ଭୁବନେଶ୍ୱର: କଳାହାଣ୍ଡିରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଆଜି ବେଦାନ୍ତ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଡିଏମ୍ଇଟିର ନିର୍ଦେଶକ ପ୍ରଫେସର ସୋନାମାଲି ବାଗ୍ ଓ ବେଦାନ୍ତ ପକ୍ଷରୁ କର୍ପୋରେଟ୍ ଷ୍ଟ୍ରାଟେଜି ନିର୍ଦେଶକ ରାହୁଲ ଶର୍ମା ଏହାକୁ ସ୍ୱାକ୍ଷର କରିଛନ୍ତି। ୫ଶହ ଶଯ୍ୟା ବିଶିଷ୍ଟ ଏହି ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୧୦୦ କୋଟି ଟଙ୍କା ଖର୍ଚ କରାଯିବ। ଯାହାଫଳରେ କଳାହାଣ୍ଡି ଓ ଆଖାପାଖ ଅଞ୍ଚଳରେ ହଜାର ହଜାର ଆଶାୟୀ ଶିକ୍ଷାର୍ଥୀଙ୍କ ସ୍ୱପ୍ନ ସାକାର ହେବା ସହିତ ପଶ୍ଚିମ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ତ୍ୱରାନ୍ଵିତ ହୋଇପାରିବ ବୋଲି କୁହାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ ଡାକ୍ତରମାନଙ୍କ ଅଭାବ ପୂରଣ କରିବା ପାଇଁ ରାଜ୍ୟ ସରକାର ୯ଟି ନୂଆ ମେଡିକାଲ କଲେଜ ସ୍ଥାପନ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଏହି କଲେଜ ସ୍ଥାପନ ଦିଗରେ ବେଦାନ୍ତ ସହଯୋଗର ହାତ ବଢ଼ାଇଛି। ଏହାଦ୍ୱାରା କଳାହାଣ୍ଡିବାସୀଙ୍କ ଦୀର୍ଘ ଦିନର ସ୍ୱପନ୍ନ ଓ ଆବଶ୍ୟକତା ପୂରଣ ହୋଇପାରିଛି। ମେଡିକାଲ କଲେଜର ନିର୍ମାଣ ଓ ପରିଚାଳନା ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ୯ଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି। ସେଥିମଧ୍ୟରୁ ୭ଟି ମେଡିକାଲ କଲେଜ ଓ ହସ୍ପିଟାଲ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପ୍ରତିଷ୍ଠା କରୁଥିବା ବେଳେ ୨ଟି ସରକାରୀ ଉଦ୍ୟୋଗ ଜରିଆରେ କରାଯାଉଛି। ପ୍ରତିଷ୍ଠିତ ହେବାକୁ ଥିବା ୯ଟି ମେଡିକାଲ କଲେଜ ମଧ୍ୟରୁ କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ଓ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ୨୦୧୭/୧୮ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହୋଇଛି। ୪ଟି ନୂତନ ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ଫଳରେ ରାଜ୍ୟ ସରକାରୀ ମେଡିକାଲ କଲେଜଗୁଡ଼ିକରେ ଏମ୍ବିବିଏସ୍ରେ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ୧ହଜାରରୁ ଅଧିକ ସିଟ୍ ଉପଲବ୍ଧ ହେବ। ଏହାସହ ପୁରୀରେ ଶ୍ରୀଜଗନ୍ନାଥ ସରକାରୀ ମେଡିକାଲ କଲେଜରେ ନିର୍ମାଣକାର୍ଯ୍ୟ ତ୍ୱରାନ୍ଵିତ ହୋଇଛି। ସୁନ୍ଦରଗଡ଼ଠାରେ ଏନ୍ଟିପିସି ଓ ତାଳଚେରରେ ଏମ୍ସିଏଲ ତରଫରୁ ମଧ୍ୟ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ କରାଯାଉଛି। ସେ ଆହୁରିମଧ୍ୟ କହିଥିଲେ ଯେ, ରାଜ୍ୟରେ ଏବେ ସରକାରୀ ମେଡିକାଲ କଲେଜଗୁଡ଼ିକରେ ସମୁଦାୟ ୮୫୦ଟି ସିଟ୍ ଥିବା ବେଳେ ଆସନ୍ତା ବର୍ଷକୁ ଏହା ୧୦୫୦କୁ ବୃଦ୍ଧି ପାଇବ। ନିର୍ମାଣାଧୀନ ସମସ୍ତ ମେଡିକାଲ କଲେଜଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ଏମ୍ବିିବିଏସ୍ ସିଟ୍ ସଂଖ୍ୟା ୧୫୫୦ ହେବ। ଏହାଛଡ଼ା ଭୁବନେଶ୍ୱରରେ ହାଇଟେକ୍, ସମ୍ ଓ କିମ୍ସ ଭଳି ଘରୋଇ ଓ ଡିମ୍ଡ ବିଶ୍ୱବିଦ୍ୟାଳୟରେ ୪ଶହ ଏମ୍ବିବିଏସ୍ ସିଟ୍ରେ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି। ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ଭବାନୀପାଟଣାରେ ଥିବା ଜନସାଧାରଣ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ସହିତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର ଆର.ବାଲକ୍ରିଷ୍ଣନ୍, ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ତୁହୀନକାନ୍ତ ପାଣ୍ଡେ, ଗୃହ ବିଭାଗ ଏସିଏସ୍ ଅସିତ ତ୍ରିପାଠୀ, ଏପିସି ଗଗନ ବିହାରୀ ଧଳ, ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା, ଜାତୀୟ ସ୍ୱାସ୍ଥ୍ୟ ମିସନର ନିର୍ଦେଶକା ଶାଳିନୀ ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ।
କଳାହାଣ୍ଡିରେ ହେବ ମେଡିକାଲ କଲେଜ
Share Now: