ଟ୍ରଫି ଦେଲା ବାରବାଟୀ : ୱେଷ୍ଟ ଇଣ୍ଡିଜ୍‌କୁ ୪ ୱିକେଟରେ ହରାଇ ଭାରତର ଶୃଙ୍ଖଳା ବିଜୟ

କଟକ: ବିରାଟଙ୍କ ବ୍ୟାଟ୍‌ରୁ ଏକ ବଡ଼ ପାଳି ଦେଖିବା ଲାଗି ବାରବାଟୀ ଦର୍ଶକ ୮ ବର୍ଷ ହେବ ଉତ୍ସାହ ଓ ଉତ୍କଣ୍ଠାର ସହ ଚାହିଁ ବସିଥିଲେ। ଶେଷରେ ସେମାନଙ୍କର ଏହି ଆଶା ପୂରଣ ହୋଇଛି। ପୂର୍ବରୁ ବାରବାଟୀରେ ଖେଳିଥିବା ୪ ପାଳିରୁ ମାତ୍ର ୩୪ ରନ୍ କରିଥିବା କୋହଲି ଆଜି ୮୫ ରନ୍‌ର ବିରାଟ ପାଳି ଖେଳି ସମସ୍ତଙ୍କ ମନ ଜିତିନେଇଛନ୍ତି। ତାଙ୍କ ଦାଇତ୍ୱବାନ ପାଳି ବଳରେ ହିଁ ଭାରତ ରବିବାର ବାରବାଟୀର ଶୃଙ୍ଖଳାର ନିର୍ଣ୍ଣାୟକ ମୁକାବିଲାକୁ ୪ ୱିକେଟରେ ଜିତି ନେଇଛି। ତା’ ସହ ୨-୧ରେ ଶୃଙ୍ଖଳା ବିଜୟୀ ହେବାର ଗୌରବ ଅର୍ଜନ କରିଛି।
ଗୋଟିଏ ଦିନରେ ୬୦୦ରୁ ଅଧିକ ରନ୍ ଦେଖିବାର ସୁଯୋଗ ବାରବାଟୀ ଦର୍ଶକ ପାଇଛନ୍ତି। ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ଦୃଢ଼ ମୂଳଦୁଆ ପକାଇବା ପରେ ମିନି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଭାରତ। ହେଲେ କଟକରେ କୋହଲିଙ୍କ ପ୍ରଥମ ଅର୍ଧଶତକ ସହ ରବୀନ୍ଦ୍ର ଜାଦେଜାଙ୍କ ଉପଯୋଗୀ ପାଳି ଏବଂ ସାର୍ଦୁଲ ଠାକୁରଙ୍କ ଧୂଆଁଧାର ୧୭ ରନ୍ ସହାୟତାରେ ଶୃଙ୍ଖଳା ବିଜୟ ପାଇଛି। ୱେଷ୍ଟଇଣ୍ଡିଜ୍ ଧାର୍ଯ୍ୟ କରିଥିବା ୩୧୬ ରନ୍‌ର ବିଶାଳ ଲକ୍ଷ୍ୟକୁ ୪୮.୪ ଓଭରରେ ହାସଲ କରି ବାରବାଟୀରେ ନୂଆ କୀର୍ତ୍ତିମାନ ମଧ୍ୟ ସ୍ଥାପନ କରିଛି ଭାରତ।
ଏଠାରେ କୌଣସି ଦଳ ୨୭୧ରୁ ଅଧିକ ରନ୍‌ର ପିଛା କରି ନଥିଲା ବେଳେ ଭାରତ ୩୦୦ରୁ ଅଧିକ ରନ୍‌ର ପିଛା କରି ୮ ବଲ୍ ପୂର୍ବରୁ ଏହାକୁ ହାସଲ କରିଛି। ସେହିଭଳି ଘରୋଇ ଆଧିପତ୍ୟକୁ ଅତୁଟ ରଖି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଲଗାତର ଦଶମ ଶୃଙ୍ଖଳା ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ତିନି ଟିକିଆ ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଗୋଟିଏ ମ୍ୟାଚ୍‌ ଜିତିଥିବାରୁ ବାରବାଟୀରେ ତୃତୀୟ ତଥା ଶେଷ ଲଢ଼େଇ ବେଶ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଥିଲା। ତାହା ହିଁ ଘଟିଲା। ଶେଷ ପର୍ଯ୍ୟନ୍ତ ଦୁଇ ଦଳ ‌ଜୋରଦାର ଲଢ଼େଇ କରିଥିଲେ। ହେଲେ ଭାରତ ଶେଷରେ ବାଜି ମାରି ନେଇଥିଲା। କୋହଲି କୋହଲି ଡାକରେ ଷ୍ଟାଡିୟମ ଫାଟି ପଡ଼ିବା ସହ ବାରବାଟୀରେ ଶୁଣା ଯାଇଥିଲା ଭାରତ ବିଜୟର ଶଙ୍ଖନାଦ। ସେହିଭଳି ଡିସେମ୍ବର ୨୫ର ବଡ଼ ଦିନ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ପ୍ରଶଂସକଙ୍କୁ ଦେଇଥିଲା ଶୃଙ୍ଖଳା ବିଜୟ ଉପହାର। ବାରବାଟୀରେ ଭାରତର ଏହା ଥିଲା ଲଗାତାର ସପ୍ତମ ଏବଂ ମୋଟ ଉପରେ ତ୍ରୟୋଦଶ ବିଜୟ।
ବୃହତ୍ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ସେଲଡନ୍ କଟ୍ରେଲଙ୍କ ପ୍ରଥମ ଓଭରକୁ ମେଡେନ୍ ଯିବାକୁ ଦେଇଥିଲା। ଦ୍ଵିତୀୟ ଓଭରରୁ କିନ୍ତୁ ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍ ରୋହିତ ଶର୍ମା (୬୩) ଓ ଲୋକେଶ ରାହୁଲ (୭୭) ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ। ଏହି ଦୁଇ ଜଣଙ୍କ ଦ୍ରୁତ ଓ ଦାଇତ୍ୱବାନ ବ୍ୟାଟିଂ ପାଇଁ ଭାରତ ୧୬ତମ ଓଭରରେ ତିନି ଅଙ୍କ ଛୁଇଁଥିଲା। ରାହୁଲ ୪୯ ବଲ୍‌ରୁ ୭ ‌ଚୌକା ସହାୟତାରେ ଏବଂ ‌ତା’ ପରେ ରୋହିତ ୫୨ ବଲ୍‌ରୁ ୬ ଚୌକା ଏବଂ ଗୋଟିଏ ଛକା ବଳରେ ଅର୍ଧଶତକ ପୂରଣ କରିଥିଲେ। ୨୧.୨ ଓଭରରେ ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ଜାସନ ହୋଲ୍ଡର କିନ୍ତୁ ଯୋଡ଼ି ଭାଙ୍ଗିଥିଲେ। ବଲ୍ ଆଶାଠାରୁ ଅଧିକ ଉଚ୍ଛାଳ ନେବା ପରେ ଏହା ରୋହିତଙ୍କ ବ୍ୟାଟ୍‌ରେ ବାଜି ୱିକେଟ୍‌ରକ୍ଷକ ସାଇ ହୋପଙ୍କ ହାତକୁ ଚାଲି ଯାଇଥିଲା। ତେବେ ୨୦୧୧ରେ ବାରବାଟୀରେ ନିଜ ପ୍ରଥମ ଅର୍ଧଶତକ ଅର୍ଜନ କରିଥିବା ରୋହିତ ଏଠାରେ ବ୍ୟକ୍ତିଗତ ଭାବେ ଦ୍ଵିତୀୟ ଅର୍ଧଶତକ ଅର୍ଜନ କରି ନେଇଥିଲେ। ରୋହିତ-ରାହୁଲ ପ୍ରଥମ ୱିକେଟରେ ୧୨୨ ରନ୍ ଯୋଡ଼ିଥିଲେ। ଏହା ମଧ୍ୟ ଚଳିତ ବର୍ଷ ଭାରତର ଅଷ୍ଟମ ଶତକୀୟ ପ୍ରଥମ ୱିକେଟ୍ ଭାଗୀଦାରି ଥିଲା।

Share Now:

Kalinga News Beuro

Leave a Reply

Next Post

ଇ-ବିପାସ୍‌ ପ୍ରହସନ : ନାଁକୁ ଅନଲାଇନ୍, ସବୁ ଅଫଲାଇନ୍

Mon Dec 23 , 2019
ତିନି ଦିନ କହୁଥିଲେ, ତିନି ମାସରେ ମିଳୁନି, ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ ସଂସ୍ଥା ଫେଲ୍‌ ମାରିଥିଲା, ହନିୱେଲ୍‌ ବି ଫେଲ୍‌ ଭୁବନେଶ୍ୱର : ବିଏମ୍‌ସି କି ବିଡିଏ ଅଧୀନରେ ଯେଉଁମାନେ ଘର ନିର୍ମାଣ କରିବାକୁ ଚାହିଁବେ ସେମାନଙ୍କୁ ଆଉ ପ୍ଲାନ୍ ଅନୁମୋଦନ କରିବାକୁ ମାସ ମାସ ଅପେକ୍ଷା କରିବାକୁ ପଡ଼ିବନି। ଅନଲାଇନ୍‌ରେ ପ୍ଲାନ୍ ଆବେଦନ କଲେ, ସବୁ ଡକୁମେଣ୍ଟ ଠିକ୍‌ ଥିଲେ ତିନି ଦିନରେ ପ୍ଲାନ୍‌ ଅନୁମୋଦନ ହୋଇଯିବ। ଏହିଭଳି ବ୍ୟବସ୍ଥା ଡିସେମ୍ବର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial