ଶ୍ରୀକ୍ଷେତ୍ରରେ ଗରିବ ଭକ୍ତଙ୍କ ପାଇଁ ସ୍ଥାନ ନାହିଁ, ହୋଟେଲକୁ ବଳିଗଲା ଭକ୍ତ ନିବ‌ାସ ଭଡ଼ା:ଦର ୬୬୦ ଟଙ୍କାରୁ ଦୁଇ ହଜାର

ପୁରୀ: ପୁରୀର ବିକାଶ ହେଉଛି। ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ସୁନ୍ଦର ଦିଶୁଛି। ସିଂହଦ୍ୱାର ଯିଏ ଦେଖୁଛି ବାହାରେ ବାଃ କହୁଛି। ହେଲେ ପୁରୀ ଆଗ ଭଳି ଆଉ ଗରିବଙ୍କୁ ସୁହାଉ ନାହିଁ। ପୁରୀ ବଡ଼ବଡ଼ିଆଙ୍କ ସହର ହୋଇଯାଇଛି। ଯେତେ ସୁବିଧା ହେଉଛି, ଗରିବଙ୍କ ପାଇଁ ସେତେ ଅପହଞ୍ଚ ହେଉଛି। ଭିଡ଼ ଭିତରେ ଗରିବଙ୍କ ମୁଣ୍ଡ ଗୁଞ୍ଜିବାକୁ ବେଡ୍‌ଟିଏ ମିଳୁନି। ପୁରୀରେ ହୋଟେଲରେ ରହି ପାରୁନଥିବା ଭକ୍ତଙ୍କ ପାଇଁ ସେଭଳି କିଛି ସୁବିଧା ନାହିଁ। ମନ୍ଦିର ପ୍ରଶାସନ ପକ୍ଷରୁ ଯେଉଁ ସବୁ ଭକ୍ତ ନିବ‌ାସ ରହିଛି ତା’ର ଭଡ଼ା ଏବେ ହୋଟେଲକୁ ବଳିଯାଇଛି। ପୁରୀରେ ମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ ହୋଇଥିବା ନୀଳାଦ୍ରି, ନୀଳାଚଳ ଓ ଶ୍ରୀଗୁଣ୍ଡିଚା ଭକ୍ତନିବାସ କେବଳ ଥିଲାବାଲାଙ୍କୁ ସୁବିଧା ଦେଉଛି। ଅନ୍‌ଲାଇନ ବୁକିଂ ବ୍ୟବସ୍ଥା ଓ ଅଧିକ ଦର ଯୋଗୁଁ ସାଧାରଣ ଭକ୍ତ ଏ ସୁବିଧା ପାଇପାରୁ ନଥିବା ଅଭିଯୋଗ ହୋଇଛି। ପ୍ରଶାସନ ଏବେ ଆଉ କିଛି ଭକ୍ତ ନିବାସ ନିର୍ମାଣ ପାଇଁ ଯୋଜନା କରୁଛି। ଗୋଟିଏ ଭକ୍ତ ନିବାସ ଏବେ ମଧ୍ୟ ନିର୍ମାଣାଧୀନ ରହିଛି। ଦିନ ଥିଲା ପୁରୀ ଆସୁଥିବା ଗରିବ ଭକ୍ତ ରୁମ୍‌ ନ ପାଇଲେ ମଠରେ ମୁଣ୍ଡ ଗୁଞ୍ଜୁଥିଲା। ମାତ୍ର ୫୦ ରୁ ୧୦୦ ଟଙ୍କା ଦେଇ ଧର୍ମଶାଳାରେ ରହି ମହାପ୍ରଭୁଙ୍କୁ ଦର୍ଶନ କରି ଶାନ୍ତିରେ ଘରକୁ ଫେରୁଥିଲା। ମାତ୍ର ଏହି ସୁବିଧା ଆଉ ଗରିବ ଭକ୍ତଙ୍କୁ ମିଳିବ ନାହିଁ। ସରକାର ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଉଚ୍ଛେଦ କରି ସୁରକ୍ଷା କରିଡର୍‌ ତିଆରି କରୁଛନ୍ତି। ଏହି ପ୍ରକ୍ରିୟାରେ ଶ୍ରୀମନ୍ଦିର ଚାରିପାଖରୁ ଏମାର ମଠ, ଲଙ୍ଗୁଳି ମଠ, ବଡ଼ଆଖଡ଼ା ମଠ, ସାନ ଛତା ମଠ ଭଙ୍ଗା ସରିଥିବାବେଳେ ପ୍ରାୟ ୧୭ଟି ମଠ ଭାଂଗିବାକୁ ତାଲିକା କରିଛନ୍ତି। ପୂର୍ବରୁ ରଥ ସମୟରେ ହେଉ କିମ୍ବା ଯାନିଯାତ୍ରା ସମୟରେ ପୁରୀକୁ ଆସୁଥିବା ଗରିବ ଶ୍ରଦ୍ଧାଳୁ ବିନା ଟଙ୍କାରେ ମଠ ଓ ମନ୍ଦିରରେ ମୁଣ୍ଡ ଗୁଂଜୁଥିଲେ। ମାତ୍ର ଏ ସୁବିଧାରୁ ଭକ୍ତ ଏବେ ବଂଚିତ ହୋଇଛନ୍ତି। ସେମାନଙ୍କ ରହିବା ପାଇଁ ଭକ୍ତ ନିବାସ କିମ୍ବା ବିଶ୍ରାମ ଗୃହ ନାହିଁ। ଅନ୍ୟପକ୍ଷରେ ପୁରୀରେ ଥିବା ଏକ ପ୍ରମୁଖ ଧର୍ମଶାଳାକୁ ଭାଂଗି ଦିଆଯାଇଛି । ଏହାର ଆଧୁନିକୀକରଣ କରିବା ବଦଳରେ ଏହାକୁ ଲଜ୍‌ ମାଲିକଙ୍କୁ ଟେକି ଦେବାକୁ ମସୁଧା କରାଯାଉଛି। ଗରିବ ଭକ୍ତଙ୍କ ପାଇଁ ଦାନରେ ମିଳିଥିବା ଏହି ଧର୍ମଶାଳାକୁ ପ୍ରଶାସନ ଗରିବଙ୍କ ପାଇଁ ନ ରଖି ଥଇଥାନ ଆ‌ଳରେ ଲଜ୍‌ମାଲିକଙ୍କୁ ଦେବାକୁ ଯୋଜନା କରୁଛି। ଦିନ ଥିଲା ଏହି ଧର୍ମଶାଳାରେ ଦୈନିକ ୩୦୦ରୁ ଅଧିକ ଲୋକ କମ୍‌ ଟଙ୍କାରେ ରହିପାରୁଥିଲେ। ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କ ସୁବିଧା ପାଇଁ ତିନୋଟି ଅତ୍ୟାଧୁନିକ ଭକ୍ତ ନିବାସ ନିର୍ମାଣ କରିଛନ୍ତି। ଭକ୍ତଙ୍କୁ କମ୍‌ ଦରରେ ରହିବାକୁ ସୁବିଧା ଦେବା ପାଇଁ ଏହାର ନିର୍ମାଣ କରାଯାଇଥିଲା। ପୁରୀ ସହରର ଟାଉନଥାନା ପାର୍ଶ୍ଵରେ ଥିବା ନୀଳାଦ୍ରି ଭକ୍ତ ନିବାସ , ନୀଳାଚଳ ଭକ୍ତ ନିବାସ ଓ ଶ୍ରୀଗୁଣ୍ଡିଚା ଭକ୍ତ ନିବାସ ନିର୍ମାଣ କରିଛନ୍ତି। ଶ୍ରୀଗୁଣ୍ଡିଚା ଭକ୍ତ ନିବାସରେ ୭୭ଟି ରୁମ୍‌, ନୀଳାଦ୍ରିରେ ୧୦୮ ଓ ନୀଳାଚଳରେ ୬୦ରୁ ଅଧିକ ରୁମ୍‌ ରହିଛି। ତେବେ ଏହାର ଦର ତାଲିକା ଦେଖିଲେ ଏହା କୌଣସି ଲାଭଜନକ ‌ହୋଟେଲଠାରୁ କମ୍‌ ନୁହେଁ। ଭକ୍ତ ନିବାସ ଦର ୬୬୦ ଟଙ୍କାରୁ ଆରମ୍ଭ ହୋଇ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଯାହାଫଳରେ ଜଣେ ସାଧାରଣ ଓ ଗରିବ ଭକ୍ତ ଏଠାରେ ଥିବା ଦର ଦୃଷ୍ଟିରୁ ରହିପାରୁନାହିଁ। ଏହାର ବୁକିଂ ଅନ୍‌ଲାଇନରେ ହେଉଥିବାରୁ ଏ ସୁବିଧାରୁ ଭକ୍ତଟି ବଂଚିତ ହେଉଛି। ମହାପ୍ରଭୁଙ୍କ ପାଣ୍ଠିରୁ ନିର୍ମିତ ଏହି ଭକ୍ତ ନିବାସ ତା’ର ବାସ୍ତବ ଉଦ୍ଦେଶ୍ୟ ସାଧନ କରିପାରୁନାହିଁ। ଏକ ଡବଲ ବେଡ୍‌ ରୁମ ପାଇଁ ଜଣେ ଭକ୍ତ ୧୮୦୦ ଟଙ୍କା ଓ ଆଉ ଏକ ଶଯ୍ୟା ପାଇଁ ୧୯୮ ଟଙ୍କା ଦେଉଛି। ଶ୍ରୀଗୁଣ୍ଡିଚା ଭକ୍ତ ନିବାସରେ ରୁମ୍‌ ଦର ୬୬୦ ରୁ ଆରମ୍ଭ ହୋଇ ୧୫୮୪ ପର୍ଯ୍ୟନ୍ତ ରହିଛି। ଏସି ରୁମ୍‌ ୧୫୮୪, ଡିଲକ୍ସ ଦୁଇ ଶଯ୍ୟା ୧୨୫୪, ଦୁଇ ଶଯ୍ୟ‌ା ବିନା ଏସି ୬୬୦, ସମ୍ମିଳନୀ କକ୍ଷ ୮ ଘଣ୍ଟା ପାଇଁ ୫୨୮୦, ୧୨ ଘଣ୍ଟା ପାଇଁ ୭୯୨୦ ରଖାଯାଇଛି। ସେହଭିଳି ୩ ଘଣ୍ଟିଆ ଓ ୫ ଘଣ୍ଟିଆ ରୁମ ବ୍ୟବସ୍ଥା ମଧ୍ୟ ରହିଛି। ନୀଳାଦ୍ରି ଭକ୍ତ ନିବାସରେ ୭୦୦ ଟଙ୍କାରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ରୁମ୍‌ ରହିଛି। ୬,୭ ଓ ୯ ଜଣ ରହିବା ପାଇଁ ଡର୍ମିଟୋରି ରହିଛି। ଏହାର ସମ୍ମିଳନୀ କକ୍ଷ ଓ ଅନ୍ୟ ବୁକିଂ ପାଇଁ ୬ ରୁ ୧୩ ହଜାର ଟଙ୍କା ପର୍ଯ୍ୟନ୍ତ ଦର ରହିଛି। ଭକ୍ତଙ୍କୁ ସୁଲଭ ମୂଲ୍ୟରେ ରୁମ୍‌ ଦେବା ବଦଳରେ ପ୍ରଶାସନ ଏବେ ଭକ୍ତ ନିବାସରୁ ଆୟ ଲକ୍ଷ୍ୟ ରଖିଛି। ଏବେ କୁମ୍ଭାରପଡ଼ା ପୁରୁଣା ଜେଲ ରୋଡ୍‌ ଅଞ୍ଚଳରେ ଆଉ ଏକ ଭକ୍ତ ନିବାସ ନିର୍ମାଣ କରୁଛି। ଏହି ତିନୋଟି ଭକ୍ତ ନିବାସରେ ଅତିବେଶୀରେ ଦୈନିକ ୬୦୦ ରୁ ୭ଶହ ଲୋକଙ୍କ ପ‌ାଇଁ ବ୍ୟବସ୍ଥା ରହିଛି। ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ପୁରୀକୁ ଆସୁଥିବା ୬୦ ହଜାର ଭକ୍ତଙ୍କ ରହିବା ପାଇଁ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ପ୍ରଶାସନ ‌ଜାଗା ଚିହ୍ନଟ କରିଥିବା କହୁଥିବାବେଳେ ଏ କ୍ଷେତ୍ରରେ କୌଣସି ଅଗ୍ରଗତି ଘଟିନାହିଁ।

Share Now:

Kalinga News Beuro

Leave a Reply

Next Post

ଟ୍ରକ୍ ଓ ଟ୍ୟାଙ୍କର୍ ମଧ୍ୟରେ ଧକ୍କା, ଜଳିଗଲା ଟ୍ୟାଙ୍କର୍

Thu Jan 9 , 2020
ରାୟଗଡା: ରାୟଗଡା ସହର ନିକଟସ୍ଥ ମା’ ମଝି ଘରିଆଣି ମନ୍ଦିର ନିକଟରେ ଏକ ଟ୍ରକ୍ ଓ ଟ୍ୟାଙ୍କର୍ ମଧ୍ୟରେ ଧକ୍କା ହେବା ଫଳରେ ଟ୍ୟାଙ୍କରଟି ଜଳି ଯାଇଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଭୋର ୪ଟା ସମୟରେ ଏକ ଟ୍ୟାଙ୍କର୍ ବିଶାଖାପାଟଣାରୁ ରାୟଗଡ଼ା ଆଡ଼କୁ ଆସୁଥିଲା । ଅପରପକ୍ଷରେ ଏକ ଟ୍ରକ୍ ରାୟଗଡ଼ାରୁ ବିଶାଖାପାଟଣା ଆଡ଼କୁ ଯାଉଥିଲା। ଉଭୟ ଗାଡ଼ି ରାୟଗଡ ସହରରୁ ମାତ୍ର ଦୁଇ କିଲୋମିଟର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial