ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଏକଦିବସୀୟ କ୍ରିକେଟ ମ୍ୟାଚ୍‌ ପାଇଁ ପୁଲିସର ପ୍ରସ୍ତୁତି : ୫ରୁ ଅନ୍‌ଲାଇନ୍‌, ୧୯ରୁ କାଉଣ୍ଟରରେ ଟିକେଟ ବିକ୍ରି

ଟିକେଟ୍‌ରେ ରହିବ ଡିସିପିଙ୍କ ଦସ୍ତଖତ, ଲାଗିବ ୧୮ପ୍ରତିଶତ ଜିଏସ୍‌ଟି

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଏକଦିବସୀୟ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଆଜି କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଓଡ଼ିଶା କ୍ରି‌କେଟ୍‌ ଆସୋସିଏସନ କର୍ମକର୍ତ୍ତାଙ୍କ ସହ କମିସନରେଟ୍‌ ପୁଲିସର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ସୁରକ୍ଷା ଓ ଶୃଙ୍ଖଳାକୁ ନେଇ ଆଲୋଚନା କରିଥିଲେ।
ଏଥର ୪୦ହଜାର ଟିକେଟ ବିକ୍ରି ହେବା ସମ୍ଭାବନା ରହିଛି। ଡିସେମ୍ବର ୫ରୁ ଅନ୍‌ଲାଇନରେ ଟିକେଟ୍‌ ଉପଲବ୍ଧ ହେବ ଏବଂ ୧୯ରୁ ଅଫଲାଇନ ଅର୍ଥାତ୍‌ ସ୍ୱତନ୍ତ୍ର କାଉଣ୍ଟରରେ ଟିକେଟ୍‌ ବିକ୍ରି ହେବ। ଭିଡ଼କୁ ଏଡ଼ାଇବା ପାଇଁ ଅଧିକ କାଉଣ୍ଟର ଖୋଲିବା ପାଇଁ ଓସିଏକୁ ପରାମର୍ଶ ଦିଆଯାଇଛି। ପ୍ରଥମ ଥର ପାଇଁ ଟିକେଟ୍‌ରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗିବାକୁ ଯାଉଥିବାରୁ ଟିକଟ ଦର ବଢ଼ିବା ଥୟ ହୋଇଛି। ଅନ୍ୟପଟେ ଟିକେଟ୍‌ ଜାଲି ଓ ବ୍ୟାପକ ବିଶୃଙ୍ଖଳା ହେଉଥିବାରୁ ଟିକେଟ୍‌ରେ ଡିସିପିଙ୍କ ଦସ୍ତଖତ ରଖିବା ପାଇଁ ନିଷ୍ପତ୍ତି ହୋଇଛି। ବାରବାଟୀରେ ୨୦୧୫ ମସିହାରେ ଦକ୍ଷିଣ ଆଫ୍ରିକା ସହ ହୋଇଥିବା ୨୦-୨୦ ମ୍ୟାଚ୍‌ରେ ବିଶୃଙ୍ଖଳା ସାରା ବିଶ୍ୱରେ ଓଡ଼ିଶାକୁ ନିନ୍ଦିତ କରିଥିଲା। ଏହାପରେ ୨୦୧୭ ମସିହାରେ ଶେଷ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ୨ ବର୍ଷ ପରେ ଏହି ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଅନ୍ୟପଟେ ନିକଟ ଅତୀତରେ ବିଶ୍ୱକପ୍‌ ହକି ଆୟୋଜନରେ ମିଳିଥିବା ବିପୁଳ ସଫଳତା ରାଜ୍ୟକୁ ଗର୍ବିତ କରିଛି। ତେଣୁ ସଫଳତାର ସହ ଆୟୋଜନର ଧାରାକୁ ବଜାୟ ରଖିବା ପାଇଁ କମିସନରେଟ୍‌ ପୁଲିସ ଉଦ୍ୟମ କରିବ। ଏହାକୁ ସେହି ହକି ବିଶ୍ୱକପ୍ ସ୍ତରରେ ଆୟୋଜନ କରିବା ଏକ ଆହ୍ବାନ ବୋଲି ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ଲୋକେ ଖେଳ ଦେଖିବା ବେଳେ ସାଧାରଣତଃ ପାଣି, ଟଏଲେଟ, ଡଷ୍ଟବିନ ସମସ୍ୟା ଦେଖା ଯାଇଥାଏ। ଏଣୁ ଏଥର ଏଗୁଡ଼ିକ ଉପରେ ବି‌ଶେଷ ଧ୍ୟାନ ଦିଆଯାଇଛି। ଏହି ସମୟରେ ଖାଦ୍ୟ ଦର ଉପରେ ନିୟନ୍ତ୍ରଣ ରହୁ ନ ଥିବାରୁ ଏଥର କ‌େତେକ ପ୍ରସିଦ୍ଧ ସଂସ୍ଥାଙ୍କୁ ଖାଦ୍ୟ ବିକ୍ରିର ସୁଯୋଗ ଦିଆଯିବ। ସେମାନେ ଧାର୍ଯ୍ୟ ଦର ନେବେ ଓ ଖାଦ୍ୟର ଗୁଣବତ୍ତା ବଜାୟ ରହିବ। ଅଧିକ ଦର ଅଭିଯୋଗ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିଷ୍ପତ୍ତି ହୋଇଛି। ଖେଳାଳି ଓ କର୍ମକର୍ତ୍ତାମାନେ ଭୁବନେଶ୍ୱର ମେ ଫେୟାର ଓ ଅନ୍ୟାନ୍ୟ ହୋଟେଲରେ ରହିବେ। ଖେଳାଳିମାନେ ରହିବା ସମୟରେ ସେମାନଙ୍କର ନିରାପତ୍ତା ଦାୟିତ୍ୱରେ ଭୁବନେଶ୍ୱର ଡିସିପି ରହିବେ। ଷ୍ଟାଡିୟମ ଶୃଙ୍ଖଳା ଦାୟିତ୍ୱରେ କଟକ ଡିସିପି ଓ ଟ୍ରାଫିକ ଶୃଙ୍ଖଳା ଦାୟିତ୍ୱରେ ଟ୍ରାଫିକ ଡିସିପି ରହିବେ ବୋଲି ଘୋଷଣା କରାଯାଇଛି। ଆବଶ୍ୟକ ମୁତାବକ ପୁଲିସ ଫୋର୍ସ ଏହି ସବୁ ସୁରକ୍ଷା ପାଇଁ ଯୋଗାଇ ଦିଆଯିବ ବୋଲି କମିସନର କହିଛନ୍ତି।
ଏ ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, ବିଭିନ୍ନ ସମୟରେ ମ୍ୟାଚ ଟିକେଟ୍‌କୁ ନେଇ ବିଶୃଙ୍ଖଳା ହେବା ନଜିର ରହିଛି। ତୃତୀୟ ପକ୍ଷ ଏହାକୁ ରାଜ୍ୟ ବାହାରେ ତିଆରି କରିଥାଏ। ବେଳେ ବେଳେ ଷ୍ଟାଡିୟମରେ ସିଟ୍‌ଠାରୁ ଅଧିକା ଟିକେଟ୍‌ ଆସି ଯାଇଥାଏ। ଏଣୁ ସମସ୍ୟା ହୋଇଥାଏ। ଷ୍ଟାଡିୟମରେ ଜାଗା ନଥିବାରୁ ଦର୍ଶକ ହଟହଟା ହୋଇଥାନ୍ତି। ଏଣୁ ଏଥିପାଇଁ ଏଥର ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଛି। ଖାଦ୍ୟ ଦରକୁ ନେଇ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ଟିକେଟ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁଥିବାରୁ ଟିକେଟ ଦର ବଢ଼ିବ। ଏହା ପରେ ସମୟ ସମୟରେ ପ୍ରସ୍ତୁତି ବୈଠକ ବସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଡିସିପି ଅନୁପ ସାହୁ, କଟକ ଡିସିପି ଅଖିଳେଶ୍ୱର ସିଂହ, ଟ୍ରାଫିକ୍‌ ଡିସିପି ସାଗରିକା ନାଥ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

Share Now:

Kalinga News Beuro

Leave a Reply

Next Post

ଓଡ଼ିଶା ହାତରୁ ଖସିଗଲାଣି ସୀମାନ୍ତ ଗାଁ : ଆନ୍ଧ୍ର କବ୍‌ଜାରେ ଜୁମଡ଼ାଙ୍ଗ

Sun Nov 17 , 2019
ମୌଳିକ ସୁବିଧା ଯୋଗାଉଛି ଆନ୍ଧ୍ର ମାଲକାନଗିରି : କୋରାପୁଟ ଜିଲ୍ଲାର କୋଟିଆ ଭଳି ମାଲକାନଗିରି ଜିଲ୍ଲାର ଜୁମଡ଼ାଙ୍ଗକୁ ନିଜ ଅକ୍ତିଆରକୁ ନେଇ ସାରିଲାଣି ଆନ୍ଧ୍ର। ଚିତ୍ରକୋଣ୍ଡା ବ୍ଲକ ଧୂଳିପୁଟ ପଞ୍ଚାୟତର ଏହି ସୀମାନ୍ତ ଗାଁ ଏବେ କେବଳ କାଗଜପତ୍ରରେ ଓଡ଼ିଶା ଅଧୀନରେ ରହିଛି। ଓଡ଼ିଶା ସରକାରଙ୍କ ଯୋଜନାର କୌଣସି ଚିହ୍ନବର୍ଣ୍ଣ ଏଠାରେ ନଥିବା ବେଳେ ଆନ୍ଧ୍ରର ସବୁ ଯୋଜନା କାର୍ଯ୍ୟକାରୀ ହୋଇଥିବା ଦେଖିବାକୁ ମିଳୁଛି। ଏମିତି ଷଡ଼ଯନ୍ତ୍ର କରାଯାଇଛି ଯେ, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial