ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ, ଏହି ବିଦ୍ୟାଳୟ ଥିଲା ମୋ ଯଶୋଦା ମା’: ଦ୍ରୌପଦୀ ମୁର୍ମୁ

ମ୍ୟାଟ୍ରନ ଶାନ୍ତିଲତାଙ୍କୁ ମନେ ପକାଇଲେ ରାଜ୍ୟପାଳ

ଭୁବନେଶ୍ୱର: ଶିକ୍ଷା ଚେତନାକୁ ଜାଗ୍ରତ କରେ। ନିଜକୁ ନିଜ ସହ ପରିଚିତ କରାଏ। ଆମକୁ ବିଚାର କରିବାର ଶକ୍ତି ଦିଏ, ପୁଣି ସ୍ୱାଧୀନ ବି କରାଏ। ମଣିଷ ଜୀବନରେ ଶିକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଆଜି ୟୁନିଟ୍‌-୨ ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ରାଜ୍ୟପାଳ ପ୍ର‌ଫେସର ଲାଲ୍‌। ସେ ଆହୁରି କହିଛନ୍ତି, ଜଳ ଯଦି ସ୍ଥିର ରୁହେ, ତେବେ ସେଥିରେ ଜୀବାଣୁ ବଂଶ ବୃଦ୍ଧି ହୁଏ ଓ ଜଳ ପଚି ଗନ୍ଧାଏ। କିନ୍ତୁ ଯଦି ନଦୀ ବହୁ ବାଧାବିଘ୍ନ ସତ୍ୱେ ସ୍ଥିର ନ ରହି ଆଗକୁ ବଢ଼ିଚାଲେ ତେବେ ସେ ବିଶାଳ ସାଗର ସହ ମିଳନର ସୌଭାଗ୍ୟ ଅର୍ଜନ କରେ। ଅର୍ଥାତ ସ୍ଥିର ରହିବା ଅର୍ଥ ମୃତ୍ୟୁ। ଚାଲିବାର ଅନ୍ୟ ନାମ ହିଁ ଜୀବନ। ଜୀବନରେ ବହୁ ବାଧାବିଘ୍ନ ସତ୍ୱେ ନିଜକୁ ସମ୍ଭାଳି ଆଗକୁ ବଢ଼ି ଚାଲିବାର ଅନ୍ୟ ନାମ ଜୀବନ।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୁରାତନ ଛାତ୍ରୀ ତଥା ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ୧୯୭୦ରୁ ୧୯୭୪ ମସିହାର ବିଦ୍ୟାଳୟ ସମୟର ତାଙ୍କ ଅନୁଭୂତି ଓ ସ୍ମୃତିକୁ ମନେ ପକାଇଥିଲେ। ସେ କହିଥିଲେ, ମୟୂରଭଞ୍ଜ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀରୁ ଆସି ରାଜଧାନୀରେ ରହିବା ମୋ ପାଇଁ ସହଜ ନଥିଲା। ଏହି ବିଦ୍ୟାଳୟ ଓ ମୋ ଶିକ୍ଷୟିତ୍ରୀମାନେ ସେ ସମୟରେ ମୋତେ ଜୀବନ ଜିଇଁବାର କଳା ଓ ବଞ୍ଚି ରହିବା ଶିଖାଇଥିଲେ। ଏହି ସ୍କୁଲ ଥିଲା ମୋ ଯଶୋଦା ମା’ ସଦୃଶ। ସେ ସମୟର ହଷ୍ଟେଲର ମ୍ୟାଟ୍ରନ୍‌ ଶାନ୍ତିଲତା ଗୋଚ୍ଛାୟତଙ୍କୁ ସେ ମନେ ପକାଇବା ସହ ତାଙ୍କୁ ଜୀବନ ଜିଇଁବାର କଳା ଶିଖାଇଥିବାରୁ ଧନ୍ୟବାଦ ଜଣାଇଥି‌ଲେ। କେମିତି କଥା କୁହାଯାଏ, ଭଲ ବ୍ୟବହାର ଦେଖାଯାଏ ଓ କେମିତି ବାହାରେ ରହିବାକୁ ପଡ଼େ ସେ ସବୁ ଶାନ୍ତି ଅପା ମତେ ଶିଖାଇଥିଲା ବୋଲି ସେ କହିଥିଲେ। ଏଥିସହ ସେ ବିଦ୍ୟାଳୟର ଛାତ୍ରୀମାନଙ୍କୁ ଶିକ୍ଷାର ମହତ୍ତ୍ବ ବିଷୟରେ ବୁଝାଇଥିଲେ। ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଛୁ ଭା‌ବି ସଙ୍କୋଚ ନ କରି ନିଜର କଠିନ ଅଧ୍ୟବ୍ୟସାୟ ଓ ପରିଶ୍ରମ ବଳରେ ସଫଳତା ହାସଲ କରିବାକୁ ଉପଦେଶ ଦେଇଥିଲେ। ଏଥିସହ ପୋଥିଗତ ଜ୍ଞାନ ସହ ବ୍ୟାବହାରିକ ଜ୍ଞାନ ଉପରେ ସମଭାବେ ଗୁରୁତ୍ୱାରୋପ ଦେବାକୁ ସେ କହିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ଥିଲେ। ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ରୀ ରାଜ୍ୟପାଳ ଶ୍ରୀମତୀ ମୁର୍ମୁଙ୍କ ସମେତ ମାଡ୍ରାସ ଆଇଆଇଟି ପ୍ରଫେସର ଅର୍ଚ୍ଚିତା ପଟ୍ଟନାୟକ, ପଦ୍ମଶ୍ରୀ ଅରୁଣା ମହାନ୍ତି, ମହିଳା କରାଟେ ଖେଳାଳି ଭାଲେନା ଭାଲେଣ୍ଟିନା, ଭାରତୀୟ ମହିଳା ଫୁଟବଲ୍‌ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଫୁଟବଲ୍‌ ଦଳର ସଦସ୍ୟା ରଞ୍ଜିତା ମହାନ୍ତି, କବାଡ଼ି ଖେଳାଳି ସସ୍ମିତା ଦାସ ପ୍ରମୁଖ ବିଦ୍ୟାଳୟର ପୁରାତନ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୁରାତନ ଛାତ୍ରୀ ସଂଘର ସମ୍ପାଦିକା ସୁଚିତ୍ରା ସାମଲ ସ୍ୱାଗତ ଭାଷଣ ଦେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଜୁଲି ମଙ୍ଗରାଜ ଧନ୍ୟବାଦ ଦେଇଥି‌ଲେ।

Share Now:

Kalinga News Beuro

Leave a Reply

Next Post

ଶହ ଶହ ବେକାରଙ୍କୁ ଲୁଟିଛି ‘ସୁରଧାନୀ’ ସଂସ୍ଥା

Tue Nov 26 , 2019
କେବଳ ନୟାଗଡ଼ ନୁହେଁ, ଖୋର୍ଦ୍ଧା ଜିଲ୍ଲାରେ ବି ଠକେଇ, ଟାଉନ ଥାନାରେ ବାଣପୁରର ୧୮ ଯୁବକଙ୍କ ଏତଲା, ଠକେଇର ପରିମାଣ ୩ କୋଟିରୁ ଅଧିକ ହୋଇପାରେ ନୟାଗଡ଼ : ନୟାଗଡ଼ର ଖଣ୍ଡପଡ଼ା ରୋଡ୍‌ ଲକ୍ଷ୍ମଣନଗରରେ ଅବସ୍ଥିତ ସୁରଧାନୀ ଟ୍ରାଭେଲିଂ ଏଜେନ୍ସି କେବଳ ନୟାଗଡ଼ ଜିଲ୍ଲାରେ ନୁହେଁ, ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଠକେଇ କରିଥିବା ଜଣାଯାଇଛି। ରଣପୁରରେ ଠକେଇର ଶିକାର ‌ହୋଇଥିବା ୧୮ ଜଣ ଯୁବକ ଗତ ୨୧ ତାରିଖରେ ରଣପୁର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial