ଫାଶୀ ପାଇବେ ନିର୍ଭୟା ଦୁଷ୍କର୍ମକାରୀ: ସୁପ୍ରିମକୋର୍ଟରେ ଦୋଷୀ ଅକ୍ଷୟର ପୁନର୍ବିଚାର ଆବେଦନ ଖାରଜ

ନୂଆଦିଲ୍ଲୀ: ବହୁର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀଦଣ୍ଡ ପାଇଥିବା ଅକ୍ଷୟ କୁମାର ସିଂର ପୁନର୍ବିଚାର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଅଶୋକ ଭୁଷଣ, ଜଷ୍ଟିସ ଇନ୍ଦୁମତିି ଓ ଜଷ୍ଟିସ ଏ.ଏସ.ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ ପୁନର୍ବିଚାର ଆବେଦନକୁ ଗ୍ରହଣ କରିବା ଭଳି କୌଣସି ଆଧାର ଆମର ଦୃଷ୍ଟିଗୋଚର ହେଲା ନାହିଁ। ନିଜର ପୁନର୍ବିଚାର ଆବେଦନରେ ଅକ୍ଷୟ ଦର୍ଶାଇଥିଲା ଯେ ଦିଲ୍ଲୀର ପ୍ରଦୂଷଣ କାରଣରୁ ସେ ଆପେ ଆପେ ମରିଯିବ, ମୃତ୍ୟୁଦଣ୍ଡର ଆବଶ୍ୟକତା ନାହିଁ । ସେହିପରି ମୃତ୍ୟୁଦଣ୍ଡ ଏକ ପୁରୁଣାକାଳିଆ ଦଣ୍ଡ ବ୍ୟବସ୍ଥା ହୋଇଥିବା କାରଣରୁ ଭାରତରେ ଫାଶୀଦଣ୍ଡ ଉଚ୍ଛେଦ ହେବା ଉଚିତ । ମାତ୍ର ଏହି ଉଦ୍ଭଟ ଯୁକ୍ତିକୁ ନାକଚ କରିଦେଇଥିଲେ ସର୍ବୋଚ୍ଚ ଅଦାଲତ। ଫଳରେ ଏହି ମାମଲାର ଆବେଦନକାରୀ ଅକ୍ଷୟ ସିଂ ସହ ଅନ୍ୟ ୩ ଦୁଷ୍କର୍ମକାରୀ ପବନ ଗୁପ୍ତା, ବିନୟ ଶର୍ମା ଓ ମୁକେଶ ସିଂହ ଫାଶୀ ପାଇବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ବୁଧବାର ପୂର୍ବାହ୍ଣ ସାଢେ ୧୦ଟା ବେଳେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ଅକ୍ଷୟ କୁମାର ସିଂର ପୁନର୍ବିଚାର ଆବେଦନର ଶୁଣାଣି ଆରମ୍ଭ ହୋଇଥିଲା। ଗତକାଲି ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବଡ଼େ ଏଥିପାଇଁ ଗଠିତ ବେଞ୍ଚରୁ ନିଜକୁ ପ୍ରତ୍ୟାହାର କରିବା ପରେ ଜଷ୍ଟିସ ଅଶୋକ ଭୁଷଣ, ଜଷ୍ଟିସ ଇନ୍ଦୁମତିି ଓ ଜଷ୍ଟିସ ଏ.ଏସ.ବୋପାନ୍ନାଙ୍କୁ ନେଇ ଗଠିତ ନୂତନ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଦୁଇପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବା ପରେ ମଧ୍ୟାହ୍ଣ ୧ଟାରେ ରାୟ ପ୍ରକାଶ କରିବେ ବୋଲି ଘେ‌ାଷଣା କରିଥିଲେ ଖଣ୍ଡପୀଠ। ଅବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ଏ.ପି.ସିଂ ଯୁକ୍ତି ଉପସ୍ଥାପନ କରିଥିବା ବେଳେ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ପକ୍ଷ ରଖିଥିଲେ। ଏହାପରେ ମଧ୍ୟାହ୍ଣ ୧.୧୦ ମିନିଟ୍ ସମୟରେ ପୁନର୍ବିଚାର ଅ‌ାବେଦନ ଖାରଜ ହୋଇଛି ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ପାରାମେଡ଼ିକାଲ ଛାତ୍ରୀ ନିର୍ଭୟାଙ୍କୁ ଏକ ଚଳନ୍ତା ବସରେ ଗଣ-ଦୁଷ୍କର୍ମ କରାଯିବା ସହ ଅମାନୁଷିକ ନିର୍ଯ୍ୟାତନା ଦିଆଯାଇଥିଲା । ୬ ଜଣ ବ୍ୟକ୍ତି ଏହି କାଣ୍ଡ ଘଟାଇବା ପରେ ତାଙ୍କୁ ମୁମୁର୍ଷୁ ଅବସ୍ଥାରେ ଚଳନ୍ତା ବସରୁ ଫିଙ୍ଗିଦେଇଥିଲେ। ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ନିର୍ଭୟା, ସେହିବର୍ଷ ଡିସେମ୍ବର ୨୯ରେ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସପିଟାଲରେ ମୃତ୍ୟୁବରଣ କରିଥିଲେ ।
ଏହି ଘଟଣାରେ ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ରାମ ସିଂ ତିହାର ଜେଲରେ ଆତ୍ମହତ୍ୟା କରିଥିଲା । ଆଉ ଜଣେ ଅଭିଯୁକ୍ତ ନାବାଳକ ହୋଇଥିବାରୁ ତାକୁ ଏକ ବାଳ ସୁଧାର ଗୃହକୁ ପଠାଇଦିଆଯାଇଥିଲା । ୨୦୧୩, ସେପ୍ଟେମ୍ବର ୧୩ରେ ଦିଲ୍ଲୀର ଏକ ଫାଷ୍ଟଟ୍ରାକ୍‌ କୋର୍ଟ ଏହି ୪ ଅଭିଯୁକ୍ତମାନଙ୍କୁ ଦୋଷୀ ଘୋଷଣା କରିବା ସହ ମୃତ୍ୟୁଦଣ୍ଡ ଦେଇଥିଲେ । ୫ ମେ, ୨୦୧୭ରେ ସୁପ୍ରିମକୋର୍ଟ ଏହି ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ । ସେହିବର୍ଷ ନଭେମ୍ବର ୧୩ରେ ଦୋଷୀମାନେ ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ କରିଥିଲେ । ଗତ ବର୍ଷ ଜୁଲାଇ ମାସରେ ସୁପ୍ରିମକୋର୍ଟ ଦୋଷୀମାନଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଥିଲେ ।

Share Now:

Kalinga News Beuro

Leave a Reply

Next Post

ରାଜଧାନୀରେ ରାତିଅଧରେ ଘରେ ପଶି ପିଟିଲା ପୁଲିସ: ସିସିଟିଭିରେ କଏଦ୍‌ ହେଲା ଦୃଶ୍ୟ

Wed Dec 18 , 2019
ଭୁବନେଶ୍ୱର: ଲୋୟର୍‌ ପିଏମଜିରେ ଆନ୍ଦୋଳନରତ ଶିକ୍ଷକଙ୍କୁ କ୍ୟାପିଟାଲ ଥାନା ଇନ୍ସପେକ୍ଟରଙ୍କ ଠିଆ ଗୋଇଠାର ଦୃଶ୍ୟକୁ ନେଇ ଚର୍ଚ୍ଚା ନ ଥମୁଣୁ, ଏବେ ଆଉ ଜଣେ ପୁଲିସ ବାବୁଙ୍କ ଦାଦାଗିରି ସାମ୍ନାକୁ ଆସିଛି। କବାଟ ଖୋଲିବାରେ ବିଳମ୍ବ ହେବାରୁ ରାତି ଅଧିଆ ଗେଟ୍‌ ଡେଇଁ ଏକ ଘରୋଇ ଅଫିସ୍‌ରେ ପଶି କର୍ମଚାରୀଙ୍କୁ ନିର୍ଧୂମ୍‌ ମାଡ଼ ମାରିଛନ୍ତି। ସେତିକିରେ ବାବୁଙ୍କ ରାଗ ଶାନ୍ତ ହୋଇନି, ସେଠାରୁ ଖଣ୍ଡଗିରି ଥାନାକୁ ଆଣି ହାଜତ ଭିତରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial