କରୋନା ମୁକାବିଲା ବେଳେ ଆୟୁଷ ଡାକ୍ତରଙ୍କୁ ଅବହେଳା

ଆୟୁଷ ସେଲ୍‌ ବନ୍ଦ, ଦିଆଯାଉନି ବ୍ୟକ୍ତିଗତ ସୁରକ୍ଷା ଉପକରଣ

ଭୁବନେଶ୍ୱର : ରାଜ୍ୟରେ କରୋନା(କୋଭିଡ-୧୯) ମୁକାବିଲାରେ ଏକପ୍ରକାର ଅବହେଳାର ଶିକାର ହୋଇଛନ୍ତି କାର୍ଯ୍ୟରତ ଆୟୁଷ ଡାକ୍ତର। ରାଜ୍ୟର ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ଡିସ୍‌ପେନସାରିଠାରୁ ଆରମ୍ଭ କରି ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କୁ ଆବଶ୍ୟକ ସୁରକ୍ଷା ଉପରକରଣ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ଏପରିକି ଆୟୁଷ ସଂଘ ମଧ୍ୟ ଏ ସଂକ୍ରାନ୍ତରେ ନବନିଯୁକ୍ତ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଅବଗତ କରାଇଛି। କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ଆୟୁଷ ଡାକ୍ତରଙ୍କର ମଧ୍ୟ ଏକ ବଡ଼ ଭୂମିକାକୁ ଗୁରୁତ୍ୱର ସହ ନେଇଛନ୍ତି। ହସ୍ପିଟାଲର ଆଇସୋଲେସନ୍‌ ୱାର୍ଡଠାରୁ ଆରମ୍ଭ କରି ଫିଲ୍‌ଡ ସୁପରଭିଜନ୍‌ରେ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତ କରିବା ଲାଗି ଚିନ୍ତା କରିଛନ୍ତି। ମାତ୍ର ରାଜ୍ୟରେ ଆୟୁଷ ଡାକ୍ତରଙ୍କ ପାଇଁ ଏଭଳି କୌଣସି ବ୍ୟବସ୍ଥା ନାହିଁ। ରାଜ୍ୟ ସରକାର ନିକଟରେ ଏଲୋପ୍ୟାଥିକ ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ୪ମାସର ଆଗୁଆ ଦରମା ପ୍ରଦାନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ମାତ୍ର ଆୟୁଷ ଡାକ୍ତରଙ୍କୁ ଏଥିରେ ସାମିଲ କରାଯାଇ ନାହିଁ। ଫଳରେ ୨୪୫୦ ଆୟୁଷ ଡାକ୍ତରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଚିଠି ଡିଏମ୍‌ଇଟିଙ୍କ ସମେତ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଓ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକଙ୍କୁ ଜାରି ହୋଇଛି। ମାତ୍ର ଆୟୁଷ ଡାକ୍ତରଙ୍କ ସଂପର୍କରେ କିଛି ଉଲ୍ଲେଖ କରାଯାଇ ନାହିଁ। ଅପରପକ୍ଷରେ ଗତମାସ ୨୬ତାରିଖରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଚିଠିରେ ଆୟୁଷ ସେକ୍ସନ୍‌ରେ କାର୍ଯ୍ୟରତ କୌଣସି କର୍ମଚାରୀ କାର୍ଯ୍ୟାଳୟ ନ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତୃଣମୂଳସ୍ତରରେ ରୋଗୀ ସେବା ସହିତ ବିଭିନ୍ନ ସ୍ଥାନ‌ରେ କରୋନାର ମୁକାବିଲାରେ ଆୟୁଷ ଡାକ୍ତରଙ୍କୁ ନିୟୋଜିତ କରାଯାଇଥିଲେ ହେଁ, ରାଜ୍ୟ ସରକାରଙ୍କ ଏଭଳି ଅଣଦେଖାକୁ ଆୟୁଷ ଡାକ୍ତର ହଜମ କରିପାରୁ ନାହାନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଆୟୁଷ ଡାକ୍ତରମାନେ ବିନା କୌଣସି ସୁରକ୍ଷା ଉପକରଣରେ କାର୍ଯ୍ୟ କରୁଥିବା ନଜରକୁ ଆସିଛି। ଏପରିକି ରାଜ୍ୟ ଆୟୁର୍ବେଦିକ ଚିକିତ୍ସକ ସଂଘ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ଚିଠି ରାଜ୍ୟ ଆୟୁଷ ନିର୍ଦ୍ଦେଶକଙ୍କୁ ଲେଖାଯାଇଛି। ଏଥିରେ ଆବଶ୍ୟକ ସଂଖ୍ୟକ ଏନ୍‌୯୫ ମାସ୍କ ସମେତ ଗ୍ଲୋଭସ ଓ ସାନିଟାଇଜର ଯୋଗାଇ ଦେବାକୁ କୁହାଯାଇଛି। ଏ ସଂକ୍ରାନ୍ତରେ ରାଜ୍ୟ ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ, କୌଣସି ଉତ୍ତର ମିଳିପାରି ନାହିଁ।

Share Now:

Kalinga News Beuro

Leave a Reply

Next Post

୫ମ କରୋନା ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ କଲେ ଓଡ଼ିଶା ସରକାର:ସିଲ ହେଲା ରାଜଧାନୀର ସୂର୍ଯ୍ୟନଗର ଅଞ୍ଚଳ

Thu Apr 2 , 2020
ଭୁବନେଶ୍ୱର: ରାଜ୍ୟ ସରକାର ୫ମ କରୋନା ଆକ୍ରାନ୍ତଙ୍କ ନାମ ଓ ଠିକଣାକୁ ସାର୍ବଜନୀନ କରିଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି, ପଞ୍ଚମ ଆକ୍ରାନ୍ତ ବ୍ୟକ୍ତିଙ୍କ ନାମ ହେଉଛି ପ୍ରଦୀପ୍ତ ଦଳବେହେରା। ସେ ରାଜଧାନୀର ସୂର୍ଯ୍ୟନଗରସ୍ଥିତ (ୟୁନିଟ-୭) ର ୩୭ ନମ୍ବର ପ୍ଲଟର ୪୬ ନମ୍ବର ୱାର୍ଡରେ ନିଜ ପରିବାର ସହ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial