ଉନ୍ନାଓ ଦୁଷ୍କର୍ମ ମାମଲା : ବିଧାୟକ ସେଙ୍ଗରଙ୍କୁ ଆଜୀବନ ଜେଲ୍‌

୨୫ ଲକ୍ଷ ଜରିମାନା; ପୀଡ଼ିତାଙ୍କ ମା‌’ଙ୍କୁ ୧୦ ଲକ୍ଷର ଅତିରିକ୍ତ ସହାୟତା, ଲୋକପ୍ରତିନିଧି ହୋଇ ସେଙ୍ଗର ଲୋକଙ୍କ ସହ ବିଶ୍ୱାସଘାତ କରିଛନ୍ତି

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ଦିଲ୍ଲୀର ତିସ୍‌ହଜାରି କୋର୍ଟ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ଜିଲ୍ଲା ଜଜ୍‌ ଧର୍ମେଶ ଶର୍ମା ସେଙ୍ଗରଙ୍କୁ ୨୫ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ କରିଛନ୍ତି। ଏହି ଅର୍ଥ ୧ ମାସ ମଧ୍ୟରେ ଜମା କରିବାକୁ ସେଙ୍ଗରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ଦୁଷ୍କର୍ମ ପୀଡ଼ିତାଙ୍କ ମା’ଙ୍କୁ ୧୦ ଲକ୍ଷ ଟଙ୍କା ଅତିରିକ୍ତ ସହାୟତା ପ୍ରଦାନ କରିବାକୁ ଏବଂ ପୀଡ଼ିତାଙ୍କ ପରିବାର ସଦସ୍ୟ ରହୁଥିବା ଭଡ଼ା ଘର ବାବଦକୁ ପ୍ରତିମାସରେ ୧୫ ହଜାର ଟଙ୍କା ପୈଠ କରିବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ମହିଳା କମିସନ ଦ୍ୱାରା ଉପଲବ୍ଧ କରାଯାଇଥିବା ଏହି ଭଡ଼ା ଘରେ ପୀଡ଼ିତାଙ୍କ ପରିବାର ୧ ବର୍ଷ ପର୍ଯ୍ୟନ୍ତ ରହିବେ। ଅନ୍ୟପକ୍ଷରେ ପୀଡ଼ିତା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଆବଶ୍ୟକ ସୁରକ୍ଷା ତୁରନ୍ତ ଉପଲବ୍ଧ କରାଇବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଜୀବନ ପ୍ରତି କିଭଳି ବିପଦ ଆଶଙ୍କା ରହିଛି ସେ ବାବଦରେ ପ୍ରତି ତିନି ମାସରେ ଥରେ ସମୀକ୍ଷା କରି ତଦନୁଯାୟୀ ପଦକ୍ଷେପ ନିଆଯିବ ବୋଲି ବିଚାରପତି ସ୍ପଷ୍ଟ କରିଛନ୍ତି। ଉନ୍ନାଓ ମାମଲାରେ କୋର୍ଟ ବିଧାୟକଙ୍କ ମୋବାଇଲ୍‌ ଅବସ୍ଥିତିକୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବେ ଗ୍ରହଣ କରିଛନ୍ତି। ପୀଡ଼ିତାଙ୍କୁ ଶଶି ସିଂହ ନାମକ ବ୍ୟକ୍ତି ବିଧାୟକ ସେଙ୍ଗରଙ୍କ ନିକଟକୁ ନେଇଥିବା ସ୍ପଷ୍ଟ ହୋଇଯାଇଛି ବୋଲି ଅଦାଲତ କହିଛନ୍ତି। ଆଜି ଦଣ୍ଡାଦେଶ ଘୋଷଣା କଲାବେଳେ ବିଚାରପତି କହିଥିଲେ ଯେ କୁଲଦୀପ ସେଙ୍ଗର ଜଣେ ଶକ୍ତିଶାଳୀ ବ୍ୟକ୍ତି ଏବଂ ପୀଡ଼ିତାଙ୍କୁ ଡରାଇବା ଓ ଧମକାଇବା ପାଇଁ ସେ ଗୋଟିଏ ପରେ ଗୋଟିଏ ଅପରାଧ କରିଛନ୍ତି। ତାଙ୍କ ପ୍ରତି ନରମ ଆଭିମୁଖ୍ୟ ଦେଖାଇବା ଲାଗି କୌଣସି କାରଣ ନାହିଁ। ସେ ଜଣେ ଲୋକ ପ୍ରତିନିଧି ଥିଲେ, କିନ୍ତୁ ଲୋକଙ୍କ ସହିତ ସେ ବିଶ୍ୱାସଘାତ କରିଛନ୍ତି ବୋଲି ଅଦାଲତ କହିଛନ୍ତି। ଉନ୍ନାଓ କାଣ୍ଡର ଗୋଟିଏ ମାମଲାରେ ଆଜି ଅଦାଲତ ରାୟ ଆସିଥିବା ବେଳେ ଅନ୍ୟ ୪ଟି ମାମଲାରେ ରାୟ ଆସିବାକୁ ବାକି ଅଛି।
ଉଲ୍ଲେଖଯୋଗ୍ୟ ଯେ ଉତ୍ତର ପ୍ରଦେଶର ବାଙ୍ଗରମଉ ବିଧାନସଭା ଆସନରୁ ୪ ଥର ବିଧାୟକ ନିର୍ବାଚିତ ହୋଇଥିବା ସେଙ୍ଗର ୨୦୧୭ରେ ୧୭ ବର୍ଷୀୟା ପୀଡ଼ିତାଙ୍କୁ ଅପହରଣ କରିବା ପରେ ଦୁଷ୍କର୍ମ କରିଥିଲେ। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ସାରା ଦେଶରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିଲା। ତେବେ ଏ ନେଇ ପୀଡ଼ିତାଙ୍କ ପରିବାର ମାମଲା ରୁଜୁ କରିବା ପରେ ପୂରା ପରିବାର ଉପରେ ମଧ୍ୟ ଭୟଙ୍କର ଜୁଲମ ଆରମ୍ଭ ହୋଇଥିଲା। ଏହି ପ୍ରଭାବଶାଳୀ ବିଧାୟକଙ୍କ ଚାପରେ ପୁଲିସ ମଧ୍ୟ ଠିକ୍ ଭାବେ ମାମଲାର ତଦନ୍ତ କରି ନ ଥିଲା ଏବଂ ବିଧାୟକଙ୍କୁ ମାମଲାରୁ ଖସାଇବା ଲାଗି ଉଦ୍ୟମ କରିଥିଲା ବୋଲି ଅଭିଯୋଗ ହୋଇ ନ ଥିଲା। ପୁଲିସ ହେପାଜତରେ ଥିବାବେଳେ ତାଙ୍କ ପିତାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଦୁଇ ବର୍ଷ ପରେ ଚଳିତ ବର୍ଷ ସିବିଆଇ ଏହି ମାମଲାର ତଦନ୍ତ ଆରମ୍ଭ କରି ସେଙ୍ଗର ବିରୋଧରେ ଦୁଷ୍କର୍ମର ପ୍ରମାଣ ପାଇଥିଲା। ତେବେ ଏହାପରେ ପ୍ରମାଣ ନଷ୍ଟ କରିବାକୁ ସେଙ୍ଗର ଅଧିକ ପ୍ରତିହିଂସା ପରାୟଣ ହୋଇ ଉଠିଥିଲେ। ଚଳିତ ବର୍ଷ ଜୁଲାଇ ୨୮ରେ ପୀଡ଼ିତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇଥିଲା। ପୀଡ଼ିତା ତାଙ୍କ ଓକିଲ ଓ ୨ ସଂପର୍କୀୟାଙ୍କ ସହ କୋର୍ଟକୁ ଆସୁଥିବାବେଳେ ତାଙ୍କ କାର୍‌କୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଏଥିରେ ପୀଡ଼ିତାଙ୍କ ୨ ଜଣ ସଂପର୍କୀୟାଙ୍କ ମୃତ୍ୟୁ ଘଟିଥିବା ବେଳେ ପୀଡ଼ିତା ଏବଂ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିଲେ। ସିବିଆଇ ଦୁଷ୍କର୍ମ ମାମଲାର ଚାର୍ଜସିଟ୍ ଦାଖଲ କରିବା ପରେ ଗତ ମଙ୍ଗଳବାର ଦିନ ଦିଲ୍ଲୀର ତିସ୍‌ହଜାରି କୋର୍ଟ ବିଧାୟକ ସେଙ୍ଗରଙ୍କୁ ଆଇପିସିର ଧାରା ୩୭୬, ୫ (ସି) ଏବଂ ପୋକ୍‌ସୋ ଆଇନ ଅଧୀନରେ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଆଜି ରାୟ ପ୍ରକାଶ କରିଥିଲେ।

Share Now:

Kalinga News Beuro

Leave a Reply

Next Post

୫ଟି ପର୍ଯ୍ୟାୟରେ ହେବ ବିଜେଡି ସାଂଗଠନିକ ନିର୍ବାଚନ, ଡିସେମ୍ବର ୨୬ରୁ ଆରମ୍ଭ ହୋଇ ଫେବ୍ରୁଆରି ୨୬ ସୁଦ୍ଧା ସରିବ

Sat Dec 21 , 2019
ଭୁବନେଶ୍ୱର: ବିଜୁ ଜନତା ଦଳ ସାଂଗଠନିକ ନିର୍ବାଚନ ପାଞ୍ଚଟି ପର୍ଯ୍ୟାୟରେ ହେବ। ଆସନ୍ତା ଡିସେମ୍ବର ୨୬ରୁ ଆରମ୍ଭ ହେବ ଓ ୨୦୨୦ ଫେବ୍ରୁଆରି ୨୬ ମଧ୍ୟରେ ଶେଷ ହେବ। ବିଜୁ ଜନତା ଦଳ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଆଜି ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେବା ସହିତ କହିଛନ୍ତି, ଇତିମଧ୍ୟରେ ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତି ପ୍ରକ୍ରିୟା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial