ଟ୍ରାଫିକ ନିୟମ କୋହଳ ସମୟସୀମା ୩ ମାସ ବଢ଼ିଲା:ବିଧାନସଭାରେ ଘୋଷଣା କଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଗାଡ଼ି କାଗଜପତ୍ର ଠିକ କରିପାରି ନଥିବା ଅଥବା ଡ୍ରାଇଭିଂ ଲାଇସେନ୍ସ ନ ଥିବା ବ୍ୟକ୍ତିଙ୍କୁ ମିଳିଛି ଆଶ୍ବସ୍ତି। ରାଜ୍ୟର ବିଭିନ୍ନ ଆରଟିଓ ଅଫିସରେ ଲୋକଙ୍କର ପ୍ରବଳ ଭିଡ ଓ ସେମାନେ ସାମ୍ନା କରୁଥିବା ଅସୁବିଧାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ଟ୍ରାଫିକ ନିୟମ ଲାଗୁ କ୍ଷେତ୍ରରେ କୋହଳ ସମୟସୀମାକୁ ଆଉ ତିନି ମାସ ବୃଦ୍ଧି କରିଛନ୍ତି। ଆଜି ବିଧାନସଭାରେ ଦଳ ନିର୍ବିଶେଷରେ ବିଧାୟକମାନେ ସାଧାରଣ ଲୋକ ସାମ୍ନା କରୁଥିବା ଅସୁବିଧା ସଂପର୍କରେ ପରିବହନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଲୋକଙ୍କୁ ଆଉ କିଛି ସମୟ ଦେବା ଲାଗି ଦାବି ଜଣାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଜାରି ଥିବା ନୂଆ ଟ୍ରାଫିକ ନିୟମ କୋହଳ ସମୟସୀମାକୁ ଆଉ ୩ ମାସ ବଢ଼ାଇବା ଲାଗି ସ୍ବୀକୃତି ଦେଇଛନ୍ତି। ବିଧାନସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ଏହି ଘୋଷଣା କରିଛନ୍ତି। ଫଳରେ ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଥିବା କାଗଜପତ୍ର ଯାଞ୍ଚ ତିନି ମାସ ଘୁଞ୍ଚିଯାଇଛି।
ନୂଆ ମୋଟରଯାନ ଆଇନ କୋହଳ ସମୟସୀମା ୩ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆସନ୍ତା ୧ରୁ ଟ୍ରାଫିକ ନିୟମ କଡାକଡି ଭାବେ ଲାଗୁ କରାଯିବ ବୋଲି କୁହାଯାଉଥିବା ବେଳେ ଗୁରୁବାର ବିଧାନସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ୩ମାସ ପାଇଁ ଟ୍ରାଫିକ୍‌ କୋହଳ ସମୟସୀମା ବଢ଼ିଥିବା ସୂଚନା ଦେଇଛନ୍ତି। ତେବେ କେବଳ ଗାଡ଼ି ଲାଇସେନ୍ସ ଓ କାଗଜପତ୍ର ପ୍ରସ୍ତୁତି ପାଇଁ ଏହି ସମୟସୀମାକୁ ବୃଦ୍ଧି କରାଯାଇଛି। ଆରଟିଓ ଅଫିସରେ ଗାଡ଼ି କାଗଜପତ୍ର ପ୍ରସ୍ତୁତ କରିବା ଲାଗି ଲୋକେ ହଟହଟା ହେଉଥିବାର ଖବର ବିଧାନସଭାରେ ଉଠିବା ପରେ ମୁଖ୍ୟମନ୍ତ୍ରୀ ଏଭଳି ସମୟସୀମାକୁ ବୃଦ୍ଧି କରି ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି ଦେଇଛନ୍ତି। ନଭେମ୍ବର ୩୦ ସୁଦ୍ଧା ସମୟସୀମା ସରୁଥିବାରୁ ଆରଟିଓ ଅଫିସ ଆଗରେ ଲାଇସେନ୍‌ସ, ରେଜିଷ୍ଟ୍ରେସନ ଓ ଗାଡିର ଅନ୍ୟାନ୍ୟ କାଗଜପତ୍ର ପାଇଁ ଗାଡ଼ି ଚାଳକଙ୍କ ଲମ୍ବା ଲାଇନ ଲାଗୁଥିଲା। ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଏହି ଘୋଷଣା ଏକ ଭଲ ଖବର ବୋଲି କୁହାଯାଉଥିବା ବେଳେ ଯେଉଁ ଲୋକମାନେ ଏଯାବତ ଗାଡ଼ିର କାଗଜପତ୍ର ପ୍ରସ୍ତୁତ କରି ନାହାନ୍ତି ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ସମୟ ମିଳି ଯାଇଛି। ଏହାପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ ଓ ଗାଡି କାଗଜପତ୍ର ପାଇଁ ଲୋକେ ହଟହଟା ହେଉଥିବା କଥା ବିଧାନସଭାରେ ଉଠାଇଥିଲେ ବିଧାୟକ ଦେବୀ ପ୍ରସାଦ ମିଶ୍ର । ଆନୁଷଙ୍ଗିକ ବ୍ୟବସ୍ଥା ଅଭାବରୁ ଲୋକେ ହନ୍ତସନ୍ତ ହେଉଥିବାରୁ ପୁନଃବିଚାର କରି ଅଧିକ ସମୟ ଦେବାପାଇଁ ଦାବି କରିଥିଲେ ବିଧାୟକ । ଆଉ ଦେବୀଙ୍କ ସହ ସ୍ୱର ମିଳାଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସେ କହିଥି‌ଲେ, ପରିବହନ ବିଭାଗରେ କର୍ମଚାରୀଙ୍କ ଘୋର ଅଭାବ । ଜନସାଧାରଣ ଗାଡ଼ି କାଗଜପତ୍ର ପାଇଁ ହଇରାଣ ହେଉଛନ୍ତି । ତେଣୁ କୋହଳ ଅବଧି ବଢାଯିବ କି ନାହିଁ ମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ ବୋଲି ଦାବି କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।
ତାରା ଓ ଦେବୀଙ୍କ ପରେ ଗାଡି କାଗଜପତ୍ର ପାଇଁ ଅବଧି ବଢ଼ାଇବାକୁ ବାଚସ୍ପତିଙ୍କୁ ହାତ ଯୋଡ଼ି ଅନୁରୋଧ କରିଥିଲେ ପ୍ରଦୀପ ମହାରଥୀ । ୩ ମାସ ଡ୍ରାଇଭିଂ ଲାଇସେନ୍ସ ଓ କାଗଜ ପତ୍ର ଯାଞ୍ଚର ଅବଧି ବୃଦ୍ଧି କରାଯାଉ ବୋଲି ବାଚସ୍ପତିଙ୍କୁ ହାତ ଯୋଡ଼ି ନିବେଦନ କରିଥିଲେ ପ୍ରଦୀପ ।ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବର ମାସ ୧ ତାରିଖରୁ ସାରା ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହୋଇଥିଲା। ଉଭୟ ପୁଲିସ ଓ ପରିବହନ ବିଭାଗ ଗାଡ଼ି ଯାଞ୍ଚ କଡ଼ାକଡ଼ି କରିବା ପରେ ଏ ନେଇ ସବୁ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସେପ୍ଟେମ୍ବର ୭ ତାରିଖରେ ଭୁବନେଶ୍ବର ରାଜମହଲ ଛକରେ ଏହି ଘଟଣାକୁ ନେଇ ପୁଲିସ-ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଏହା ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଥିଲା। ଗାଡ଼ି ଯାଞ୍ଚ ଓ ମୋଟା ଅଙ୍କର ଜରିମାନା ଆଦାୟ ନେଇ ସାଧାରଣ ଲୋକଙ୍କ ଅସନ୍ତୋଷ ସରକାର ବିରୋଧରେ ଜନମତ ତୀବ୍ର କରିବାରୁ ଶେଷରେ ସରକାର ଏହି ପ୍ରକ୍ରିୟାକୁ ୩ମାସ ପାଇଁ କୋହଳ କରିଥିଲେ।

Share Now:

Kalinga News Beuro

Leave a Reply

Next Post

ବିଶିଷ୍ଟ ତବଲାବାଦକ ରାଧାକାନ୍ତ ନନ୍ଦଙ୍କ ପରଲୋକ

Sun Dec 1 , 2019
ଭୁବନେଶ୍ୱର: ଓଡ଼ିଶାର ସୁପ୍ରସିଦ୍ଧ ତବଲାବାଦକ ତଥା ସଙ୍ଗୀତ ନିର୍ଦ୍ଦେଶକ ରାଧାକାନ୍ତ ନନ୍ଦ ଆଉ ନାହାନ୍ତି। ସେ ‘ହରିବୋଲ’ ନାଆଁରେ ଓଡ଼ିଶା ସଙ୍ଗୀତ ଜଗତରେ ପରିଚିତ ଥିଲେ। ଶନିବାର କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ରାଧାକାନ୍ତ ନନ୍ଦ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ଗତକାଲି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ କଟକର ଏକ ଘରୋଇ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial