ଧଉଳି ଶାନ୍ତିସ୍ତୂପରେ ପର୍ଯ୍ୟଟକ ଅସୁରକ୍ଷିତ: ବିଏସ୍‌ଏଫ୍‌ କମାଣ୍ଡରଙ୍କୁ ପିଟିଲେ ଦୁର୍ବୃତ୍ତ

ଧଉଳି: ଧଉଳି ଶାନ୍ତିସ୍ତୂପରେ ପର୍ଯ୍ୟଟକ ଅସୁରକ୍ଷିତ। ଗାଡ଼ି ସାଇଡ୍‌କୁ କେନ୍ଦ୍ର କରି ଶାନ୍ତିସ୍ତୂପ ପରିସରରେ ଆଜି ଅପରାହ୍‌ଣରେ ଭୀଷଣ ଗଣ୍ଡଗୋଳ ହୋଇଛି। ନିଶାଡ଼ି ଯୁବକମାନେ ଜଣେ ବିଏସଏଫ କମାଣ୍ଡରଙ୍କ ସମେତ ଅନ୍ୟ ଏକ ଦମ୍ପତିଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ସେମାନଙ୍କ ମାଡ଼ରେ ରାୟଗଡ଼ାରେ ବିଏସଏଫ୍‌ କମାଣ୍ଡର୍‌ ଭାବେ କାର୍ଯ୍ୟରତ ବିକାଶ କୁମାର ମିଶ୍ର (୩୮) ଗୁରତର ଆହତ ହୋଇଛନ୍ତି। ଅଭିଯୁକ୍ତଙ୍କ କାଠବହ୍ଲା ମାଡ଼ରେ ବିକାଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଛି। ଧଉଳି ଥାନା ପୁଲିସ ବିକାଶଙ୍କୁ ଉଦ୍ଧାର କରି ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର‌‌‌ରେ ଭର୍ତ୍ତି କରାଇଥିଲା। ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହୋଇପଡ଼ିବାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବିକାଶଙ୍କ ସାନଭାଇ ସନ୍ତୋଷ କୁମାର ମିଶ୍ର (୩୪) ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଏଥିସହ ଖଣ୍ଡଗିରି ଥାନା ଅନ୍ତର୍ଗତ ପୋଖରୀପୁଟର ନୃସିଂହ ଚରଣ ଦାଶ ଓ ତାଙ୍କ ପତ୍ନୀଙ୍କୁ ମଧ୍ୟ ମାଡ଼ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରୁ ୬ଜଣ ଅଭିଯୁକ୍ତଙ୍କୁ ଥାନାକୁ ଆଣିବା ସହ କାଠବହ୍ଲା ଜବତ କରିଛି। ସେମାନଙ୍କ ବିରୋଧରେ ପୃଥକ ପୃଥକ ଦୁଇଟି ଅଭିଯୋଗ ହୋଇଛି। ହେଲେ ରିପୋର୍ଟ ଲେଖା ହେବା ବେଳକୁ ଥାନାରେ ମାମଲା ରୁଜୁ ହୋଇନଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।
ପ୍ରାୟ ୫ଟା ସମୟରେ ପୋଖରୀପୁଟ ଅଞ୍ଚଳର ସଂପୃକ୍ତ ଦମ୍ପତି ସ୍କୁଟିରେ ସ୍ତୂପ ଉପରୁ ଫେରୁଥିବା ବେଳେ ଗାଡ଼ି ସାଇଡ୍‌ ଦେବାକୁ କାରରେ ଯାଉଥିବା ଅଭିଯୁକ୍ତ ଯୁବକମାନେ କହିଥିଲେ। ଏହି ଦମ୍ପତି ସ୍କୁଟି ସାଇଡ୍‌ ଦେବା ସତ୍ତ୍ୱେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ସେତିକିରେ ସେମା‌ନେ ଶାନ୍ତ ପଡ଼ି ନ ଥିଲେ। ଉତ୍ତ୍ୟକ୍ତ ଯୁବକମାନେ ବିଏସଏଫ କମାଣ୍ଡର୍‌ ବିକାଶଙ୍କ କାରକୁ ସାଇଡ୍‌ ଦେବାକୁ କହି ତାଙ୍କ ସହିତ ବି ଗଣ୍ଡଗୋଳ କରିଥିଲେ। ବିକାଶ ଓ ତାଙ୍କ ସାନଭାଇ ସନ୍ତୋଷ ଏହାର ପ୍ରତିବାଦ କରିବାରୁ ଉଭୟଙ୍କୁ କାଠବହ୍ଲାରେ ପିଟି ଲହୁଲୁହାଣ କରି ଦେଇଥିଲେ। ଖାଲି ସେତିକି ନୁହେଁ, ବିରୋଧ କରିଥିବା ଆଉ କେତେଜଣଙ୍କୁ ମଧ୍ୟ ସେମାନେ ଗୋଡ଼ାଇ ପିଟିଥିଲେ। ଏନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏବେ ପର୍ଯ୍ୟଟନ ଋତୁ ଚାଲିଥିବାରୁ ଧଉଳିରେ ହଜାର ହଜାର ପର୍ଯ୍ୟଟଙ୍କ ଭିଡ଼ ଜମୁଛି। ମାତ୍ର ପୁଲିସ ପାଟ୍ରୋଲିଂ କଡ଼ାକଡ଼ି ହେଉନଥିବାରୁ ପ୍ରତିଦିନ ଛୋଟବଡ଼ ଗଣ୍ଡଗୋଳ ଘଟୁଛି। ଫଳରେ ଶାନ୍ତିସ୍ତୂପ ବୁଲିବାକୁ ଆସୁଥିବ ପର୍ଯ୍ୟଟକମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଅନ୍ୟ ଏକ ଘଟଣାରେ ଆଜି ଅପରାହ୍‌ଣରେ ଅନୁରୂପ ଭାବେ ଦୁଇଗୋଷ୍ଠୀ ପିଟାପିଟି ହେବା ପରେ ସେମାନଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିବା ସୂଚନା ମିଳିଛି।

Share Now:

Kalinga News Beuro

Leave a Reply

Next Post

ଫିଲିପିନ୍ସ୍‌ର ରାଜଧାନୀରେ ପାଉଁଶ ଉଦ୍‌ଗାରିଲା ଆଗ୍ନେୟଗିରି; ୧୭୨ଟି ବିମାନ ଉଡ଼ାଣ ବାତିଲ

Mon Jan 13 , 2020
ମାନିଲା: ରବିବାର ଦିନ ଫିଲିପିନ୍ସ୍‌ର ରାଜଧାନୀ ମାନିଲା ନିକଟରେ ‘ତାଲ୍‌’ ନାମକ ଆଗ୍ନେୟଗିରି ବିପୁଳ ପରିମାଣର ପାଉଁଶ ଉଦ୍‌ଗାରି ପକାଇବାରୁ ଅନେକ ବିମାନ ବାତିଲ ହେବା ସହ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରଖାଯାଇଥିଲା। ଉଦ୍‌ଗୀରଣ ହୋଇଥିବା ପାଉଁଶ ସବୁ ସମଗ୍ର ରାଜଧାନୀକୁ ଆଚ୍ଛାଦନ କରି ପକାଇବାରୁ ଆଗ୍ନେୟଗିରିରୁ ବିସ୍ଫୋରଣଜନିତ ଗଳିତଧାତୁ ନିର୍ଗତ ହୋଇପାରେ ବୋଲି ସରକାରୀ କର୍ତ୍ତୃପକ୍ଷମାନେ ସତର୍କ କରାଇ ଦେଇଥିଲେ। ହଠାତ୍‌ ‘ତାଲ୍‌’ ଆଗ୍ନେୟଗିରିରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial