ରାସ୍ତାରେ ଲାଗିବ ସ୍ପାଇକ୍ ବ୍ୟାରିୟର : ରଙ୍ଗରୁଟ୍‌ରେ ଗଲେ ଲିକ୍‌ ହୋଇଯିବ ଚକା

ଭୁବନେଶ୍ୱର: ନୂଆ ନୂଆ ଆଇନ ଲାଗୁ କରାଯିବା ସହ ଅଧିକ ଜରିମାନା ସତ୍ତ୍ୱେ ଲୋକେ ସୁଧୁରୁନାହାନ୍ତି। ବିଶେଷକରି ରଙ୍ଗ୍‌ ସାଇଡ୍‌ରେ ଗାଡ଼ି ଚାଳନା ଯୋଗୁ ଅଧିକାଂଶ ଦୁର୍ଘଟଣା ଘଟୁଛି। ଏଣିକି ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ୍‌ କରିବାକୁ କମିଶନରେଟ ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି। ରଙ୍ଗ୍‌ ସାଇଡ୍‌ରେ ଗାଡି ଚଲାଇଲେ ଗାଡ଼ି ଚକାରେ କଣା ହୋଇଯିବ। ଏଥିପାଇଁ ଦେଶ ବିଦେଶରେ ବ୍ୟବହୃତ ‘ସ୍ପାଇକ ବ୍ୟାରିୟର’ ବା ଟାୟାର କିଲର’ ବ୍ୟବସ୍ଥାକୁ ଆପଣାଇବାକୁ ନିଷ୍ପତ୍ତି ହୋଇଛି ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ବୁଧବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏ ସଂକ୍ରାନ୍ତରେ ସୂଚନା ଦେଇ କମିଶନର ଷଡ଼ଙ୍ଗୀ କହିଲେ, ଭୁଲ୍‌ ଦିଗରେ ଗାଡି ଚାଳନା କରି ପ୍ରତିଦିନ ଲୋକେ ଜରିମାନା ଗଣୁଛନ୍ତି। ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ ଯାତ୍ରା ହୋଇଥିଲେ ମଧ୍ୟ ଏଥିପ୍ରତି ସଚେତନ ହେଉନାହାନ୍ତି। ଏଥିଯୋଗୁ ଅନେକ ଦୁର୍ଘଟଣା ଘଟି ମୂଲ୍ୟବାନ ଧନଜୀବନ ନଷ୍ଟ ହେଉଛି। ତେଣୁ ମାର୍ଚ୍ଚ ୧ରୁ ପରୀକ୍ଷାମୂଳକ ଭାବେ ସ୍ପାଇକ୍‌ ବ୍ୟାରିୟରକୁ କଟକ ଓ ଭୁବନେଶ୍ୱରରେ ବିଭିନ୍ନ ରାସ୍ତାରେ କାର୍ଯ୍ୟକାରୀ କରାଯିବ। ତେଣୁ ଜନସାଧାରଣ ଯଥାସମ୍ଭବ ନିୟମକୁ ପାଳନ କରନ୍ତୁ ବୋଲି କମିଶନର ସୂଚନା ଦେଇଛନ୍ତି। ତାଙ୍କ ସୂଚନା ମୁତାବକ, ଟୁଇନ ସିଟିର ୨୪୨ ସ୍ଥାନରେ ବିପରୀତ ଦିଗରେ ଲୋକେ ଗାଡି ଚାଳନା କରୁଥିବା ଦେଖିବାକୁ ମିଳୁଥିବାବେଳେ ୩୨ଟି ଅତ୍ୟନ୍ତ ବିପଦପୂର୍ଣ୍ଣ ସ୍ଥାନକୁ ଚିହ୍ନଟ କରାଯାଇଛି। ଯେଉଁଠାରେ ପ୍ରତିଦିନ ଏଥିପାଇଁ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଦୁର୍ଘଟଣା ଓ ଟ୍ରାଫିକ ନିୟନ୍ତ୍ରଣ ନେଇ ପୁଣେ, ହାଇଦ୍ରାବାଦ, ମୁମ୍ବାଇ, ଦିଲ୍ଲୀ ତଥା ବିଦେଶରେ ଏହାକୁ ବ୍ୟବହାର କରାଯାଉଛି। ରାସ୍ତାର ଉଚିତ ବ୍ୟବହାର କରୁଥିବା ଚାଳକମାନେ ଏହାଦ୍ୱାରା କୌଣସି ପ୍ରକାର କ୍ଷତିଗ୍ରସ୍ତ ହେବେ ନାହିଁ। ଏହା ରାସ୍ତା ଉପରେ ସାମାନ୍ୟ ହମ୍ପସ ଆକୃତିର ରହିବ। ଉଚିତ ଦିଗରେ ଗାଡି ଚାଳନା କରି ଯିବାବେଳେ ଏହା ଭିତରେ ଥିବା ଷ୍ଟିଲ୍‌ କଣ୍ଟାଗୁଡିକ ଭିତରେ ଦବି ରହିବ। ଯଦି କୌଣସି ବ୍ୟକ୍ତି ବିପରୀତ ଦିଗରେ ବା ରଙ୍ଗ୍‌ ସାଇଡ୍‌ର ଗାଡି ଚାଳନା କରି ଏହି ସ୍ପାଇକ ବ୍ୟାରିୟରକୁ ପାର ହୁଅନ୍ତି ସେଥିରେ ଲାଗିଥିବା ଷ୍ଟିଲ କଣ୍ଟାଗୁଡିକ ଉପରକୁ ଉଠିଯିବା ସହ ଟାୟାର ଶତପ୍ରତିଶତ କଣା ହୋଇଯିବ। ଏହାଦ୍ୱାରା ଟାୟାର ପଙ୍କ୍‌ଚର ହୋଇ ଯାତ୍ରା ଠପ ହୋଇଯିବ। ଚାଳକଙ୍କୁ ଜରିମାନା ସହ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ବମିଖାଲ ଓଭରବ୍ରିଜ, ରସୁଲଗଡ ଓ କଳ୍ପନା ସମେତ ଅନ୍ୟ କିଛି ବିପଦପୂର୍ଣ୍ଣ ସ୍ଥାନରେ ଏହାକୁ ପ୍ରଥମେ ପରୀକ୍ଷାମୂଳକ ଭାବେ ଲଗାଯିବ ବୋଲି କମିଶନର ଷଡଙ୍ଗୀ ସୂଚନା ମିଳିଛି।

Share Now:

Kalinga News Beuro

Leave a Reply

Next Post

ସର୍ବକ୍ଷମା ଯୋଜନା ୨୦ରୁ ଚଢ଼ାଉ : ଆବେଦନ ନ କଲେ ଫସିବେ

Thu Feb 6 , 2020
ଅଗ୍ନି ନିରାପତ୍ତା, ଅକୁପାନ୍ସି ସାର୍ଟିଫିକେଟ୍ ନ ଥିଲେ ବେଆଇନ ନିର୍ମାଣ ବୋଲି ଧରାଯିବ ଭୁବନେଶ୍ୱର: ନଗର ଉନ୍ନୟନ ବିଭାଗ ତୃତୀୟଥର ପାଇଁ ସର୍ବକ୍ଷମା ଯୋଜନାର ଅବଧି ବଢ଼ାଇଛି। ଫେବ୍ରୁଆରି ୨୦ ତାରିଖ ସୁଦ୍ଧା ସମସ୍ତ ବେଆଇନ ନିର୍ମାଣକାରୀଙ୍କୁ ‌ସେମାନଙ୍କ ବେଆଇନ ନିର୍ମାଣକୁ ଆଇନସମ୍ମତ କରିବାକୁ ସୁଯୋଗ ଦିଆଯାଇଛି। ଏହି ସମୟ ମଧ୍ୟରେ ଯେଉଁମାନେ ଆବେଦନ ନ କରିବେ, ସେମାନଙ୍କର ଘର/ପ୍ରତିଷ୍ଠାନକୁ ବିଏମ୍‌ସି/ବିଡିଏ ସିଲ୍‌ କରିବେ ନଚେତ୍ ବୁଲଡୋଜର ଲଗାଇ ଭାଙ୍ଗିବେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial