ଓଡ଼ିଶାର ‘ଉହାନ୍’ ବମିଖାଲ : ସଫେଇ ଠିକ୍‌ ହେଉନି କି ଅତ୍ୟାବଶ୍ୟକ ସାମଗ୍ରୀ ଠିକ୍‌ ଭାବେ ମିଳୁନି

ଭୁବନେଶ୍ୱର : ଚୀନ୍‌ର ଉହାନ ସହର ଯେପରି କରୋନା ଆକ୍ରାନ୍ତଙ୍କ ପାଇଁ ଖାଁ ଖାଁ ହୋଇଯାଇଥିଲା, ଲୋକ ଘରୁ ବାହାରିବାକୁ ଡରୁଥିଲେ ଏବେ ସେମିତି ଅବସ୍ଥା ବମିଖାଲ ଜୟଦୁର୍ଗା ନଗରରେ। ସ୍ଥାନୀୟ ଲୋକ କହିଲେଣି ଯେ, ମାଳମାଳ କରୋନା ଆକ୍ରାନ୍ତଙ୍କ ପାଖରେ ରହୁଥିବାରୁ ଘରୁ ବାହାରି ହେଉନି, ପ୍ରଶାସନ ଆମର ରକ୍ତ ନମୁନା ଓ ସ୍ୱାବ୍ ପରୀକ୍ଷା କରୁ ନଥିବାରୁ ଆମକୁ ଭୟ ଲାଗୁଛି। ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ପଜିଟିଭ୍ କେସ୍‌ ବାହାରୁଥିବାରୁ ରାତିରେ ନିଦ ହେଉନି। ଲାଗୁଛି ଯେମିତି ଆମେ ଉହାନ୍‌ ଭଳି କେବଳ କରୋନା ଆକ୍ରାନ୍ତଙ୍କ ସହରରେ ଅଛୁ। ଜୟଦୁର୍ଗା ନଗରରେ ୧୮ଜଣ କରୋନା ଆକ୍ରାନ୍ତ ବାହାରିଥିବାବେଳେ ଏହି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସତ୍ୟନଗରର ୪ଜଣ ଆସି କରୋନା ଆକ୍ରାନ୍ତ ହୋଇଛନ୍ତି। ଏହା ଗୋଟିଏ ପରିବାରରୁ ଅନ୍ୟ ପରିବାରକୁ ବ୍ୟାପିଲାଣି। ହେଲେ ପ୍ରଶାସନ କେବଳ ନିର୍ଦ୍ଦିଷ୍ଟ କିଛି ଲୋକଙ୍କ ନମୁନା ପରୀକ୍ଷା କରି ବସିପଡ଼ିଛି। ସଫେଇ ଠିକ୍‌ ଭାବେ ହେଉନି କି ଅତ୍ୟାବଶ୍ୟକ ସାମଗ୍ରୀ ଠିକ୍‌ ଭାବେ ମିଳୁନି। ଯଦି ପ୍ରଶାସନ ଜୟଦୁର୍ଗା ନଗର ପାଇଁ ଏସ୍‌ଓପି ପ୍ରସ୍ତୁତ ନ କରିବ ଏବଂ ସ୍ୱତନ୍ତ୍ର ରଣନୀତି ଅନୁଯାୟୀ କାମ ନ କରିବ ତେବେ ଜୟଦୁର୍ଗା ନଗରରେ କେତେ ଆକ୍ରାନ୍ତ ବାହାରିବେ ତାହା ଗଣିହେବନି। କାରଣ ଯେଉଁମାନଙ୍କର କୋଭିଡ-୧୯ ପଜିଟିଭ୍ ବାହାରିଛି ସେମାନଙ୍କ ସଂସ୍ପର୍ଶରେ କିଏ ଆସିଛି, କେବେ ଆସିଛି ଠିକ୍‌ ଭାବେ କହିପାରୁନାହାନ୍ତି। ଯେଉଁଠି କରୋନା ଆକ୍ରାନ୍ତ ବାହାରିଛନ୍ତି ତା’ର ନିକଟବର୍ତ୍ତୀ ଗୋଟିଏ ଦୁଇଟି ଘରୁ କେବଳ ନମୁନା ସଂଗ୍ରହ ହୋଇଛି।
ଯାହାକୁ ଫୋନ୍‌ କରୁଛୁ ସେ ଗୋଟେ ନମ୍ବର ଦେଉଛନ୍ତି
ବେବିଲନ୍ ଆପାର୍ଟମେଣ୍ଟ ପାଖାପାଖି ଆମେ ରହୁଥିଲେ ହେଁ ଆମକୁ କେହି ପଚାରୁନାହାନ୍ତି। ଏତେବେଳ ପର୍ଯ୍ୟନ୍ତ ଆମ ଘରକୁ ସ୍ୱାସ୍ଥ୍ୟକର୍ମୀ ଆସିନାହାନ୍ତି କି ନମୁନା ସଂଗ୍ରହ ହୋଇନି। ଆପାର୍ଟମେଣ୍ଟ ପାଖାପାଖି ଆମେ ୫ଟି ଘରେ ୪୦ଜଣ ଲୋକ ରହୁଥିଲେ ହେଁ କାହାର ନମୁନା ସଂଗ୍ରହ ହୋଇନି। ଘର ଠାରୁ ଦେଢ଼ରୁ ଦୁଇ କିମି ଦୂରରେ ପରିବା, ସଉଦା, ଏଟିଏମ୍ ଗାଡ଼ି ଆସି ରହୁଛି। ସେଠାକୁ ଚାଲି ଚାଲି ଯାଇ ଜିନିଷ ଆଣିବାକୁ ପଡ଼ୁଛି। ଯଦି ୧୦୪କୁ ଫୋନ୍‌ କରୁଛୁ ତେବେ କହୁଛନ୍ତି ଲକ୍ଷଣ ଦେଖାଦେଲେ ଫୋନ୍‌ କରିବ। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ସଫେଇ, ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଯେଉଁ ନମ୍ବରକୁ ଫୋନ୍‌ କରୁଛୁ ସେ ଆଉ ଗୋଟେ ନମ୍ବର ଦେଉଛନ୍ତି। ସେ ନମ୍ବରକୁ ଫୋନ୍‌ କଲେ ‌ଆଉ ଗୋଟେ ନମ୍ବର ଦେଉଛନ୍ତି। କେବଳ ନମ୍ବର ମିଳୁଛି କିଛି ସମାଧାନ ହେଉନି।
ରାସ୍ତାର ଗୋଟିଏ ପାର୍ଶ୍ୱରେ ବିଶୋଧନ ସ୍ପ୍ରେ ହେଉଛି
ସଫେଇ କରୁଥିବା ଲୋକକୁ ଯଦି ବିଶୋଧକ ସ୍ପ୍ରେ କରିବାକୁ କହୁଛୁ ସେ କହୁଛି ଆଜି ପାଣି ସରିଗଲାଣି କ‌ାଲି ଆସିଲେ କରିବା। କେବଳ ରାସ୍ତାର ଗୋଟିଏ ପାର୍ଶ୍ୱ ବିଶୋଧନ ହେଉଛି ଅପରପାର୍ଶ୍ୱ ହେଉନି। ଏ କେମିତିକା ବିଶୋଧନ ଆମେ ଜାଣିପାରୁନୁ। ଆମେ କରୋନା ଆକ୍ରାନ୍ତଙ୍କ ପାଖାପାଖି ରହୁଥିଲେ ହେଁ ଆମର ନମୁନା ସଂଗ୍ରହ ହେଉନି। ବହୁ ଦିନ ପରେ ଆଜି ଆଶା କର୍ମୀ ଆସିଥିଲେ। ସେମାନେ ଖାଲି ଘରେ କେତେ ଜଣ ସଦସ୍ୟ ଅଛନ୍ତି? କାହାର ଜ୍ୱର, ଥଣ୍ଡା ହୋଇଛି କି ନାହିଁ ପଚାରି ପଳାଇଲେ। ଯିବାବେଳେ କମିସନରଙ୍କର ଗୋଟିଏ ଚିଠି ଦେଇଯାଇଛନ୍ତି। ଯେଉଁଥିରେ କେଉଁଥିପାଇଁ କାହାକୁ ଯୋଗାଯୋଗ କରିବୁ ତାଙ୍କ ନମ୍ବର ଲେଖା ହୋଇଛି। ହେଲେ ପୂର୍ବରୁ ଯେଉଁ ନମ୍ବରରେ ଫୋନ୍‌ କରୁଥିଲୁ ସେ ଆଉ ଗୋଟେ ନମ୍ବର ଦେଉଥିଲେ। ଦେଖାଯାଉ କ’ଣ ହେଉଛି।
-ଭବାନୀ ଶଙ୍କର ନନ୍ଦ, ସ୍ଥାନୀୟ ବାସିନ୍ଦା

୧୦୪କୁ ଫୋନ୍‌ କଲି, ଡାକ୍ତର ପଠାଇଲେନି
ଏପ୍ରିଲ ୧୨ ତାରିଖରେ ମୋର ରକ୍ତଚାପ ବଢ଼ି ଯାଇଥିଲା। ଦେହ ଭଲ ଲାଗିଲାନି। ତେଣୁ ୧୦୪କୁ ଫୋନ୍‌ କରି ଜଣାଇଲି। ସେମାନେ କ’ଣ କ’ଣ ହେଉଛି ବୋଲି ପଚାରିଲେ। ତା’ପରେ ଉଚ୍ଚ ରକ୍ତଚାପ ହୋଇଛି ବୋଲି କହିଲେ। ଏହାସହ ଡାକ୍ତର ମୋତେ ଯୋଗାଯୋଗ କରିବେ ବୋଲି କହିଲେ। ହେଲେ କୌଣସି ଡାକ୍ତର ଯୋଗାଯୋଗ କଲେନି। ଦେହ ଭଲ ଲାଗିଲାନି ବୋଲି ମୁଁ ଆଉ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ଡାକ୍ତରଙ୍କୁ ଯୋଗାଯୋଗ କରି ଔଷଧ କିଣିଲି।
-ମନୋରଞ୍ଜନ ପଟ୍ଟନାୟକ, ସ୍ଥାନୀୟ ବାସିନ୍ଦ‌ା

ଖରାବେଳେ ଜିନିଷ ନେବାକୁ ଡାକୁଛନ୍ତି
ଦିନ ୧ଟାରୁ ୨ଟା ଭିତରେ ପରିବା ଗାଡ଼ି, ସଉଦା ଗାଡ଼ି ଆସୁଛି। ଏହି ସମୟରେ ଅଟୋ ପ୍ରଚାର କରି ଡାକୁଛି ପରିବା ଗାଡ଼ି ଆସିଛି, ଆସନ୍ତୁ। ଦିନ ଦ୍ବିପ୍ରହରରେ ଗୋଟେ, ଦୁଇ କିମି ଚାଲିକି କେମିତି ଯିବୁ କର୍ତ୍ତୃପକ୍ଷ ଜାଣିପାରୁନାହାନ୍ତି। ଏବେ ଯେଉଁଭଳି ଖରା ହେଉଛି ସେଥିରେ କ’ଣ ଚାଲିକି ‌ଯାଇ ହେବ। ବହୁ ବୟସ୍କ ଲୋକ ଜିନିଷ ଆଣିବାକୁ ଯାଉନାହାନ୍ତି। ଯଦି କିଛି ଗାଡ଼ି ବେଳେବେଳେ ଗଳି ଭିତରକୁ ଆସୁଛି ତେବେ ଯେଉଁଠି କରୋନା ଆକ୍ରାନ୍ତ ବାହାରିଛନ୍ତି ସେଠାକୁ ପଳାଉଛି। ତେଣୁ ବହୁ ଲୋକ ଡରିକି ସେହି ଅଞ୍ଚଳକୁ ଯାଉନାହାନ୍ତି। ବିଏମ୍‌ସି ଏଦିଗରେ ଧ୍ୟାନ ନଦେଲେ ଆମ ଜୀବନ ଦୁର୍ବିସହ ହୋଇଯିବ।
-ଶିବ ନାରାୟଣ ପାତ୍ର, ସ୍ଥାନୀୟ ବାସିନ୍ଦା

Share Now:

Kalinga News Beuro

Leave a Reply

Next Post

ଗୋପନରେ ପରମାଣୁ ବୋମା ପରୀକ୍ଷା କରିଚାଲିଛି ଚୀନ : ଆମେରିକା

Fri Apr 17 , 2020
ୱାଶିଂଟନ : ସମଗ୍ର ବିଶ୍ୱକୁ କରୋନା ମହାମାରୀ ମୁକାବିଲାରେ ବ୍ୟସ୍ତଥିବାବେଳେ ଚୀନ ଗୋପନରେ ନିଜର ସାମରିକ ଶକ୍ତି ବୃଦ୍ଧି କରିଚାଲିଛି। ଚୀନ ଗୋପନରେ ସ୍ପଳ୍ପ ବିସ୍ପୋରକ ଶକ୍ତି ବିଶିଷ୍ଟ କେତେକ ପରମାଣୁ ପରୀକ୍ଷା କରିଥିବା ଆମେରିକା ଜାଣିବାକୁ ପାଇଛି। ଆମେରିକାର ପରରାଷ୍ଟ୍ର ବିଭାଗର ଏକ ଗୋପନ ରିପୋର୍ଟରେ ଏ ସଂପର୍କରେ କୁହାଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଅନ୍ତର୍ଜାତୀୟ ନିୟମ ଅନୁସାରେ କୌଣସି ପ୍ରକାରର ପରିମାଣୁ ପରୀକ୍ଷାକୁ ନିଷିଦ୍ଧ କରାଯାଇଥିଲେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial