ରାଜ୍ୟରେ ଦୋକାନ ବେପାର ମାନ୍ଦା: ୟୁନିଟ୍‌-୨ ମାର୍କେଟ୍ ବିଲ୍‌ଡିଂ ଖାଁ ଖାଁ

ଭୁବନେଶ୍ୱର: କରୋନା ଭୂତାଣୁ ବ୍ୟାପୁଥିବାରୁ ରାଜ୍ୟ ସରକାର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ, କଲେଜ ଛୁଟି କରିଦେଇଛନ୍ତି। ବାହାଘର, ବ୍ରତଘର ଭଳି ସାମାଜିକ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଲଗାଇ ଦେଇଛନ୍ତି। ସେହିଭଳି ଲୋକମାନେ ବହୁସଂଖ୍ୟାରେ ଏକତ୍ର ହେବାକୁ ବାରଣ କରିଛନ୍ତି। ଭାରତରେ ଏବେ କରୋନା ଷ୍ଟେଜ୍‌-୨ ବା ଦ୍ଵିତୀୟ ପର୍ଯ୍ୟାୟରେ ଥିବାରୁ ସରକାର ବ୍ୟାପକ ସଚେତନତା ସୃଷ୍ଟି କରୁଛନ୍ତି। ଏହାର ପ୍ରଭାବ ରାଜ୍ୟର ବ୍ୟବସାୟ ଉପରେ ପଡ଼ିଛି। ବେପାର ମନ୍ଥର ହୋଇଯାଇଛି। ଖୁଚୁରା ଦୋକାନ ଗୁଡ଼ିକରେ ଅତ୍ୟାବଶ୍ୟକ ସାମଗ୍ରୀର ବିକ୍ରି ୨୦ରୁ ୨୫ ପ୍ରତିଶତ କମିଯାଇଛି। କିନ୍ତୁ ବିଳାସପୂର୍ଣ୍ଣ ସାମଗ୍ରୀର ବିକ୍ରି ବହୁ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ ରାଜ୍ୟକୁ ଆଳୁ, ଡାଲି ଏବଂ ଅନ୍ୟାନ୍ୟ ସାମଗ୍ରୀ ଆଣୁଥିବା ଗାଡ଼ି ଚଳାଚଳ ଉପରେ କୌଣସି ପ୍ରଭାବ ପକାଇ ନାହିଁ କିନ୍ତୁ ଦୋକାନରେ ବିକ୍ରି ମନ୍ଥର ହୋଇଯିବାରୁ ଏହା ବ୍ୟବସାୟୀମାନଙ୍କୁ ଚିନ୍ତାରେ ପକାଇଛି ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି।
ଶ୍ରୀ ପଣ୍ଡାଙ୍କ କହିବାନୁଯାୟୀ, ବାହାଘର, ବ୍ରତଘର ଆଦି ଉତ୍ସବ ପୂର୍ବବତ ‌ଚାଲିଥିଲେ ଲୋକମାନେ ବିଭିନ୍ନ ସଉଦା ଏବଂ ଲୁଗାପଟା କିଣିବାକୁ ଆଗ୍ରହ ଦେଖାଇଥାନ୍ତେ। କିନ୍ତୁ ଲୋକଙ୍କ ମଧ୍ୟରେ କିଣାକିଣି ପାଇଁ ପୂର୍ବ ଉତ୍ସାହ ନାହିଁ। ଏପରିକି ଫୁଟ୍‌ପାଥ୍‌ରେ ଗୁପ୍‌ଚୁପ୍‌, ଚାଟ୍ ଆଦି ବିକ୍ରି କରୁଥିବା ବ୍ୟବସାୟୀମାନେ ଏଥିରେ ପ୍ରଭାବିତ ହୋଇଛନ୍ତି। ତେଣୁ ଛୋଟ ଦୋକାନୀଠାରୁ ଆରମ୍ଭ କରି ବଡ଼ ବଡ଼ କର୍ପୋରେଟ୍ ସଂସ୍ଥା ପର୍ଯ୍ୟନ୍ତ ବ୍ୟବସାୟ ଓ ଉଦ୍ୟୋଗଜଗତ ସହ ଜଡ଼ିତ ବ୍ୟକ୍ତିମାନେ କ୍ଷତି ସହୁଛନ୍ତି। ପର୍ଯ୍ୟଟନ ଶିଳ୍ପ ଗୁରୁତର ପ୍ରଭାବିତ ହୋଇଛି। ଗ୍ରୀଷ୍ମ ଋତୁରେ ‌ଲୋକମାନେ ବୈଷ୍ଣୋଦେବୀ, ବଦ୍ରିନାଥ, ପୁରୀ, ଗୋଆ ଭଳି ସ୍ଥାନକୁ ଅଧିକ ସଂଖ୍ୟାରେ ଯାଇଥାନ୍ତି। ତେଣୁ ପର୍ଯ୍ୟଟକଙ୍କ ଆଗମନ ଫଳରେ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଯେଉଁ ବ୍ୟବସାୟ ହୋଇଥାଏ ତାହା ଠପ୍ ହୋଇଯାଇଛି। ମାର୍ଚ୍ଚ ୩୧ ତାରିଖରେ ଯଦି ସରକାର ଆଉ କଟକଣା ଅବଧିକୁ ନ ବଢ଼ାଇ ଉଠାଇ ନିଅନ୍ତି ତଥାପି ବିକ୍ରିବଟା ସଙ୍ଗେ ସଙ୍ଗେ ସ୍ୱାଭାବିକ ହେବନାହିଁ। ବିକ୍ରି ସ୍ୱାଭାବିକ ହେବାକୁ ଅଧିକ ମାସେ ସମୟ ଲାଗିଯିବ ବୋଲି ଶ୍ରୀ ପଣ୍ଡା ମତ ଦେଇଛନ୍ତି। ସେହିଭଳି କରୋନା ପ୍ରଭାବରେ ଗାଡ଼ି ଚଳାଚଳ କମିଛି। ଫଳରେ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ପ୍ରଭାବିତ ହୋଇଛି। ଆଜି ରବିବାର ଥିବାରୁ ବିକ୍ରି ସ୍ୱାଭାବିକ ଭାବେ କମ୍ ରହିଛି। ତେଣୁ କରୋନା ପାଇଁ ପେଟ୍ରୋଲ, ଡିଜେଲ ବିକ୍ରି କେତେମାତ୍ରାରେ‌ ପ୍ରଭାବିତ ହେବ ତାହାର ଚିତ୍ର ଆସନ୍ତା ମଙ୍ଗଳବାର ବୁଧବାର ଆଡ଼କୁ ମିଳିଯିବ ବୋଲି ଓଡ଼ିଶା ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଂଜୟ ଲାଠ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଭଦ୍ରକ: ପୋଖରୀରେ ବୁଡି ୨ ଛାତ୍ର ମୃତ

Mon Mar 16 , 2020
ଭଦ୍ରକ: ପୋଖରୀରେ ବୁଡି ଆଜି ଭଦ୍ରକ ଜିଲ୍ଲାର ସାହାଡା ପଞ୍ଚାୟତର ସମିଆ ଗ୍ରାମରେ ଦୁଇ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି। ସୋମାନେ ହେଲେ ଦେବଦତ୍ତ ଧୂପାଳ (୯) ଓ ବିଶ୍ୱଜିତ ବେହେରା(୧୦) । ଉଭୟ ଛାତ୍ରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପରେ ଦୁଇ ଛାତ୍ରଙ୍କର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial