ମୃତ୍ୟୁକୁ ଡାକୁଛି ମୁକୁଳା କଟ୍‌: ଡ୍ରୋନ୍‌ ଥାଉ, ଆଗ ଟ୍ରାଫିକ୍ ପୁଲିସ ଦିଅ

ଖଣ୍ଡଗିରି: ରାଜଧାନୀ ଛାତି ଉପର ଦେଇ ଅତିକ୍ରମ କରିଥିବା ୧୬ନମ୍ବର ଜାତୀୟ ରାଜପଥରେ କମିସନରେଟ୍‌ ପୁଲିସ ଚିହ୍ନଟ କରିଛି ୫ରୁ ଅଧିକ ବ୍ଲାକସ୍ପଟ୍‌। କିନ୍ତୁ ପଳାସୁଣୀରୁ ପିତାପଲ୍ଲୀ ଭିତରେ ରହିଛି ୧୦ରୁ ଅଧିକ ଅଧିକ ମରଣଘାଟି। ବିଶେଷକରି ମୁକୁଳା ପଡ଼ିଥିବା କଟ୍‌ଗୁଡ଼ିକ ହେଉଛି ଭୟଙ୍କର ମରଣଯନ୍ତା। ଶନିମନ୍ଦିର ଛକ, ପାତ୍ରପଡ଼ା, ଗୋହିରା, ରେତଙ୍ଗ, ଓଗାଳପଡ଼ା, ଗଙ୍ଗପଡ଼ା ଓ ପିତାପଲ୍ଲୀ ଭଳି ଛକମାନଙ୍କରେ ଥିବା କଟ୍‌ରେ ପ୍ରତିଦିନ ଦୁର୍ଘଟଣା ଘଟୁଛି। ତେଣୁ ପୁଲିସ ସହର ଭିତର ସହ ସମାନ୍ତରାଳ ଭାବେ ଏସବୁ ମୁଣ୍ଡ ନେଉଥିବା ସ୍ଥାନମାନଙ୍କରେ ଟ୍ରାଫିକ୍ ବ୍ୟବସ୍ଥା ସୁଧାରିବାକୁ ଦାବି ହେଉଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବାତ୍ୟା ଫନି ପରଠାରୁ ବିଭିନ୍ନ କଟ୍‌ ମୁକୁଳା ପଡ଼ିଛି। ଗଙ୍ଗପଡ଼ାରୁ ଆରମ୍ଭ କରି ଆଇଗିଣିଆ ପର୍ଯ୍ୟନ୍ତ ପ୍ରାୟ ସବୁ କଟ୍‌ ପାଖରେ କୌଣସି ସତର୍କ ସୂଚନାଫଳକ ନାହିଁ। ଫନିରେ ଉପୁଡ଼ି ପଡ଼ିଥିବା ସୌରଶକ୍ତି ଚାଳିତ ବ୍ଲିଙ୍କର୍‌ ଲଗା ଯାଉନାହିଁ। ଗଙ୍ଗପଡ଼ା, ଓଗ‌ାଳପଡ଼ା, ରେତଙ୍ଗ, ଗୋହିରା ଓ ପାତ୍ରପଡ଼ା ଛକରେ ଭାଙ୍ଗି ପଡ଼ିଥିବା ସୋଲାର୍ ବ୍ଲିଙ୍କର ମରାମତି ହୋଇନାହିଁ। ଗୋହିରା ଓ ରେତଙ୍ଗ କଟ୍‌ରୁ ଦୁର୍ବୃତ୍ତମାନେ ଉକ୍ତ ଖମ୍ବ ସବୁ ଉପାଡ଼ି ନେଇ ଯାଇଛନ୍ତି। ଫଳରେ ବହୁ ଭାରୀଯାନ ଚାଳକ କଟ୍‌ ବାବଦରେ ପୂର୍ବ ସୂଚନା ପାଉନଥିବାରୁ ଦୁର୍ଘଟଣା ଘଟୁଛି। ଚଳିତ ମାସ ପ୍ରଥମ ସପ୍ତାହରେ ରେତଙ୍ଗ କଟ୍‌ରେ ଘଟିଥିବା ଦୁର୍ଘଟଣାରେ ଦୁଇଜଣ ଶିକ୍ଷକଙ୍କ ମୃତ୍ୟୁ ଏହି କାରଣରୁ ହୋଇଥିବା ଅଭି‌ଯୋଗ ହେଉଛି। ସେହିଭଳି ଗଙ୍ଗପଡ଼ା ଛକରେ ଜଣେ ଇଂଜିନିୟରିଂ ଛାତ୍ରଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ମଧ୍ୟ ଏଭଳି ମୁକୁଳା କଟ୍‌ ପାଇଁ ଘଟିଥିବା ଅଭିଯୋଗ ହେଉଛି।
ବଡ଼ କଥା ହେଉଛି ଦୁର୍ଘଟଣା ଘଟିବା ପରେ ପରେ ପୁଲିସ ପକ୍ଷରୁ ଉକ୍ତ କଟ୍‌ଗୁଡ଼ିକରେ କିଛି ଦିନ ପାଇଁ ଟ୍ରାଫିକ୍ କର୍ମଚାରୀଙ୍କୁ ଠିଆ କରାଇ ଦିଆଯାଏ ଓ ପରେ ପୁଣି ସେମାନଙ୍କୁ ହଟାଇ ନିଆଯାଏ। କିଛି ଦିନ ହେଲା ତମାଣ୍ଡୋ-ପାତ୍ରପଡ଼ା କଟ୍‌ରେ ଟ୍ରାଫିକ୍ ପୁଲିସ ରହୁନଥିବା ଅଭିଯୋଗ ହେଉଛି। ସେହିଭଳି ଆଇଗିଣିଆ କସ୍‌ମୋପଲି ନୂଆ ଟ୍ରାଫିକ୍ ଛକରେ ଯଥେଷ୍ଟ କର୍ମଚାରୀ ନାହାନ୍ତି। ମାତ୍ର ଖୋର୍ଧା-ଭୁବନେଶ୍ବର ପାର୍ଶ୍ବରେ କେହି ରହୁ ନଥିବାରୁ ସେହି ପଟେ ଦୁର୍ଘଟଣା ଘଟୁଛି। ଗତ ସପ୍ତାହରେ ଏହି ଛକରେ ରାସ୍ତା ପାର୍ ହେଉଥିବା ବେଳେ ଜଣେ ଶ୍ରମଜୀବୀ ମହିଳାଙ୍କ ଉପରେ ଟ୍ରକ୍‌ ମାଡ଼ି ଯାଇଥିଲା। ତେଣୁ ଉପରୋକ୍ତ ଅଞ୍ଚଳର ଲୋକଙ୍କ କହିବା କଥା, ସହର ଭିତରେ ବଡ଼ବଡ଼ିଆଙ୍କ ପାଇଁ ଡ୍ରୋନ୍‌ ଜଗୁ, ଖୁସିର କଥା, ମାତ୍ର ଏପଟେ ମୁଣ୍ଡଖିଆ ଛକରେ ଆବଶ୍ୟକ ସଂଖ୍ୟକ ଟ୍ରାଫିକ୍ ପୁଲିସ ନିୟୋଜିତ ହେବା ଜରୁରି।

Share Now:

Kalinga News Beuro

Leave a Reply

Next Post

ରକ୍ତ ସଂଗ୍ରହ ବସ୍‌ର ଏସି ଅଚଳ

Sat Aug 31 , 2019
ଅନ୍ୟ ରକ୍ତ ଭଣ୍ଡାର ପାଇଁ କିଣାଯିବ ୯ଟି ରକ୍ତ ସଂଗ୍ରହ ଭ୍ୟାନ୍ ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ପରିସରରେ ରକ୍ତ ସଂଗ୍ରହ ପାଇଁ ଥିବା ବସ୍‌ର ଏସି ଅଚଳ ହୋଇ ପଡ଼ିଛି। ଏସି କାମ ନ କରିବା ସହିତ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ ଦୃଷ୍ଟିରୁ ବସ୍‌କୁ ରକ୍ତ ସଂଗ୍ରହ କାର୍ଯ୍ୟରେ ବ୍ୟବହାର କରାଯାଇ ପାରୁନାହିଁ। ଏଭଳି ପରିସ୍ଥିତିରେ ଛୋଟ ଛୋଟ କ୍ୟାମ୍ପ ଜରିଆରେ ରକ୍ତ ସଂଗ୍ରହ ପାଇଁ ସମସ୍ୟା ସୃଷ୍ଟି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial