ଆରମ୍ଭ ହେଲା ଚଢ଼ଉ : ବିଭିନ୍ନ ସ୍ଥାନରେ ଉତ୍ତେଜନା,କଥା କଟାକଟି

ଭୁବନେଶ୍ୱର : ୬ ମାସର ବିରତି ପରେ ଆଜିଠାରୁ ନୂଆ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହୋଇଛି। କମିସନରେଟ୍‌ ଟ୍ରାଫିକ୍‌ ପୁଲିସ ଓ ଆର୍‌ଟିଓ ପକ୍ଷରୁ ଆଜି ଆଇନ ଉଲ୍ଲଂଘନକାରୀଙ୍କ ଉପରେ ଜୋରଦାର ଚଢ଼ଉ ହୋଇଛି। ରାଜଧାନୀର ବିଭିନ୍ନ ଛକରେ ଛିଡ଼ା ହୋଇ ଅଧିକାରୀମାନେ ଆଇନ ଭାଙ୍ଗୁଥିବା ଚାଳକକୁ ଧରି ଜରିମାନା କଷିଛନ୍ତି। ପୁଲିସ ପକ୍ଷରୁ ୬ଟି ସ୍ଥାନରେ ଚଢ଼ଉ ହୋଇଥିବା ବେଳେ ଭୁବନେଶ୍ୱରରେ ଥିବା ଦୁଇ ଆର୍‌ଟିଓ ପକ୍ଷରୁ ୮ଟି ସ୍ଥାନରେ ଚଢ଼ଉ ହୋଇଛି। ରାଜମହଲ ଛକରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ନାଲ୍‌କୋ ଛକରେ ମଧ୍ୟ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଛି। ଅନ୍ୟପଟେ ଜୋରଦାର ଚଢ଼ଉକୁ ନେଇ ଅମାନିଆ ଚାଳକ ଛାନିଆ ହୋଇଛନ୍ତି।
ହେଲ୍‌ମେଟ୍‌ ନାହିଁ ତ’ ପେଟ୍ରୋଲ ନାହିଁ
ବିନା ହେଲ୍‌ମେଟ୍‌ରେ ପେଟ୍ରୋଲ ଦିଆଯିବ ନାହିଁ। ଏଭଳି ଘୋଷଣା ନୂଆ ନୁହେଁ। ପୂର୍ବରୁ ଅନେକ ଥର ଏ ନେଇ ସରକାରୀ ଚିଠି ଆସିଥିବା ବେଳେ ପେଟ୍ରୋଲ ଟାଙ୍କି ମାଲିକମାନେ ମଧ୍ୟ କଡ଼ାକଡ଼ି କରିଥିଲେ। ହେଲେ ୫୦ ପ୍ରତିଶତ ଚାଳକ ମାନିନଥିଲେ। ଅନେକ ଜାଗାରେ ଟାଙ୍କି କର୍ମଚାରୀ ବିନା ହେଲ୍‌ମେଟ୍‌ରେ ପେଟ୍ରୋଲ ଦେବାକୁ ବାଧ୍ୟ ହେଉଥିଲେ। ହେଲେ ଆଉ ନୁହେଁ, ସଂଶୋଧିତ ମୋଟର ଯାନ ଆଇନ କାର୍ଯ୍ୟକ୍ଷମ ହେବା ପାଇଁ ସମସ୍ତଙ୍କର ଅବଦାନ ଆବଶ୍ୟକ ଥିବାରୁ ପେଟ୍ରୋଲ ଟାଙ୍କି ମାଲିକ ସଂଘ କଠୋର ହୋଇଛି। ଏ ନେଇ ସମସ୍ତ ଟାଙ୍କି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସଂଘ ସଭାପତି ସଞ୍ଜୟ ଲାଠ୍‌। ଯଦି କିଏ ବିନା ହେଲ୍‌ମେଟ୍‌ରେ ଜବରଦସ୍ତି ପେଟ୍ରୋଲ ନେଲା ତେବେ ପୁଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେବ।
ଆରଟିଓ ଆଦାୟ କଲା ୩ଲକ୍ଷ ୯୨ ହଜାର ଜରିମାନା
ଗୋଟିଏ ଦିନରେ ବିଭିନ୍ନ ଜାଗାରେ ଚଢ଼ଉ କରି ଭୁବନେଶ୍ୱରର ଦୁଇ ଆରଟିଓ ୩ ଲକ୍ଷ ୯୨ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ଆରଟିଓ-୨ ଦୁଇ ଲକ୍ଷ ୯୨ ହଜାର ଟଙ୍କାର ଚାଲାଣ କାଟିଥିବା‌ ବେଳେ ୭୯ହଜାର ୨ଶହ ଟଙ୍କା ନଗଦ ଆଦାୟ କରିଛି। ଉଭୟ ଆରଟିଓର ୮ଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୦୫ଟି ଚାଲାଣ କାଟିଛନ୍ତି। ଆରଟିଓ-୧ ଏକ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି। କମିସନରେଟ ପୁଲିସ ୫ଶହ ଆଇନ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରିଛି। ୩୭ ଗାଡ଼ି କ୍ରେନରେ ଉଠାଇ ନେଇଛି। ବେଆଇନ ପାର୍କିଂ ପାଇଁ ୨୩ ଗାଡ଼ି ଜବତ ହେଇଛି।
ଟ୍ରାକ୍ଟର ଚାଳକଠୁ କେତେ ଫାଇନ୍‌!
ନାଲ୍‌କୋ ଛକରେ ଚେକିଂ ବେଳେ ସିଟ୍‌ ବେଲ୍ଟ ନ ବାନ୍ଧି ଜଣେ କାର୍‌ ଚାଳକ ଓ ହେଲ୍‌ମେଟ୍‌ ନ ପିନ୍ଧି ଜଣେ ବାଇକ୍‌ ଚାଳକ ଧରା ପଡ଼ିଥିଲେ। ଏତିକିବେଳେ ସେହି ରାସ୍ତା ଦେଇ ଏକ ଟ୍ରାକ୍ଟର୍‌ ଯାଉଥିଲା। ଟ୍ରାକ୍ଟରରେ ସିଟ୍‌ ବେଲ୍ଟ ନ ଥିବାରୁ ସେ ପିନ୍ଧି ନ ଥିଲେ। ଚାରି ଚକିଆରେ ହେଲ୍‌ମେଟ୍‌ ପିନ୍ଧିବା ବ୍ୟବସ୍ଥା ନଥିବାରୁ ଚକ ଉପରେ ବସିଥିବା ଅନ୍ୟ ଦୁଇଜଣ ସହଯୋଗୀ ହେଲ୍‌ମେଟ୍‌ କିମ୍ବା ସିଟ୍‌ବେଲ୍ଟ ପିନ୍ଧି ନ ଥିଲେ। ଏଣୁ ଧରାପଡ଼ିଥିବା ଅନ୍ୟ ଦୁଇ ଚାଳକ ଟ୍ରାକ୍ଟରଠୁ ଆଗ ଫାଇନ୍‌ ଆଦାୟ କର, ତା’ ପରେ ଆମଠାରୁ ଆଦାୟ କରିବ ବୋଲି କହିଥିଲେ। ସେଠାରେ କର୍ମଚାରୀ ଅଡ଼ୁ୍ଆରେ ପଡ଼ିଥିଲେ। ତେବେ ସିଟ୍‌ ବେଲ୍ଟ୍ ବ୍ୟବସ୍ଥା ନଥିବାରୁ ଟ୍ରାକ୍ଟର୍‌ ଏହି ଫାଇନ୍‌ରୁ ମୁକ୍ତ ବୋଲି ଅଧିକାରୀଜଣଙ୍କ ସ୍ପଷ୍ଟ କରିଥିଲେ।
କାଗଜପତ୍ର ଯାଞ୍ଚ କରୁନାହାନ୍ତି
ଗତକାଲି ପରିବହନ କମିସନର ଚିଠି ଲେଖିଥିଲେ ଯେ ଚଢ଼ଉ କର, ହେଲେ ଯେମିତି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ ହେବ, ସେଥିପ୍ରତି ଧ୍ୟାନ ଦେବ। ଥରକେ ସର୍ବାଧିକ ୬ଟି ଗାଡ଼ି ଧର। ଏହାକୁ ଆଖି ଆଗରେ ରଖି ଆଜି ପୁଲିସ କେବଳ ରଙ୍ଗ୍‌ରୁଟ୍‌, ହେଲ୍‌ମେଟ୍‌ ଓ ଅନ୍ୟାନ୍ୟ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଧରିଛି। ଅନେକ ନମ୍ବର ବିହୀନ ଗାଡ଼ି ବଜାରରେ ବୁଲିବା ସହ ଦ୍ରୁତ ଗତିରେ ଚଳାଉଥିବା ଦେଖାଯାଇଥିଲେ ମଧ୍ୟ ସେଗୁଡ଼ିକୁ ଧରା ଯାଇ ପାରିନାହିଁ। ଲୋକ ଯେମିତି ଛାନିଆ ହେବେନି, ସେଭଳି ଚେକିଂ କର ବୋଲି ଉପର ମୁଣ୍ଡରୁ ଅଘୋଷିତ ଆଦେଶ ଆସିଥିବା ଜଣେ ବରି‌ଷ୍ଠ ଅଧିକାରୀ କହିଥିଲେ।

ରଙ୍ଗ୍‌ରୁଟ୍‌ରେ ଆସିଲେ, ପୁଲିସକୁ ଓଲଟା ଗାଳି ଦେଲେ
ନୂଆ ମୋଟରଯାନ ଆଇନ ବଳରେ ଚାଲିଥିବା ଧରପଗଡ଼ରେ ଆଜି ରାଜମହଲ ଛକରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। କମିସନରେଟ୍‌ ଟ୍ରାଫିକ୍‌ ପୁଲିସ ପକ୍ଷରୁ ଏଠାରେ ଚେକିଂ ଚାଲିଥିବା ବେଳେ ଜଣେ ମହିଳା ରଙ୍ଗ୍‌ରୁଟ୍‌(ଟ୍ରାଫିକ୍‌ର ବିପରୀତ ଦିଗ)ରେ ରାଜମହଲ ଛକକୁ ଆସୁଥିଲେ। ସେଠାରେ ତାଙ୍କୁ ପୁଲିସ ଅଟକାଇଥିଲା। ନିୟମ ମୁତାବକ ପୁଲିସ ତାଙ୍କ ଗାଡ଼ି ଜବତ କରିବା ପାଇଁ ବସିଥିଲା। ହେଲେ ମହିଳା ଜଣକ ପୁଲିସକୁ ନାଲିଆଖି ଦେଖାଇଥିଲେ। ଶେଷରେ ପୁଲିସ ଜରିମାନା ଚାଲାଣ କାଟି ଗାଡ଼ି ଛାଡ଼ି ଦେଇଥିଲା। କିଛି ସମୟ ପରେ ସେଠାରୁ ପୁଲିସ ଟିମ୍‌ ମଧ୍ୟ ଉଭାନ୍‌ ହୋଇଯାଇଥିଲା। ନିକଟ ଅତୀତରେ ଷ୍ଟି-ୱାର୍ଟ ସ୍କୁଲ ଛକରେ ଜଣେ ମହିଳା ରଙ୍ଗ୍‌ରୁଟ୍‌ରେ ଆସିବା ବେଳେ ଠିକ୍‌ ଏହିଭଳି ସ୍ଥିତି ଉପୁଜିଥିଲା। ରଙ୍ଗ୍‌ରୁଟ୍‌ରେ ଗାଡ଼ି ଚଳାଇବା ବେଳେ ଧରାପଡ଼ିଲେ ପୁଲିସ ଗାଡ଼ି ଜବତ କରିପାରିବ ବୋଲି ଟ୍ରାଫିକ୍‌ ଡିସିପି ସାଗରିକା ନାଥ ସ୍ପଷ୍ଟ କରିଥିଲେ। କିନ୍ତୁ ପରେ ଗାଡ଼ି ଛାଡ଼ି ଦେଇଥିଲେ।

Share Now:

Kalinga News Beuro

Leave a Reply

Next Post

ଆମ୍ବୁଲାନ୍ସକୁ ବାଟ ଛାଡ଼ିଲେ ମୁଖ୍ୟମନ୍ତ୍ରୀ

Mon Mar 2 , 2020
ଭୁବନେଶ୍ୱର : ନିକଟ ଅତୀତରେ ଭିଡ଼ରେ ଆମ୍ବୁଲାନ୍ସ ଫସି ଏକ ଶିଶୁର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସାରା ରାଜ୍ୟରେ ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହାପରେ କମିସନରେଟ ପୁଲିସ ଆଡଭାଇଜରି ଜାରି କରି ଆମ୍ବୁଲାନ୍ସ ପାଇଁ ବାମ ପାର୍ଶ୍ଵ ରାସ୍ତା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲା। ଆଜିଠାରୁ ସଂଶୋଧିତ ଟ୍ରାଫିକ ଆଇନ କଡ଼ାକଡ଼ି ହୋଇଥିବା ବେଳେ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ନିବାସକୁ ଫେରୁଥିବା ସମୟରେ ଏଜି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial