ମାଛ ଧରା ନେଲା ଜୀବନ :ବିଦ୍ୟୁତ୍‌ ଆଘାତରେ ୨ ମୃତ

କେନ୍ଦ୍ରାପଡ଼ା/ମାର୍ଶାଘାଇ : ମାଛ ଚୋରି ରୋକିବା ପାଇଁ ଯେଉଁ ବିଦ୍ୟୁତ୍‌ ତାର ବିଛା ଯାଇଥିଲା, ସେହି ତାର ହିଁ କାଳ ହେଲା। ଏହାର ସଂସ୍ପର୍ଶରେ ଆସି ୨ ଜଣ ମାଛ ଧରାଳି ପ୍ରାଣ ହରାଇଛନ୍ତି। ଅଘଟଣରୁ ବର୍ତ୍ତି ଯାଇଥିବା ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦ୍ରାପଡ଼ା ବ୍ଲକ୍‌ ଆୟବା ପଞ୍ଚାୟତ ଅନ୍ତର୍ଗତ ବ୍ରହ୍ମପୁର ଗାଁରେ ଏହି ଘଟଣା ଘଟିଛି।

ଅଙ୍ଗୁଳାଇ ଗ୍ରାମର ବିଶ୍ୱପ୍ରକାଶ ପାଣି ବ୍ରହ୍ମପୁର ଗାଁର ଏକ ପୋଖରୀକୁ ଲିଜ୍‌ରେ ନେଇଥିଲେ। ମାଛ ଚୋରିକୁ ରୋକିବା ପାଇଁ ଗ୍ରାମର ବିଦ୍ୟୁତ୍‌ ସଂଯୋଗ ହୋଇଥିବା ଜିଆଇ ତାରକୁ ପାଣି ଭିତରେ ପକାଉଥିଲେ। ଏବଂ ସବୁଦିନ ସକାଳେ ଏହାକୁ ବିଚ୍ଛିନ୍ନ କରୁଥିଲେ। ଆଜି ସକାଳେ ଦୈବାତ୍‌ ଏହି ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇନଥିଲା। ବିଶ୍ୱପ୍ରକାଶଙ୍କ ସହଯୋଗୀ ଅମର ପ୍ରଧାନ(୩୨) ଓ ଗୋକୁଳାନନ୍ଦ ଦଳେଇ (୫୨) ମାଛ ଧରିବା ପାଇଁ ପୋଖରୀକୁ ପଶିବାବେଳେ ହଠାତ୍‌ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଅନ୍ୟ ଜଣେ ବାନାମ୍ବର ସେଠୀଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିବାରୁ ସେ ଛିଟ୍‌କି ପଡ଼ି ରକ୍ଷା ପାଇ ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଁ ଲୋକମାନେ ବିଶ୍ୱପ୍ରକାଶଙ୍କୁ ଗୋଟିଏ ଘରେ ଅଟକ ରଖି ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦାବି କରିଥିଲେ। ଏସ୍‌ଡିପିଓ ରାଜୀବଲୋଚନ ପଣ୍ଡା, ମାର୍ଶାଘାଇ ତହସିଲଦାର ଚନ୍ଦ୍ରକାନ୍ତ ପଣ୍ଡା ଘଟଣାସ୍ଥଳରେ ପହଞ୍ଚ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଲିଜ୍‌ଧାରୀ ବିଶ୍ୱପ୍ରକାଶ ୫ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ରାଜି ହେବାରୁ ଉତ୍ତେଜନା ପ୍ରଶମିତ ହୋଇଥିଲା।

ସଦର ଥାନା ପୁଲିସ୍‌ ବିଶ୍ୱପ୍ରକାଶଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଘଟଣାସ୍ଥଳରୁ ପୋଖରୀରେ ପଡ଼ିଥିବା ତାରକୁ ଜବତ କରିଥିଲେ ହେଁ କାହାଘରୁ ଏହି ତାର ସଂଯୋଗ ଆସିଥିଲା , ତାହାକୁ ଠାବ କରି ପାରିନାହାନ୍ତି। ତଦନ୍ତ ପରେ ଏହା ସ୍ପଷ୍ଟ ହେବ ବୋଲି ଏସ୍‌ଡିପିଓ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।

Share Now:

Kalinga News Beuro

Leave a Reply

Next Post

ମାଜିଷ୍ଟ୍ରେଟ୍‌ ଅନୁପମା ବେହେରା ହତ୍ୟା ମାମଲା : ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

Thu Mar 29 , 2018
କଟକ : ବାଲେଶ୍ୱରର ମାଜିଷ୍ଟ୍ରେଟ୍‌ ଅନୁପମା ବେହେରା ହତ୍ୟାକଣ୍ଡ ମାମଲାରେ ଆଜି ରାୟ ପ୍ରକାଶ ପାଇଛି। କଟକର ପ୍ରଥମ ଅତିରିକ୍ତ ଦୌରା ଜଜ୍‌ ସଂଜୟ କୁମାର ସାହୁ ଦୁଇ ଅଭିଯୁକ୍ତ ଭାଇଙ୍କୁ ଆଇପିସିର ଦଫା ୩୦୨ ଓ ୧୨୦-ବିରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୁଇ ଭାଇ ଜ୍ୟୋତିରଂଜନ ମହାନ୍ତି ଓ ମିକି ଓରଫ୍‌ ପ୍ରିୟରଂଜନ ମହାନ୍ତିଙ୍କୁ ଆଇପିସିର ଦଫା ୩୦୨ରେ ଆଜୀବନ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଲେଖାଏ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial