ଭୁବନେଶ୍ୱର‌ରେ ସବୁ ଦୋକାନ ଖୋଲି ପାରିବନି, କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ

ଭୁବନେଶ୍ୱର : ଭୁବନେଶ୍ୱରରେ ଗତ ୧୦ଦିନ ହେଲା କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ ହେଁ ଏହା ଏବେ ବି ରେଡ୍‌ ଜୋନ୍‌ରେ ଅଛି। ତେଣୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ। କେନ୍ଦ୍ର ସରକାର ଖୋର୍ଦ୍ଧା ଜିଲ୍ଲାକୁ ରେଡ୍‌ ଜୋନ୍‌ରୁ ବାଦ୍‌ ଦେବା ପରେ ହିଁ ଏଠାରେ ଦୋକାନ ଖୋଲିବା ନେଇ ନିୟମ କୋହଳ ହେବ। ତା’ ପୂର୍ବରୁ କିଛି ନିଷ୍ପତ୍ତି ହେବନି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ ଆମେ ଏବେ ରେଡ୍‌ ଜୋନରେ ଅଛୁ। ତେଣୁ ବିଏମ୍‌ସି ଅଞ୍ଚଳରେ କ’ଣ ଖୋଲିପାରିବ କ’ଣ ନାହିଁ, ସେନେଇ ଏବେ କିଛି ନିଷ୍ପତ୍ତି ହୋଇନି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ୱରରେ ଲକ୍‌ଡାଉନ୍‌ ଏବେ ବି ବଳବତ୍ତର ରହିଛି। କିନ୍ତୁ କିଛି ଲୋକ ଅମାନିଆ ଭାବେ ଆଜି ଦୋକାନ ଖୋଲିଥିବାରୁ ଏବଂ ନିୟମ ଭାଙ୍ଗି ଯାତାୟାତ କରୁଥିବାରୁ ସ୍ୱତନ୍ତ୍ର ସ୍କ୍ୱାଡ୍ ଚଢ଼ଉ କରି ଦୋକାନ ବଜାର ବନ୍ଦ କରିଥିଲା। ଆଜି ୬୦ରୁ ଅଧିକ ଦୋକାନକୁ ସ୍କ୍ୱାଡ୍‌ ବନ୍ଦ କରିଛି। କିନ୍ତୁ ସହିଦନଗର ଓଭରବ୍ରିଜ୍‌ ନିକଟରେ ଖୋଲିଥିବା ଏକ ଜଳଖିଆ ଦୋକାନକୁ ବିଏମ୍‌ସି କର୍ତ୍ତୃପକ୍ଷ ବନ୍ଦ କରାଇବା ସହ ୫ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ। ଏହାସହ ମାସ୍କ ପିନ୍ଧି ନଥିବାରୁ ୪୦ ଜଣଙ୍କଠାରୁ ୨୦୦ଟଙ୍କା ଲେଖାଏ ମୋଟ୍‌ ୮ହଜାର ଟଙ୍କା ଜରିମାନା ଆଦାୟ ହୋଇଥିଲା। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ରାଜଧାନୀରେ କେବଳ ସଉଦା, ପରିବା, ଫଳ ଓ ଔଷଧ ଦୋକାନ ଖୋଲା ରହିବ। ଏପ୍ରିଲ ୨୦ରେ ନିର୍ମାଣ କାର୍ଯ୍ୟ ପାଇଁ ବିଏମ୍‌ସି ଅନୁମତି ଦେବା ସହ ନିର୍ମାଣ ସାମଗ୍ରୀ ରାତି ୧୦ଟାରୁ ସକାଳ ୫ଟା ଭିତରେ ଯାତାୟାତ କରିବାକୁ କୁହାଯାଇଛି। ତେଣୁ ନିର୍ମାଣ ସାମଗ୍ରୀ ଯଥା, ବାଲି, ସିମେଣ୍ଟ, ଗୋଡ଼ି, ଇଟା, ରଡ୍‌ ଆଦି ଦୋକାନ ଦିନ ବେଳା ଖୋଲା ରହିଲେ ବି ଏହି ସାମଗ୍ରୀଗୁଡ଼ିକ ରାତି ୧୦ଟାରୁ ସକାଳ ୫ଟା ଭିତରେ ପରିବହନ ହେବ। ଯେଉଁଠି ‌ଶ୍ରମିକମାନେ ରହି କାମ କରୁଥିବେ, ସେଠାରେ କାମ ଚାଲୁ ରହିବ। କୌଣସି ପରିସ୍ଥିତିରେ ବିନା ଅନୁମତିରେ ଶ୍ରମିକଙ୍କୁ ଗାଡ଼ିରେ ଯାତାୟାତ କରିବାକୁ ଅନୁମତି ମିଳିବନି। ଏହାବ୍ୟତୀତ ଅନ୍ୟ କୌଣସି ଦୋକାନ ଖୋଲିଲେ, ସଂପୃକ୍ତ ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୂଚନାଯୋଗ୍ୟ, ତିନି ଦିନ ତଳୁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ରେ କେଉଁ ଦୋକାନ ଖୋଲିପାରିବ, ସେନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ରାଜଧାନୀରେ ବିଭିନ୍ନ ସ୍ଥାନରେ ଦୋକାନ ଖୋଲିବା ଆରମ୍ଭ ହୋଇଥିଲା। ରାଜଧାନୀବାସୀ ଦ୍ଵନ୍ଦରେ ଥିଲେ। ହେଲେ ବିଏମ୍‌ସି କି କମିସନରେଟ୍‌ ପୁଲିସ ପକ୍ଷରୁ କେଉଁ ଦୋକାନ ଖୋଲିବ, କେଉଁଟା ଖୋଲିବନି, ଭୁବନେଶ୍ୱରରେ କାହିଁକି ଖୋଲିବନି, ସେନେଇ କିଛି ସ୍ପଷ୍ଟ କୁହାଗଲାନି। ଫଳରେ ଦ୍ଵନ୍ଦରେ ଥିବା ଲୋକମାନେ ଦୋକାନ ଖୋଲିଲେ। କିନ୍ତୁ ଆଜି ସକାଳୁ ସ୍କ୍ୱାଡ୍‌ ଚଢ଼ଉ କରି ସବୁ ଦୋକାନ ବଜାର ବନ୍ଦ କରି ଦେଇଥିଲା। ବିଏମ୍‌ସି ପକ୍ଷରୁ କୁହାଯାଇଥିଲା ଯେ କାଲିଠାରୁ ଏନେଇ କୁହାଯାଇଛି। ହେଲେ ବିଏମ୍‌ସି କର୍ତ୍ତୃପକ୍ଷ କେବଳ ଯେ ଖାଲି ଗୋଟେ ଟୁଇଟ୍‌ କରି ସୂଚନା ଦେଇଥିଲେ ତାହା ଭୁଲି ଯାଇଥିଲେ। ଭୁବନେଶ୍ୱରରେ ଏମିତି କେତେ ବ୍ୟବସାୟୀ ଟୁଇଟର ବ୍ୟବହାର କରୁଛନ୍ତି ଯେ ଟୁଇଟ୍‌ ଦେଖି ଦୋକାନ ଖୋଲିବେ, ବନ୍ଦ କରିବେ ତାହା କର୍ତ୍ତୃପକ୍ଷ ଜାଣିପାରିଲେନି। ଭୁବନେଶ୍ୱର ରେଡ୍‌ ଜୋନରେ ଅଛି କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ ବୋଲି ଟୁଇଟ୍‌ କରିଥିଲେ। ଏତିକିରେ କିଏ କ’ଣ ବୁଝିବ କର୍ତ୍ତୃପକ୍ଷ ବୁଝିପାରିଲେନି। ଆଜି ବ୍ୟବସାୟୀମାନେ ଅସନ୍ତୋଷ ଜାହିର୍ କରିବା ପରେ ବିଏମ୍‌ସି ପକ୍ଷରୁ ୫ଟି ପ୍ରଚାର ଗାଡ଼ି ବୁଲି ବ୍ୟବସାୟୀଙ୍କୁ ସଚେତନ କରିଛି।

Share Now:

Kalinga News Beuro

Leave a Reply

Next Post

‘ମୁଁ କରୋନାରେ ପୀଡ଼ିତ’ ! କୋଲକାତା ଫେରନ୍ତା ଯୁବକଙ୍କ ବୟାନକୁ ନେଇ ଡାକ୍ତରଖାନାରେ ଆତଙ୍କ

Tue Apr 28 , 2020
ଜଳେଶ୍ୱର: ‘ମୁଁ କରୋନାରେ ପୀଡ଼ିତ।’ ଆଜି ନିଜଆଡ଼ୁ ଜଣେ କୋଲକାତା ଫେରନ୍ତା ଯୁବକଙ୍କ ଏଭଳି ବୟାନକୁ ନେଇ ଜଳେଶ୍ୱରସ୍ଥିତ ଜିକେ ଭଟ୍ଟର ଡାକ୍ତରଖାନାରେ ଆତଙ୍କ ଖେଳିଯାଇଛି। ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଭିତରକୁ ପ୍ରବେଶ ଅନୁମତି ଦେଇନାହାନ୍ତି। ତାଙ୍କ ଉପରେ କଡ଼ା ନଜର ରଖାଯିବା ସହିତ ବାଲେଶ୍ୱରକୁ ନେବା ପାଇଁ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି। ଏହି ଯୁବକଙ୍କ ଘର କମର୍ଦ୍ଦା ଥାନା ଅଞ୍ଚଳରେ ହୋଇଥିବାବେଳେ ସେ କୋଲକାତାର ଏକ କମ୍ପାନିରେ କାମ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial