କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସେବାର ବିକଳ ଚିତ୍ର: ଅଧା ଷ୍ଟାଫ୍‌ ନର୍ସ ପଦ ଖାଲି, ୫୫୭ ଶଯ୍ୟା ପାଇଁ ଅଛନ୍ତି ୮୨

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଅଧା ଷ୍ଟାଫ୍ ନର୍ସ ପଦବି ଖାଲି ପଡ଼ିଛି। ୫୫୭ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ଅଛନ୍ତି ମାତ୍ର ୮୨ଜଣ ଷ୍ଟାଫ୍ ନର୍ସ। ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲକୁ ଏକ ଉନ୍ନତମାନର ହସ୍ପିଟାଲରେ ପରିଣତ କରିବା ପାଇଁ ଯୋଜନା କରୁଛନ୍ତି। ଗତବର୍ଷ ଗାନ୍ଧୀ ଜୟନ୍ତୀରୁ କ୍ୟାପିଟାଲ ହସ୍ପିଟାଲରେ ‘ମୋ ସରକାର’ ଯୋଜନା ଆରମ୍ଭ ହୋଇଛି। ଗୋଟିଏ ପରେ ଗୋଟିଏ ନୂଆ ବିଭାଗ ହସ୍ପିଟାଲରେ ଖୋଲା ଯାଉଛି। ମାତ୍ର ଷ୍ଟାଫ୍ ନର୍ସ ପଦବି ପୂରଣ କରାଯାଉ ନାହିଁ। ଏଭଳି ପରିସ୍ଥିତିରେ ରୋଗୀଙ୍କୁ କିଭଳି ଉନ୍ନତ ମାନର ସେବା ମିଳିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି, କ୍ୟାପିଟାଲ ହସ୍ପିଟାଲରେ ସମୁଦାୟ ୧୬୩ ଷ୍ଟାଫ୍ ନର୍ସ ପଦବି ରହିଛି। ତହିଁରୁ ଏବେ ୮୨ଜଣ କାର୍ଯ୍ୟ କରୁଥିବା ବେଳେ ୮୧ଟି ଖାଲି ପଡ଼ିଛି। ହସ୍ପିଟାଲରେ ଏବେ ୨୦ରୁ ଅଧିକ ବିଭାଗ କାର୍ଯ୍ୟ କରୁଛି। ନୂଆ ବିଭାଗ ଖୋଲିବା ପାଇଁ ନିଷ୍ପତ୍ତି ବି ନିଆଯାଉଛି। ମାତ୍ର ଧାର୍ଯ୍ୟ ଷ୍ଟାଫ୍ ନର୍ସ ପଦବି ପୂରଣ ଦିଗରେ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ବ ନ ଦେବା ଅତି ପରିତାପର ବିଷୟ। ସେହିପରି ଇଣ୍ଡିଆନ୍ ପବ୍ଲିକ୍ ହେଲ୍‌ଥ ଷ୍ଟାଣ୍ଡାର୍ଡ (ଆଇପିଏଚ୍‌ଏସ୍‌) ଅନୁସାରେ ୫ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ଅତିକମ୍‌ରେ ୨୨୫ଜଣ ଷ୍ଟାଫ ନର୍ସଙ୍କ ଆବଶ୍ୟକତା ରହିଛି। ମାତ୍ର କ୍ୟାପିଟାଲ ହସ୍ପିଟାଲ ଏଭଳି ନିୟମ ପାଳନ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି। କ୍ୟାପିଟାଲ ହସ୍ପିଟାଲକୁ ପ୍ରତ୍ୟେକ ଦିନ ୨/୩ହଜାର ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଆଡମିଟ୍‌ ହେଉଛନ୍ତି। ଏଭଳି ପରିସ୍ଥିତିରେ ଧାର୍ଯ୍ୟ ପଦବିଠାରୁ ଯଥେଷ୍ଟ କମ୍ ସଂଖ୍ୟକ ଷ୍ଟାଫ୍ ନର୍ସ ରହିବା ଉନ୍ନତ ସ୍ବାସ୍ଥ୍ୟସେବା ପ୍ରତି ପରିହାସ ପାଲଟିଛି। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ପଦବି ସହିତ ଶଯ୍ୟାକୁ ତୁଳନା କଲେ ପ୍ରତି ସାଢ଼େ ୩ଟି ଶଯ୍ୟା ପିଛା ଜଣେ ଷ୍ଟାଫ୍ ନର୍ସ ସେବା ଦେଇପାରିବେ। ମାତ୍ର ହସ୍ପିଟାଲରେ ୭ଟି ଶଯ୍ୟା ପାଇଁ ଜଣେ ଲେଖାଏ ଷ୍ଟାଫ୍ ନର୍ସ ରହିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ପ୍ରତି ୫/୭ ଶଯ୍ୟା ପାଇଁ ଜଣେ ଷ୍ଟାଫ୍ ନର୍ସ ଓ ଆଇସିୟୁରେ ଜଣେ ରୋଗୀ ପିଛା ଜଣେ ଷ୍ଟାଫ୍ ନର୍ସ ରହିବାର ନିୟମ ରହିଛି। ତେବେ ଓପିଏସ୍‌ସି ଜରିଆରେ ଯେଉଁ ଡାକ୍ତରଖାନାରେ ଷ୍ଟାଫ୍ ନର୍ସ ପଦବି ଖାଲି ରହିଛି ତାହାକୁ ପୂରଣ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହାସହ ଏନଏଚଏମ ଅଧୀନରେ ନିଯୁକ୍ତ ହୋଇଥିବା ଡାକ୍ତରଙ୍କୁ ସ୍ଥାୟୀ କରାଯିବା ପରେ ଯେଉଁ ବଳକା ପଦବି ରହିଛି ତାହାକୁ ଓପିଏସ୍‌ସି ଜରିଆରେ ପୂରଣ କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ଷ୍ଟେସନ୍‌ରୁ ଶିଶୁପୁତ୍ର ନିଖୋଜ ଘଟଣା : ଅପହରଣକାରୀ ମହିଳା ଗିରଫ

Fri Jan 24 , 2020
ଭୁବନେଶ୍ୱର : ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ନିଖୋଜ ବିହାରୀ ଶିଶୁପୁତ୍ର ଉଦ୍ଧାର ହେବା ପରେ ଖାରବେଳନଗର ଥାନା ପୁଲିସ ଆଜି ଅପହର୍ତ୍ତାକୁ ଗୋଳନ୍ଥରାରୁ ଗିରଫ କରିଛି। ସେ ହେଲେ, ଜିତା ପାଲ୍‌। ଘର ଗଂଜାମ ଜିଲ୍ଲା ଗୋଳନ୍ଥରା ଗ୍ରାମରେ। ଗୋଳନ୍ଥରା ପୁଲିସ ଗତକାଲି ଅପହର୍ତ୍ତା ମହିଳାଙ୍କୁ ଥାନାରେ ଅଟକ ରଖିଥିଲା। ଖାରବେଳନଗର ଥାନା ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଆଜି ତାଙ୍କୁ ସେଠାରୁ ଗିରଫ କରି ଭୁବନେଶ୍ୱର ଆଣିବା ପରେ କୋର୍ଟଚାଲାଣ […]
ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ : ସ୍ୱାମୀ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial