ଭୁବନେଶ୍ୱରରେ ବାଂଲା ରୂପଜୀବୀ: ଏସ୍‌ଟିଏଫ୍‌ କବ୍‌ଜାରେ ରାଣୀ ମହୁମାଛି, ଦଲାଲ ସ୍ୱାମୀ

ଭୁବନେଶ୍ୱର: ରାଜଧାନୀରେ ବାଂଲାଦେଶୀ ରୂପଜୀବୀଙ୍କ ସେକ୍ସ କାରବାରର ପର୍ଦାଫାସ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ପିପିଲି ଓ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଚଢ଼ଉ କରି ରାକେଟର ରାଣୀ ମହୁମାଛି ଓ ତା’ ଦଲାଲ ପତିକୁ ଗିରଫ କରିବା ସହ ୬ ବାଂଲାଦେଶୀ ରୂପଜୀବୀଙ୍କୁ ଉଦ୍ଧାର କରିଛି। ଏମାନେ ଦୀର୍ଘ ଦିନ ଧରି ରାଜଧାନୀରେ ସେକ୍ସ କାରବାର ଚଳାଇ ଆସୁଥିଲେ। ଏତଦ୍‌ ବ୍ୟତୀତ ଏହି ଗ୍ୟାଙ୍ଗ ବିରୋଧରେ ନିଶାଦ୍ରବ୍ୟ ଚୋରା ଚାଲାଣ, ବେଆଇନ ସୀମାପାର୍‌, ମାନବ ଚାଲାଣ, ନକଲି ଅଧାର କାର୍ଡ ଆଦି ରଖିବା ଭଳି ସଂଗିନ୍‌ ଅଭିଯୋଗ ରହିଛି। ଏସ୍‌ଟିଏଫ୍‌ ଏ ସବୁର ତଦନ୍ତ କରୁଛି। ରାଣୀ ମହୁମାଛି ଓ ତା’ ଦଲାଲ ପତିର ଅନ୍ୟ ସହଯୋଗୀମାନଙ୍କୁ ଗିରଫ କରିବାକୁ ଏସ୍‌ଟିଏଫ୍‌‌ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି। ଗତକାଲି ଅପରାହ୍‌ଣରେ ଏସ୍‌ଟିଏଫ୍‌କୁ ସୂଚନା ମିଳିଥିଲା, ପିପିଲି ଅଞ୍ଚଳରେ ରାକେଟର ରାଣୀ ମହୁମାଛି ଅଞ୍ଜଳି (ଦିଦି) ଓ ଇବ୍ରାହିମ୍ ରହୁଛନ୍ତି। ଦୁହିଁଙ୍କୁ ସେଠାରୁ ଉଠାଇ ଆଣି ପଚରାଉଚରା କରିବା ପରେ ସେମାନେ ରୂପଜୀବୀମାନଙ୍କ ସମ୍ପର୍କରେ ସୂଚନା ଦେଇଥିଲେ। ରୂପଜୀବୀମାନେ ଶ୍ରୀଲିଙ୍ଗରାଜ ଥାନା ଅଧୀନ ପୁରୁଣା ଭୁବନେଶ୍ୱରର ରଥଦାଣ୍ଡର ଏକ ଘରେ ଭଡ଼ାରେ ରହୁଥିବା କହିଥିଲେ। ଏହା ପରେ ସେହି ଭଡ଼ା ଘରେ ଚଢ଼ଉ କରାଯାଇ ୬ ରୂପଜୀବୀଙ୍କୁ ଉଦ୍ଧାର କରାଯାଇଥିଲା। କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଅଞ୍ଜଳି ଓ ଇବ୍ରାହିମକୁ ଦୀର୍ଘ ଦିନ ହେବ ଏସ୍‌ଟିଏଫ୍‌ ଖୋଜାଖୋଜି କରୁଥିଲା। ଦୁହେଁ ନକଲି ଆଧାରକାର୍ଡ ପ୍ରସ୍ତୁତ କରି ବାଂଲାଦେଶର ଯୁବତୀମାନଙ୍କୁ ପଶ୍ଚିମବଙ୍ଗ ଦେଇ ଦେଶ ଭିତରକୁ ଆଣି ଅନୈତିକ କାର୍ଯ୍ୟରେ ଳିପ୍ତ କରାଉଥିଲେ। ଏ ନେଇ ପୂର୍ବରୁ ଏକାଧିକ ଯୁବତୀ ସଂପୃକ୍ତ ଦିଦି ବିରୋଧରେ ବିଭିନ୍ନ ସମୟରେ ଅଭିଯୋଗ କରି ଆସିଛନ୍ତି। ସେହି ଅଭିଯୋଗକୁ ଆଧାର କରି ଏସ୍‌ଟିଏଫ୍‌ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ଅଞ୍ଜଳି ଓ ଇବ୍ରାହିମ୍‌କୁ ଖୋଜୁଥିଲା। ଏହାଛଡ଼ା ଏହି ଦମ୍ପତି ନିଶା କାରବାର ଓ ମାନବ ଚାଲାଣ ରାକେଟରେ ସଂପୃକ୍ତ ଅଛନ୍ତି ବୋଲି ଉକ୍ତ ଅଧିକାରୀଜଣକ କହିଛନ୍ତି। ରୂପଜୀବୀମାନେ ସେମାନଙ୍କ ଘର ପଶ୍ଚିମବଙ୍ଗରେ ବୋଲି କହୁଛନ୍ତି। ଏ ନେଇ ଅନୁସନ୍ଧାନ ଚାଲୁ ରହିଛି। ତେବେ ଏ ସମ୍ପର୍କରେ ଘର ମାଲିକ କହିଛନ୍ତି, ଯୁବତୀମାନେ ନିଜକୁ ଜଣେ ନର୍ସ ଓ ଅନ୍ୟମାନେ ଟେଲରିଂ କାମ କରୁଛନ୍ତି ବୋଲି ପରିଚୟ ଦେଇ ୩ ମାସ ହେବ ରହୁଥିଲେ। କିନ୍ତୁ ସେମାନଙ୍କ ବ୍ୟବହାର ଓ କଥାବର୍ତା ସନ୍ଦେହଜନକ ଥିଲା। ଏ ନେଇ ସ୍ଥାନୀୟ ଲୋକ ବିଭିନ୍ନ ସମୟରେ ଥାନାକୁ ଖବର ଦେଉଥିଲେ ମଧ୍ୟ ପୁଲିସ ଏହାକୁ ଏତେଟା ଗୁରୁତ୍ୱ ଦେଇ ନ ଥିଲା। କିନ୍ତୁ ଏସ୍‌ଟିଏଫ୍‌ ଏହି ଖବର ପାଇବା ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏ ସଂକ୍ରାନ୍ତରେ ଆସନ୍ତାକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦିଆଯିବ ବୋଲି ଏସ୍‌ଟିଏଫ୍‌ ସୂତ୍ରରୁ ସୂଚନା ମିଳିଛି।
ଷ୍ଟେସନ୍ ନିକଟ ହୋଟେଲରୁ ହେଲା ପର୍ଦାଫାସ
ଗତ କିଛି ଦିନ ତଳେ ଲକ୍ଷ୍ମୀସାଗର ଥାନା ଅଧୀନ ପରୁଣା ଷ୍ଟେସନ୍‌ ବଜାରରେ ଆଶୀର୍ବାଦ ହୋଟେଲରେ ଦୁଇଜଣ ଯୁବତୀ ରହୁଥିଲେ। ସେମାନେ ଅଭିଯୋଗ କରିଥିଲେ, ହୋଟେଲ କର୍ମଚାରୀମାନେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏ ନେଇ ଯୁବତୀଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ହୋଟେଲର ଦୁଇଜଣ କର୍ମଚାରୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ପୁଲିସ ଜାଣିବାକୁ ପାଇଥିଲା, ଯୁବତୀମାନେ ଯେଉଁ ଆଧାରକାର୍ଡ ଦେଇଥିଲେ, ତାହା ନକଲି ଥିଲା। ସେମାନେ ପଶ୍ଚିମବଙ୍ଗ ଯୁବତୀ ନୁହନ୍ତି, ବାଂଲାଦେଶରେ ସେମାନଙ୍କ ଘର। ବେଆଇନ ଭାବେ ସେମାନେ ଦେଶ ଭିତରକୁ ପ୍ରବେଶ କରିଛନ୍ତି। ଅଞ୍ଜଳି ଦିଦି ନାମକ ଜଣେ ମହିଳା ସେମାନଙ୍କୁ ଏଠାରେ କାମ କରାଇଦେବାର ଲୋଭ ଦେଖାଇ ଆଣିଥିଲା। ପରେ କିନ୍ତୁ ସେ ଯୁବତୀମାନଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତ କରାଇଥିଲା। ପରେ ଅନ୍ୟ ଜଣେ ବାଂଲାଦେଶୀ ଯୁବତୀ ଗଣମାଧ୍ୟମକୁ ଆସି ଦିଦିର ଅସଲ ମୁଖା ଖୋଲିଥିଲା।
ସୁନୀଲ ମେହେରର ସହଯୋଗୀ ଅଞ୍ଜଳି
ସେକ୍ସ ସୌଦାଗର ସୁନୀଲ ମେହେର ସହ କାମ କରୁଥିଲା ଦିଦି ଓରଫ ଅଞ୍ଜଳି। ଦିଦିର ଘର ବାଂଲାଦେଶରେ। ସୁନୀଲ ଧରାପଡ଼ିବା ପରେ ଅଞ୍ଜଳି ତା’ଠାରୁ ଦୂରେଇ ଯାଇଥିଲା। ପରେ ସେ ନିଜର ସେକ୍ସ ରାକେଟକୁ ବିସ୍ତାର କରିଥିଲା। ଏଥିରେ ଅଞ୍ଜଳିକୁ ସହଯୋଗ କରୁଥିଲା ତା’ ସ୍ୱାମୀ ଇବ୍ରାହିମ୍‌। ଦିଦି ଚାକିରି ଦେବା ବାହାନାରେ ନିଜ ଦେଶ ବାଂଲାଦେଶରୁ ସୁନ୍ଦରୀ ଯୁବତୀମାନଙ୍କୁ କୋଲକାତା ଦେଇ ଓଡ଼ିଶା ଆଣୁଥିଲା। ପରେ ସେମାନଙ୍କ ନକଲି ଆଧାରକାର୍ଡ ତିଆରି କରାଇବା ସହ ଓଡ଼ିଶାର ବିଭିନ୍ନ ହୋଟେଲ୍‌ ଓ ଲଜ୍‌ରେ ଦେହ ବ୍ୟବସାୟ କାମରେ ନିୟୋଜିତ କରାଉଥିଲା।
ସର୍ତକର ସହିତ ଚଳାଉଥିଲା ରାକେଟ
ସେକ୍ସ ରାକେଟକୁ କଣ୍ଟ୍ରୋଲ କରିବା ପାଇଁ ଦିଦି ଜଣେ ମ୍ୟାନେଜର୍‌କୁ ନିଯୁକ୍ତି ଦେଇଥିଲା। ତା’ ଅଧୀନରେ ଏକାଧିକ ଏଜେଣ୍ଟ କାମ କରୁଥିଲେ। ଅନ୍‌ଲାଇନ୍‌ରେ ତରୁଣୀଙ୍କୁ ବୁକିଂ କରାଯାଉଥିଲା। ଡିଲ୍‌ ପରେ କଥା ଆଗକୁ ଯାଉଥିଲା। ଏହା ପରେ ହ୍ୱାଟ୍ସଆପ୍ ମାଧ୍ୟରେ ଯୁବତୀଙ୍କ ଫଟୋ ପଠାଯାଉଥିଲା। ଗ୍ରାହକମାନେ ରାଜି ହେବା ପରେ ହୋଟେଲ ବୁକିଂ ହେଉଥିଲା। ଏହା ପରେ ଗ୍ରାହକମାନେ ସେହି ହୋଟେଲରେ ପହଞ୍ଚି ଯାଉଥିଲେ।
କମିସନ‌ରେଟ୍‌ ପୁଲିସ ହାତରୁ ମାମଲା ଛଡ଼ାଇ‌ନେଲା ଏସ୍‌ଟିଏଫ୍‌
ରାଜଧାନୀରେ ବାଂଲାଦେଶୀ ରୂପଜୀବୀ ସକ୍ରିୟ ଥିବା କମିସନରେଟ୍‌ ପୁଲିସ୍‌ ପ୍ରଥମେ ଅବଗତ ହୋଇଥିଲା। ପୁରୁଣା ଷ୍ଟେସନ ବଜାରରେ ଥିବା ଏକ ହୋଟେଲରେ ଯୁବତୀମାନେ ନକଲି ଆଧାରକାର୍ଡ ଦେଇ ରହିବା ପରେ ସେମାନେ ବାଂଲାଦେଶୀ ବୋଲି ସ୍ପଷ୍ଟ ହୋଇଥିଲା। ସେମାନଙ୍କୁ ଅଞ୍ଜଳି ଦିଦି ଭୁବନେଶ୍ୱର ଆଣିଥିଲା ବୋଲି ସେମାନେ ଗଣମାଧ୍ୟମକୁ କହିଥିଲେ। ଲକ୍ଷ୍ମୀସାଗର ଥାନା ପୁଲିସ ଏ ନେଇ ମାମଲା ରୁଜୁ କରି ଦିଦିକୁ ଖୋଜିବା ଆରମ୍ଭ କରିଥିଲା। ଠିକ୍ ଏତିକିବେଳେ କ୍ରାଇମ ବ୍ରାଞ୍ଚର ଏସ୍‌ଟିଏଫ୍‌ ଆଜି ଦିଦି ଓ ତାଙ୍କ ପତି ଇବ୍ରାହିମ୍‌କୁ ଗିରଫ କରିବା ସହ ସେମାନଙ୍କ ନେଟ୍‌ୱର୍କରେ ଥିବା ରୂପଜୀବୀମାନଙ୍କୁ ଅଟକ ରଖିଛି। କମିସନରେଟ୍‌ ପୁଲିସର ମାମଲାର ଅଭିଯୁକ୍ତମାନଙ୍କୁ ଏସ୍‌ଟିଏଫ୍ ଗିରଫ କରିବା ପରେ ଏବେ ପୁଲିସ୍‌ ମହଲରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।
ବାଂଲାଦେଶ ଲିଙ୍କ୍‌ର ହେବ ଖୋଳତାଡ଼
ବାଂଲାଦେଶରୁ ଏହି ଯୁବତୀମାନଙ୍କୁ ଭୁବନେଶ୍ୱର ଆଣିଲା କିଏ? କେଉଁ ରାସ୍ତା ଦେଇ ସେମାନେ ଓଡ଼ିଶା ଆସୁଥିଲେ? ଏହି ଘଟଣା ପଛରେ ନିଶ୍ଚିତ ଏକ ବଡ଼ଧରଣର ରାକେଟ କାମ କରୁଛି। ତେଣୁ ରାକେଟର କିଙ୍ଗପିନ୍ କିଏ? ଗିରଫ ହୋଇଥିବା ଇବ୍ରାହିମ ଓ ଅଞ୍ଜଳିଙ୍କ ଉପରେ କାହାର ଆଶୀର୍ବାଦ ରହିଛି କି? ନ ହେଲେ ଭୁବନେଶ୍ୱରରେ ଦେହ ବେପାର ଚଳାଇବାକୁ ସେମାନେ କେମିତି ସାହାସ ଜୁଟାଇ ପାରିଲେ? ଏ ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ଏସ୍‌ଟିଏଫ୍‌।

Share Now:

Kalinga News Beuro

Leave a Reply

Next Post

ଜବରଦଖଲମୁକ୍ତ ହେଲା ରାଜମହଲ-ଏଜି ରାସ୍ତା: ପୁଣି ଜବରଦଖଲ କଲେ ୧୦ହଜାର ଜରିମାନା

Wed Jan 22 , 2020
ଭୁବନେଶ୍ୱର: ୟୁନିଟ-୧ ହାଟ ଏବଂ ୟୁନିଟ-୨ ମାର୍କେଟ୍‌ ବିଲଡିଂରେ ଦେଖା ଦେଉଥିବା ଭିଡ଼, ପାର୍କିଂ ସମସ୍ୟା ଦୂର କରିବା ଏବଂ ରାଜମହଲ ଛକରୁ ଏଜି ଏବଂ ଏଜି ଛକରୁ ରାଜମହଲ ମଧ୍ୟରେ ଯେମିତି ଗାଡ଼ି ଚଳାଚଳ ସ୍ଵଭାବିକ ହେବ ସେଥିପାଇଁ ଏହି ଦୁଇ ରାସ୍ତାରୁ ଆଜି ଜବରଦଖଲ ଉଚ୍ଛେଦ ହୋଇଛି। ରାଜମହଲରୁ ଏଜି ଏବଂ ଏଜିରୁ ରାଜମହଲ ଛକ ପର୍ଯ୍ୟନ୍ତ ରାସ୍ତାରେ ଫୁଟପାଥ୍‌କୁ ଜବରଦଖଲମୁକ୍ତ କରିବା ସହ ବ୍ୟବସ୍ଥିତ ପାର୍କିଂ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial