାଡ଼ାବାନ୍ତିରେ ନୀଳଗିରି ଓ ଔପଦା ଅଞ୍ଚଳର ୩ ଜଣଙ୍କର ମୃତ୍ୟୁ ଘଟିଛି। ହେଲେ ପ୍ରଶାସନ ଏହାକୁ ରୋକିବା ପାଇଁ ସଚେତନତା ସୃଷ୍ଟି କରିବା ସହ ଠୋସ୍‌ ପଦକ୍ଷେପ ନେଉନାହିଁ। ସୂଚନା ଅନୁସାରେ ନୀଳଗିରି ବ୍ଲକ ଅଧୀନ ଭଉଁରିଆବାଡ଼ ପଞ୍ଚାୟତର କାନ୍ତ୍ରସିମିଳିଆ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial