ଏସ୍‌ପ୍ଲାନେଡ୍‌ର ଦାଦାଗିରି : ପାର୍କିଂ ଫି ଆଦ‌ାୟ ସଂକ୍ରାନ୍ତ ଖବର ସଂଗ୍ରହ କରିବାରୁ ସାମ୍ବାଦିକାଙ୍କୁ ଆକ୍ରମଣ

ଅଟକାଇ ରଖିଲେ, ପୁଲିସ ଉଦ୍ଧାର କଲା

ଭୁବନେଶ୍ୱର : ବେଆଇନ ପ‌ାର୍କିଂ ଫି’ ଆଦାୟକୁ ନେଇ ବିବାଦରେ ଥିବା ଏସ୍‌ପ୍ଲାନେଡ୍‌ ମଲ୍‌ କର୍ମଚ‌ାରୀଙ୍କ ଦାଦାଗିରି ଆଜି ଦେଖିବାକୁ ମିଳିଛି। ମଲ୍‌ରେ ପାର୍କିଂ ଫି’ ଆଦାୟ ହେଉଥିବାରୁ ଏହି ଘଟଣାର ଖବର ସଂଗ୍ରହ ପାଇଁ ଯାଇଥିବା ଏକ ଘରୋଇ ୱେବ୍‌ ଚାନେଲ୍‌ର ମହିଳା ସାମ୍ବାଦିକ ଓ କ୍ୟାମେରାମ୍ୟାନ୍‌ଙ୍କୁ କାର୍ଯ୍ୟରତ ସୁରକ୍ଷାକର୍ମୀ ଆକ୍ରମଣ କରିଥିବା ଅଭି‌ଯୋଗ ହୋଇଛି। କେବଳ ଆକ୍ରମଣ ହୋଇନାହିଁ ବରଂ ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଉଭୟଙ୍କୁ ମଲ୍‌ ଭିତରେ ବନ୍ଦ କରି ରଖିଥିଲେ। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ମଲ୍‌ଗୁଡ଼ିକରେ ପାର୍କିଂ ଫି ଆଦାୟ ଉପରେ କଟକଣା ଜାରି କରିଛି। ଏହା ସତ୍ତ୍ବେ ଏସ୍‌ପ୍ଲାନେଡ୍‌ ତିନିଦିନ ଧରି ପାର୍କିଂ ଫି ଆଦାୟ କରୁଛି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ତନାଘନା ହୋଇଥିଲା। କିନ୍ତୁ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ମଲ୍‌କୁ ଆସୁଥିବା ଗ୍ରାହକ ଶୋଷଣର ଶିକାର ହୋଇ ଆସୁଛନ୍ତି। ଏହି ଘଟଣାକୁ ନେଇ ସମ୍ପୃକ୍ତ ଚାନେଲ୍‌ ପକ୍ଷରୁ ଖବର ସଂଗ୍ରହ ବେଳେ ଏହି ଅଘଟଣ ଘଟିଥିଲା। ଏହି କାରଣରୁ ଦୀର୍ଘ ସମୟ ଧରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଆଜି ସନ୍ଧ୍ୟାରେ ମହିଳା ସାମ୍ବାଦିକ ଖବର ସଂଗ୍ରହ କରୁଥିବା ବେଳେ ସୁରକ୍ଷା କର୍ମୀ ବିରୋଧ କରିଥିଲେ। ଭିଡିଓ ସୁଟିଂ କରିବାକୁ ଦେଇ ନ ଥିଲେ। କ୍ୟାମେରା ଭାଙ୍ଗିବାକୁ ଧମକ ଦେବା ସହ ମାଡ଼ ମାରିଥିଲେ। ‘ପାର୍କିଂ ଫି ଆଦାୟ ହେଲେ ତମେ କହିବାକୁ କିଏ’ ବୋଲି ମଲ୍‌ର ଜଣେ ଉଚ୍ଚପଦସ୍ଥ ମହିଳା ଅଧିକାରୀ ପହଞ୍ଚି ପ୍ରଶ୍ନ କରିବା ସହ ଖବର ପ୍ରସାରଣ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ। ସେଠାରୁ ଚାଲିଯିବାକୁ ଧମକ ଦେଇଥିଲେ। ଏ ନେଇ ଟେଲିଫୋନ୍‌ ଯୋଗେ ପୁଲିସକୁ ଖବର ଦିଆଯାଇଥିଲା। ସାମ୍ବାଦିକାଙ୍କ ଅଭିଯୋଗକ୍ରମେ ସହିଦନଗର ଥାନା ପୁଲିସ ଏକ ମାମଲା ରୁଜୁ କରିଛି। ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।

Share Now:

Kalinga News Beuro

Leave a Reply

Next Post

ଅଳିଆଗଦାରେ ଲାଗିଲା ନିଆଁ:ଧୂଆଁରେ ଲୋକେ ହନ୍ତସନ୍ତ

Sun Dec 29 , 2019
ଚନ୍ଦ୍ରଶେଖରପୁର: ଆଜି ଭୋରରୁ ପଟିଆ କଲେଜ୍ ରାସ୍ତା ବଜରଙ୍ଗ ବିହାର ନିକଟରେ ଥିବା ପଥର ଖଣିରେ ପଡ଼ୁଥିବା ଅଳିଆଗଦାରେ ନିଆଁ ଲାଗିଯାଇ ପ୍ରବଳ ଧୂଆଁ ବାହାରିଥିଲା। ସୂଚନାପାଇ ଚନ୍ଦ୍ରଶେଖରପୁର ଅଗ୍ନିଶମ କାର୍ଯ୍ୟାଳୟରୁ ୩ଟି ଦମକଳ ପହଞ୍ଚି ନିଆଁ ପ୍ରାୟ ୪ଘଣ୍ଟାରୁ ଅଧିକ ସମୟ ଧରି ପାଣି ପକାଇବା ପରେ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା। ନିଆଁ ଲାଗିବା ଫଳରେ ସ୍ଥାନୀୟ ପଟିଆ, ମାରୁତି ଭିଲ୍ଲା, ଆର୍ଯ୍ୟଭିଲ୍ଲା, ସାଇ ବିହାର, ମହାବୀର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial