କୁକୁର, ଗାଈ, ଷଣ୍ଢଙ୍କ ପାଇଁ ଯାଉଛି ଜୀବନ: ବର୍ଷକରେ ୪୧ ଦୁର୍ଘଟଣା, ୨ ମୃତ

ଜୟଦେବ ବିହାର-ନନ୍ଦନକାନନ ରାସ୍ତା ୫୮ଜଣ କୁକୁର କାମୁଡ଼ାର ଶିକାର, ଷଣ୍ଢ ଆକ୍ରମଣରେ ୩ ଆହତ

ଚନ୍ଦ୍ର‌ଶେଖରପୁର: ରାତିରେ କୁକୁରଙ୍କ ଉତ୍ପାତ। ଆଉ ଦିନରେ ରାସ୍ତା ଉପରେ ମାଳ ମାଳ ଗାଈଗୋରୁ। ସ୍ଥିତି ଏମିତି ହେଲାଣି ଯେ ଏମାନଙ୍କ ଦାଉରୁ କେତେବେଳେ ଯେ ଦୁର୍ଘଟଣାରେ ଗାଡ଼ି ଚାଳକଙ୍କ ଜୀବନ ଚାଲିଯିବ, ତାହା କହିବା ମୁସ୍କିଲ୍‌। ଆଉ କୌଣସି ରାସ୍ତା କଥା କହୁନୁ, ବରଂ ରାଜଧାନୀର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଥିବା ଜୟଦେବ ବିହାରଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ପ୍ରାୟ ୧୨ କିମି ରାସ୍ତା ଅବସ୍ଥା ଏବେ ଏମିତି। କୁକୁର ଓ ଗାଈଗୋରୁଙ୍କ ଯୋଗୁଁ ଗତ ବର୍ଷକ ମଧ୍ୟରେ ୪୧ଟି ଦୁର୍ଘଟଣା ହୋଇଛି। ଦୁଇଜଣଙ୍କ ଜୀବନ ଯାଇଛି। ୫୮ଜଣ କୁକୁର କାମୁଡ଼ାର ଶିକାର ହୋଇଛନ୍ତି। ଷଣ୍ଢ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି। ଏହି ରାସ୍ତାରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଦୁଇ ମାସ ତଳେ କମିସନରେଟ୍ ପୁଲିସ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଏକ ସ୍ୱତନ୍ତ୍ର ଟ୍ରାଫିକ୍ ଥାନା ଖୋଲା ଯାଇଥିଲା। ଏହାଦ୍ୱାରା ଟ୍ରାଫିକ୍‌ ସମସ୍ୟା କିଛି ମାତ୍ରାରେ ଦୂର ହୋଇଥି‌ଲେ ମଧ୍ୟ ସେଭଳି ଆଖିଦୃଶିଆ ପରିବର୍ତନ ଆସି ପାରି ନାହିଁ। ଯାହାର ପ୍ରମୁଖ କାରଣ ହେଉଛି, ଦିନ ରାତି ୨୪ଘଣ୍ଟା ଏହି ରାସ୍ତାରେ ବୁଲା କୁକୁର, ଗାଈ ଓ ଷଣ୍ଢଙ୍କ ଉତ୍ପାତ। ପରିଣାମସ୍ୱରୂପ ଦୁର୍ଘଟଣା ବଢ଼ିବା ସହ ଲୋକଙ୍କ ଜୀବନ ଚାଲି ଯାଉଛି। ବିଶେଷକରି ଇନ୍‌ଫୋସିଟି ଓ ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଏହି ରାସ୍ତାରେ ଅଧିକ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି। ପୁଲିସ ତଥ୍ୟ ଅନୁଯାୟୀ, ଗତ ବର୍ଷକ ମଧ୍ୟରେ ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି ଓ ନନ୍ଦନକାନନ ଥାନା ଅଧୀନରେ ଥିବା ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଉପରେ ବୁଲାବୁଲି କରୁଥିବା କୁକୁର, ଗାଈ, ଷଣ୍ଢ ସହ ସାଧାରଣ ଲୋକଙ୍କ ୪୧ଟି ଦୁର୍ଘଟଣା ହୋଇଛି। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ୧୩ଟି ଦୁର୍ଘଟଣା ହୋଇଥିବା ବେଳେ ଇନ୍‌ଫୋ‌ସିଟିରେ ୧୭ ଓ ନନ୍ଦନକାନନ ଥାନା ଅଞ୍ଚଳରେ୧୧ଟି ଦୁର୍ଘଟଣା ହୋଇଛି। ଷଣ୍ଢ ଆକ୍ରମଣରେ ନନ୍ଦନକାନନ ଥାନା ଅଧୀନରେ ୨, ଚନ୍ଦ୍ରଶେଖରପୁର ଅଧୀନରେ ଜଣେ ଆହତ ହୋଇଛନ୍ତି। ନନ୍ଦନକାନନ ଓ ନୟାପଲ୍ଲୀ ଥାନା ଅଞ୍ଚଳରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ବାଇକ୍‌ ଓ ସାଇକେଲ୍ ଚାଳକମାନେ ବିଳମ୍ବିତ ରାତିରେ ଏହି ରାସ୍ତାରେ ଯିବା ସମୟରେ କୁକୁର କାମୁଡ଼ାର ଶିକାର ହେଉଛନ୍ତି। ଏ କ୍ଷେତ୍ରରେ ଇନ୍‌‌ଫୋସିଟି ଥାନା ଅଧୀନରେ ୨୭ଜଣ କୁକୁର କାମୁଡ଼ାର ଶିକାର ହୋଇଥିବା ବେଳେ ନନ୍ଦନାକାନନ ଥାନା ଅଧୀନରେ ୨୦ ଓ ଚନ୍ଦ୍ରଶେଖପୁର ଥାନା‌ ଅଧୀନରେ ୧୧ଜଣ ଶିକାର ହୋଇଛନ୍ତି। ସମସ୍ୟା ଦିନକୁ ଦିନ ଜଟିଳ ହେଉଥିବାରୁ ଗାଈଗୋରୁ ଓ ଷଣ୍ଢକୁ ଉଠାଇ ନେଇ କାଞ୍ଜିଆହୁଦାକୁ ନେବା ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ବିଏମ୍‌ସି ନିକଟରେ ଗୁହାରି କରିଛନ୍ତି। ତେବେ ଏ ପର୍ଯ୍ୟନ୍ତ କିଛି ବି ସୁଫଳ ମିଳିନି, ବରଂ ସମସ୍ୟା ଦିନକୁ ଦିନ ବଢ଼ୁଛି। କେବଳ ସେତିକି ନୁହେଁ। ଜୀବଜନ୍ତୁଙ୍କ ମୃତ୍ୟୁ ସଂଖ୍ୟା ବି ବଢ଼ି ଚାଲିଛି। ପ୍ରତିଦିନ ଏହି ରାସ୍ତାରେ ହାରାହାରି ୨ଟି କୁକୁର ମରୁଥିବା ବେଳେ ସପ୍ତାହକୁ ଗୋଟିଏ ଗାଈ ଓ ଷଣ୍ଢ ଦୁର୍ଘଟଣାର ଶିକାର ହେଉଥିବା ଜଣାପଡ଼ିଛି। ଗାଡ଼ି ଧକ୍କାରେ ଗୁରୁତର ହେଉଥିବା ପଶୁ ରାସ୍ତା ଉପରେ ପଡ଼ି ରହୁଥିଲେ ମଧ୍ୟ ହଟାଇବା ଦିଗରେ ସେଭଳି ପଦ‌କ୍ଷେପ ନିଆଯାଉ ନ ଥିବା ଲୋକେ ଅଭିଯୋଗ କରିଛନ୍ତି।

ରାସ୍ତା ଉପରେ ମାଳ ମାଳ ଗାଈ, ଷଣ୍ଢ ବୁଲୁଥିବାରୁ ଦୁର୍ଘଟଣା ଘଟିବା ସ୍ଵଭାବିକ। ବିଏମ୍‌ସି କୁକୁରଙ୍କୁ ବନ୍ଧ୍ୟାକରଣ କ‌ଲେ କିମ୍ବା ବୁଲା ଗାଈ, ଷଣ୍ଢକୁ ନେଇ କାଞ୍ଜିଆହୁଦାରେ ଛାଡ଼ିଦେଲେ, ସମସ୍ୟାର ସମାଧାନ ହୋଇପାରିବ। ଆଉ ଦୁର୍ଘଟଣା ବଢ଼ିବ ନାହିଁ। ତେବେ ବିଏମ୍‌ସି ଏ ଦିଗରେ ଠିକ୍‌ ଭାବେ କାର୍ଯ୍ୟ କରୁଥିବା ମନେ ହେଉନାହିଁ।
ଦିଲ୍ଲୀପ କୁମାର ସାହୁ, ଶୈଳଶ୍ରୀ ବିହାର

ରାସ୍ତାକୁ ସବୁଜ ସୁନ୍ଦର କରିବା ପାଇଁ ଡିଭାଇଡର୍‌ରେ ଗଛ ଲଗା ଯାଉଛି। ତେବେ ସେହି ଗଛ ପତ୍ରକୁ ଖାଇବା ପାଇଁ ଗାଈଗୋରୁ ରାସ୍ତା ଉପରକୁ ଚାଲି ଆସୁଛନ୍ତି, ଯେଉଁଥିପାଇଁ ଦୁର୍ଘଟଣା ବଢ଼ୁଛି। ତେଣୁ ଗଛ ଲଗାଯାଉଥିବା ସ୍ଥାନରେ ତାର ଜାଲି କିମ୍ବା ରକ୍ଷଣାବେକ୍ଷଣ ଦାଇତ୍ୱରେ ଥିବା କର୍ମଚାରୀମାନେ ରାସ୍ତାରେ ପାଟ୍ରୋଲିଂ କଲେ ଦୁର୍ଘଟଣା ଏଡ଼ା ଯାଇପାରିବ। ରାସ୍ତା କଡ଼ରେ ଆମିଷ ଦୋକାନ ରହିଥିବାରୁ କୁକୁରଙ୍କ ଉତ୍ପାତ ବଢ଼ୁଛି।
କାଳୀପ୍ରସାଦ ସିଂ, ନୀଳାଦ୍ରିବିହାର

ରାସ୍ତା ଅନ୍ଧାର ଥିବାରୁ ବୁଲା ଷଣ୍ଢ ଦେହରେ ପିଟି ହୋଇ ଗୁରୁତର ଆହତ ହୋଇଥିଲି। ଏବେ ଟିକିଏ ସୁସ୍ଥ ରହିଛି। ଏଭଳି ସ୍ଥିତି ଆଉ କାହାର ନ ହେଉ। ଡମଣା, ବିଡିଏ ଛକ, ପଟିଆ, କୋଏଲ କ୍ୟାମ୍ପସ୍, ଶିଖରଚଣ୍ଡି ନଗର, ରଘୁନାଥପୁର ଓ ନନ୍ଦନକାନନ ଛକକୁ ଗାଈଗୋରୁ ଗୁହାଳ କରି ଦେଇଛନ୍ତି। ପ୍ରଶାସନ ରାସ୍ତା ଉପରୁ ପଶୁ ହଟାଇବା ନେଇ କାର୍ଯ୍ୟ କରୁ। ନଚେତ କେତେ ଯେ ଜୀବନ ଯିବ।
ସୁନୀଲ୍ କୁମାର ଭୋଇ, ଇନ୍‌ଫୋସିଟି

Share Now:

Kalinga News Beuro

Leave a Reply

Next Post

କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସେବାର ବିକଳ ଚିତ୍ର: ଅଧା ଷ୍ଟାଫ୍‌ ନର୍ସ ପଦ ଖାଲି, ୫୫୭ ଶଯ୍ୟା ପାଇଁ ଅଛନ୍ତି ୮୨

Fri Jan 24 , 2020
ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଅଧା ଷ୍ଟାଫ୍ ନର୍ସ ପଦବି ଖାଲି ପଡ଼ିଛି। ୫୫୭ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ଅଛନ୍ତି ମାତ୍ର ୮୨ଜଣ ଷ୍ଟାଫ୍ ନର୍ସ। ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲକୁ ଏକ ଉନ୍ନତମାନର ହସ୍ପିଟାଲରେ ପରିଣତ କରିବା ପାଇଁ ଯୋଜନା କରୁଛନ୍ତି। ଗତବର୍ଷ ଗାନ୍ଧୀ ଜୟନ୍ତୀରୁ କ୍ୟାପିଟାଲ ହସ୍ପିଟାଲରେ ‘ମୋ ସରକାର’ ଯୋଜନା ଆରମ୍ଭ ହୋଇଛି। ଗୋଟିଏ ପରେ ଗୋଟିଏ ନୂଆ ବିଭାଗ ହସ୍ପିଟାଲରେ ଖୋଲା ଯାଉଛି। ମାତ୍ର ଷ୍ଟାଫ୍ ନର୍ସ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial