ଡାକ୍ତରଖାନାରେ ମିଳିବ ଆୟୁର୍ବେଦିକ ଔଷଧ, କୋଟି କୋଟି ଟଙ୍କାର ଔଷଧ ବିତରଣକୁ ନେଇ ଚିନ୍ତାରେ ଆୟୁଷ ନିର୍ଦ୍ଦେଶାଳୟ

ଭୁବନେଶ୍ୱର: ଦୀର୍ଘ ୮ ବର୍ଷ ପରେ ରାଜ୍ୟର ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କ ନିକଟରେ ପହଞ୍ଚିବ ଔଷଧ। କିଛି ଦିନ ପୂର୍ବରୁ ବାହାରୁ ଆୟୁର୍ବେଦିକ ଔଷଧ କିଣିବା ଲାଗି ଆୟୁଷ ନିର୍ଦେଶାଳୟ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଏବେ ଗୋଟିଏ କମ୍ପାନି ପକ୍ଷରୁ ଔଷଧ ରାଜ୍ୟରେ ପହଞ୍ଚିଛି। ଖୁବ୍‌ଶୀଘ୍ର ଔଷଧକୁ ରାଜ୍ୟର ବିଭିନ୍ନ ପିଏଚ୍‌ସି ଓ ସିଏଚ୍‌ସି‌କୁ ବିତରଣ କରାଯିବ। ଅପରପକ୍ଷରେ ଆୟୁଷ ନିର୍ଦ୍ଦେଶକ ନ ଥିବାରୁ କୋଟି କୋଟି ଟଙ୍କାର ଔଷଧକୁ କିଭଳି ବିତରଣ କରାଯିବ, ତାହାକୁ ନେଇ ନିର୍ଦ୍ଦେଶାଳୟ ଚିନ୍ତାରେ ପଡ଼ିଛି। ୨୦୧୨ ମସିହାଠାରୁ ରାଜ୍ୟରେ ଥିବା ପିଏଚ୍‌ସି ଓ ସିଏଚ୍‌ସିକୁ ଆୟୁର୍ବେଦିକ ଔଷଧ ଯୋଗାଣ ବନ୍ଦ ହୋଇଯାଇଥିଲା। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୁଷ ଔଷଧ କିଣିବା ଲାଗି ୩୨କୋଟି ଟଙ୍କା ପ୍ରଦାନ କରାଯାଇଥିଲେ ହେଁ ବିଭିନ୍ନ କାରଣରୁ ଏହାର ଟେଣ୍ଡର୍‌ ହୋଇପାରି ନ ଥିଲା। ଫଳରେ ସରକାରୀ ଡାକ୍ତରଖାନାରେ ଆୟୁର୍ବେଦିକ ଔଷଧ ଯୋଗାଣ ବନ୍ଦ ହୋଇଯାଇଥିଲା। ଔଷଧ ଯୋଗାଣ ବନ୍ଦ ହୋଇଯିବା ପରେ ଆୟୁଷ ଡାକ୍ତର ଏକପ୍ରକାର ହାତ ବାନ୍ଧି ବସିଥିଲେ।
ଔଷଧ କିଣିବା ପାଇଁ ନିର୍ଦ୍ଦେଶାଳୟରେ ଛକାପଞ୍ଝା ଚାଲିବା ପରେ ଗତବର୍ଷ ୭ କୋଟି ୫୪ ଲକ୍ଷ ଟଙ୍କାର ଆୟୁର୍ବେଦିକ ଔଷଧ କିଣିବା ଲାଗି ଟେଣ୍ଡର୍‌ ଆହ୍ୱାନ କରାଯାଇଥିଲା। ଏଥିରେ ଯୋଗରାଜ ଗୁଗୁଳ, କୈଶୁର, ଅଭିପତିର ଚୂର୍ଣ୍ଣ, ଆରୋଗ୍ୟ ବର୍ଧନି ବଟି ଭଳି ଔଷଧକୁ ମିଶାଇ ସମୁଦାୟ ୧୦ଟି ପ୍ରକାରର ଔଷଧ କିଣିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏବେ ଗୋଟିଏ କମ୍ପାନି ପକ୍ଷରୁ ଆବଶ୍ୟକ ଔଷଧ ରାଜ୍ୟରେ ପହଞ୍ଚିଛି। ଆସନ୍ତା ୧ ମାସ ଭିତରେ ରାଜ୍ୟର ସମସ୍ତ ପିଏଚ୍‌ସି ଓ ସିଏଚ୍‌ସିକୁ ଏହି ଔଷଧ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ୧୪୯୪ଟି ଡିସ୍‌ପେନସାରିରେ ଆୟୁଷ ଡାକ୍ତର କାର୍ଯ୍ୟରତ ଅଛନ୍ତି। ଆଗକୁ ଆହୁରି ୪/୫ଟି କମ୍ପାନିର ଔଷଧ ରାଜ୍ୟରେ ପହଞ୍ଚିବ ବୋଲି ସୂଚନା ମିଳିଛି। ଅପରପକ୍ଷରେ ରାଜ୍ୟ ଆୟୁଷ ନିର୍ଦ୍ଦେଶକ ପଦ ଏବେ ଖାଲି ପଡ଼ି ଥିବାରୁ କୋଟି କୋଟି ଟଙ୍କାର ଆୟୁର୍ବେଦିକ ଔଷଧ ବିତରଣକୁ ନେଇ ଚିନ୍ତାରେ ପଡ଼ିଛି ନିର୍ଦ୍ଦେଶାଳୟ। କିଭଳି ଢଙ୍ଗରେ ଏହି ଔଷଧ ବିତରଣ କରାଯିବ, ତାହା କର୍ମଚାରୀଙ୍କ ପାଇଁ ସମସ୍ୟା ଆଣି ଦେଇଛି। ଗତବର୍ଷ ଅଗଷ୍ଟ ମାସଠାରୁ ଆୟୁଷ ନିର୍ଦ୍ଦେଶକ ପଦ ଖାଲି ପଡ଼ିଥିଲା। ତେବେ ଗତ ଡିସେମ୍ବରରେ ସରକାରଙ୍କ ପକ୍ଷରୁ ଭି.ଜୟ କୁମାରଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା। ମାତ୍ର ସେ ଏ ପର୍ଯ୍ୟନ୍ତ ନିର୍ଦ୍ଦେଶକ ଭାବେ ଦାଇତ୍ୱ ଗ୍ରହଣ କରିନାହାନ୍ତି। ଆଗକୁ ଦାଇତ୍ୱ ଗ୍ରହଣ କରିବେ କି ନାହିଁ, ତାହା ମଧ୍ୟ ଦ୍ଵନ୍ଦରେ ରହିଛି। ଫଳରେ ରାଜ୍ୟରେ ଆୟୁଷ ଏକପ୍ରକାର ଅନ୍ଧାରରେ ରହିଛି। ଖୁବଶୀଘ୍ର ନିର୍ଦ୍ଦେଶକଙ୍କୁ ନିଯୁକ୍ତ କରାଗଲେ, ଆୟୁଷ ସେବାରେ ଉନ୍ନତି ଆସିପାରିବ ବୋଲି ଓଡ଼ିଶା ସରକାରୀ ଆୟୁର୍ବେଦିକ ଚିକିତ୍ସକ ସଂଘ ପକ୍ଷରୁ ଦାବି କରାଯାଇଛି।

Share Now:

Kalinga News Beuro

Leave a Reply

Next Post

କ୍ୟାପିଟାଲ ହସ୍ପିଟାଲରେ ପରିବାର ନିୟୋଜନ ଅସ୍ତ୍ରୋପଚାର: ବର୍ଷେ ନ ପୂରୁଣୁ ୨ ମାସର ଗର୍ଭବତୀ

Sun Jan 26 , 2020
ଭୁବନେଶ୍ୱର: ଦ୍ଵିତୀୟ ସନ୍ତାନ ଜନ୍ମ ହେବା ପରେ ପରିବାର ନିୟୋଜନ ଅସ୍ତ୍ରୋପଚାର ହୋଇଥିଲା। ଡାକ୍ତର କହିଥିଲେ ଏବେ ଗର୍ଭଧାରଣର ଭୟ ନାହିଁ। ମାତ୍ର ଅସ୍ତ୍ରୋପଚାରର ବର୍ଷେ ନ ପୂରୁଣୁ ମହିଳାଜଣକ ୨ ମାସର ଗର୍ଭବତୀ ହୋଇଛନ୍ତି। ଏଭଳି ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାରର ଅଭିଯୋଗ ଆସିଛି କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କ ବିରୋଧରେ। ତେବେ କୌଣସି ପ୍ରକାରେ ଏହି ଘଟଣାକୁ ଚପାଇ ଦେବା ଲାଗି ସଂପୃକ୍ତ ମହିଳାଙ୍କୁ ଆସନ୍ତା ମଙ୍ଗଳବାର ଆସି ଡାକ୍ତରଙ୍କୁ ଭେଟିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial