ନଦୀପଠାରେ ଯୁବକଙ୍କୁ ହତ୍ୟା ଘଟଣାରେ ହତ୍ୟାକାରୀ ଚିହ୍ନଟ! ପ୍ରମାଣ ଯୋଗାଡ଼ କରୁଛି ପୁଲିସ

ଭୁବନେଶ୍ୱର: କୁଆଖାଇ ନଦୀପଠାରେ ବହୁଚର୍ଚିତ ଉନ୍ମୟ ପାଢ଼ୀ ହତ୍ୟା ଘଟଣାକୁ ଆଜି ସପ୍ତାହେ ପୂରିବ। ଦିନକୁ ଦିନ ଏହି ହତ୍ୟାକାଣ୍ଡ ରହସ୍ୟମୟ ହୋଇ ପଡ଼ୁଥିବାବେଳେ ପୁଲିସ କ୍ରମଶଃ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାକୁ ଉଦ୍ୟମ ଜାରି ରଖିଛି। ଭାଇରାଲ ଭିଡିଓରେ ଥିବା ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ହିଁ ହତ୍ୟାକାରୀ ବୋଲି ପୁଲିସ ଏକପ୍ରକାର ନିଶ୍ଚିତ ହୋଇ ସାରିଥିଲେ ମଧ୍ୟ ଦୁହିଁଙ୍କ ବିରୋଧରେ ଏଯାଏ ନିର୍ଦିଷ୍ଟ ପ୍ରମାଣ ପାଇ ନାହିଁ। ତେଣୁ ଉଭୟଙ୍କୁ କେମିତି ହତ୍ୟାକାରୀ ବୋଲି ଦର୍ଶାଇବ ତାର ପ୍ରମାଣ ଯୋଗାଡ଼ କରିବାରେ ଲାଗି ପଡ଼ିଛି ପୁଲିସ। ସଂପୃକ୍ତ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ପରିବାର ଲୋକଙ୍କୁ ପଚରା ଉଚରା କରିବା ଲାଗି କମିସନରେଟ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ସୋମବାର ସକାଳୁ ଚାନ୍ଦବାଲି ଯାଇଥିବା ଜଣାପଡ଼ିଛି।

ପ୍ରତିଶୋଧ ପରାୟଣତାରୁ ଉନ୍ମୟଙ୍କ ଜୀବନ ଗଲା
ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ମୁତାବକ, ପରସ୍ପରର ପ୍ରତିଶୋଧ ନେବାକୁ ଚାହିଁବାରୁ ଉନ୍ମୟଙ୍କ ମୃତ୍ୟୁ ଘଟିଛି। ୨୦୧୭ ମାର୍ଚ ୧୨ ତାରିଖରେ ସେହି ଗୋଟିଏ ଅଶ୍ଳୀଳ ଭିଡିଓକୁ ଦେଖାଇ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ଉନ୍ମୟଙ୍କୁ ବ୍ଲାକମେଲ୍‌ କରି ମୋଟ ୨୬ ଲକ୍ଷ ଟଙ୍କା ନେଇଥିଲେ। ଏପରିକି ଦୁହେଁ ଉନ୍ମୟଙ୍କୁ ବର୍ଷ ତମାମ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏହାର ଠିକ୍‌ ବର୍ଷକ ପରେ ୨୦୧୮ ମାର୍ଚ ୧୮ ତାରିଖରେ ଏହାର ପ୍ରତିଶୋଧ ନେବାକୁ ଚାହିଁଥିଲେ ଉନ୍ମୟ। ତେଣୁ ସେ ଯୁବତୀଙ୍କ ସହିତ ବିତାଇଥିବା ଶତାଧିକ ଅଶ୍ଳୀଳ ଭିଡିଓ ଭାଇରାଲ କରି ଦେଇଥିଲେ ସୋସିଆଲ ମିଡିଆରେ। ଏହାର ଠିକ୍‌ ୩ ଦିନ ପରେ ଉନ୍ମୟଙ୍କ ଅର୍ଧଦଗ୍ଧ ଶବ ନଦୀପଠାରୁ ଜବତ ହେଲା। ତେଣୁ ଭାଇରାଲ ଭିଡିଓ ଓ ବ୍ଲାକମେଲିଂ ସହିତ ଉନ୍ମୟଙ୍କ ମୃତ୍ୟୁର ନିଶ୍ଚିତ ସମ୍ପର୍କ ରହିଛି। କିନ୍ତୁ ପୁଲିସ ଏହାକୁ ପ୍ରମାଣ କରିବା କଷ୍ଟକର ହୋଇ ପଡ଼ିଛି।

କେସ୍‌ ଉଠାଇବାକୁ ୨୬ ଲକ୍ଷ ଦେଇଥିଲେ ଉନ୍ମୟ
ଉନ୍ମୟଙ୍କ ନାଁରେ ଥାନାରେ ମାମଲା ହେବା ପରେ ତାଙ୍କ ଚାକିରି ଚାଲି ଯାଇଥିଲା। ତାଙ୍କ ବିରୋଧରେ ଯୁବତୀ ଜଣକ ଖାରବେଳନଗର ଥାନାରେ ଦେଇଥିବା ମାମଲା ଉଠାଇ ନିଅନ୍ତୁ ବୋଲି ଚାହୁଁଥିଲେ। ଏଥିପାଇଁ ସେ ଅନେକ ଥର ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଅନୁରୋଧ ମଧ୍ୟ କରିଥିଲେ। କିନ୍ତୁ କେସ୍‌ ଉଠାଇ ଦେବାକୁ କହି ଯୁବତୀ ଜଣକ ୧୨ ଲକ୍ଷ ଟଙ୍କା ଓ ତାଙ୍କ ପୁରୁଷ ବନ୍ଧୁ ସିଦ୍ଧାର୍ଥ ପରିଡ଼ା ୧୪ ଲକ୍ଷ ଟଙ୍କା ନେଇ ସାରିଥିଲେ। ଉନ୍ମୟ ଭାବିଥିଲେ ଟଙ୍କା ନେବା ପରେ ସେମାନେ ମାମଲା ଉଠାଇ ନେବେ। କିନ୍ତୁ ଦୁହିଁଙ୍କର ଲୋଭ ଛାଡୁ ନ ଥିଲା, ସେମାନେ ଉନ୍ମୟଙ୍କୁ ଟଙ୍କା ମାଗି ଚାଲିଥିଲେ। ଚାକିରି ନ ଥିବାରୁ ଉନ୍ମୟଙ୍କ ପାଖରେ ଆଉ ଟଙ୍କା ନ ଥିଲା। ଏଥିପାଇଁ ସେ ଆଉ ଘରୁ ବାହାରୁ ନ ଥିଲେ। ନିଜ ମୋବାଇଲ୍‌ ଫୋନ୍‌ ନମ୍ବର ବଦଳାଇ ଦେଇଥିଲେ। ଯାହା ସହିତ କଥା ହେବାକୁ ଚାହୁଁଥିଲେ କେବଳ ଏସ୍‌ଏମ୍‌ଏସ୍‌ ଦେଉଥିଲେ। ଏହି କାରଣରୁ ସେ ଯୁବତୀଙ୍କ ଉପରେ ପ୍ରତିଶୋଧ ନେବାକୁ ଚାହିଁଥିଲେ।

ନିଜେ ତିଆରି କରିଥିଲେ ହ୍ଵାଟ୍‌ସ ଆପ୍‌ ଗ୍ରୁପ୍‌
ବିଦେଶୀ ଅଶ୍ଳୀଳ ଓ୍ଵବ୍‌ସାଇଟରେ ସେକ୍ସ ଭିଡିଓ ଛାଡ଼ିବା ପରେ ଏହାର ପ୍ରଭାବ ନ ପଡ଼ିବାରୁ ନିଜେ ଉନ୍ମୟ ଏକ ହ୍ଵାଟସ୍‌ ଆପ୍‌ ଗ୍ରୁପ୍‌ ତିଆରି କରିଥିଲେ। ସଂପୃକ୍ତ ଯୁବତୀଙ୍କ ଫେସ୍‌ବୁକ୍‌ରୁ ତାଙ୍କ ସାଙ୍ଗସାଥୀଙ୍କ ଆକାଉଣ୍ଟକୁ ଯାଇ ପ୍ରଥମେ ମୋବାଇଲ ନମ୍ବର ସଂଗ୍ରହ କରିଥିଲେ। ଏହାପରେ ତାଙ୍କ ପୁରୁଷ ବନ୍ଧୁଙ୍କ ଫେସ୍‌ବୁକ୍‌ ଆଇଡିକୁ ଯାଇ ତାଙ୍କ ସାଙ୍ଗସାଥୀ ଓ ଦୁହେଁ ଚାକିରି କରିଥିବା ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ମୋବାଇଲ ନମ୍ବର ସଂଗ୍ରହ କରି ଗ୍ରୁପରେ ସଦସ୍ୟ ରଖିଥିଲେ। ଗ୍ରୁପ୍‌ ହେବା ପରେ ଚଳିତ ମାସ ୧୮ ତାରିଖ ସକାଳୁ ସକାଳୁ ଭିଡିଓକୁ ଭାଇରାଲ କରିଥିଲେ ନିଜେ ଉନ୍ମୟ। ଯୁବତୀ ଜଣକ ଚାନ୍ଦବାଲି ଅଞ୍ଚଳର ହୋଇଥିବାରୁ ଏହାକୁ ନେଇ ଚାନ୍ଦବାଲିରେ ଜୋରଦାର ଚର୍ଚା ଆରମ୍ଭ ହୋଇ ଯାଇଥିଲା। ଆଉ ଭିଡିଓ ଭାଇରାଲ ହେଲା ପରେ ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କୁ ଧରି ଭୁବନେଶ୍ୱର ଚାଲି ଆସିଥିଲେ।

୭ଟି ବିଦେଶୀ ଓ୍ଵବସାଇଟରେ ଛାଡ଼ିଥିଲେ ୩୪୨ଟି ଅଶ୍ଳୀଳ ଭିଡିଓ
ଯୁବତୀଙ୍କୁ ବଦନାମ କରିବାକୁ ଉନ୍ମୟ ଦକ୍ଷିଣ ଆଫି୍ରକା, ସିରିଆ, ସାଉଦିଆରବ ଆଦି ଭଳି ୭ଟି ଦେଶର ଅଶ୍ଳୀଳ ଓ୍ଵବ ସାଇଟରେ ୩୪୨ଟି ଅଶ୍ଳୀଳ ଭିଡିଓ ଅପଲୋଡ୍‌ କରିଥିଲେ। କିନ୍ତୁ ଏହାର ପ୍ରଭାବ ଭୁବନେଶ୍ୱର କିମ୍ବା ଚାନ୍ଦବାଲିରେ ପଡ଼ି ନ ଥିଲା।

କିଏ ସେହି ତୃତୀୟ ବ୍ୟକ୍ତି?
ପ୍ରାୟ ୬ ମାସ ହେଲା ଉନ୍ମୟ ତାଙ୍କ ମୋବାଇଲ୍‌ ଫୋନ୍‌ରେ କାହା ସହିତ କଥା ହେଉ ନଥିଲେ। କେବଳ ଏସଏମ୍‌ଏସ୍‌ ପଠାଉଥିଲେ। ହତ୍ୟାକାଣ୍ଡର ୩ ଦିନ ପୂର୍ବ ଅର୍ଥାତ ଯେଉଁ ଦିନ ଚାନ୍ଦବାଲିରେ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା, ସେହି ଦିନ ଚାନ୍ଦବାଲି ଅଞ୍ଚଳରେ ଥିବା ଏକ ମୋବାଇଲ୍‌ ନମ୍ବରରୁ ଉନ୍ମୟଙ୍କ ମୋବାଇଲ ଫୋନ୍‌କୁ ଏକ ଏସ୍‌ଏମ୍‌ଏସ୍‌ ଆସିଥିଲା। ଏହା ପରେ ପରେ ଉନ୍ମୟଙ୍କ ଅର୍ଧଦଗ୍ଧ ମୃତଦେହ କୁଆଖାଇ ନଦୀପଠାରୁ ଜବତ ହୋଇଥିଲା। ତେଣୁ ସେହି ଏସ୍‌ଏମ୍‌ଏସ୍‌ ପଠାଇଥିବା ତୃତୀୟ ବ୍ୟକ୍ତି ଜଣକ କିଏ ? ସେଇ ଏସ୍‌ଏମ୍‌ଏସ୍‌ରେ କ’ଣ ଲେଖା ଥିଲା ଯାହା ପରେ ପରେ ଉନ୍ମୟଙ୍କ ମୃତ୍ୟୁ ଘଟିଲା? ଏସବୁର ଖୋଳତାଡ଼ କରିବାକୁ ପୁଲିସର ଏକ ଟିମ୍‌ ଚାନ୍ଦବାଲି ଯାଇଛି। ସେହି ବ୍ୟକ୍ତିଙ୍କୁ ପୁଲିସ ଭୁବନେଶ୍ୱର ଆଣି ପଚରାଉଚରା କରିବା ପରେ କିଛି ରହସ୍ୟ ଫିଟିବ ବୋଲି ପୁଲିସ ଆଶା ବାନ୍ଧିଛି।

ଘଟଣାସ୍ଥଳରୁ ମିଳିଥିଲା ଦୁଇଟି ଚିଠି
ମୃତଦେହ ନିକଟରୁ ପୁଲିସ ଉନ୍ମୟଙ୍କ ଜ୍ୟାକେଟ୍‌ ଜବତ କରିଥିଲା। ଯେଉଁ ଜ୍ୟାକେଟ ପକେଟ୍‌ ଭିତରେ ଥିଲା ୨ଟି ଚିଠି। ସେହି ଚିଠିରେ ଏମିତି କିଛି ଉଲ୍ଲେଖ ଥିଲା, ଯାହାକୁ ଆଧାର କରି ମଞ୍ଚେଶ୍ୱର ଥାନା ପୁଲିସ ଉନ୍ମୟଙ୍କ ଶୋଇବା ଘର ଯାଞ୍ଚ କରିଥିଲା। ସେଠାରେ ଥିବା ଏକ ଆଲମାରି ଭିତରୁ ପୁଲିସ ଏକ ରେଜିଷ୍ଟର ଜବତ କରିଥିଲା। ୧୮ ପୃଷ୍ଠା ସମ୍ବଳିତ ଏହି ରେଜିଷ୍ଟର ଖାତାରେ ଉନ୍ମୟ ଅନେକ ରହସ୍ୟମୟ କଥା ଉଲ୍ଲେଖ କରିଛନ୍ତି। ଯୁବତୀଙ୍କ ସହିତ କେତେ ତାରିଖରେ କେଉଁ ହୋଟେଲରେ ଥିଲେ, କେବେ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ସେ ସବୁ ଉଲ୍ଳେଖ କରିଥିଲେ। ଏପରିକି ଉନ୍ମୟ ଏହି ଖାତାରେ ଲେଖିଥିଲେ ଯେ ତାଙ୍କର ଦୁର୍ଘଟଣା ହେଉ କିମ୍ବା ଆତ୍ମହତ୍ୟା, କି ହତ୍ୟା ଏଥିପାଇଁ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ହିଁ ଦାୟୀ ରହିବେ।

ଶବ ବ୍ୟବଚ୍ଛେଦ ରିପୋର୍ଟରେ ହତ୍ୟା ସନ୍ଦେହ
ଉନ୍ମୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତାଙ୍କ ମୁଣ୍ଡକୁ ଶକ୍ତ ଆଘାତ ଦିଆଯିବା ପରେ ପେଟରେ ଛୁରି ଭୁଷା ଯାଇଛି। ଏହା ପରେ ସେ ଜୀଅନ୍ତା ଅବସ୍ଥାରେ ଥିବାବେଳେ ତାଙ୍କୁ ଜାଳି ଦିଆଯାଇଛି। ତେବେ ଏଯାଏ ରିପୋର୍ଟ ପୁଲିସକୁ ପ୍ରଦାନ କରାଯାଇନାହିଁ ବୋଲି ହସ୍ପିଟାଲ କର୍ତୃପକ୍ଷ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ଖୋଲିଲାନି ମହାପ୍ରଭୁଙ୍କ ରତ୍ନଭଣ୍ଡାର, ବାହାରପଟୁ ଯାଞ୍ଚ କଲା ଏଏସଆଇ (ASI)

Tue Mar 27 , 2018
ଭୁବନେଶ୍ୱର : ଖୋଲିଲାନି ଶ୍ରୀମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାର। ଆଜି କେବଳ ବାହାର ପଟ ଯାଞ୍ଚ ହେଲା। ଏଏସ୍ଆଇ କୋର କମିଟି ଭଣ୍ଡାରର ବାହାର ଅଂଶ ଯାଞ୍ଚ କରିଛି। ରାଜ୍ୟ ସରକାରଙ୍କଠାରୁ ଉତ୍ତର ମିଳି ନ ଥିବାରୁ ଭଣ୍ଡାର ଘର ଭିତରସ୍ଥିତି ଯାଞ୍ଚ ହୋଇପାରିନି। ତେବେ ରତ୍ନଭଣ୍ଡାର ଭିତର ଖୋଲିବାରେ ବାଧକ ଅଛି କି ନାହିଁ, ତା ଉପରେ ରତ୍ନଭଣ୍ଡାର ସବ୍ କମିଟି ବୈଠକରେ ତର୍ଜମା ପରେ ଏଏସ୍ଆଇକୁ ଯାଞ୍ଚ ପାଇଁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial