ଓମ୍‌ଫେଡ୍‌ ବୁଥ୍‌ରୁ ଗୁଟ୍‌ଖା ବିକ୍ରି ହଟାଇବା ପାଇଁ ନିର୍ଦ୍ଦେଶ ଦେଲେ ଓଏଚ୍‌ଆରସି

ଭୁବନେଶ୍ୱର: ରାଜ୍ୟରେ ଥିବା ଓମଫେଡ ବୁଥ୍‌ଗୁଡ଼ିକରେ ଗୁଟ୍‌ଖା ଓ ତମାଖୁରେ ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେଉଛି। ତେଣୁ ବୁଥ୍‌ଗୁଡ଼ିକରେ ତମାଖୁ ଜାତୀୟ ଦ୍ରବ୍ୟ ହଟାଇବା ପାଇଁ ରାଜ୍ୟ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିସନ (ଓଏଚଆରସି)। ଯଦି ଓମଫେଡ୍‌ ବୁଥଗୁଡିକ ଏହାକୁ ନ ହଟାନ୍ତି କିମ୍ବା ଆଦେଶନାମାକୁ ଅବମାନନା କରନ୍ତି ତେବେ ସେମାନଙ୍କ ଲାଇସେନ୍‌ସ ପ୍ରତ୍ୟାହାର କରିବା ପାଇଁ କମିସନ କହିଛନ୍ତି। ପରବର୍ତ୍ତୀ ସମୟ‌ରେ ଏହି ନିର୍ଦ୍ଦେଶାନାମାକୁ କଡ଼ାକଡ଼ି ପାଳନ କରିବା ପାଇଁ ଗୃହ ବିଭାଗ ପକ୍ଷରୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଓ କମିସନରେଟ୍ ପୁଲିସକୁ କୁହାଯାଇଛି। ତେଣୁ ଥାନାସ୍ତରରେ ସ୍ୱତନ୍ତ୍ର ଟିମ୍ ଗଠନ କରି ଚଢ଼ଉ କରିବା ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତମାଖୁମୁକ୍ତ ଓଡ଼ିଶା ଅଭିଯାନ ପକ୍ଷରୁ ଦାବି କରାଯାଇଛି। ଆଜି ଅଭିଯାନ ପକ୍ଷରୁ ହୋଟେଲ କେଶରୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପଦେଷ୍ଟା ବାସୁଦେବ ଭଟ୍ଟ କହିଲେ, ଶିକ୍ଷାନୁଷ୍ଠାନ ନିକଟବର୍ତ୍ତୀ ଓମ୍‌ଫେଡ୍‌ ବୁଥ୍‌ଗୁଡ଼ିକରେ ଗୁଟ୍‌ଖା, ତମାଖୁ ବିକ୍ରିକୁ ବନ୍ଦ କରିବା ପାଇଁ ଓଡ଼ିଶା ଅଭିଭାବକ ମହାସଂଘ ଓଏଚଆରସିଙ୍କ ଦ୍ୱାରସ୍ଥ ହୋଇଥିଲା। କମିସନ ଏହାକୁ ଗୁରୁତ୍ୱର ସହ ବିଚାର କରିବା ସହିତ ଓମଫେଡ୍‌ ବୁଥ୍‌ରୁ ତମାଖୁ ହଟାଇବା ପାଇଁ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ୨୦୧୩ ମସିହାରେ ରାଜ୍ୟ ସରକାର ଓଡ଼ିଶାରେ ତମାଖୁ ନିଷିଦ୍ଧ ଘୋଷଣା କରିଛନ୍ତି। ମାତ୍ର ରାଜ୍ୟରେ ତାହା କଡ଼ାକଡ଼ି ଭାବେ ଲାଗୁ ହୋଇପାରି ନାହିଁ। କୋଟପା ଆଇନରେ କୌଣସି ଶିକ୍ଷାନୁଷ୍ଠାନର ୧୦୦ମିଟର ପରିସୀମା ମଧ୍ୟରେ ତମାଖୁ ଓ ସିଗାରେଟ୍ ବିକ୍ରି ହୋଇପାରିବ ନାହିଁ ବୋଲି ନିୟମ ରହିଛି। ମାତ୍ର ରାଜ୍ୟରେ ସ୍କୁଲ ନିକଟବର୍ତୀ ଓମଫେଡ୍‌ ବୁଥ୍‌ରେ ବହୁଳ ମାତ୍ରାରେ ବିକ୍ରି ହେଉଛି। ଆଗାମୀ ଦିନରେ ଅଭିଯାନ ପକ୍ଷରୁ ଏକ ‘ଆପ୍’ ପ୍ରସ୍ତୁତ କରାଯିବ ଓ ଏଥିରେ ଲୋକମାନେ ଯେଉଁଠାରେ ତମାଖୁ ବିକ୍ରି ହେଉଛି ତାହାର ସୂଚନା ଦେଇପାରିବେ। ରାଜ୍ୟର ୫ଶହ ସ୍କୁଲ ଓ କଲେଜରେ ତମାଖୁ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ସଂଯୋଜକ ପୁଣ୍ୟଶ୍ଳୋକ ମହାନ୍ତି, ସୁଜିତ ରାଇତ ଓ ପ୍ରସନ୍ନ ବିଶୋୟୀ ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Leave a Reply

Next Post

୩ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା: ବରଗଡ଼ ଏସ୍‌ଡିପିଓଙ୍କୁ ବ୍ୟକ୍ତିଗତ ହାଜର ନିର୍ଦ୍ଦେଶ

Sat Feb 1 , 2020
ଭୁବନେଶ୍ୱର: ବରଗଡ଼ ଜିଲ୍ଲା ଭେଡେନ୍ ଥାନା ରୂପାପଲ୍ଲୀ ଗାଁରେ ହୋଇଥିବା ତିନି ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ଓ ଦୁଇ ଜଣଙ୍କୁ ହତ୍ୟା ଅଭିଯୋଗ ମାମଲାର ତଦନ୍ତରେ ଅହେତୁକ ବିଳମ୍ବ ଓ ଶିଥିଳତାକୁ ନେଇ ପୁଲିସ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟ ମାନବାଧିକାର କମିସନ। ନିଜ ଜୀବନ ବିପଦରେ ଥିବା ଦର୍ଶାଇ ପୀଡ଼ିତାଙ୍କ ଆବେଦନକୁ ଗ୍ରହଣ କରି ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ପାଇଁ କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial