ପୂରିଲା କଣ୍ଟ : ଆଜିଠାରୁ ରାଜ୍ୟରେ ଜୋରଦାର ହେବ ସଂଶୋଧିତ ମୋଟର ଯାନ ଆଇନର ଧରପଗଡ଼

ଭୁବନେଶ୍ୱର : କାଗଜପତ୍ର ପ୍ରସ୍ତୁତି ପାଇଁ ସରକାର ଦେଇଥିବା ମହଲତ ଶେଷ ହୋଇଛି। ଏଣିକି ଆଉ ନିୟମ ଉଲ୍ଲଙ୍ଘନକାରୀଙ୍କୁ ନିସ୍ତାର ନାହିଁ। ଦୀର୍ଘ ୬ ମାସର ବିରତି ପରେ ଆଜି ଠାରୁ (ରବିବାର) ରାଜ୍ୟରେ ପୁଣି ଥରେ ସଂଶୋଧିତ ମୋଟର ଯାନ ଆଇନ କଡ଼ାକଡ଼ି ଲାଗୁ ହେବାକୁ ଯାଉଛି। ଏଥର ଜୋରଦାର ଧରପଗଡ଼ ହେବ। ଯିଏ ନିୟମ ଭାଙ୍ଗିବ, ତା’ଠାରୁ ମୋଟା ଅଙ୍କର ଜରିମାନା ଆ‌ଦାୟ କରାଯିବ। ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ ଓ ବିନା କାଗଜପତ୍ରରେ ଗାଡ଼ି ଚଲାଉଥିବା ଚାଳକଙ୍କୁ ଧରିବା ପାଇଁ କମିସନରେଟ୍‌ ପୁଲିସ ଓ ପରିବହନ ବିଭାଗ କର୍ମଚାରୀ ଆଜିଠାରୁ ପାଗ ଭିଡ଼ିଛନ୍ତି। ଉଭୟ ବିଭାଗର ସ୍ୱତନ୍ତ୍ର ଟିମ୍‌ ଅତର୍କିତ ଚଢ଼ଉ କରିବେ। ଆରଟିଓ-୧ ଓ ଆର୍‌ଟିଓ-୨ ପକ୍ଷରୁ ୪ଟି ଟିମ୍‌ ଗଠନ ହୋଇଥିବା ବେଳେ ପୁଲିସ୍‌ ବିଭିନ୍ନ ଛକ‌ରେ ଚଢ଼ଉ କରିବାକୁ ନିଷ୍ପତ୍ତି ନେଇଛି।
ତଥାପି ଭିଡ଼
କାଗଜପତ୍ର ପ୍ରସ୍ତୁତି ପାଇଁ କଣ୍ଟ ପୂରି ଯାଇଥିବା ବେଳେ ଆରଟିଓରେ କିନ୍ତୁ ଭିଡ଼ କମି ନାହିଁ। ଉଭୟ ଆରଟିଓରେ ଗତକାଲି ସଂଖ୍ୟାଧିକ ଆବେଦନକାରୀ ଧାଡ଼ି ବାନ୍ଧିଥିବା ଦେଖା ଯାଇଥିଲା। ଯେଉଁମାନଙ୍କର ସ୍ଲଟ୍‌ ବୁକିଂ ଥିଲା, ସେମାନେ ଧାଡ଼ି ବାନ୍ଧିଥିଲେ। ତେବେ ବଡ଼ କଥା ହେଉଛି ଗତକାଲି ମଧ୍ୟ ଲାଇସେନ୍ସ ପାଇଁ ଆବେଦନ ହୋଇଛି। ଆସନ୍ତାକାଲିଠାରୁ ଧରପଗଡ଼ ନେଇ ପୂର୍ବରୁ ତନାଘନା ହେଉଥିଲେ ମଧ୍ୟ ଚାଳକ ସଚେତନ ନ ହେବା ନେଇ ଉଦ୍‌ବେଗ ପ୍ରକାଶ ପାଇଛି।
ଏକୁଟିଆ ଗାଡ଼ି ଚଳାଇ ପାରିବେ ନାହିଁ ଲର୍ଣ୍ଣର୍ସ ଲାଇସେନ୍‌ସ୍‌ଧାରୀ
୬ମାସର ମହଲତ ମିଳିଥିଲେ ହେଁ ଏ ପର୍ଯ୍ୟନ୍ତ ଅନେକ ନିଜର ଡ୍ରାଇଭିଂ ଲାଇସେନ୍ସ କରିପାରିନାହାନ୍ତି। ସେମାନେ ଲର୍ଣ୍ଣସ୍‌ ଲାଇସେନ୍ସ(ଏଲ୍‌ଏଲ୍‌)ରେ ଗାଡ଼ି ଚଳାଉଛନ୍ତି। ଆର୍‌ଟିଓ-୧ ଓ ଆର୍‌ଟିଓ-୨ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀ‌‌ରେ ବର୍ତ୍ତମାନ ପାଖାପାଖି ୨୪ହଜାର ଲର୍ଣ୍ଣର୍ସ ଲାଇସେନ୍‌ସ୍‌ଧାରୀ ରହିଛନ୍ତି। ତେବେ ଏହି ଲାଇସେନ୍ସଧାରୀ ଚାଳକମାନେ ରାସ୍ତାରେ ଏକୁଟିଆ ଗାଡ଼ି ଚଳାଇ ପାରିବେ ନାହିଁ। ବାଇକ୍‌ରେ ଏମାନଙ୍କ ପଛରେ ଜଣେ ବୈଧ ଡ୍ରାଇଭିଂ ଲାଇସେନ୍ସଧାରୀ ବସିବେ। ଏମାନେ ଏକୁଟିଆ ଗାଡ଼ି ଚଳାଇବା ବେଳେ ଧରାପଡ଼ିଲେ, ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି ଟ୍ରାଫିକ୍‌ ଡିସିପି ସାଗରିକା ନାଥ କହିଛନ୍ତି।
ଫିଟ୍‌ନେସ୍ ଓ ଲାଇସେନସ୍‌ ପାଇଁ ଲମ୍ବା ଲାଇନ୍‌
ଗାଡ଼ିର ଫିଟ୍‌ନେସ୍‌ ଓ ଲାଇସେନସ୍ ପାଇଁ ଚନ୍ଦ୍ରଶେଖରପୁରସ୍ଥିତ ଆରଟିଓ ଗାଡ଼ି ଡ୍ରାଇଭିଂ ଟ୍ରେନିଂ ପଡ଼ିଆରେ ଗତକାଲି ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଯାନବାହାନର ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା। ଗାଡ଼ିର ଫିଟ୍‌ନେସ ନଥିଲେ ରାଜରାସ୍ତାରେ ଗାଡ଼ି ଗଡ଼ିପାରିବ ନାହିଁ ବୋଲି ଟ୍ରାଫିକ୍ ପୁଲିସ୍ ପକ୍ଷରୁ ସୂଚନା ଦିଆଯିବା ପରେ ଶହଶହ ଅନଫିଟ୍ ଗାଡ଼ି ଫିଟ୍‌ନେସ୍‌ ପାଇଁ ଧାଡ଼ି ବାନ୍ଧିଥିଲେ। ଯାନବାହାନଗୁଡ଼ିକ ସମସ୍ତ ଯନ୍ତ୍ରପାତି ଓ ନିୟମ ଅନୁଯାୟୀ ଷ୍ଟିକରିଂ, ଲାଇଟିଂ ମରାମତି କରାଇ ଫିଟ୍‌ନେସ୍ ପ୍ରମାଣପତ୍ର କରାଇଥିଲେ। ନିୟମ ଅନୁଯାୟୀ, ଗାଡ଼ିଗୁଡ଼ିକର ଆନୁଷଙ୍ଗିକ ପ୍ରମାଣପତ୍ର ସହ ବ୍ରେକ୍, କ୍ଲଚ୍, ଏକ୍ସିଲିଟର୍, ‌ଷ୍ଟିଅରିଂ, ପତି, ଇଂଜିନ୍‌ ଠିକ୍‌ ଥିବା ଆବଶ୍ୟକ। ଏହାବ୍ୟତୀତ ହେଡ଼୍ ଓ ଡିପର୍‌ ଲାଇଟ୍ ସହ ଇଣ୍ଡିକେଟର୍ ଓ ବ୍ୟାକ୍ ବଜର୍‌ ଲାଇଟ୍ ମଧ୍ୟ ସଠିକ୍ ରହିବା ଦରକାର। ଗାଡ଼ିରେ ଉଭୟ ପାଖରୁ ନମ୍ବର ପ୍ଲେଟ୍ ସଠିକ୍ ଭାଗରେ ଦେଖାଯାଉଥିବା ଦରକାର। ବ୍ୟାବସାୟିକ କାମରେ ଲାଗୁଥିବା ଗାଡ଼ି ହୋଇଥିଲେ, ହଳହିଆ ନମ୍ବର ପ୍ଲେଟ୍‌ରେ ବଡ଼ ଓ ସ୍ପଷ୍ଟ ଅକ୍ଷରରେ ନମ୍ବର ଲେଖା ଯାଇଥିବାର ଆବଶ୍ୟକତା ରହିଛି। ଏସବୁ ନିୟମ ନ ମାନିଲେ କୌଣସି ଟ୍ୟାକ୍ସି ଗାଡ଼ି କିମ୍ବା ଭାରୀଯାନ ରାସ୍ତା ଉପରେ ଗଡ଼ି ପାରିବ ନାହିଁ ବୋଲି ପରିବହନ ବିଭାଗ ତରଫରୁ କୁହାଯାଇଛି। ତେଣୁ ସବୁ ଠିକ୍‌ କରାଇ ନେବା ପାଇଁ ଆଜି ଚନ୍ଦ୍ରଶେଖରପୁର ଟ୍ରେନିଂ ପଡ଼ିଆରେ ଶହ ଶହ ଗାଡ଼ିର ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା। ଗତକାଲି ଦିନ ତମାମ ଗାଡ଼ିଗୁଡ଼ିକର ପରୀକ୍ଷା ଚାଲୁ ରହିଥିଲା। ସେହିଭଳି ପଟିଆସ୍ଥିତ ଆର୍‌ଟିଓ-୨ କାର୍ଯ୍ୟାଳୟରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା। ଲୋକମାନେ ଲମ୍ବା ଧାଡ଼ି ବାନ୍ଧି ବିଭିନ୍ନ କାଉଣ୍ଟର୍‌‌‌ରେ ଛିଡ଼ା ହୋଇଥିଲେ।

ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଧାଡ଼ି: ‌ନୂଆ ନିୟମ ଲାଗୁ ହେବା ପରେ ଧରପଗଡ଼ରୁ ବଞ୍ଚିବା ପାଇଁ ଅନେକ ସଚେତନ ଚାଳକ ସେପ୍ଟେମ୍ବର ୧ ତାରିଖରୁ ହିଁ ଅନ୍ୟ କାଗଜପତ୍ର ସହ ପ୍ରଦୂଷଣ ପ୍ରମାଣପତ୍ର ପ୍ରସ୍ତୁତ କରି ନେଇଥିଲେ। ଅଧିକାଂଶ ଯାନ (ବିଏସ୍‌-୩)ର ପ୍ରଦୂଷଣ ପ୍ରମାଣପତ୍ରର ଅବଧି ୬ମାସ ରହିଥିଲା। ଅର୍ଥାତ୍‌ ଆଜି ନିୟମ କଡ଼ାକଡ଼ି ହେବାକୁ ଥିବା ବେଳେ ଏବେ ସେମାନଙ୍କର ଏହି ପ୍ରମାଣପତ୍ରର ଅବଧି ଶେଷ ହୋଇଯାଇଛି। ଫଳରେ ପୁଣିଥରେ ସେମାନେ ଏହି ପ୍ରମାଣପତ୍ର ପାଇଁ ଧାଡ଼ି ବାନ୍ଧୁଥିବା ପରିଲକ୍ଷିତ ହେଉଛି। ସହରର ବିଭିନ୍ନ ସ୍ଥାନରେ ଥିବା ପ୍ରଦୂଷଣ ପ୍ରମାଣପତ୍ର କେନ୍ଦ୍ରରେ ଗହଳି ଦେଖିବାକୁ ମିଳିଥିଲା।

ଖସି ହେବନି: କେବଳ ପୁଲିସ ଧରିଲେ ଯେ ଜରିମାନା ହେବ, ତାହା ନୁହେଁ, ବରଂ ଗାଡ଼ି ନମ୍ବରରୁ ଗାଡ଼ିର ବିବରଣୀ ପୁଲିସ ‌ଯାଞ୍ଚ କରିବ। ଅର୍ଥାତ୍‌ ଗାଡ଼ି ନମ୍ବରରୁ ଗାଡ଼ିର ବିବରଣୀ ଜଣା ପଡ଼ିଯିବ। ଗାଡ଼ିକୁ ନ ଅଟକାଇ ତା’ର କ’ଣ କ’ଣ କାଗଜପତ୍ର ନାହିଁ, ତାହା ରାସ୍ତା କଡ଼ରେ ବସି ପୁଲିସ ଜାଣିପାରିବ। ପରେ ମୋବାଇଲ ଟିମ୍‌ ତାକୁ ଅନ୍ୟ ଛକ‌ରେ ଧରି ଜରିମାନା ଆଦାୟ କରିବ। ଗୋଟିଏ ପଟେ ଏକାଠି ଗାଡ଼ି ଗଦା ହୋଇ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବ ନାହିଁ, ଅନ୍ୟପଟେ କେହି ଜଣେ ହେଲେ ମଧ୍ୟ ଖସିପାରିବେ ନାହିଁ।

ପୁଲିସ ଓ ଆର୍‌ଟିଓଙ୍କୁ ଚିଠି: ଧରପଗଡ଼ ଆଳରେ ସାଧାରଣ ଲୋକଙ୍କୁ ହଇରାଣ କରନି। ଗୋଟିଏ ସମୟରେ ସର୍ବାଧିକ ୪ଟି ଗାଡ଼ି ଅଟକାଅ। ଏଥିରୁ ଅଧିକା ଅଟକାଅନି। ଧରପଗଡ଼ ହେଉଥିବା ଜାଗାରେ ଯେଭଳି ଟ୍ରାଫିକ୍‌ ସମସ୍ୟା ହେବ ନାହିଁ, ସେ ନେଇ କଡ଼ା ନଜର ରଖ। ମଦୁଆ ଚାଳକ ଯେଭଳି ଗୋଟିଏ ହେଲେ ଖସି ନ ଯାଉ, ତାହା ନିଶ୍ଚିତ କର। ତା’ ସହିତ ନାବାଳକ ଗାଡ଼ି ଚାଳକ, ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଗାଡ଼ିକୁ କୌଣସି ପରିସ୍ଥିତିରେ ଛାଡ଼ ନାହିଁ। ପୁଲିସ ଓ ଆରଟିଓଙ୍କୁ ଏଭଳି ଚିଠି ଲେଖିଛନ୍ତି ପରିବହନ କମିସନର୍‌।

Share Now:

Kalinga News Beuro

Leave a Reply

Next Post

କରୋନା ଆତଙ୍କ: ଦକ୍ଷିଣ କୋରିଆ ସ୍ଥିତି ସାଂଘାତିକ

Sun Mar 1 , 2020
ଆକ୍ରାନ୍ତଙ୍କ ସଂଖ୍ୟା ୩୧୦୦ ଟପିଲା, ଘରୁ ବାହାରକୁ ବାହାରିବାକୁ ମନା ନୂଆଦିଲ୍ଲୀ : ଚୀନ୍‌ ପରେ ଏବେ ଦକ୍ଷିଣ କୋରିଆରେ କରୋନା ଭାଇରସ୍‌ ସାଂଘାତିକ ରୂପ ନେଇଛି। ଦକ୍ଷିଣ କୋରିଆର ସବୁ ଅଂଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାର ମୁକାବିଲା ପାଇଁ ସେନାକୁ ଦାଇତ୍ୱ ଅର୍ପଣ କରାଯାଇଛି। ଦେଶରେ ୩୧୫୦ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଭାଇରସ୍‌ ଯୋଗୁଁ ଦକ୍ଷିଣ କୋରିଆରେ ମୃତ୍ୟୁସଂଖ୍ୟା ୧୭ରେ ପହଞ୍ଚିଛି ଏବଂ ସମୁଦାୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial