କମୁଛି ଉତ୍କଳ ବିଶ୍ୱବିଦ୍ୟାଳୟ ଜମି : ୪୦ ଏକର ଫେରିବ କେବେ?

କୁଳାଧିପତିଙ୍କ ତନାଘନା ପରେ ବି ଫେରିଲାନି ଜମି, କୁଳପତିଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ଫେରିବ ତ, ଜବରଦଖଲ ନ ହଟିଲେ ପାଚେରି ବୁଲିବ କେମିତି

ଭୁବନେଶ୍ୱର : କମୁଛି ଉତ୍କଳ ବିଶ୍ୱବିଦ୍ୟାଳୟ ଜମି। ୧୯୫୮ ମସିହାରେ ୩୯୮.୯୮ ଏକର ଜମିରେ ପ୍ରତିଷ୍ଠା ହୋଇଥିବା ଏହି ବିଶ୍ୱବିଦ୍ୟାଳୟର ଜମିରୁ ୪୦ଏକର ମିଳୁନାହିଁ। ବିଶ୍ୱବିଦ୍ୟାଳୟ କାଗଜପତ୍ରରେ ୩୯୮.୯୮ ଏକର ବୋଲି ଉଲ୍ଲେଖ ଥିବା ବେଳେ ରାଜସ୍ୱ ବିଭାଗର ଭୂ-ଲେଖରେ ୩୫୯ ଏକର ଜମି ଥିବା ଉଲ୍ଲେଖ ହୋଇଛି। ୨୦୧୮ରେ ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସବୁସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା। ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ହେବା ସହ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ବି ଜମି ଗାଏବ ନେଇ ତନାଘନା କରିଥିଲେ। ତେବେ କିଛି ଦିନ ପରେ ସମସ୍ତେ ଚୁପ୍‌ ହୋଇଯାଇଛନ୍ତି। କେହି ବି ଜମି ବାବଦରେ ଆଲୋଚନା ହିଁ କରୁନାହାନ୍ତି। ଗୋଟିଏ ପଟେ ଧୂମ୍‌ଧାମରେ ପ୍ଲାଟିନମ୍‌ ଜୁବୁଲି ପାଳନ ହଉଥିବା ବେଳେ ଅନ୍ୟପଟେ ବିଶ୍ୱବିଦ୍ୟାଳୟର ୪୦ ଏକର ଜମି କେବେ ଫେରିବ ତାହା କେହି ଚିନ୍ତା କରୁନାହାନ୍ତି। ୨୦୧୮ରେ ବିଧାନସଭାରେ କୁହାଯାଇଥିଲା ଯେ ବିଶ୍ୱବିଦ୍ୟାଳୟର ୩୦ ଏକର ଜମି ଜବରଦଖଲରେ ରହିଛି। ପଥରବନ୍ଧ ବସ୍ତି ନିକଟରେ ୧୫ଏକର, ଉତ୍ତର ପାର୍ଶ୍ୱ ତଥା ଲକ୍ଷ୍ମୀବିହାର ଅଞ୍ଚଳରେ ୮ ଏକର ଏବଂ ଦକ୍ଷିଣ ପାର୍ଶ୍ୱ ତଥା ଜାତୀୟ ରାଜପଥ-୧୬ ନିକଟରେ ୭ ଏକର ଜମି ଜବରଦଖଲ ହୋଇଛି। ବସ୍ତିବାସିନ୍ଦା, ସାଧାରଣ ଲୋକେ ଦୀର୍ଘ ବର୍ଷ ଧରି ଏହି ଜମିକୁ ମାଡ଼ି ବସିଛନ୍ତି। ଏଭଳି ତଥ୍ୟ ମିଳିବା ପରେ ବି ଜମିରୁ ଜବରଦଖଲ ହଟାଗଲା ନାହିଁ କି ପୁନରୁଦ୍ଧାର ହେଲା ନାହିଁ। ଅନ୍ୟପକ୍ଷରେ କୁଳପତି ପରେ କୁଳପତି ବଦଳୁଛନ୍ତି। କ୍ୟାମ୍ପସର ଜମି ଚିହ୍ନଟ କରି ପାଚେରି ବୁଲାଇବାକୁ ବି ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ଏଭଳି ପ୍ରତିଶ୍ରୁତି ଭିତରେ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ ଖାତାକୁ ଫେରିପାରୁନି ଜବରଦଖଲ ଜମି। ବର୍ତମାନର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ କ୍ଷେତ୍ରରେ ବି ସମାନ ଅବସ୍ଥା ହେବାକୁ ଯାଉଛି। ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆଉ ୭ ମାସ ବାକି ରହିଥିଲେ ମଧ୍ୟ ଜମି ଫେରାଇ ଆଣିବା ଦିଗରେ କୌଣସି ବି ପଦକ୍ଷେପ ନେଇ ପାରିନାହାନ୍ତି। ଏପରିକି କିଛି ମାସ ପୂର୍ବେ ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କ୍ୟାମ୍ପସକୁ ଅଚାନକ ଗସ୍ତ କରିବା ସମୟରେ ଜମି ବାବଦରେ ତନାଘନା କରିଥିଲେ। ‌ଜମି ଜବରଦଖଲମୁକ୍ତ କରିବା ସହ ପାଚେରି ବୁଲାଇବାକୁ ପରାମର୍ଶ ଦେଇଥିଲେ। କିନ୍ତୁ କିଛି ବି ସୁଫଳ ମିଳିଲା ନାହିଁ। ଯେମିତିକୁ ସେମିତି ୪୦ ଏକରରୁ ଅଧିକ ଜମି ଏବେ ବି ଉଭାନ୍‌ ହୋଇ ରହିଛି। ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ବର୍ଷରେ କ୍ୟାମ୍ପସ ପାଚେରି ମରାମତି ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପାଖାପାଖି ୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଅର୍ଥରେ ଭାଙ୍ଗି ପଡ଼ିଥିବା ପାଚେରି ମରାମତି କରାଯିବାକୁ ସ୍ଥିର ହୋଇଛି। ତେବେ ପାଚେରି କେମିତି ବୁଲିବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଏବେ ବି ୬ରୁ ଅଧିକ ବସ୍ତି କ୍ୟାମ୍ପସ ଜମିକୁ ମାଡ଼ି ବସିଛନ୍ତି ଏବଂ ଧୀରେ ଧୀରେ ପତିଆରା ମେଲାଇ ଚାଲିଛନ୍ତି। ସେମାନଙ୍କୁ ହଟାଇବା ଦିଗରେ ଆଜି ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ କିଛି ବି ପଦକ୍ଷେପ ନେଇନାହାନ୍ତି। ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଯଦି ପାଚେରି ମରାମତି କରିବେ, ତେବେ କେଉଁ ଆଧାରରେ କରିବେ। ହଜି ଯାଇଥିବା ଜମିକୁ ଫେରାଇ ଆଣି ପାଚେରି ବୁଲାଇବେ ନା ଜବରଦଖଲ ଜମିକୁ ଛାଡ଼ି ପାଚେରି ବୁଲାଇବେ। ଯଦି ବସ୍ତି ଛାଡ଼ି ପାଚେରି ବୁଲାନ୍ତି ତେବେ ବିଶ୍ୱବିଦ୍ୟାଳୟ ୬୦ଏକରରୁ ଅଧିକ ଜମି ହରାଇବା ଏକପ୍ରକାର ଥୟ।
ବଡ଼ କଥା ହେଉଛି ଯେ ନିକଟ ଅତୀତରେ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉତ୍ସବ ଜାକଜମକର ସହ ଶେଷ ହେଲା। ରାଷ୍ଟ୍ରପତିଙ୍କଠାରୁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ, ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ‌ହେଲେ କେହି ବି ଜଣେ ଜମି ବାବଦରେ ମୁହଁ ଖୋଲିଲେ ନାହିଁ। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପଟ୍ଟନାୟକ ବି ଏନେଇ କାହା ସହ ଆଲୋଚନା କଲେନି କି ଦାବି ଜଣାଇଲେନି। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଅଧା ମାସ ଏଠାରେ ଡେରା ପକାଇଥିଲେ ମଧ୍ୟ ‌ଜମି ଫେରିବା ବାବଦ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ। କୁଳପତି ପ୍ରଫେସର ପଟ୍ଟନାୟକ କହିଥିଲେ ଜମି କମିଥିବା ନେଇ ରାଜସ୍ୱ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି। ଜବରଦଖଲ ହଟାଇବା ଏବଂ ୩୯୯ ଏକର ଜମି ଚିହ୍ନଟ ପାଇଁ ବିଏମ୍‌ସି ଓ ବିଡିଏକୁ ଅନୁରୋଧ କରାଯାଇଛି। ମନ୍ତ୍ରୀ ଓ କୁଳପତିଙ୍କ ଏଭଳି ଉତ୍ତର ପରେ ବିଶ୍ୱବିଦ୍ୟାଳୟ ଜମି ଫେରିବା ନେଇ ଆନିଶ୍ଚିତତା ଦେଖାଦେଇଛି।

Share Now:

Kalinga News Beuro

Leave a Reply

Next Post

ପୁଣି ଲଜ୍ଜା :ମାଲକାନଗିରିରେ ଶିଶୁକନ୍ୟାକୁ ଝୁଣି ଖାଇଲା କୁକୁର

Fri Dec 20 , 2019
ମାଲକାନଗିରି: ଗତକାଲି ବିଳମ୍ବିତ ରାତ୍ରିରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରୁ ଗୋଡ଼ ନଥିବା ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ନବଜାତ ଶିଶୁକନ୍ୟାଟି କାହାର ଏବଂ କେଉଁଭଳି ପରିସ୍ଥିତିରେ ଏହି ଶିଶୁକନ୍ୟାଟି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ପହଞ୍ଚିଲା, ସେଠାରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ,ଗତକାଲି ବିଳମ୍ବିତ ରାତ୍ରିରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଏକ ନବଜାତ ଶିଶୁକନ୍ୟାର ମୃତଦେହ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial