ବିଏମ୍‌ସିର ସ୍ୱାୟତ୍ତ ଶାସନ ଦିବସ ଭେଟି : ଏଣିକି ୱାର୍ଡ ଅଫିସରେ ହେବ ସମସ୍ୟା ସମାଧାନ

ଭୁବନେଶ୍ୱର : ରାଜଧାନୀବାସୀ ସେମାନଙ୍କର ବିଭିନ୍ନ ମୌଳିକ ସେବାକୁ ନେଇ ଥିବା ସମସ୍ୟାର ସମାଧାନ ପାଇଁ ବିଏମ୍‌ସି ଜୋନ୍‌ ଅଫିସକୁ ଯାଉଥିଲେ। ସେଠାରେ ସମାଧାନ ନହେଲେ ବିଏମ୍‌ସି ମୁଖ୍ୟାଳୟକୁ ଯାଉଥିଲେ। କିନ୍ତୁ ଏବେ ଜୋନ୍ ଅଫିସକୁ ଆସିବା ପୂର୍ବରୁ ୱାର୍ଡ ଅଫିସରେ ଅଭିଯୋଗ କରିବେ। ୱାର୍ଡ ଅଫିସରେ ୱାର୍ଡ ଅଫିସର କିମ୍ବା କମ୍ୟୁନିଟି ଅର୍ଗାନାଇଜର୍ ହିଁ ତାଙ୍କ ସମସ୍ୟାର ସମାଧାନ କରିବେ। ଏଥିପାଇଁ ବିଏମ୍‌ସିର ୬୭ଟି ଯାକ ୱାର୍ଡରେ ୱାର୍ଡ ଅଫିସ ଖୋଲିଛି। ଆଜି ଏହି ୱାର୍ଡ ଅଫିସ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲୋକସେବା ଭବନରୁ ଉଦ୍‌ଘାଟନ କରିଛନ୍ତି।
ୱାର୍ଡ ଅଫିସ ସକାଳ ୧୦ଟାରୁ ଅପରାହ୍‌ଣ ସାଢ଼େ ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହିଠାରେ ହିଁ ବସିଥିବା ଅଧିକାରୀଙ୍କ ନିକଟରେ ଲୋକମାନେ ସେମାନଙ୍କ ଅଭିଯୋଗ ଜଣାଇବେ। ସେହିପରି ଏହି ୱାର୍ଡ ଅଫିସରେ ପାଣି ବିଲ୍‌, ସ୍ବେରେଜ୍ ବିଲ୍‌, ବିଦ୍ୟୁତ୍ ବିଲ୍‌, ହୋଲଡିଂ ଟିକସ, ବିଜ୍ଞାପନ, ୟୁଜର୍‌ ଫି ଆଦି ମଧ୍ୟ ଦେଇପାରିବେ। ଏଠାରେ ପେନସନ୍ ପ୍ରଦାନ, ଜନ୍ମ, ମୃତ୍ୟୁ ଓ ବିବାହ ପଞ୍ଜୀକରଣ, ଟ୍ରେଡ୍ ଲାଇସେନ୍ସ ପାଇଁ ଆବେଦନ କରିପାରିବେ। କେଉଁ ୱାର୍ଡରେ କ’ଣ ଆବଶ୍ୟକ ରହିଛି, ତାହା ୱାର୍ଡ ଅଫିସ ସ୍ତରରେ କାର୍ଯ୍ୟକାରୀ ହେବ। ଲୋକଙ୍କ ହାତପାହନ୍ତାରେ ସବୁ ସୁବିଧା ସୁଯୋଗ ଉପଲବ୍ଧ ହେବ।
ସେହିପରି ରାଜଧାନୀର ଆବର୍ଜନାକୁ ୱାର୍ଡ ସ୍ତରରେ ପ୍ରକ୍ରିୟାକରଣ କରିବା ପାଇଁ ୪୩ଟି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ ହେବାକୁ ଥିବା ବେଳେ ପ୍ର‌େତ୍ୟକ ପ୍ଲାଣ୍ଟରେ ଦୈନିକ ୫ ଟନ୍ ପର୍ଯ୍ୟନ୍ତ ଆବର୍ଜନା ପ୍ରକ୍ରିୟାକରଣ ବ୍ୟବସ୍ଥା କରାଯାଇଛି। ୪ ମାସ ଭିତରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ କର୍ତ୍ତୃପକ୍ଷ ଯୋଜନା ରଖିଛନ୍ତି। ସ୍ୱଚ୍ଛ ଓଡ଼ିଶା, ସୁସ୍ଥ ଓଡ଼ିଶା ଅଭିଯାନରେ ଏହି ପ୍ରକଳ୍ପ ହେଉଛି।
ସେହିପରି ବିଭିନ୍ନ ୱାର୍ଡ‌ରେ ‘ଅମୃତ’ ଯୋଜନାରେ ନିର୍ମାଣ ହୋଇଥିବା ୧୫ଟି ପାର୍କ, ସହିଦନଗରରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ହୋଇଥିବା ସମନ୍ବିତ ଜନସେବା କେନ୍ଦ୍ର, ୟୁନିଟ-୬ କଲ୍ୟାଣ ମଣ୍ଡପର ସମ୍ପ୍ରସାରଣ, ୟୁନିଟ-୧ ପ୍ରାଥମିକ ସ୍କୁଲର ସମ୍ପ୍ରସାରଣ, ସମ୍‌ ହସ୍ପିଟାଲରୁ ୱାର୍ଡ ୨୩ରେ ଥିବା ବିଡିଏ କଲୋନି ପର୍ଯ୍ୟନ୍ତ ଆଲୋକୀକରଣ ପ୍ରକଳ୍ପକୁ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଉଦ୍‌ଘାଟନ କରିଥିଲେ। ବିଭିନ୍ନ ଅଞ୍ଚଳର ପୂର୍ବତନ କର୍ପୋରେଟର, ବିଏମ୍‌ସି ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ସବୁ ପ୍ରକଳ୍ପର ଉଦ୍‌ଘାଟନ ପାଇଁ ମୈତ୍ରୀ ବିହାର, ୟୁନିଟ-୬ ଏବଂ କୋଳଥିଆରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଆସିଲେନି କମିସନର
ବିଏମ୍‌ସିର ସବୁଠୁ ବଡ଼ ପର୍ବ ହେଉଛି ସ୍ୱାୟତ୍ତ ଶାସନ ଦିବସ। ଆଜି ବିଏମ୍‌ସି ଧୁମ୍‌ଧାମ୍‌ର ସହ ଏହି ଦିବସକୁ ପାଳନ କରିଛି। ଆଶ୍ଚର୍ଯ୍ୟର ବିଷୟ ଏହି ଉପଲକ୍ଷେ ସକାଳ ୮ଟା ୩୦ରେ ବିଏମ୍‌ସି କାର୍ଯ୍ୟାଳୟରେ ହୋଇଥିବା ପତାକା ଉତ୍ତୋଳନ କାର୍ଯ୍ୟକ୍ରମ‌ରେ ବିଏମ୍‌ସି ମୁଖିଆ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଦେଖିବାକୁ ମିଳିନାହିଁ। ବିଏମ୍‌ସି ପ୍ରଶାସକ ସଂଗ୍ରାମଜିତ ନାୟକ ପତାକା ଉତ୍ତୋଳନ କରିଥିବା ବେଳେ ବିଏମ୍‌ସିର ସମସ୍ତ ବରିଷ୍ଠ ଅଧିକାର ଉପସ୍ଥିତ ଥିଲେ। କିନ୍ତୁ ବିଏମ୍‌ସି କମିସନର୍‌ ଶ୍ରୀ ଚୌଧୁରୀ କାହିଁକି ବିଏମ୍‌ସିର ଏହି ବଡ଼ ପର୍ବରେ ସାମିଲ୍‌ ହେଲେନି, ସେନେଇ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।
ପ୍ରତିବର୍ଷ ବିଏମ୍‌ସି କାର୍ଯ୍ୟାଳୟରେ ସ୍ୱାୟତ୍ତ ଶାସନ ଦିବସ ପାଳନ ବେଳେ ମେୟର/ପ୍ରଶାସକ ପତାକା ଉତ୍ତୋଳନ କରୁଥିବା ବେଳେ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରୁହନ୍ତି। ହେଲେ ଆଜି ବିଏମ୍‌ସି ସ୍ୱାୟତ୍ତ ଶାସନ ଦିବସ ପାଳନ କରୁଥିବା ବେଳେ କମିସନର ଭୁବନେଶ୍ୱରରେ ଥାଇ ବି ବିଏମ୍‌ସି ଅଫିସ ଆସିନଥିଲେ। ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ(ବିଏସ୍‌ସିଏଲ୍‌)ର ସିଇଓ ଥିବା ବେଳେ ଆଜି ସେ ବିଏସ୍‌ସିଏଲ୍‌ ପକ୍ଷରୁ ସହିଦନଗରରେ ନିର୍ମାଣ ହୋଇଥିବା ସମନ୍ୱିତ ଜନସେବା କେନ୍ଦ୍ରର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପାଇଁ ବ୍ୟସ୍ତ ଥିଲେ। ଏହାସହ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବାରୁ ସେଠାରେ ବି ପ୍ରସ୍ତୁତିରେ ଲାଗିଥିଲେ। ହେଲେ ବିଏମ୍‌ସି ଅଫିସରେ ମାତ୍ର ୧୦ ମିନିଟ ପାଇଁ ହୋଇଥିବା ପତାକା ଉତ୍ତୋଳନ କାର୍ଯ୍ୟକ୍ରମକୁ ଆସିନଥିଲେ।
ଇ-ବିପାସ୍‌ରେ କିଏ ଉପକୃତ ହେବେ
ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ଘର କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଇ-ବିପାସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିରେ ୪୮ଘଣ୍ଟା ମଧ୍ୟରେ ଲୋ-ରିସ୍କ ଘର ପାଇଁ ପ୍ଲାନ୍ ମିଳିଯିବ। ଏହି ଯୋଜନାରେ ୮୦% ଲୋକ ସହଜରେ ଘର ନକ୍ସା ଅନୁମୋଦନ କରିପାରିବେ ବୋଲି କୁହାଯାଇଛି। ଜମିର ଆକାର ୫୦୦ ବର୍ଗ ମିଟରରୁ କମ୍‌ ହୋଇଥିଲେ, ଉଚ୍ଚତା ୧୦ ମିଟରରୁ କମ୍‌ ହୋଇଥିଲେ, ଜମି କୌଣସି ପୂର୍ବ ଅନୁମୋଦିତ ଲେଆଉଟ୍‌ କିମ୍ବା କୌଣସି ସରକାରୀ ଯୋଜନାର ଅନ୍ତର୍ଭୁକ୍ତ ହୋଇଥିବା ଦରକାର ବୋଲି କୁହାଯାଇଛି। ସେହିପରି ଜମିର ଆକାର ୨୫ରେ ୪୦, ୨୫ରେ ୫୦, ୩୦ରେ ୪୦, ୩୦ରେ ୫୦, ୪୦‌ରେ ୫୦, ୪୦ରେ ୬୦, ୬୦ରେ ୪୦ଫୁଟ ହୋଇଥିବା ଦରକାର ବୋଲି କୁହାଯାଇଛି। ବିଡିଏ ୱେବସାଇଟ୍‌ରେ ଉପଲବ୍ଧ ୧୦୦ଟି ପୂର୍ବଅନୁମୋଦିତ ନକ୍ସା ଅନୁଯାୟୀ ଘର ନିର୍ମାଣ କଲେ ଏହି ସୁବିଧା ଉପଲବ୍ଧ ହେବ। ଏଥିରେ ଜଣେ ଲୋକ ନିଜ ଘର ପାଇଁ ନିଜେ ଆବେଦନ କରିପାରିବେ। ଆଉ ଆର୍କିଟେକ୍ଟଙ୍କ ଆବଶ୍ୟକ ପଡ଼ିବନି।
ୱାର୍ଡ ଅଫିସ‌ କେମିତି କାମ କରିବ
ସବୁ ୱାର୍ଡରେ ୱାର୍ଡ ଅଫିସ୍‌ ଖୋଲିଲା। ୱାର୍ଡ ଅଫିସର ଓ କମ୍ୟୁନିଟି ଅର୍ଗାନାଇଜର୍‌ମାନେ ଏଠାରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୫ଟା ୩୦ ପର୍ଯ୍ୟନ୍ତ ରହି ଲୋକଙ୍କ ଅଭିଯୋଗ ଶୁଣିବା ସହ ବିଭିନ୍ନ କାର୍ଯ୍ୟ କରିବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ହେଲେ ଏବେ ବିଏମ୍‌ସିରେ ପ୍ରାୟ ୩୫ଜଣ ୱାର୍ଡ ଅଫିସର ଥିବା ବେଳେ ଜଣେ ଜଣେ ୱାର୍ଡ ଅଫିସରଙ୍କ ଅଧୀନରେ ଦୁଇରୁ ତିନିଟି ଲେଖାଏଁ ୱାର୍ଡ ରହିଛି। ସେହିପରି ପ୍ରାୟ ୪୦ଜଣ କମ୍ୟୁନିଟି ଅର୍ଗାନାଇଜର୍ ଥିବା ବେଳେ ସେଥିରୁ ଅଧିକାଂଶଙ୍କ ଅଧୀନରେ ଦୁଇରୁ ତିନିଟି ଲେଖାଏଁ ୱାର୍ଡ ରହିଛି। ସେମାନେ ୱାର୍ଡ ସ୍ତରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିବା ସହ ଅନ୍ୟାନ୍ୟ କାର୍ଯ୍ୟ କରନ୍ତି। ତେଣୁ ଏମାନେ କେମିତି କେଉଁ ୱାର୍ଡର ୱାର୍ଡ ଅଫିସରେ ବସିବେ ସେନେଇ ଆଲୋଚନା ହେଲାଣି।

Share Now:

Kalinga News Beuro

Leave a Reply

Next Post

ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ

Sun Sep 1 , 2019
ଶ୍ରୀନଗର: ସୁଧୁରିବାର ନାଁ ଧରୁନାହିଁ ପାକିସ୍ତାନ୍ । ବାରମ୍ବାର ଭାରତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପଡ଼ୋଶୀ ଦେଶ । ଆଜି ପୁଣି ଥରେ ଜମ୍ମୁକଶ୍ମୀର ପୁଂଛରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି ପାକିସ୍ତାନ । ତେବେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତୀୟ ସେନା । ଗତ ଗୁରୁବାର ଦିନ ମଧ୍ୟ ପାକିସ୍ତାନ ଭାରତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ପୁଂଛ ଜିଲ୍ଲା ମେଣ୍ଢରରେ ୧୧.୩୦ରେ ପାକିସ୍ତାନ ମୋର୍ଟାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial