ଜମି ପାଇଁ ଶ୍ରୀଲିଙ୍ଗରାଜ ଖାଡ଼ା ଉପାସ:ଜଗନ୍ନାଥଙ୍କ ପାଇଁ ବହୁ ଚିନ୍ତା, ଲିଙ୍ଗରାଜଙ୍କ ପାଇଁ କିଛି ନାହିଁ

ପୁରୁଣା ଭୁବନେଶ୍ୱର: ଜମି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର। ହେଲେ ସେ ଜମିର ମାଲିକାନାକୁ ନେଇ ଆଜି ବିବାଦ ଏମିତି ଉଗ୍ର ରୂପ ନେଇଛି ଯେ, ପ୍ରଭୁ ଲିଙ୍ଗରାଜଙ୍କୁ ଦିନତମାମ୍ ଖାଡ଼ା ଉପାସ ପକାଇ ଦିଆଗଲା। ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରଶାସନର ଅପାରଗତାର ଫାଇଦା ନେଇ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଆଜି ଶ୍ରୀ ଲିଙ୍ଗରାଜଙ୍କ ସବୁ ନୀତିକାନ୍ତି ବନ୍ଦ କରିଦେଇଥିଲେ ହେଁ ପ୍ରଶାସନ କେବଳ ନିରବଦ୍ରଷ୍ଟା ସାଜିଛି। ପ୍ରଭୁ ଲିଙ୍ଗରାଜ ଖାଡ଼ା ଉପାସରେ ମନ୍ଦିରରେ ଥିଲେ ହେଁ ରାଜ୍ୟ ସରକାର ବି ଏହାର ସମାଧାନ ନେଇ ଟିକେ ବି ଚିନ୍ତା ନକରିବା ସମସ୍ତଙ୍କୁ ଚକିତ କରିଛି। ପୁରୀ ପାଇଁ ଯେଉଁ ରାଜ୍ୟ ସରକାର ଏତେ ତନାଘନା କରୁଛନ୍ତି ସେ ଯେ, ପ୍ରଭୁ ଲିଙ୍ଗରାଜଙ୍କ କ୍ଷେତ୍ରରେ ଏମିତି ନିରବ ରହିପାରନ୍ତି ତାହା ଆଜି ଲକ୍ଷ ଲକ୍ଷ ‌ଭକ୍ତଙ୍କୁ ଦେଖାଇ ଦେଇଛନ୍ତି। ଜବରଦଖଲରେ ଥିବା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ବହୁ ମୂଲ୍ୟବାନ ଜମିକୁ ଫେରାଇ ଆଣିବା ପାଇଁ ପ୍ରଶାସନ କିଛି ପଦକ୍ଷେପ ନେଉନଥିବା ଅଭିଯୋଗ କରି ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଆଜି ନୀତି କରିନାହାନ୍ତି। ଫଳରେ ଆଜି ସକାଳୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ସବୁ ନୀତିକାନ୍ତି ବନ୍ଦ ରହିଛି। ସକାଳ ୮ଟାରୁ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପ୍ରଭୁ ଲିଙ୍ଗରାଜ ଉପବାସରେ ରହିଛନ୍ତି। ଆଜି ଅବଢ଼ା ବାହାରି ନଥିବା ବେଳେ ଶ୍ରଦ୍ଧାଳୁ ଠାକୁରଙ୍କୁ ଦର୍ଶନ କରିଛନ୍ତି। ଏପଟେ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ କହିଛନ୍ତି ଯେ, ପଦକ୍ଷେପ ନିଆଯିବ। ହେଲେ କେତବେଳେ ପଦକ୍ଷେପ ନେବେ ତାକୁ ଭକ୍ତମାନେ ଅପେକ୍ଷା କରିଛନ୍ତି।
ଅଭିଯୋଗ ଅନୁଯାୟୀ, ସାମନ୍ତରାପୁର ଛକ ନିକଟସ୍ଥ ଗଙ୍ଗୁଆ ନାଳ ନିକଟରେ ରହିଛି ମହାପ୍ରଭୁଙ୍କର ୨ଏକର ୨୬୩ ଡେସିମିଲ ଜମି। ନୂଆଗାଁ ମୌଜାର ଖାତା ନଂ-୪୩୭, ପ୍ଲଟ ନଂ- ୧୧୮, ଚକ ନଂ ୮୧ରେ ରାସ୍ତା କଡ଼ରେ ଥିବା ଏହି ଜମିରେ ଏବେ ତିଆରି ଚାଲିଛି ୧୬ଟି ଦୋକାନ ଘର। ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତି ଭୋଗଦଖଲ ପାଇଥିବା କିଛି ସେବାୟତ ଏହାକୁ ଜବରଦଖଲ କରି ଏଥିରେ ଦୋକାନ ଘର ନିର୍ମାଣ କରୁଥିବା ନେଇ ସେବାୟତମାନେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ମନ୍ଦିର ପ୍ରଶାସନ ଉକ୍ତ ବହୁ ମୂଲ୍ୟ ସମ୍ପତ୍ତି ଜବରଦଖଲକାରୀଙ୍କଠାରୁ ମୁକ୍ତ କରିବା ପାଇଁ ଅତିରିକ୍ତ ଡିସିପି ତଥା ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଗତ ଜୁଲାଇ ୨୯ତାରିଖରେ ଅତିରିକ୍ତ ଡିସିପି ନୂଆଗାଁ ମୌଜାର ଉକ୍ତ ଜମିରେ ନିର୍ମାଣାଧୀନ କୋଠା କାର୍ଯ୍ୟ ବନ୍ଦ କରିବା ଲାଗି ସେଠାରେ ୧୪୪ ଧାରା ଜାରି କରିଥିଲେ। ପରବର୍ତ୍ତୀ ନିର୍ଦେଶ ନମିଳିବା ପର୍ଯ୍ୟନ୍ତ ଶ୍ରୀଲିଙ୍ଗରାଜ ଏବଂ ଧଉଳି ଥାନା ଅଧିକାରୀଙ୍କୁ ଉକ୍ତ ଜମି ଉପରେ ସ୍ଥିତାବସ୍ଥା ବଜାୟ ରଖିବା ଲାଗି ନିର୍ଦେଶ ଦେଇଥିଲେ। ଉକ୍ତ ଜମି ଉପରେ ଶାନ୍ତି ବଜାୟ ରଖିବା ଲାଗି ମଧ୍ୟ ପୁଲିସକୁ ନିର୍ଦେଶ ଦେଇଥିଲେ।
ତେବେ ଅଜଣା କାରଣବଶତଃ ଅଗଷ୍ଟ ୨୯ତାରିଖରେ ସେଠାରୁ ୧୪୪ଧାରା ଉଠିଯାଇଥିଲା। ଯାହାର ଫାଇଦା ନେଇ ବଡ଼ୁ ନିଯୋଗର କିଛି ସଦସ୍ୟ ପୁଣି ବେଆଇନ ନିର୍ମାଣ ଆରମ୍ଭ କରିଥିଲେ। ପୁଲିସର ଅସହଯୋଗ ଯୋଗୁଁ ପୁଣି ନିର୍ମାଣ ଆରମ୍ଭ ହେବାରୁ ଯଦି ଏହି ଜମିରେ ନିର୍ମାଣ କାର୍ଯ୍ୟ ବନ୍ଦ ନହୁଏ ଏବଂ ପ୍ରଶାସନ ପଦକ୍ଷେପ ନ ନିଏ ତେବେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ସେବା ପୂଜାରେ ଅସହଯୋଗ କରିବେ ବୋଲି ଚିଠି ଲେଖି ମନ୍ଦିର କାର୍ଯ୍ୟନିର୍ବହୀ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ ଓ ଦେବୋତ୍ତର ବିଭାଗକୁ ଜଣାଇଥିଲେ। ହେଲେ ସମସ୍ତେ ନିରବ ରହିଗଲେ। ପୁଣି ରାତାରାତି ଦୋକାନ ଘର ତିଆରି ଆରମ୍ଭ ହୋଇଥିଲା। ଏନେଇ ଗତ ୧ତାରିଖରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଉକ୍ତ ସ୍ଥାନକୁ ଯାଇ ତଦନ୍ତ କରିବା ବେଳେ ତାଙ୍କୁ କିଛି ଯୁବକ ଧମକ ଦେଇଥିଲେ। ଏନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସ‌ାହୁ ଧଉଳି ଥାନାରେ ମଧ୍ୟ ଅଭିଯୋଗ କରିଥିଲେ। ତେବେ ଆଜି ପୂର୍ବାହ୍ନରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ସାହାଣମେଲା ପରେ ମଙ୍ଗଳ ଆଳତି ଓ ଅବକାଶ ନୀତି ଶେଷ ହେବା ପରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ସେବା କାର୍ଯ୍ୟରେ ଅସହଯୋଗ କରିଥିଲେ। ଫଳରେ ରୋଷ ହୋମଠାରୁ ସମସ୍ତ ନୀତି ବନ୍ଦ ରହିଥିଲା। ଠାକୁର ଉପବାସରେ ରହିବା ଯୋଗୁଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।
ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ କୁହାଯାଇଛି ଯେ, ପୂର୍ବ ଘୋଷଣା ଅନୁଯାୟୀ ଠାକୁରଙ୍କ ଜମିରେ ଯଦି ନିର୍ମାଣ କରାଯାଏ ଓ ପ୍ରଶାସନ ପଦକ୍ଷେପ ନ ନିଏ ତାହାଲେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ସେବା ପୂଜାରେ ଅସହଯୋଗ କରି‌େବ ବୋଲି ଚିଠି ଲେଖା ଯାଇଥିଲା। ତେବେ ଏନେଇ କିଛି ପଦକ୍ଷେପ ନିଆଗଲାନି। ତେଣୁ ଆମେ ନୀତି ବନ୍ଦ କଲୁ। ଏପଟେ ଠାକୁରଙ୍କ ନୀତି ବନ୍ଦ ପରେ ମଧ୍ୟାହ୍ନ ୧୨ଟାରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବ୍ରାହ୍ମଣ ନିଯୋଗର ସମ୍ପାଦକ ଓ ପୂଜାପଣ୍ଡା ନିଯୋଗର ସମ୍ପାଦକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ରାଜି ହୋଇନଥିଲେ। ପରେ ଦେବୋତ୍ତର ବିଭାଗ ଡିଆଇ ଆସି ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁଇ ସେବାୟତ ନିଯୋଗ ରାଜି ହୋଇନଥି‌ଲେ। ଜବରଦଖଲ ଜମିରେ କାର୍ଯ୍ୟ ବନ୍ଦ ସହ ଏହାର ପୁନରୁଦ୍ଧାର କରିବାକୁ ସେମାନେ ଦାବି କରିଥିଲେ। ହେଲେ ଏହି ବାବୁମାନେ ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ ହେଲା କି ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇପାରିଲେନି। ଯେଉଁଥିପାଇଁ ପ୍ରଭୁ ଲିଙ୍ଗରାଜ ଉପାସ ପଡ଼ିଗଲେ।

Share Now:

Kalinga News Beuro

Leave a Reply

Next Post

ବିଜେପି ଶାସିତ ଗୁଜୁରାଟ ସରକାର ନିଜ ରାଜ୍ୟରେ କାର୍ଯ୍ୟକାରୀ କଲେ ନାହିଁ ନୂତନ ମୋଟରଯାନ ଆଇନ

Thu Sep 5 , 2019
ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ୱାରା ସଂସଦରେ ସଂଶୋଧିତ ହୋଇଥିବା ନୂତନ ମୋଟରଯାନ ଆଇନ୍‌କୁ ଗତ ସେପ୍ଟେମ୍ବର ୧ ତାରିଖ ଠାରୁ ଦେଶର ପ୍ରାୟ ସବୁ ରାଜ୍ୟ କାର୍ଯ୍ୟକାରୀ କରିଥିବା ବେଳେ ଦେଶର ୪ଟି ଅଣ ବିଜେପି ଶାସିତ ରାଜ୍ୟ ପଞ୍ଜାବ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ରାଜସ୍ଥାନର ରାଜ୍ୟ ସରକାରମାନେ ସେମାନଙ୍କ ରାଜ୍ୟରେ ଏହି ନୂତନ ଆଇନ୍‌କୁ କାର୍ଯ୍ୟକାରୀ କରି ନଥିଲେ। ନୂତନ ସଂଶୋଧିତ ମୋଟରଯାନ ଆଇନ (୨୦୧୯)ରେ ଟ୍ରାଫିକ୍‌ ନିୟମ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial